Unknown

 

 

 

 

 

 

 

 

 

 

 

ଶେଷ ସଂଳାପ

ଡକ୍ଟର ହରିହର ଦାସ

 

ସୂଚୀପତ୍ର

 

୧.

ଅନେକ ବିସ୍ମୟ

୨.

କାହାଣୀ ଏକ ସୁବାସିତ ହାତର

୩.

ଉଦାସ ମୁହୂର୍ତ୍ତ

୪.

ମହାପ୍ରଳୟ

୫.

ଶେଷ ସଂଳାପ

୬.

ନାଟକର ଦୁଇଟି ପାତ୍ର

୭.

ପ୍ରାପ୍ତିର ଶେଷକଥା

୮.

ଆହତ ବିଶ୍ୱାସ

Image

 

ଅନେକ ବିସ୍ମୟ

 

ବର୍ଷାଧୁଆ ତୋଫା ଆକାଶ ।

 

ତା’ର ପୂର୍ଣ୍ଣ ପ୍ରଭାବ ବିସ୍ତାର କରିବାପାଇଁ ଜହ୍ନକୁ ହୁଏତ ଆଉ ଅଳ୍ପ ସମୟ ଲାଗିବ । କିନ୍ତୁ ତା’ର ପୂର୍ବାଭାସ ସ୍ୱରୂପ କେମିତି ଗୋଟିଏ ଉଜ୍ଜ୍ୱଳ ଆଭା ଚାରିଆଡ଼େ ଖେଳିଯାଇଥିଲା । ପୃଥିବୀରେ ମହତ୍‌ ଲୋକମାନଙ୍କର ଆବିର୍ଭାବ ପୂର୍ବରୁ ସେମିତି ଦିବ୍ୟ ଦୈବୀ ସୂଚନା ମିଳିଥାଏ ବୋଲି ପୁରାଣମାନଙ୍କରେ ବର୍ଣ୍ଣନା ହୋଇଛି । ନବକୁମାର ବହୁ ସମୟ ଧରି ବାଲକୋନିରେ ବସିଥିଲା ଏକା । ଏମିତି ଏକା ଏକା ସମୟ କଟାଇବାପାଇଁ ତାକୁ ଭାରି ଭଲ ଲାଗୁଛି ।

 

ଜୀବନକୁ ସେ କମ୍‌ ଉପଭୋଗ କରି ନାହିଁ । ସାଙ୍ଗସାଥୀ ମେଳରେ ସେ ନିଜର ସ୍ଥିତି ମଧ୍ୟ ଭୁଲିଯାଇଛି । ନିଜର ଦ୍ୱାର ଉନ୍ମୁକ୍ତ କରିଦେଇଛି ସେମାନଙ୍କ ପାଇଁ । ଅର୍ଥର ସୁଅ ଛୁଟିଛି ସାଙ୍ଗମାନଙ୍କୁ ଖୁସି କରିବା ପାଇଁ ।

 

ବନ୍ଧୁତ୍ୱର ପ୍ରତ୍ୟୟ ଜନ୍ମାଇ ଯେଉଁମାନେ ତା’ର ହୃଦୟରେ ସ୍ଥାନ ଜମାଇ ବସିଥିଲେ, ସେହିମାନେ ତାକୁ ସର୍ବସ୍ୱାନ୍ତ କରିବାରେ କମ୍‌ ଭୂମିକା ଗ୍ରହଣ କରିନାହାନ୍ତି । ଶରତ୍‌ ଆକାଶର ଭସାମେଘ ଭଳି ସେମାନେ ସ୍ଥିତିହୀନଭାବେ ଚାଲିଯାଇଛନ୍ତି ଦୂରକୁ—ବହୁ ଦୂରକୁ । ଅତୀତର କଥାକୁ ଭାବିବସି ଆଉ ଲାଭ କ’ଣ ! ସେଥିରେ ବରଂ ବେଦନା ବେଶି ବଢ଼ିଯିବ ସିନା ! ମନର ପ୍ରକ୍ରିୟା ଉପରେ ମଣିଷର କର୍ତ୍ତୃତ୍ୱ କିନ୍ତୁ ଖୁବ୍‌ କ୍ଷୀଣ । ମନ ତା ବାଟରେ ଚାଲେ । ମଣିଷର ବୋଲ ମାନିବା ପାଇଁ ସେ ବାଧ୍ୟ ନୁହେଁ । ପୂର୍ବର ସେହିସବୁ କଥାଗୁଡ଼ାକୁ ଭୁଲିଯାଇପାରିଲେ ସେ ଅତ୍ୟନ୍ତ ଖୁସି ହୋଇପାରନ୍ତା । ସେ ବହୁଥର ଚେଷ୍ଟା ମଧ୍ୟ କରିଛି ପୂର୍ବସ୍ମୃତିର ରୋମନ୍ଥନ ନ କରି ଅନ୍ୟ କିଛି ଫଳପ୍ରଦ କାମ କରିବା ଏବଂ ତା ନିଜ ମନକୁ ପ୍ରବର୍ତ୍ତାଇବା ପାଇଁ । ସେ ଚେଷ୍ଟା ତାର ବ୍ୟର୍ଥ ହୋଇଛି ।

 

ସେ ଚିତ୍କାରକରି ଉଠୁଥିଲା—ମୁଁ ମୁକ୍ତି ଚାହେଁ...ମୁକ୍ତି । ମୁଁ ମୋର ସମସ୍ତ ସ୍ମୃତିଶକ୍ତି ନଷ୍ଟହେବା ଚାହେଁ । ମୁଁ ଚାହେଁ ସ୍ଥାଣୁତ୍ୱ । ଏଭଳି ତିଳ ତିଳ ମୁଁ ଧ୍ୱଂସ ହେବା ପସନ୍ଦ କରେନା । ମୃତ୍ୟୁକୁ ମୁଁ ଘୃଣା କରେନା । ମୁଁ ଜାଣେ ମୃତ୍ୟୁ ଅନିବାର୍ଯ୍ୟ; କିନ୍ତୁ ଯନ୍ତ୍ରଣାଦାୟକ ମୃତ୍ୟୁ ଯାହା ମାରେନା; କିନ୍ତୁ ମରିବାଠାରୁ ବହୁଗୁଣରେ ଅଧିକ ପୀଡ଼ିତ କରେ, ତାକୁ ମୁଁ ଘୃଣାକରେ । ମୁଁ କୃଶବିଦ୍ଧ ହୋଇ ମରିବାକୁ ଚାହେଁନା ମୁଁ ସେଇ ମୃତ୍ୟୁ ଚାହେଁ, ଯାହା ହେବ ମୁକ୍ତିର ନିୟନ୍ତ୍ରଣ । ଯାହା ମୋ ମନରେ ସୃଷ୍ଟି କରିବ ନୂତନ ସ୍ପନ୍ଦନ । ସେଇ ଯନ୍ତ୍ରଣାହୀନ ମୃତ୍ୟୁ ଯାହା ମୋ ପାଇଁ ହେବ ଆନନ୍ଦମୟ-ଅମୃତମୟ, ସେହି ମୃତ୍ୟୁ ହିଁ ମୋର କାମ୍ୟ ।

 

ଆକାଶରେ ଉଇଁ ଆସୁଥିବା ଚନ୍ଦ୍ର ପାଇଁ ନବକୁମାରର ପ୍ରତୀକ୍ଷା ନ ଥିଲା । ତା ପାଇଁ ବୋଧହୁଏ ସମସ୍ତ ସମ୍ଭାବନା ସତ୍ତ୍ୱେ ଆକାଶ ଥିଲା ବନ୍ଧ୍ୟା । ଅର୍ଥହୀନ ପ୍ରକୃତି ଭିତରେ ସେଇ ନିର୍ବାକ ଆକାଶର ଅସୀମ ବିସ୍ତୃତି ଓ ପ୍ରଗଲ୍‌ଭତା ତା ପାଇଁ ନପୁଂସକର ଯୌନ ଆସ୍ଫାଳନ ବ୍ୟତୀତ ଅନ୍ୟ କିଛି ନଥିଲା । ଜନ୍ମର ଜହ୍ନପାଇଁ ସର୍‌ହଦିହୀନ ଆକାଶଟା ଏକ ପ୍ରସୂତିଭବନ ମାତ୍ର । ପ୍ରସୂତିଭବନ କ’ଣ କେବେ ମାତୃତ୍ୱ ଲାଭ କରିପାରେ ! ସେ କ’ଣ ଜାଣିବ ଗର୍ଭବେଦନା ! ଗର୍ଭବେଦନା ଓ ଶିଶୁ କ୍ରନ୍ଦନର ପ୍ରତିଧ୍ୱନି ବହନକରି କ୍ଷଣିକଭାବେ ନିଜକୁ ସେ ସାର୍ଥକ ମନେକରିପାରେ ।

 

ଉଇଁଆସୁଥିବା ଜହ୍ନ ପାଇଁ ନବକୁମାର ମନରେ ଆବେଗର ଅଭାବ ନାହିଁ । ଏମିତି ଅନେକ ରାତିରେ ସେମାନେ ଏଇ ବାଲ୍‌କୋନିରେ ବସି ଅନେକ ଉପଭୋଗ କରିଛନ୍ତି ଜହ୍ନରାତିର ମହୁଆ ବାସ୍ନାକୁ । ଅଜଣା ଫୁଲର ସୁଗନ୍ଧରେ ଭାରି ରାତିର ମନ୍ଦ ମଳୟ ସେମାନଙ୍କ ମନରେ ଭରିଦେଇଥିଲା ଅନେକ ମାଦକତା । ବିଧୁରା ପକ୍ଷୀଟିଏ ରହି ରହି କରୁଣ ଭାବେ ତା’ର ସାଥୀକୁ ଡାକୁଥିବା ସଙ୍ଗୀତର—ଏକତାରା ସେମାନଙ୍କୁ ଆହୁରି ଅଧିକ ନିବିଡ଼ଭାବେ ଏକାତ୍ମ କରିଦେଉଥିଲା-। ବାସ୍ତବରେ ଜହ୍ନ କ’ଣ ଏତେ ସୁନ୍ଦର ହୋଇପାରେ । ସେ ଆଣି ଦେଇପାରେ ଏତେ ଆବେଗ...ଏତେ ଉନ୍ମାଦନା । ସେଇମାନଙ୍କ ପାଇଁ ବୋଧହୁଏ ସେ ରାତିରେ ପ୍ରକୃତି ନିଜକୁ ସଜାଇଥିଲା ଏତେ ସୁନ୍ଦର କରି । ପବନରେ ଭରିରହିଥିଲା ଅସମ୍ଭବ ମାଦକତା । ଜ୍ୟୋତ୍ସ୍ନାର ସ୍ପର୍ଶ ହୃଦୟ ଓ ମନରେ ଭରିଦେଉଥିଲା ଏକ ଅକୁହା ପୁଲକ ଓ ପ୍ରବଣତା । ଆଉ ବିରହ-ବିଧୁରା ସେଇ ପକ୍ଷୀଟା ରହି ରହି ଏମିତି ଭାବେ ମୂର୍ଚ୍ଛନା ତୋଳୁଥିଲା ଯେ...ତା’ର ହୃଦୟର କଥା ବୁଝିବା ମନ୍ଦାକିନୀ ପକ୍ଷରେ ଆଦୌ ଅସମ୍ଭବ ନଥିଲା । ତା’ର ମନେହେଉଥିଲା ଯେମିତି ତା’ର ମନକଥା ହିଁ ସେ ଦୂରନ୍ତ ବିରହିଣୀ ପକ୍ଷୀଟି ସଙ୍ଗୀତର ସୁରରେ ଗାଉଥିଲା ।

 

ନବକୁମାର କେମିତି ଟିକିଏ ଅନ୍ୟମନସ୍କ ହୋଇଯାଉଥିଲା ବା ନିଜ ସ୍ୱପ୍ନରେ ନିଜେ ଏମିତି ବିଭୋର ହୋଇଯାଇଥିଲା ଯେ ସେସବୁ କିଛି ଭୁଲିଯାଇଥିଲା ।

 

—ଶୁଣୁଛ...ଶୁଣୁଛ...

 

—କ’ଣ...କୁହ କ’ଣ କହିବ ।

 

ନବକୁମାର ଯେମିତି ହଠାତ୍‌ ନିଜର ସ୍ଥିତି ଫେରିପାଇଲା ମନ୍ଦାକିନୀର ଡାକରେ । ମନ୍ଦାକିନୀର ପ୍ରଥମ ଡାକ ସେ ଶୁଣିପାରିନି । ବିବ୍ରତ ହେଲା ସେ । ନିଶ୍ଚୟ ତାର ଅନ୍ୟାୟ ହୋଇଛି-। ଅତି ଆଦରର ସହିତ ମନ୍ଦାକିନୀର କେଶକୁ ସାଉଁଳେଇ ଦେଇ ନବକୁମାର କହିଲା-

 

କଣ କହିବ କହୁନା ।

 

—ମନ୍ଦାକିନୀ ଚୁପ୍‌ ରହିଲା । ସେ ଅଭିମାନ କରିଛି । ସେ ଖସିଗଲା ଟିକିଏ ଦୂରକୁ, ନବକୁମାରର ନିବିଡ଼ ଆଲିଙ୍ଗନର ବନ୍ଧନ ଭିତରୁ । ନବକୁମାରର ଏତେ ବଡ଼ ଆସ୍ପର୍ଦ୍ଧା ! ସେ ତାର ବାହୁବନ୍ଧନରେ ଆବଦ୍ଧ ଥିଲାବେଳେ ମଧ୍ୟ ଏମିତି ଧ୍ୟାନମଗ୍ନ ।

 

—ମୋର ଭୁଲ ହୋଇଛି ମନ୍ଦାକିନୀ ! ମୁଁ କିଛି ସମୟପାଇଁ ଭାସିଯାଇଥିଲି ସ୍ୱପ୍ନ ନଈର ସୁଅରେ । ତୁମକୁ ନେଇ ହିଁ ମୋର ସ୍ୱପ୍ନ...ମୋର ବାସ୍ତବ ସବୁ କିଛି ।

 

ମନ୍ଦାକିନୀର କଣ୍ଠ କେମିତି ଟିକିଏ ଆବେଗରେ ଭାରି ଭାରି ଜଣାପଡ଼ୁଥିଲା । ସେ ନବକୁମାରର ଏଇ ସାମନ୍ୟତମ ଅବହେଳାକୁ ମଧ୍ୟ ସହ୍ୟ କରିବା ପାଇଁ ପ୍ରସ୍ତୁତ ନୁହେଁ । ଅନେକ ବର୍ଷର ତପସ୍ୟା...ଅନେକ ସାଧନାପରେ ସେ ଲାଭକରିଛି ନବକୁମାରକୁ । ଏଡ଼େ ସହଜରେ ସେକଥା ଭୁଲିଯିବା ପାଇଁ ସେ ଦେବନାହିଁ ।

 

—ମନ୍ଦାକିନୀ ! ତୁମେ କ’ଣ କେବେ ବିଶ୍ୱାସ କରିପାର ଯେ, ତୁମେ ମୋର ଆଲିଙ୍ଗନରେ ଆବଦ୍ଧ ଥିବାବେଳେ ମୁଁ ଅନ୍ୟ କିଛି ଚିନ୍ତା କରିପାରେ ! ମୋର ସମସ୍ତ ଇଚ୍ଛା ଆଜି ହୋଇଛି ଫଳବତୀ—ଗୋଟିଏ ବନ୍ଧ୍ୟା ବୃକ୍ଷ ତାର ଅନେକ ତପସ୍ୟା ଓ ସାଧନାଫଳରେ ଫଳପୁଷ୍ପ ଧାରଣ କଲାପରି । ମୋର ଚରିତାର୍ଥ କାମନାମାନଙ୍କର ପୁଞ୍ଜି ଏହି କ୍ଷଣିକ ମୁହୂର୍ତ୍ତର ସ୍ୱଳ୍ପତାକୁ ମୁଁ କୁବେର-ଐଶ୍ୱର୍ଯ୍ୟରେ ପରିଣତ କରିବାକୁ ଚାହେଁ । ଏହି ମୁହୂର୍ତ୍ତକୁ ଉଦରସ୍ଥ କରି ମୁଁ ଏଭଳି ବରୁଣ ହେବାକୁ ଚାହେଁ, ଯାହାକୁ ମହାକାଳର ଅଗସ୍ତି ଶତଚେଷ୍ଟା ସତ୍ତ୍ୱେ ମଧ୍ୟ ଚଳୁ କରିପାରିବ ନାହିଁ । ଆମର ସମସ୍ତ ଅତୀତ ବ୍ୟର୍ଥତାକୁ ସାର୍ଥକ କରିଥିବା ଆଜିର ଏ ମୁହୂର୍ତ୍ତ ମୋ ପାଇଁ ସମଗ୍ର ମହାକାଳଠାରୁ ମଧ୍ୟ ଅଧିକ ବ୍ୟାପ୍ତ, ଅଧିକ ମୂଲ୍ୟବାନ୍‌ । ଏଇ ମୁହୂର୍ତ୍ତଟିକୁ କ’ଣ ସମଗ୍ର ଜୀବନପାଇଁ ଆମେ ସାଇତି ରଖିପାରିବା ନାହିଁ ?

 

ମନ୍ଦାକିନୀର ଅଭିମାନ ଟିକିଏ ନରମିଯାଇଥିଲା । ସେ ଅବଶ୍ୟ ନବକୁମାରର ତାତ୍ତ୍ୱିକ କଥାଗୁଡ଼ିକୁ କିଛି ବୁଝିପାରୁନଥିଲା । ନବକୁମାର ଉପରେ ଅଭିମାନ କରି ବା ସେଭଳି ଛଳନା କରି ତାଙ୍କୁ ଯେ ନିଜ ପ୍ରତି ଆହୁରି ନିବିଡ଼ଭାବେ ସେ ଆକର୍ଷଣ କରିପାରିବ, ଏକଥା ସେ ଭଲଭାବେ ଜାଣିଥିଲା । ମନ୍ଦାକିନୀ ମନରେ ଏତିକି ଟିକିଏ ସୁଦ୍ଧା କଷ୍ଟ ହେଲେ ନବକୁମାର ତାକୁ ସହିବାପାଇଁ ପ୍ରସ୍ତୁତ ନଥିଲା । ଏହା ତାର ଚାରିତ୍ରିକ ଦୋଷ ହୋଇପାରେ ବା କେବଳ ମନ୍ଦାକିନୀପାଇଁ ତାର ଦୁର୍ବଳତା ହୋଇପାରେ; କିନ୍ତୁ ଏହାର ସୁଯୋଗ ନେବାପାଇଁ ମନ୍ଦାକିନୀ କେବେହେଲେ ଭୁଲିନଥିଲା-

 

—ପ୍ରତ୍ୟେକ ମୁହୂର୍ତ୍ତକୁ ନେଇ ବଞ୍ଚିବାକୁ ମୁଁ ଚାହେଁ । ମୁହୂର୍ତ୍ତକୁ ମହାକାଳରେ ପରିଣତ କରିବାର ପାଗଳାମି ବା ପ୍ରବଣତା ମୋର ନାହିଁ । ପ୍ରତ୍ୟେକ ସାର୍ଥକ ମୁହୂର୍ତ୍ତ ମୋ ପାଇଁ କେବଳ ଏକ ଅର୍ଥହୀନ ବିସ୍ତୃତି ସୂଚାଉଥିବା ମହାକାଳଠାରୁ ମଧ୍ୟ ଅଧିକ ମୂଲ୍ୟବାନ । ଏଭଳି ସାର୍ଥକ ମୁହୂର୍ତ୍ତଗୁଡ଼ିକର ମୁକ୍ତାରେ ନିର୍ମିତ ମାଳାଟିଏ ମୋର ଦରକାର—ମହାକାଳର ଐଶ୍ୱର୍ଯ୍ୟରେ ଭାରାକ୍ରାନ୍ତ ସୁବର୍ଣ୍ଣମେଖଳା ନୁହେଁ ।

 

ନବକୁମାର ମନ୍ଦାକିନୀର ଯୁକ୍ତିରେ ମୁଗ୍‌ଧ ହୋଇଥିଲା, କମ୍‌ ବିସ୍ମୟ ମଧ୍ୟ ପ୍ରକାଶ କରି ନଥିଲା । ବାସ୍ତବରେ ମନୁଷ୍ୟ ଜୀବନ କେଡ଼େ କ୍ଷଣସ୍ଥାୟୀ ! କେଡ଼େ କ୍ଷଣଭଙ୍ଗୁର ତାର ସୁଖ ସ୍ୱପ୍ନ । ମୁହୂର୍ତ୍ତକୁ ନେଇ ବଞ୍ଚିବା ହିଁ ସତ୍ୟ—ଗ୍ରହଣଯୋଗ୍ୟ । କାରଣ ପର ମୁହୂର୍ତ୍ତରେ କ’ଣ ହେବ କିଏ କହିପାରିବ ? ମୁହୂର୍ତ୍ତକୁ ମହାକାଳରେ ପରିଣତ କରିବାର ଅଳୀକ ସ୍ୱପ୍ନରେ ବିଭୋର ହେବାଠାରୁ ବଡ଼ ବିସ୍ମୟ ଆଉ କ’ଣ ହୋଇପାରେ !

 

ଆକାଶକୁ ପୁଣି ଥରେ ଚାହିଁଲା ନବକୁମାର । ସତେ ଯେମିତି ଓଢ଼ଣା ଟାଣି କିଏ ଜଣେ ସୁନ୍ଦରୀ ଲାସ୍ୟ ତୋଳିଛି । ପାଖରେ ତାର ଅନ୍ୟ ଗୋଟିଏ ମେଘ ସଖୀଟିଏ ପରି ତାର ଚିବୁକ ତୋଳିଧରି କ୍ରୀଡ଼ାବନତ ମୁଖପଦ୍ମରେ ଚୁମ୍ବନ ଆଙ୍କୁଛି । ଜ୍ୟୋତ୍ସ୍ନାବିଧୌତ ଆକାଶ ଅଙ୍ଗନରେ ମେଘ ନର୍ତ୍ତକୀମାନଙ୍କର ଏଭଳି ନୃତ୍ୟ ଓ କ୍ରୀଡ଼ା-କୌତୁକ କିଛି ସମୟ ପାଇଁ ତାକୁ ଅତୀତକୁ ଭୁଲିଯିବା ପାଇଁ ବାଧ୍ୟ କରୁଥିଲା ।

 

ବହୁ ସମୟଧରି ଆତ୍ମପ୍ରକାଶ କରିବାପାଇଁ ପ୍ରବଳ ଚେଷ୍ଟା କରୁଥିବା ଜହ୍ନର ପ୍ରଭାବରେ ପ୍ରଭାବିତ ବନ୍ଧ୍ୟା ଆକାଶ । ପ୍ରତିଶ୍ରୁତିହୀନ ଧଳା ମେଘମାନଙ୍କର ନାଟ୍ୟ କୌତୂହଳ । ଅହଙ୍କାରପୂର୍ଣ୍ଣ ଆକାଶର ଅର୍ଥହୀନ ବିସ୍ତୃତି ଏ ସବୁ ଆଜି ନବକୁମାରକୁ କେମିତି ଅସହ୍ୟ ବୋଧହେଉଥିଲା ।

 

ଅତୀତର ଅନେକ ସ୍ମୃତିରେ ଜର୍ଜରିତ ଏଇ ବାଲ୍‌କୋନି । ଆଜି ସତେ ଯେମିତି ତାର ସ୍ଥିତିକୁ ଜାହିର୍‌ କରିବାପାଇଁ ଚେଷ୍ଟାକରୁଥିବା ବୁଲା କୁତୀଟିଏ ଭଳି ପ୍ରତି ଘର ମୁହଁରେ ।

 

ସିମେଣ୍ଟ କୁଣ୍ଡରୁ ସୂତା ଦେହରେ ଲଟେଇଯାଇଥିବା ଶୁଖିଲା ମନିପ୍ଲାଣ୍ଟ ଦାନ୍ତନିକୁଟି ହଳଦିଆ ହସ ହସୁଥିଲା । ଗୋପବନ୍ଧୁ, ମଧୁସୂଦନ ଓ ମହାତ୍ମାଗାନ୍ଧୀଙ୍କ ଫଟୋଗୁଡ଼ିକ ଉପରେ ବୁଢ଼ିଆଣୀ ଜାଲ ଓ ଅଳନ୍ଧୁ ମାଡ଼ିଯାଇଥିଲା । ବହୁଦିନରୁ ଘରଟି ପ୍ରତି ଯେ ଆଦୌ ଯତ୍ନ ନିଆଯାଇ ନାହିଁ, ଏକଥା ସ୍ପଷ୍ଟ । ସେମାନଙ୍କର ମଧୁର ମିଳନର ରାତ୍ରିଗୁଡ଼ିକ ଆହୁରି ମଧୁର ଓ ମଦିର କରି ତୋଳୁଥିବା ହେନା ଗଛରେ ବହୁଦିନରେ ପାଣି ଟିକିଏ ଦିଆଯାଇନାହିଁ । ପତ୍ରଗୁଡ଼ାକ କେମିତି ଶୁଖିଆସିଥିଲା ।

 

ଦୂରକୁ ଚାହିଁଲା ନବକୁମାର...ଖୁବ୍‌ ଦୂରକୁ । ଯେତେ ଦୂରଯାଏ ତାର ଆଖି ଦେଖିପାରିବ ସେଇ ପର୍ଯ୍ୟନ୍ତ ସେ ଚାହିଁଲା । ତା ଘରଠାରୁ ଲମ୍ବିଯାଇଛି ରାସ୍ତାର ଦୁଇଧାରେ ଅନେକ କିଆଗଛର ଅରଣ୍ୟ । ସେଠି ଫୁଟୁଥିବା କିଆଫୁଲର ବାସ୍ନାରେ ଆକର୍ଷିତ ହୋଇ କୁଆଡ଼େ ବିଷଧର ସର୍ପମାନେ ସେଠାରେ ବାସକରନ୍ତି । ସୁବାସ କିଆଫୁଲର ଦ୍ରବ୍ୟଗୁଣ, ତାର ଆତ୍ମା । ଶିବଙ୍କ ମସ୍ତକରେ ସ୍ଥାନ ପାଉଥିବା ଏକ ପବିତ୍ର ଫୁଲ ତାର ଆତ୍ମିକ ସୁଗନ୍ଧରେ ସର୍ପରାଜକୁ ଆକର୍ଷଣ କରେ । ପୁଷ୍ପର ସୁଗନ୍ଧ ଓ ଧ୍ୱଂସର ବାର୍ତ୍ତାବହ ହଳାହଳ ମଧ୍ୟରେ ସଂପର୍କ କ’ଣ ଏତେ ନିବିଡ଼ ! ସୁଗନ୍ଧର ତୀବ୍ରତା ଯେତେ ବେଶି ଧ୍ୱଂସକାରୀ, ହଳାହଳର ସମ୍ଭାବନା କ’ଣ ସେତେ ଅନିବାର୍ଯ୍ୟ !

 

ଆଉ ସେ ଚିନ୍ତା କରିପାରିଲାନାହିଁ । ରାତି ନିଶ୍ଚୟ ଅନେକ ହୋଇଯାଇଥିବ; କିନ୍ତୁ ଆଖିକୁ ତାର ନିଦ ନ ଥିଲା । କେବଳ ଏଇ ଗୋଟିକ ରାତି କଥା ନୁହେଁ, ବିଗତ ଅନେକ ଦିନଧରି ସେ ଶୋଇପାରୁ ନଥିଲା । ଶୋଇବା ପାଇଁ ତାର ଜୀବନରେ ଥିଲା ସବୁଠାରୁ ବେଶି ଦୁର୍ବଳତା । ତାର ସାଙ୍ଗମାନେ ସବୁବେଳେ ତାକୁ ଥଟ୍ଟା କରନ୍ତି ଯେ, ସେ ଠିଆ-ଠିଆରେ ମଧ୍ୟ ନିଦ୍ରା ଯାଇପାରେ-। ଯେଉଁଠି ଯେତେବେଳେ ଯେଉଁ ଅବସ୍ଥାରେ ମଧ୍ୟ ଶୋଇବା ପାଇଁ ଚେଷ୍ଟା କଲାମାତ୍ରେ ହଠାତ୍‌ ନିଦ୍ରାଦେବୀଙ୍କର କୋମଳ ସ୍ପର୍ଶ ଲାଗି ତାର ଆଖିପତା ବନ୍ଦ ହୋଇଯାଏ; କିନ୍ତୁ ଏଇ କେତେଦିନ ହେବ ନିଦବଟିକା ନଖାଇଲେ ତାର ଚଳୁନାହିଁ । ବାର୍ବିଚୁରେଟ୍‌ସ ଖାଇ ଖାଇ ତାର ପ୍ରଭାବ ମଧ୍ୟ କମିଗଲାଣି ।

 

ବୃଥାରେ ଏମିତି ବସି ବସି ଘଣ୍ଟା ଘଣ୍ଟା କଟିଯାଉଛି । ପେକେଟ୍‌ ପରେ ପେକେଟ୍‌ ସିଗାରେଟ୍‌ ପୋଡ଼ି ସେ ରାତ୍ରିର ସମୟକୁ ଦଗ୍‌ଧ କରିବାକୁ ଚେଷ୍ଟା କରୁଛି । ସେ ନିଆଁରେ ନିଜେ ମଧ୍ୟ କମ୍‌ ଦଗ୍‌ଧ ହେଉନାହିଁ ।

 

ଦିଗ୍‌ବଳୟ ପାଖରେ ପାହାଡ଼ ଉପରେ ଜଳୁଥିବା ନିଆଁ ଦେଖି ସେ ହଠାତ୍‌ ଚମକି ପଡ଼ିଲା । ସତେ ଅବା ରାତ୍ରିର ଏକାଟିଆ ଯାତ୍ରୀ ଶ୍ମଶାନରେ ଚିତାଗ୍ନିର ସମ୍ମୁଖୀନ ହୋଇଯାଇଛି । ନବକୁମାର ମନେକଲା ସେ ଦେଖୁଛି ନିଜର ଜଳିଲା ଦେହଟାକୁ ଦଗ୍‌ଧ ସ୍ମୃତିର ଚିତାନଳ ଉପରେ । ପ୍ରାଣବିକଳରେ ସେଠାରୁ ଧାଇଁଯିବା ପାଇଁ ଚେଷ୍ଟା କରୁଥିବା ତାର ଜଳିଲା ଦେହଟାକୁ ସେଇ ପରିଚିତ ମାଲଭାଇମାନେ ବାଉଁଶରେ କେଞ୍ଚି ପୁଣି ନିଆଁ ଉପରକୁ ଠେଲିଦେଉଛନ୍ତି, ଆଉ ରକ୍ଷା ନାହିଁ । ଏଇ ନିଆଁରେ ହିଁ ସେ ନିଜର ମୋକ୍ଷ ଓ ଶାନ୍ତି ଖୋଜିବାପାଇଁ ହେବ । ଧାଇଁ ପଳାଇଯାଇ ସେ ରକ୍ଷା ପାଇପାରିବ ନାହିଁ । ସହସ୍ର ସହସ୍ର ଜିହ୍ୱା ବିସ୍ତାର କରି ଅଗ୍ନି ଆକାଶକୁ ଲମ୍ଫ ପ୍ରଦାନକରୁଛି । ତାର ଏହି ଦହନ କ୍ରିୟା ପାଇଁ ସାକ୍ଷୀ ଦଶଦିଗପାଳ । ଚନ୍ଦ୍ର, ସୂର୍ଯ୍ୟ, ବାୟୁ, ପୃଥିବୀ ସମସ୍ତେ ଏ ଦହନ-ଯଜ୍ଞର ହୋତା ।

 

ଜହ୍ନରାତିରେ ନବକୁମାର ଦେଖିଲା ଘର ସାମନା ପୋଖରୀର ସେ ପରିଚିତ ମାଛମାନଙ୍କୁ । ସେମାନେ ଆକାଶର ଧଳା ମେଘମାନଙ୍କ ପିଠିରେ ଚଢ଼ି ବାହାରିଛନ୍ତି ଶିକାର କରିବାପାଇଁ । ଅନେକ ଜଙ୍ଗଲର ସରହଦ ଡେଇଁ ଛୁଟିଚାଲିଛି ସେମାନଙ୍କର ମେଘର ଘୋଡ଼ା । ଅଜଗର ପରି ଗଣ୍ଡି କରିଥିବା ମେଘର ଘୋଡ଼ାମାନଙ୍କ ଉପରେ କୁନି କୁନି ମାଛର ମଣିଷ । ପର୍ଶୁରାମ ପୃଥିବୀକୁ ନିକ୍ଷତ୍ରିୟ କଲାପରି ଏମାନେ ମାୟାମୃଗୁଣୀମାନଙ୍କୁ ପୃଥିବୀରୁ ନିଃଶେଷ କରିବେ । ରୂପାର ପିଢ଼ା ଉପରେ ସୁନାର ଫଲ ଦେଇ ଅପ୍‌ସରାମାନେ ସେମାନଙ୍କୁ ଅଭ୍ୟର୍ଥନା ଜଣାଉଛନ୍ତି ।

 

ପୋଖରୀର ଚହଲା ପାଣିରେ ମୂର୍ଚ୍ଛାହତ ନଡ଼ିଆଗଛର ପ୍ରତିବିମ୍ବ ।

 

ସେଇ ଗଛ ଉପରେ ବସା ତିଆରିକରି ରହିଛନ୍ତି ଚିଲ ଦମ୍ପତି । ସ୍ତ୍ରୀ ଚିଲଟି ଛୁଆଗୁଡ଼ିକୁ ଜଗି ବସିଥାଏ । ଦୁଷ୍ଟ ବିଷଧର ଏବଂ ଅନ୍ୟ ଖଳ ପ୍ରକୃତିର ପକ୍ଷୀ ଏବଂ ଜାନୁଆରମାନଙ୍କଠାରୁ ପକ୍ଷୀଶାବକଗୁଡ଼ିକ ଯେଉଁ ସୁରକ୍ଷା ଦରକାର କରନ୍ତି, ତାହା ସ୍ତ୍ରୀ ପକ୍ଷୀଟି ଯେ ନିଶ୍ଚିତଭାବେ ଯୋଗାଇଦେବ ଏ ସଂପର୍କରେ ଶାବକ କିମ୍ବା ପୁରୁଷ ଚିଲଟିର ମନରେ କୌଣସି ସନ୍ଦେହ ନଥିଲା । ପୁରୁଷ ଚିଲଟି ଦିନସାରା ସେଇ ପୋଖରୀ ଉପରେ ଘୂରିବୁଲେ ଏବଂ ହଠାତ୍‌ ମାଛଟିଏ ଉପରକୁ ଭାସି ଆସିଲେ, ଝାମ୍ପ ମାରି ତାର ସୁତୀକ୍ଷ୍‌ଣ ନଖରେ ଉଠାଇନିଏ । ମହା ଆନନ୍ଦରେ ସ୍ତ୍ରୀ ଚିଲଟି ସେ ଖାଦ୍ୟ ନିଜେ ଖାଏ ଓ ତାର ଶାବକମାନଙ୍କର ମୁହଁରେ ଦିଏ ।

 

ବହୁବାର ଏ ଦୃଶ୍ୟ ଦେଖିଛି ନବକୁମାର । ତାକୁ ତାହା ଗତାନୁଗତିକ ମନେହୋଇଛି । ଆଜିର ଏଇ ମୁହୂର୍ତ୍ତରେ ସେ କଥାଟି କେମିତି ନୂତନ ମହତ୍ତ୍ୱରେ ମହୀୟାନ୍‌ ହୋଇ ତା ଆଖି ଆଗରେ ଦେଖାଦେଲା । ପକ୍ଷୀ ପରିବାରଟି ବାସ୍ତବରେ କେଡ଼େ ସୁଖୀ । ପୁରୁଷ ପକ୍ଷୀଟି ତାର ସମସ୍ତ ପରିଶ୍ରମ ଓ ସ୍ୱାର୍ଥତ୍ୟାଗ ସତ୍ତ୍ୱେ କେବେହେଲେ କର୍ତ୍ତୃତ୍ୱ ଜାହିର୍‌ କରିନାହିଁ । ନାରୀପକ୍ଷୀଟି ପୁରୁଷର ଦାନକୁ ସ୍ୱୀକାର କରିଛି ପରମ କୃତଜ୍ଞତାର ସହିତ । ପରିବାରଟିକୁ ପାଳନ କରିବା, ଶାବକମାନଙ୍କର ଯତ୍ନ ନେବାରେ ନାରୀ ପକ୍ଷୀଟି ଅକାତରେ ସବୁ କିଛି କରିଯାଇଛି । ତାଙ୍କର ସ୍ନେହ, ଭଲପାଇବା ଭିତରେ ରାଗ, ରୁଷା, ଅଭିମାନ ନାହିଁ । ପରିବାରକୁ ଭାଙ୍ଗିଦେଇ ଶାବକଗୁଡ଼ିକୁ ଅନାଥ କରିଦେବାର ଅପଚେଷ୍ଟା ନାହିଁ ।

 

ପକ୍ଷୀଶାବକଟିଏ କୌଣସି କାରଣରୁ ବିଳପିଉଠିଲା ସେଇ ରାତ୍ରିର ନିସ୍ତବ୍‌ଧତାକୁ ବିଦୀର୍ଣ୍ଣ କରି ।

 

ନବକୁମାର ଥରିଉଠିଲା ନିଜ ଭିତରେ । କୋର୍ଟର ନିଷ୍ପତ୍ତିକ୍ରମେ ସତ୍ୟକେତୁ ବର୍ତ୍ତମାନ ମନ୍ଦାକିନୀ ପାଖରେ । ମନ୍ଦାକିନୀ ଗର୍ଭବତୀ ଥିବାବେଳେ ହିଁ ନ୍ୟାୟିକ ପୃଥକୀକରଣ ପାଇଁ ମକଦ୍ଦମା ଦାଏର କରିଥିଲା ।

 

ମୁହୂର୍ତ୍ତକୁ ନେଇ ଯେ ଜୀବନ ବଞ୍ଚିବାକୁ ଚାହେଁ...ଉପଭୋଗ ହିଁ ଯାହାର ଜୀବନର କାମନା, ସେ କ’ଣ ପରିବାରର ବନ୍ଧନକୁ ଗ୍ରହଣ କରି ସାରାଜୀବନ କଟାଇଦେଇପାରେ !

 

ଥରୁଟିଏ କେବଳ ସେ ଦେଖିଛି ସତ୍ୟକେତୁର ମୁହଁ । ତାର ନିଜର ପୁତ୍ର ସନ୍ତାନ..ତାର ଔରସରୁ ଜାତ ସତ୍ୟକେତୁ । ବଡ଼ ହେଲେ ସେ ତା’ଭଳି, ତାରି ଗଢ଼ଣ ନେଇ ହେବ କି ମନ୍ଦାକିନୀ ପରି, ତାର ଆଖି, କାନ, ନାକ ନେଇ ହେବ ସେତେବେଳେ, କହିବା ସମ୍ଭବ ନଥିଲା । ବର୍ତ୍ତମାନ ଅବଶ୍ୟ ସେ ଟିକିଏ ଟିକିଏ କଥା କହୁଥିବ । ତାକୁ ‘ବାପା’ ଡାକିବା ପାଇଁ କିଏ ଶିଖାଉ ନଥିବ ।

 

କେମିତି ଏକ ଅସହନୀୟ ଯନ୍ତ୍ରଣାରେ ଭାଙ୍ଗିପଡ଼ୁଥିଲା ନବକୁମାର । ବହୁଦିନରୁ ତାର ଇଚ୍ଛା ହେଉଥିଲା ଥରେ ଯାଇ ସତ୍ୟକେତୁକୁ ଦେଖିଆସିବା ପାଇଁ । ଥରୁଟିଏ ତାକୁ କୋଳକୁ ନେଇ ଗେଲକରିବା ପାଇଁ । ସତ୍ୟକେତୁ...ତାର ନିଜର ଔରସରୁ ଜାତ ସନ୍ତାନ ! ସେ ତାକୁ ବାପାବୋଲି ଡାକିବା ତ ଦୂରର କଥା ତାକୁ ଚିହ୍ନି ମଧ୍ୟ ନପାରେ । ମନ୍ଦାକିନୀ ଓ ତାର ପିତାମାତା ପାଇଁ ନବକୁମାର ଥିଲା ଅତ୍ୟନ୍ତ ହେୟ । ତାଙ୍କ ଘରେ ସେ ଅପରିଚିତ ଆଗନ୍ତୁକ । କୋର୍ଟ ଆଦେଶ ଅନୁଯାୟୀ ଯେଉଁ ମୁହୂର୍ତ୍ତରେ ସେ ଗଲେ, ସେମାନେ ସତ୍ୟକେତୁକୁ ଦେଖାଇବା ପାଇଁ ବାଧ୍ୟ; କିନ୍ତୁ ଯେଭଳିଭାବେ ଗୋଟିଏ ଚାକରଦ୍ୱାରା ସତ୍ୟକେତୁକୁ ତା ପାଖକୁ ପଠାଇବେ ସେ ତାକୁ ସହ୍ୟ କରିପାରିବ ନାହିଁ । ଯେଉଁ ମନ୍ଦାକିନୀକୁ ସେ ତାର ସବୁକିଛି ଦାନ କରିଥିଲା, ତାର ଏଭଳି ଅବହେଳା ଓ ଅସମ୍ମାନକୁ ସେ ଗ୍ରହଣକରିବାପାଇଁ ପ୍ରସ୍ତୁତ ନଥିଲା !

 

ସତ୍ୟକେତୁଠାରୁ ତାର ପିତୃତ୍ୱର ସ୍ୱୀକୃତି ପାଇଁ ନବକୁମାରର ପ୍ରାଣ କାନ୍ଦିଉଠୁଥିଲା । ସେ ସତେ ଯେମିତି ପାଗଳ ହୋଇଯିବ ।

 

ମନ୍ଦାକିନୀକୁ ବାହାହେବାପାଇଁ ସେ ସମସ୍ତ ପ୍ରକାର ବାଧାବିଘ୍ନକୁ ଅସ୍ୱୀକାର କରିଥିଲା । ମନ୍ଦାକିନୀକୁ ବାହାହେଲେ ତ୍ୟାଜ୍ୟପୁତ୍ର କରିବାପାଇଁ ବାପା ଧମକ ଦେଇଥିଲେ । ସେ ତାଙ୍କୁ ବିନମ୍ରଭାବେ ଜଣାଇଦେଇଥିଲା ଯେ ତା ନିଷ୍ପତ୍ତିରେ ସେ ଅଟଳ । ସେମାନଙ୍କର ବିବାହକୁ ପରେ ତାର ବାପା ସ୍ୱୀକାର କରିନେଇଥିଲେ; କିନ୍ତୁ ମା’ ସେଇ ଦୁଃଖରେ ଭାଙ୍ଗିପଡ଼ି ଆଖି ବୁଜିଦେଲେ । ନବକୁମାର ପକ୍ଷେ ତା ମା’ଠାରୁ ବିବାହ ପରେ ଆଶୀର୍ବାଦ ନେବା ମଧ୍ୟ ସମ୍ଭବ ହୋଇନଥିଲା । ମନ୍ଦାକିନୀର ମା କୁଳୀନ ପରିବାରର କନ୍ୟା ନୁହେଁ ବୋଲି ନବକୁମାରର ବାପ, ମା ସେହି ବିବାହକୁ ବିରୋଧ କରୁଥିଲେ ।

 

କୁଳୀନତା ଏକ ଅର୍ଥହୀନ ଆଭିଜାତ୍ୟ କହି ସେ କଥାକୁ ନବକୁମାର ହସି ଉଡ଼ାଇ ଦେଇଥିଲା । ଆଜି ତାର ମନେ ପଡ଼ୁଥିଲା ମା’ ଆଖିର ଲୁହ । ବାପା ଜିଦ୍‌ଧରି ବସିଥିଲେ ବିବାହରେ ଯୋଗଦେବେ ନାହିଁ । ତାଙ୍କ ଗୋଡ଼ ଧରି ସେ ବୁଝାଇ ଦେଇପାରିଥିଲା, ମା’ କିନ୍ତୁ ଗମ୍ଭୀର ଭିତରେ ପଶି କବାଟ ବନ୍ଦ କରିଦେଲେ । କେତେ ଡାକିଲେ ମଧ୍ୟ ସେ କବାଟ ଖୋଲିଲେ ନାହିଁ । ନଖାଇ ନପିଇ ସେ ସେମିତି ଦିନସାରା ସେ ଘରେ କାନ୍ଦି କାନ୍ଦି କଟାଇଲେ ।

 

ଏଣେ ବିବାହର ଶୁଭମୁହୂର୍ତ୍ତ ଗଡ଼ିଯାଇଛି । ପୁରୋହିତ ଡାକ ପକାଇଲେ । ନବକୁମାର ବାଧ୍ୟହେଇ ବେଦିକୁ ଫେରିଲା । ତା ମା’କୁ ସେ ଭଲଭାବେ ଜାଣେ । ବଡ଼ ଜିଦ୍‌ଖୋର୍‌ ବୁଢ଼ୀ । ପେଟ ଫାଡ଼ି ଜନ୍ମକଲା ପୁଅ ତାଙ୍କ ମୁହଁରେ ଶେଷକୁ ଚୂନ କାଳି ବୋଳିଦେଲା । ବୁଢ଼ୀ ସହଜରେ ଏ କଥାକୁ ଗ୍ରହଣ କରି ନପାରି ଶେଷ ନିଃଶ୍ୱାସ ତ୍ୟାଗକଲେ ।

 

ଚନ୍ଦ୍ରର ରୌପ୍ୟତରୀ ଭାସିଚାଲିଥିଲା ଆକାଶର ସମୁଦ୍ରରେ ।

 

ସେଇ ପଛ କଥାଗୁଡ଼ାକ ତାର ଅନିଚ୍ଛାସତ୍ତ୍ୱେ ତାକୁ ଯନ୍ତ୍ରଣାରେ ଛଟପଟ କରୁଥିଲା । ହଜାର ହଜାର ସ୍ମୃତିର ତୀକ୍ଷ୍‌ଣ ନାରାଚରେ ବିଦ୍ଧହୋଇ ନବକୁମାର ଯେମିତି ରକ୍ତାକ୍ତ ହୋଇପଡ଼ିଥିଲା ।

 

ଆଃ…...ସତ୍ୟକେତୁ…...

 

ନବକୁମାର ପୁଣି ଛଟପଟ ହେଲା ନିଜ ବାପାଙ୍କ କଥାଗୁଡ଼ିକୁ ସ୍ମରଣକରି ।

ବାପ, ମା’ଙ୍କର ମନର ଯନ୍ତ୍ରଣା ତୁ ଏବେ ବୁଝିପାରିବୁ ନାହିଁ ନବା ! ତୁ ନିଜେ ବାପା ହେଲେ ଯାଇ ବୁଝିବୁ ତୋ ପାଇଁ ମୋ ମନର ଯନ୍ତ୍ରଣା କେତେ ! ତୋ ଦେହରେ ଫୁଲଟାଏ ପଡ଼ିଲେ କେମିତି ଆମ ଦେହରେ ପଥର ପଡ଼ିଲାପରି ଲାଗେ ! ତେବେ ମୁଁ ତୋତେ କ୍ଷମା ଦେଲି । ଯେତେହେଲେ ତୁ ମୋ ପୁଅ ତ; କିନ୍ତୁ ତୋର ମା’ଠାରୁ ତୁ କ୍ଷମା ଆଶା କରନା । ସେ ଯେମିତି ଜିଦ୍‌ଖୋର୍‌ ତାକୁ ବୁଝାଇବା ମୋ ପକ୍ଷେ ସମ୍ଭବ ନୁହେଁ ।

ନବକୁମାର ଆଖିରୁ ସେ ଲୁହ ପୋଛିଦେଇଥିଲେ ।

—ଛି, ତୁ ଏବେ କାନ୍ଦୁଛୁ ନବା ! ସେ ଝିଅଟା ତୋ ହାତ ଧରି ତା ଜୀବନ କଟାଇବାକୁ ଯେ ଚାହିଁବସିଛି, ସେ କ’ଣ ଭାବିବ ! ତୋ ପ୍ରତି କ’ଣ ହେବ ତାର ଧାରଣା !

ମନ୍ଦାକିନୀ ଥିଲା ସେମାନଙ୍କର ସମସ୍ତଙ୍କର ବନ୍ଧୁ...ସହଚରୀ...ସଙ୍ଗିନୀ । ତାକୁ ଜୀବନସଙ୍ଗିନୀ କରିବାପାଇଁ ଯେ ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ନଥିଲା, ଏପରି ନୁହେ । ପିତାଙ୍କର ଅଜସ୍ର ସ୍ନେହ ଓ ଅର୍ଥର ପୁଞ୍ଜିଲଗାଣଦ୍ୱାରା ସେ ପ୍ରତିଯୋଗିତାରେ ଜୟଲାଭ କଲା ସତ; କିନ୍ତୁ ବିଜୟର ଗୌରବକୁ ଉପଭୋଗ କରିବାପାଇଁ ଅପ୍ରତିହତ ସୁଯୋଗ ପାଇପାରିଲା ନାହିଁ ।

ବିଜୟ, ବିଶ୍ୱଜିତ୍‌, କୁମାର ସମସ୍ତେ ତାର ଧନ ଓ ବନ୍ଧୁତ୍ୱର ସୁଯୋଗ ନେଇ ଆଜି ଯିଏ ଯାହାର ରାସ୍ତାରେ ଚାଲିଯାଇଛନ୍ତି । ବିଜୟ ହିଁ ପ୍ରଥମେ ତାକୁ ମନ୍ଦାକିନୀ ସହିତ ପରିଚୟ କରାଇଦେଇଥିଲା ।

ମନ୍ଦାକିନୀ ଅଭିନେତ୍ରୀ......ସୁଗାୟିକା । ତାର ବାପା ବିଖ୍ୟାତ ଶିଳ୍ପପତି । ସମସ୍ତ ପ୍ରକାର ଆଧୁନିକତା ତାର ବ୍ୟକ୍ତିତ୍ୱକୁ କରିଥିଲା କମନୀୟ ଓ ଆକର୍ଷଣୀୟ । ସେଇ ପ୍ରଥମ ପରିଚୟଠାରୁ ନବକୁମାରକୁ ନିଜଆଡ଼କୁ ଟାଣିନେବାରେ ମନ୍ଦାକିନୀର କୌଣସି ଅସୁବିଧା ହୋଇ ନଥିଲା । ପୁରୁଷକୁ କିଭଳିଭାବେ ନିଜ ପ୍ରତି ଆକୃଷ୍ଟ କରିବାକୁ ହୁଏ, ତାର ଆଧୁନିକତା ବୋଧହୁଏ ସେଇ କଥାଟି ତାକୁ ଭଲଭାବେ ଶିଖାଇଥିଲା । ବିଶ୍ୱଜିତ୍‌ ଓ କୁମାର ମଧ୍ୟ ମନ୍ଦାକିନୀ ପାଇଁ କମ୍‌ ସାର୍ଟିଫିକେଟ୍‌ ଦେଇନଥିଲେ ।

 

—ସେଭଳି ଝିଅକୁ ବାହାହେବା କମ୍‌ ସୌଭାଗ୍ୟର କଥା ନୁହେଁ । ମନ୍ଦାକିନୀକୁ ବାହା ହୋଇପାରିଲେ ଯେକୌଣସି ଯୁବକ ନିଜକୁ ଧନ୍ୟ ମନେକରିବ । ତାର ପିତା ବିଖ୍ୟାତ ଶିଳ୍ପପତି । ସମାଜରେ ତାଙ୍କର ପ୍ରତିଷ୍ଠା ଓ ପ୍ରତିପତ୍ତି ଖୁବ୍‌ ବେଶି । ତା’ ପରେ ମନ୍ଦାକିନୀ ଭଳି ଅଦ୍ୱିତୀୟା ସୁନ୍ଦରୀ.....

 

ଏସବୁ କହିବା ପଛରେ ସେମାନଙ୍କର କ’ଣ ଉଦ୍ଦେଶ୍ୟ ଥାଇପାରେ !

 

ନବକୁମାର କିଛି ଭାବିପାରୁନଥିଲା । ସେମାନେ ମନ୍ଦାକିନୀ ସପକ୍ଷରେ ଯାହାସବୁ କହୁଥିଲେ, ସେତେବେଳେ ସେମାନଙ୍କୁ ସନ୍ଦେହ କରିବାର କୌଣସି କାରଣ ନଥିଲା; ବରଂ ମନ୍ଦାକିନୀର ସୌନ୍ଦର୍ଯ୍ୟ ଓ କଳାନିପୁଣତାକୁ ସେମାନେ ବୋଧହୁଏ ଠିକ୍‌ଭାବେ ପ୍ରକାଶ କରିପାରୁନଥିଲେ ତାଙ୍କର ଭାଷା ମାଧ୍ୟମରେ ।

 

ବର୍ତ୍ତମାନ କିନ୍ତୁ ସେମାନଙ୍କ ସଂପର୍କରେ ସନ୍ଦେହ ପ୍ରକାଶ କଲାବେଳେ ପ୍ରବାହିତ ସମୟର ସୁଅ ତାକୁ ଯେମିତି ଉପହାସ କରୁଛି ।

 

ଏସବୁ ଘଟଣା ପରେ ବିଜୟ କହିଲା—ନବା, ତୁ ସବୁବେଳେ ସେମିତି ଗବା ହୋଇ ରହିଗଲୁ ! ମନ୍ଦାକିନୀ ଭଳି ବିଦୁଷୀ ମହିଳାକୁ ସମ୍ଭାଳିବା ତୋ ପକ୍ଷେ ସମ୍ଭବ ନୁହେଁ ।

 

କୁମାର ଗୋଟିଏ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ପ୍ରବୋସନାରୀ ଅଫିସର । ମନ୍ଦାକିନୀ ତାକୁ ଛାଡ଼ପତ୍ର ଦେବା କଥା ମଧ୍ୟ ସେ ଶୁଣିଥିଲା । ଦୀର୍ଘ ପତ୍ରଟିଏ ଦେଇ ସେ ନବକୁମାରକୁ ସବୁକଥା ପାଇଁ ଦାୟୀ କରିଥିଲା । ମନ୍ଦାକିନୀ ପରି ସୁନ୍ଦରୀ, ରୂପବତୀ ମହିଳାକୁ ବିବାହ କରିବାର ସୌଭାଗ୍ୟ ଲାଭ କରିଥିଲେ ସୁଦ୍ଧା ତାକୁ ପ୍ରେମବନ୍ଧନରେ ବାନ୍ଧି ନରଖି ପାରିବାର ବ୍ୟର୍ଥତା ଯୋଗୁଁ ସବୁ ଦୋଷ ଦେଇଥିଲା ସେ ନବକୁମାରକୁ ।

 

ମନ୍ଦାକିନୀର ଛାଡ଼ପତ୍ର ତାକୁ ଯେତେ ବିସ୍ମୟ ଦେଇ ନଥିଲା, ତା’ଠାରୁ ଅନେକ ଗୁଣରେ ଅଧିକ ବିସ୍ମୟ ଦେଇଥିଲା ବନ୍ଧୁମାନଙ୍କର ମନୋଭାବ ।

 

ରାତ୍ରିର ଶେଷ ପ୍ରହର ପ୍ରାୟ ପହଞ୍ଚିଯାଇଥିଲା । ଜହ୍ନକିରଣ ଧୀରେ ଧୀରେ ଫିକାପଡ଼ିଯିବାର ଅନୁଭବ କରୁଥିଲା ନବକୁମାର । ପକ୍ଷୀମାନେ ବସା ଛାଡ଼ି ଆହାର ଖୋଜିବାପାଇଁ ବାହାରିବା ଆରମ୍ଭ କରୁଥିଲେ ।

 

ଅସାବଧାନ ମାଛଟାଏ; ତାର ମୁନିଆ ନଖରେ ଟେକି ନେବାପାଇଁ ପୁରୁଷ ଚିଲଟି ଆଉ ଅଳ୍ପ ସମୟ ମଧ୍ୟରେ ନଡ଼ିଆଗଛରୁ ଓହ୍ଲାଇ ଆସିବ ପୋଖରୀର ପାଣି ଉପରେ ଚକ୍‌କର କାଟିବା ପାଇଁ ।

 

ତାରି ଅତି ଅନ୍ତରଙ୍ଗ ବନ୍ଧୁ ବିଶ୍ୱଜିତ୍‌ । ଓକିଲ ବିଶ୍ୱଜିତ୍‌ । ତାଙ୍କର ନ୍ୟାୟିକ ବିଚ୍ଛେଦ ପାଇଁ ମନ୍ଦାକିନୀ ତା ବାପଘରକୁ ଚାଲିଯିବା ପରେ ମକଦ୍ଦମା ଦାଏର୍‌ କରିଥିଲା ବିଶ୍ୱଜିତ୍‌ ଜରିଆରେ ।

 

ବିଶ୍ୱଜିତ୍‌ ବ୍ୟତୀତ ମନ୍ଦାକିନୀର କେସ ଲଢ଼ିବାପାଇଁ ଯୋଗ୍ୟ ଓକିଲ ଆଉ କିଏ ହୋଇପାରେ ! ନବକୁମାର ଜୀବନର ଆଲୋକିତ, ଅନାଲୋକିତ ସମସ୍ତ ଗଳିର ଗୁପ୍ତ ତଥ୍ୟ ବିଶ୍ୱଜିତ୍‌ ହିଁ ଭଲଭାବେ ଜାଣେ । ତେଣୁ କଚେରିରେ ତାକୁ ସବୁଠାରୁ ବେଶି ପଦାରେ ପକାଇ ବେଜିତ୍‌ କରିପାରିବ କେବଳ ବିଶ୍ୱଜିତ୍‌ ।

 

ମନ୍ଦାକିନୀର ବାପା ଜଣେ ଶିଳ୍ପପତି । ସମାଜ ଓ ବ୍ୟକ୍ତି-ଜୀବନର ଏସବୁ ପେଞ୍ଚ ସେ ବେଶ୍‌ ଭଲଭାବେ ଜାଣନ୍ତି ।

 

ପାଣିରେ ଖେଳୁଥିବା ଚଞ୍ଚଳ ମାଛମାନଙ୍କୁ ଦେଖୁଥିଲା ନବକୁମାର । କି ସୁନ୍ଦରଭାବେ ସେମାନେ ଏକତ୍ର ହୋଇ ପୁଣି ଖସିଯାଉଥିଲେ ପରସ୍ପରଠାରୁ । ଖୁବ୍‌ ଚିକ୍‌କଣ ଖୁବ୍‌ ମସୃଣ ସେମାନଙ୍କର ପିଠିରେ ପାଣି ଖସି ଯାଉଥିଲା ହାବୁକା ଖାଇ ।

 

ବିଶ୍ୱଜିତ୍‌ର କୈଫିୟତ ଠିକ୍‌ ଏଇ ଖସରା ମାଛମାନଙ୍କ ଭଳି । ମୁଁ ଓକିଲ ନବକୁମାର । ଓକିଲାତି ମୋର ବ୍ୟବସାୟ । ତାକୁ ନେଇ ବଞ୍ଚେ । ବନ୍ଧୁତ୍ୱକୁ ଉପଭୋଗ କରିହୁଏ... ତାକୁ ନେଇ ବଞ୍ଚି ହୁଏନା । ଆଉ ତୁ ଯେମିତି ମୋର ବନ୍ଧୁ, ମନ୍ଦାକିନୀ ମଧ୍ୟ ସେମିତି ମୋର ଅତି ଆପଣାର.....-!

 

ନବକୁମାର ଆଉ ଚିନ୍ତା କରିପାରୁନଥିଲା । ଆଃ ! ସତ୍ୟକେତୁ...ସତ୍ୟକେତୁ ! ତୁ ମୋର...ନାଁ, ମନ୍ଦାକିନୀର ସମସ୍ତ ବିଶ୍ୱାସଘାତକତା ସତ୍ତ୍ୱେ ତୁ ମୋର ସନ୍ତାନ-ମୋର ଔରସରୁ ଜାତ ପୁତ୍ର ।

 

ସତ୍ୟକେତୁ ତୁ ମୋର...ତୁ ମୋର...କେବଳ ମୋର ସନ୍ତାନ ।

Image

 

କାହାଣୀ : ଏକ ସୁବାସିତ ହାତର

 

ମୋର ସ୍ତ୍ରୀ ବାସନ୍ତୀ ଏବଂ ଜଣେ ଦୂରସମ୍ପର୍କୀୟା ଭାଉଜଙ୍କ ଭିତରେ ପ୍ରଭୁପାଦ ସଦାନନ୍ଦ ବ୍ରହ୍ମଚାରୀଙ୍କ ସଂପର୍କରେ ଯେଉଁ କଥୋପକଥନ ଚାଲିଥିଲା, ତାର କିଞ୍ଚିତ୍‌ ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।

 

—ଶୁଣିଛି ସେ ଯାହାଙ୍କୁ ସ୍ପର୍ଶ କରନ୍ତି, ତାଙ୍କର ସମଗ୍ର ଶରୀର କୁଆଡ଼େ ସୁବାସିତ ହୋଇଯାଏ ! ସେଭଳି ସୁବାସ ଏ ମରଲୋକରେ ବିରଳ । ଶହେଜଣ ଯାଏଁ ଧାଡ଼ିବାନ୍ଧି ହାତକୁ ହାତ ଧରି ଠିଆହେଲେ ସୁଦ୍ଧା ତାଙ୍କ ସ୍ପର୍ଶରେ ପ୍ରଥମ ବ୍ୟକ୍ତିର ହାତ ଯେଭଳି ସୁବାସରେ ଭରିଯାଏ, ଶେଷ ବ୍ୟକ୍ତିଟିର ହାତରେ ମଧ୍ୟ ସେଇ ଅଲୌକିକ ସୁଗନ୍ଧ । ତୁମେ ଯାହା ଭାବ ବାସନ୍ତୀ, ମୋର କିନ୍ତୁ ଏଥିରେ ଆଦୌ ବିଶ୍ୱାସ ହୁଏନାହିଁ । ମଣିଷ ପକ୍ଷେ କଣ ଏହା ସମ୍ଭବ !

 

—ସେ ସାକ୍ଷାତ୍‌ ଭଗବାନଙ୍କ ଅବତାର । ତାଙ୍କର ଭକ୍ତ ଅଗଣିତ । ମନ୍ତ୍ରୀ, ଜଜ୍, କଲେକ୍ଟରଙ୍କଠାରୁ ଆରମ୍ଭକରି ଦାର୍ଶନିକ ବୁଦ୍ଧିଜୀବୀ ଏପରିକି ସାଧାରଣ ନାଗରିକ ମଧ୍ୟ ସେଠାରେ ରୁଣ୍ଡହୁଅନ୍ତି । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା—ସାକ୍ଷାତ୍‌ ପରମେଶ୍ୱରଙ୍କ ଅବତାର ସିଏ । ଜୀବନର ପରମତତ୍ତ୍ୱଗୁଡ଼ିକୁ ସେ ଯେତେବେଳେ ବ୍ୟାଖ୍ୟା କରନ୍ତି, ସେତେବେଳେ ଭକ୍ତମାନେ ଗଦ୍‌ ଗଦ୍‌ ହୋଇ ଅମୃତ ପାନକଲାଭଳି ସେ ସବୁ ଗ୍ରହଣକରି ନିଜକୁ ଓ ନିଜ ଜୀବନକୁ ଧନ୍ୟ ମନେକରନ୍ତି ।

 

ବାସ୍ତବରେ ତୁମେ କଣ ଏସବୁ କଥାରେ ବିଶ୍ୱାସ କର ?

 

—ମୋର ବିଶ୍ୱାସ, ଭାଗ୍ୟରେ ଥିଲେ ହିଁ ଏହା ମନୁଷ୍ୟଦେହଧାରୀ ବ୍ୟକ୍ତି ଦର୍ଶନ କରିପାରେ । ଗଭୀର ଆଧ୍ୟାତ୍ମିକତାରେ ରସାଣିତ ତାଙ୍କ ହସ ଭକ୍ତମାନଙ୍କ ମନରୁ ଦୁଃଖ ଓ ନିରାଶ ଭାବ ଦୂରକରି ସ୍ୱର୍ଗୀୟ ପବିତ୍ରତାରେ ତାକୁ ପ୍ଳାବିତ କରିଦିଏ । ଥରେ ଜୀବନରେ ସେ ସୁଯୋଗ ଯିଏ ଲାଭକରିଛି, ସେ ସୌମ୍ୟମୂର୍ତ୍ତିକୁ ଭୁଲିପାରିନାହିଁ । କି ଅମୃତ ବାଣୀ ! ସେ ଯେତେବେଳେ ପ୍ରବଚନ କରନ୍ତି ଓ ଗୀତା ବାଣୀ ସରଳ କମନୀୟ ଭାଷାରେ ବୁଝାଇ ଦିଅନ୍ତି, ସେତେବେଳେ ଭକ୍ତର ପ୍ରାଣ ଉଲ୍ଲସିତ ହୋଇଉଠେ । ସେ ସତେ ଯେମିତି ସାକ୍ଷାତ୍‌ ପରଂବ୍ରହ୍ମଠାରେ ଲୀନ ହୋଇଯାଏ । ପିଣ୍ଡ ଓ ପ୍ରାଣ ଭିତରେ...ଆତ୍ମା ଓ ପରମାତ୍ମା ଭିତରେ ଆଉ ପାର୍ଥକ୍ୟ ରହେନାହିଁ ।

 

—‘‘ତୁମେ କଣ କେବେ ସେଠାକୁ ଯାଇଛ...ଯୋଗସାଧନ କ୍ରିୟା ଦେଖିଛ...ନାଁ କେବଳ ଲୋକଙ୍କ ଉଡ଼ା ଖବରରେ ମାତିଯାଇଛ ? ଭାଉଜଙ୍କ କଣ୍ଠରେ କେମିତି ଗୋଟିଏ ବିଦ୍ରୂପର ଭାବ । ସେ ଯେମିତି କଥାଟାକୁ ହସି ଉଡ଼ାଇଦେବା ପାଇଁ ଚେଷ୍ଟା କରୁଥିଲେ ।

 

ପ୍ରଭୁପାଦ ବ୍ରହ୍ମଚାରୀଙ୍କ ସମ୍ପର୍କରେ ଶୁଣିବାର ପ୍ରଥମ ମୁହୂର୍ତ୍ତରୁ ହିଁ ସେହି ପରମ ସୌମ୍ୟମୂର୍ତ୍ତି ଦର୍ଶନ କରିବାପାଇଁ ମୋର ମନ ପ୍ରାଣ ଉତ୍କଣ୍ଠିତ ହୋଇଉଠିଥିଲା । ଖବର କାଗଜରେ ତାଙ୍କର ଫଟୋ ସହିତ ଅଲୌକିକ କାର୍ଯ୍ୟ ଓ ସାଧନାର ସ୍ୱତନ୍ତ୍ର ପ୍ରତିନିଧିଙ୍କ ବିବରଣୀ ପଢ଼ି ପଢ଼ି ମୋ ଭିତରେ କେମିତି ଗୋଟିଏ ଆବେଗ ମୁଁ ଲକ୍ଷ୍ୟ କରିପାରିଥିଲି । ଯେଉଁଠାକୁ ବଡ଼ ବଡ଼ ନେତା, ମନ୍ତ୍ରୀ, ବିଚାରପତି, ପ୍ରଫେସର, ବୁଦ୍ଧିଜୀବୀ ପିମ୍ପୁଡ଼ି ସୁଅପରି ଧାଡ଼ି ବାନ୍ଧି ଚାଲିଛନ୍ତି ଏବଂ ପ୍ରତିଦିନ କିଛି ନା କିଛି ଗୋଟିଏ ଅଲୌକିକ ଘଟଣାର ବିବରଣୀ ପ୍ରଚାରିତ ହେଉଛି, ସେଠାକୁ ନ ଯିବା ଭଳି ଆସ୍ପର୍ଦ୍ଧା ମୋର କାହିଁ ?

 

ଏ କଥାବାର୍ତ୍ତାରେ ଆଗ୍ରହ ପ୍ରକାଶ କରିବା ମୋ ପକ୍ଷେ ସ୍ୱାଭାବିକ; କିନ୍ତୁ ଯୁକ୍ତିର ସପକ୍ଷ ବା ବିପକ୍ଷରେ ମୋର କିଛି କରିବାର ନଥିଲା । ଜଣେ ସାମ୍ବାଦିକ ଓ ଗୋଟିଏ ଖବର କାଗଜର ସ୍ୱତନ୍ତ୍ର ପ୍ରତିନିଧି ହିସାବରେ ବିଷୟଟିର ନିରପେକ୍ଷ ବିଚାର ହିଁ ମୋର କର୍ତ୍ତବ୍ୟ ।

 

ଶେଠ୍‌ ମଖନ୍‌ଲାଲ ଆନନ୍ଦିଲାଲ୍‌ ହୀରାଭାଇଙ୍କ ଘରେ ବ୍ରହ୍ମଚାରୀଙ୍କ କାର୍ଯ୍ୟକ୍ରମର ବିବରଣୀ ସଂଗ୍ରହପାଇଁ ମତେ ନିର୍ଦ୍ଦେଶ ମିଳିସାରିଥାଏ ।

 

ଶେଠ୍‌ ହୀରାଭାଇଙ୍କ ଉପରେ ପରମପ୍ରୀତ ହୋଇ ସେଦିନ ସନ୍ଧ୍ୟାରେ ଭଗବାନ ପ୍ରଭୁପାଦ ସଦାନନ୍ଦ ବ୍ରହ୍ମଚାରୀ ତାଙ୍କର ଖାସ୍‌ ପ୍ରାସାଦରେ ଅଲୌକିକ ଯୋଗଲୀଳାର ବନ୍ଦୋବସ୍ତ କରିଥାନ୍ତି । ଶେଠ୍‌ଜୀଙ୍କ ବିରାଟ ଘର ସାମନା ପୋର୍ଟକୋରେ ଏବଂ ଲନ୍‌କୁ ଲାଗି ଲମ୍ବି ଯାଇଥିବା ସଡ଼କରେ ଅନ୍ୟୂନ ଶହେ ଗୋଟି ବିଭିନ୍ନ ରଙ୍ଗ ଓ କିସମର ଗାଡ଼ିମାନଙ୍କର ଲମ୍ବା ଲାଇନ୍‌ ।

 

ମୁଁ ପହଞ୍ଚିଲାବେଳକୁ ଉପର ମହଲାରୁ ସୁଲଳିତ କଣ୍ଠରେ ଭଗବାନ ସଦାନନ୍ଦ ବ୍ରହ୍ମଚାରୀ ତାଙ୍କ ନିଜ ରଚିତ ଭଜନମାନ ଗାନ କରୁଥିଲେ । ଭକ୍ତମାନେ ତନ୍ମୟଚିତ୍ତରେ ସେହି ସଙ୍ଗୀତ ଆବୃତ୍ତି କରୁଥିଲେ । ବାତାବରଣରେ କେମିତି ଗୋଟିଏ ପବିତ୍ର ଓ ଗମ୍ଭୀର ଭାବ ଖେଳିଯାଇଥିଲା । ଚତୁର୍ଦ୍ଦିଗରେ ସୁବାସିତ ଧୂପ ଓ ଅଗରବତିର ସୁଗନ୍ଧ । ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ସେହି କୋଠାକୁ ଚାହିଁ ଏବଂ ପବିତ୍ର ସଙ୍ଗୀତରେ ଉଦ୍‌ବୁଦ୍ଧ ହୋଇ ହାତଯୋଡ଼ି ନମସ୍କାର ଜଣାଉଥିଲେ । ଆପେ ଆପେ ମୋର ହାତ ଦୁଇଟା ମଧ୍ୟ ସ୍ୱୟଂକ୍ରିୟ ଭାବରେ ଉପରକୁ ଉଠିଗଲା ।

 

ଶେଠ୍‌ଙ୍କ ପ୍ରାସାଦ ଗେଟ୍‌ରେ ଗୁର୍ଖା ଦରଓ୍ୱାନ । ମୋ ଭଳି ଜଣେ ଲୋକକୁ ଦେଖି ତାର ସନ୍ଦେହ ହେବା ସ୍ୱାଭାବିକ । ଯେଉଁ ପବିତ୍ର ଯୋଗସାଧନ କ୍ରିୟା ଦେଖିବାପାଇଁ ସହରର ଅଭିଜାତ ଓ ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନଙ୍କୁ ମଧ୍ୟ ସୁଯୋଗ ମିଳୁନାହିଁ, ସେଠି ମୋ ଭଳି ଜଣେ ଆପାଙ୍‌କ୍ତେୟ ବ୍ୟକ୍ତିକୁ ଦେଖି ଦରଓ୍ୱାନ ଆଶ୍ଚର୍ଯ୍ୟ ପ୍ରକାଶକରିବା ସ୍ୱାଭାବିକ ।

 

ମୋ ପାଖରେ ନିମନ୍ତ୍ରଣ ପତ୍ରଟିଏ ଦେଖି ତାର ବିଶ୍ୱାସ ଜନ୍ମିଲା ବୋଧହୁଏ । ତଥାପି ଅନେକ ସମୟ ଧରି ତଳୁ ଉପରଯାଏଁ ସେ ମୋତେ ଭଲ କରି ଚାହିଁଲା ଓ ପରୀକ୍ଷା କରିନେଲା ତାର ଅନୁଭବୀ ଆଖିରେ । ତାପରେ ସେ ମତେ ନେଇ ଛାଡ଼ିଦେଇ ଆସିଲା ତୃତୀୟ ମହଲାର ସେଇ ସୁସଜ୍ଜିତ ବିରାଟ ପ୍ରକୋଷ୍ଠ ଭିତରେ । ଭଗବାନ ପ୍ରଭୁପାଦ ସଦାନନ୍ଦ ବ୍ରହ୍ମଚାରୀ ତାଙ୍କର ଅଲୌକିକ ଯୋଗସାଧନ କ୍ରିୟାରେ ବିଲୀନ ଥିଲେ । ଭକ୍ତମାନଙ୍କ ଭିତରେ ଥିଲେ ଅଗଣିତ ପୁରୁଷ ଓ ନାରୀ । ପ୍ରତ୍ୟେକେ ହାତରେ ଗୋଟିଏ ଲେଖା ଫୁଲମାଳ ପିନ୍ଧିଥିଲେ । କପାଳରେ ଏକ ପ୍ରକାର ସୁବାସିତ ଚନ୍ଦନର ପ୍ରଲେପ ।

 

ଏ ଭଳି ପବିତ୍ର ଆସରମାନଙ୍କୁ ବହୁ ଆଗରୁ ଆସିବା ନିୟମ । ସେ ନିୟମ ଯେ ଲଂଘନ କରେ ସେ ଯେ ପ୍ରକୃତ ଭକ୍ତ ନୁହେଁ ତାହା ସମସ୍ତେ ଜାଣନ୍ତି । ମୋର ଏଭଳି ଅନୁପ୍ରବେଶ ଅନେକଙ୍କୁ ଭଲ ଲାଗି ନଥିବା ସ୍ୱାଭାବିକ । ପ୍ରକୃତ ଭକ୍ତମାନଙ୍କ ବିନା ଅନ୍ୟମାନଙ୍କୁ ଯେଭଳି ଆସରରେ ଯୋଗଦେବା ମନା । ମୋ ପରି ଜଣେ ନାସ୍ତିକ ଯେ ସେଠାରେ କିପରି ପ୍ରବେଶକଲା ତାହା ନିଶ୍ଚୟ ଭକ୍ତମାନଙ୍କୁ ବିରକ୍ତ କରିଥିବ । ସେମାନଙ୍କ ଆଖିରୁ ତାହା ଅନୁମାନ କରିବା ମୋ ପକ୍ଷେ କଷ୍ଟକର ନଥିଲା ।

 

ପ୍ରଭୁପାଦ ସଦାନନ୍ଦ ବ୍ରହ୍ମଚାରୀ ସୌମ୍ୟ ଗୌରକାନ୍ତି । ତାଙ୍କୁ ଦେଖିଲେ ସେ ଯେ ଜଣେ ସାଧୁ ତାହା କହିବା ସହଜ ନୁହେଁ । କେବଳ ଗୈରିକବସ୍ତ୍ର ଧାରଣ କରିବା ବ୍ୟତୀତ ସାଧୁଙ୍କର ଅନ୍ୟ କୌଣସି ଲକ୍ଷଣ ତାଙ୍କ ପାଖରେ ନଥିଲା । ଶ୍ମଶ୍ରୁହୀନ ମୁଖମଣ୍ଡଳରେ କେମିତି ଗୋଟେ ଗାମ୍ଭୀର୍ଯ୍ୟଭାବ । ବେଳେବେଳେ ସେହି ଗାମ୍ଭୀର୍ଯ୍ୟପୂର୍ଣ୍ଣ ମୁହଁରେ ହସର ଲାବଣ୍ୟ ଖେଳିଯାଉଥିଲା । ଏହି ସମ୍ମୋହନକାରୀ ରୂପ ଦେଖି ଭକ୍ତମାନେ ସଙ୍ଗେ ସଙ୍ଗେ ମୁଣ୍ଡ ନୁଆଁଇ ପ୍ରଣାମ କରୁଥିଲେ ।

 

ବିବରଣୀ ସଂଗ୍ରହ କରିବା ମୋର କାମ । ତଥାପି ସମସ୍ତେ ହାତଟେକି ନମସ୍କାର ଜଣାଇବାବେଳେ ଭକ୍ତି ନଥିଲେ ସୁଦ୍ଧା ଆପେ ଆପେ ମୋର ହାତ ଦୁଇଟି ଯୋଡ଼ହସ୍ତ ହୋଇ ଉପରକୁ ଉଠିଯାଏ । ଜଣେ କେହି ମୋର ହାତରେ ଫୁଲ ମାଳଟିଏ ଓ ମୋ କପାଳରେ ସୁବାସିତ ଚନ୍ଦନର ପ୍ରଲେପ ଦେଇସାରିଥିଲେ । ଧୀରେ ଧୀରେ ସେଠି ଘଟିଯାଉଥିବା କାର୍ଯ୍ୟଗୁଡ଼ିକ କେମିତି ଅଲୌକିକ ବୋଧହେଲା ।

 

ପ୍ରଭୁପାଦ ବ୍ରହ୍ମଚାରୀ ବସିଥିବା ମଞ୍ଚପାର୍ଶ୍ୱରେ ନଟରାଜ ଶିବଙ୍କର ଏକ ବିରାଟକାୟ ବ୍ରୋଞ୍ଜ ପ୍ରତିମୂର୍ତ୍ତି । ବ୍ରହ୍ମଚାରୀଙ୍କ ନିକଟରେ ଗୈରିକବସନ ପରିହିତା କେତେ ଜଣ ପରମ ରୂପବତୀ ନାରୀ । କିଏ ଜଣେ ଏସ୍‌ରାଜ୍‌ରେ ଝଙ୍କାର ସୃଷ୍ଟି କରୁଥିଲେ । ତାଙ୍କର ରୂପଲାବଣ୍ୟ ଓ ଏସ୍‌ରାଜ୍‌ର ମଧୁର ସଙ୍ଗୀତ ସେ ସନ୍ଧ୍ୟାର ପବିତ୍ର ବାତାବରଣକୁ ଏକ ବର୍ଣ୍ଣନାତୀତ ମାଦକତାରେ ଭରି ଦେଇଥିଲା ।

 

ପୂଜା ପାଠ ଓ ଯୋଗସାଧନ କ୍ରିୟା ପରେ ବ୍ରହ୍ମଚାରୀ ଭକ୍ତମାନଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରୁଥିଲେ । ତାଙ୍କ ଦେହରୁ ଏକ ପବିତ୍ର ଅଗରୁ ସୁଗନ୍ଧ ନିର୍ଗତ ହେଉଥିଲା । ସେ ଯାହାକୁ ଥରେ ସ୍ପର୍ଶ କରୁଥିଲେ ତାହାର ସେହି ଅଂଶରେ ସୁବାସ ଭରି ଦେଉଥିଲେ । ଭକ୍ତମାନେ ବ୍ରହ୍ମଚାରୀଙ୍କ ପାଦସ୍ପର୍ଶ କଲାବେଳେ ସେ ତାକୁ ସ୍ପର୍ଶ କରି ତା ଦେହକୁ ସୁବାସିତ କରୁଥିଲେ । ମୁଁ ମଧ୍ୟ ଯନ୍ତ୍ରଚାଳିତ ପରି କେତେବେଳେ ମୋ ହାତଟି ବଢ଼ାଇ ଦେଇଥିଲି ତାଙ୍କ ପାଦସ୍ପର୍ଶ କରିବାପାଇଁ-। ମୋ ହାତର ସୁବାସ ଆଘ୍ରାଣ କରି ମୁଁ ନିଜେ ମଧ୍ୟ ବିଶ୍ୱାସ କରିପାରୁନଥିଲି ।

 

ଖବରକାଗଜରେ ମୋର ଅନୁଭୂତିସମ୍ପନ୍ନ ବିବରଣୀ ପ୍ରଭୁପାଦ ବ୍ରହ୍ମଚାରୀଙ୍କ ସଂପର୍କରେ ଏକ ପ୍ରକାର ଅଦ୍ଭୂତପୂର୍ବ ଆଗ୍ରହ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା । ରେସ୍ତୋରାଁ ଏବଂ ସାଧାରଣ କେଫେଠାରୁ ଆରମ୍ଭ କରି ବିଧାନସଭା ଓ ବିଶ୍ୱବିଦ୍ୟାଳୟରେ ଏହି ଅଲୌକିକ ବ୍ୟକ୍ତି ସମ୍ପର୍କରେ ଆଲୋଚନା ଚାଲିଥାଏ । ସାଧାରଣ ରାସ୍ତାରେ ମଧ୍ୟ ଦଳଦଳ ଲୋକଙ୍କ ମୁହଁରେ ସେହି କଥା । ଏଭଳି ଅଲୌକିକ କ୍ଷମତାସଂପନ୍ନ ସାଧୁଙ୍କର ଆଶୀର୍ବାଦ ପାଇବା ପାଇଁ କିଏ ବା ଲାଳାୟିତ ନ ହେବ !

 

ସହରର ପ୍ରତିଷ୍ଠିତ ବ୍ୟକ୍ତି ଏବଂ ଧନାଢ଼୍ୟ ଶେଠ୍‌ମାନଙ୍କ ଭିତରେ ବ୍ରହ୍ମଚାରୀଙ୍କୁ କେନ୍ଦ୍ରକରି ପ୍ରତିଯୋଗିତା ଆରମ୍ଭ ହୋଇଯାଇଥାଏ ।

 

ଅବସରପ୍ରାପ୍ତ ଆଇ. ଏ. ଏସ୍‌. ନାରାୟଣ ଶର୍ମା । ଏଇ ପ୍ରତିଯୋଗିତାରେ ତାଙ୍କର ସ୍ଥାନ ଶୀର୍ଷରେ ଥିଲା । ଭଦ୍ରଲୋକଙ୍କୁ ଦେଖିଲେ ଯେକେହି କହିଦେବ ଯେ, ସେ ଜଣେ ବାସ୍ତବ ଶାସକ । ତାଙ୍କ ଚିହ୍ନରା ଆଖି ଦୁଇଟିରେ କେମିତି ଗୋଟିଏ ଜାଣିଲା ଜାଣିଲା ଭାବ । ଶାଣିତ ଯୁକ୍ତିସମ୍ବଳିତ କଥାଗୁଡ଼ିକ ଶୁଣିଲେ ତାଙ୍କର ଅତି ନିକଟସ୍ଥ ଚାଟକାରମାନେ ମଧ୍ୟ ଘାବରେଇ ଯାଆନ୍ତି । ନୂଆ ଲୋକଟିଏ ସହଜେ ତାଙ୍କ ପାଖରେ ଭରସିଯିବା କେହି ଜାଣନ୍ତି ନାହିଁ । ସହରରେ ସର୍ବତ୍ର ତାଙ୍କ ସୁନାମ ଖେଳିଯାଇଥିଲା । ସମାଜରେ ଯେ ତାଙ୍କର ଗୋଟିଏ ବିଶିଷ୍ଟ ସ୍ଥାନ ଥିଲା କହିବା ବାହୁଲ୍ୟ । ସେ ପ୍ରାୟ ତ୍ରିକାଳଦର୍ଶୀ ଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । କି ଭଳି କେଉଁ କାମ କଲେ, ତାଙ୍କର ଉତ୍ତରୋତ୍ତର ଉନ୍ନତି ହୋଇ ପାରିବ, ସେ କଥା ସେ ନିର୍ଭୁଲ ଭାବେ ଚିନ୍ତା କରିପାରୁଥିଲେ । ତାଙ୍କର ସ୍ମିତ ହାସ୍ୟ, ମଧୁର ବଚନ ଏବଂ ଏକ ବିଶିଷ୍ଟ ପାହ୍ୟାରୁ ଅବସର ଗ୍ରହଣ କରିଥିବା ହେତୁ ତାଙ୍କ ଚାରିପାଖେ ସର୍ବଦା ବହୁଲୋକ ଘେରିରହିବା ସ୍ୱାଭାବିକ । ତାଙ୍କର ବହୁବିଧ ଯୋଗ୍ୟତା ଯୋଗୁଁ ସରକାର ମଧ୍ୟ ତାଙ୍କୁ ନାନା କାର୍ଯ୍ୟରେ ଲଗାଉଥିଲେ । ଏହି ସରକାରୀ ଶୁଭଦୃଷ୍ଟି ଶର୍ମାଙ୍କର ବ୍ୟକ୍ତିତ୍ୱକୁ ଆହୁରି ବଢ଼ାଇ ଦେବା ସଙ୍ଗେ ସଙ୍ଗେ ତାଙ୍କର ଅନୁଚର, ସହଚର ଓ ପାର୍ଶ୍ୱଚରମାନଙ୍କର ସଂଖ୍ୟା ମଧ୍ୟ ଢେର୍‌, ଢେର୍‌ ବଢ଼ାଇ ଦେଇଥିଲା ।

ସଦାନନ୍ଦ ବ୍ରହ୍ମଚାରୀ ଶର୍ମାଙ୍କ ନିମନ୍ତ୍ରଣ ରକ୍ଷାକରିଛନ୍ତି । ଶର୍ମାଙ୍କ ଗୃହରେ ବ୍ରହ୍ମଚାରୀ ପଦାର୍ପଣ କରିବେ, କମ୍‌ ଗୌରବର କଥା ନୁହେଁ । ସହରରେ ଏକଥା ପ୍ରଚାରିତ ହେବା ପାଇଁ ବେଶି ସମୟ ଲାଗିନଥିଲା । ନିଜେ ନାରାୟଣ ଶର୍ମା ସବୁ ବଡ଼ ବଡ଼ ଖବରକାଗଜ ସଂପାଦକମାନଙ୍କୁ କଥାଟି ଜଣାଇଦେଇ ନିମନ୍ତ୍ରଣ ପଠାଇ ଦେଇଥିଲେ । ସହରରେ ଅବଶ୍ୟ ଯେ, ତାଙ୍କଠାରୁ ବଡ଼ ବଡ଼ ଲୋକ ନାହାନ୍ତି ଏପରି ନୁହେଁ; କିନ୍ତୁ ତୀବ୍ର ପ୍ରତିଯୋଗିତା ସତ୍ତ୍ୱେ ବ୍ରହ୍ମଚାରୀ ତାଙ୍କ ନିମନ୍ତ୍ରଣ ରକ୍ଷାକରିଛନ୍ତି ଏହି କଥାଟି ଶର୍ମାଙ୍କ ପକ୍ଷରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଫଳତା । ତାଙ୍କ ସମ୍ମାନ ଓ ପ୍ରତିଷ୍ଠା ନିଶ୍ଚୟ ଯେ ବହୁଗୁଣରେ ବଢ଼ିଯାଇଥିଲା, ଏଥିରେ କୌଣସି ସନ୍ଦେହ ନାହିଁ-

ସେଦିନ ଅଫିସ୍‌ରେ ପହଞ୍ଚିଲାବେଳକୁ ଟିକିଏ ଡେରି ହୋଇଯାଇଥିଲା ନିଶ୍ଚୟ ।

ଠିକ୍‌ ଘରୁ ବାହାରୁଛି, ଭାଉଜ ଆସି ପହଞ୍ଚିଲେ । ହାତରେ ଗୁଡ଼ିଏ ନିମନ୍ତ୍ରଣ ପତ୍ର । ପ୍ରଭୁପାଦ ବ୍ରହ୍ମଚାରୀଙ୍କ ପ୍ରତି ତାଙ୍କର ଅବିଶ୍ୱାସ ଓ ଘୃଣା କଥା ଆଗରୁ ଜାଣିନଥିଲେ ସେ ଯେ ତାଙ୍କ ଯୋଗକ୍ରିୟା ଓ ତାଣ୍ଡବନୃତ୍ୟ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ବାଣ୍ଟିବାକୁ ଆସିଛନ୍ତି, ତାହା ମୁଁ ଅନୁମାନ କରିଥାନ୍ତି । ସହରର ପ୍ରତ୍ୟେକ ପ୍ରତିଷ୍ଠିତ ପରିବାର ସେତେବେଳେ ଏହି ଘଟଣାଟିକୁ ଅତି ଗୁରତ୍ୱପୂର୍ଣ୍ଣ ଓ ସମ୍ମାନନୀୟ ବୋଲି ଭାବୁଥିଲେ । ସେ ତାଙ୍କ ଝିଅ ବିବାହର ନିମନ୍ତ୍ରଣ ଦେବାକୁ ଆସିଥିଲେ । ବହୁଚେଷ୍ଟା କରି ସୁଦ୍ଧା ତାଙ୍କୁ ଏଡ଼ାଇ ଆସିବା ସମ୍ଭବ ହେଲା ନାହିଁ । ତାଙ୍କ ସ୍ୱାମୀ ଇଞ୍ଜିନିୟର । ପାଖରେ ପ୍ରଚୁର ଧନ । ଏକମାତ୍ର ଅଲିଅଳ କନ୍ୟା । ସେ ଏମିତି ଜାକ୍‌ଜମକରେ ବିବାହ କରାଇବାକୁ ଚାହୁଁଥିଲେ ଯାହା ଦେଖି ସମସ୍ତେ ଅବାକ୍‌ ହୋଇ ରହିଥାନ୍ତେ । ଖାଲି ସମସ୍ତଙ୍କ ପାଟିରୁ ବାହା ବାହା ଶୁଣାଯାଆନ୍ତା ।

—ଶୁଣିଲ ଦିଅର ସାହେବ ! ଆଉ ତୁମର କୌଣସି ବାହାନା ଏଥର ଚଳିବ ନାହିଁ । ବୁଢ଼ୀର ଜନ୍ମଦିନରେ ତୁମେ ଆସିନଥିଲ । କଣ ଗୋଟାଏ ମନ୍ତ୍ରୀଙ୍କ ପ୍ରୋଗ୍ରାମ କଥା କହି ଠକି ଦେଇଥିଲ । ହେଲେ ତୁମେ ସିନା ଆସିଲ ନାହିଁ; କିନ୍ତୁ ଚାରିଜଣ ମନ୍ତ୍ରୀ ସେଦିନ ଆସିଥିଲେ ଆମଘରକୁ । ତୁମ ଭାଇନା ତ ଭୋଳା ଲୋକ । ତାଙ୍କୁ ଇଞ୍ଜିନିୟର କିଏ ଯେ କେମିତି କଲା; କିନ୍ତୁ ତାଙ୍କର ଏଇ ଭୋଳାପଣ ଯୋଗୁଁ ତାଙ୍କୁ ସମସ୍ତେ ଭାରି ଭଲ ପାଆନ୍ତି ।

 

ମୋର ଅଫିସ ପାଇଁ ଡେରି ହୋଇଯାଏ । ମୁଁ ଜାଣେ ଭାଉଜ ଗପ ଆରମ୍ଭକଲେ ସେକଥା ଆଉ ସରେନା । କହିଲି—ଶପଥ କରୁଛି ଏଥର ନିଶ୍ଚୟ ଆସିବି । ଖାଲି ଆସିବି ନୁହେଁ, ଆସି ତୁମଘରେ ତୁମେ ତଡ଼ିଲାଯାଏଁ ଡେରା ପକାଇଦେବି ।

 

ସେ ହସିଲେ । ମୁଁ ମଧ୍ୟ ତାଙ୍କ ସାଙ୍ଗରେ ହସିଲି, ତାଙ୍କୁ ଖୁସିକରିବା ବାହାନାରେ । ହସି ହସି ସେ ଗେଲରେ ମୋ ପିଠିରେ ଯେଉଁ ମୃଦୁ ଚାପୁଡ଼ା ଦେଲେ, ତାହା ସେତେ ରୁଚିକର ହେଲା ନାହିଁ । ତଥାପି ମୁଁ ନାଚାର ।

 

ମୋ ସ୍ତ୍ରୀ ବାସନ୍ତୀ ପହଞ୍ଚିବା ପରେ ମୁଁ ଭାବିଥିଲି ଯେ, ସହଜରେ ମୁଁ ଖସିଯାଇ ପାରିବି-। ଟ୍ରେରେ ଚା’ ନେଇ ବାସନ୍ତୀ ଆସିଲା ।

 

—ଭାଉଜ ତୁମପାଇଁ ସାଙ୍ଗ ଜୁଟିଲେଣି ଏଥର ମୁଁ ଯାଏ । ମୋ ଚା’ ଶେଷକରି ମୁଁ ଯିବାର ଉପକ୍ରମ କଲି ।

 

ମୋ ହାତକୁ ଟାଣି ବସାଇ ଦେଇ ସେ କହିଲେ-ଶୁଣିଲି, ତୁମେ କୁଆଡ଼େ ପ୍ରଭୁପାଦ ବ୍ରହ୍ମଚାରୀଙ୍କ ପରମ ଭକ୍ତରେ ପରିଣତ ହୋଇଛ । ସେଇ ହୀରାଭାଇ ଘରକୁ ତୁମେ ଯାଇଥିଲ ତୁମ ପତ୍ରିକାର ସ୍ୱତନ୍ତ୍ର ପ୍ରତିନିଧି ଭାବେ ।

 

—‘‘ହଁ, ଆମକୁ ତ କର୍ତ୍ତବ୍ୟ କରିବାକୁ ହୁଏ । ମୋ ପତ୍ରିକାର ପରିଚାଳକଙ୍କ ତାହାହିଁ ଆଦେଶ ।’’ କଥାଟାକୁ ସରଳ ଭାବେ ଗ୍ରହଣ କରିବାପାଇଁ ସେ ପ୍ରସ୍ତୁତ ନଥିଲେ ।

 

—ମୁଁ ଶୁଣୁଛି ସେ ପ୍ରଭୁପାଦ ବ୍ରହ୍ମଚାରୀଟା ଗୋଟାଏ ଧପ୍‌ପାବାଜ । ତାର କୁଆଡ଼େ ବୋତଲ ଚଳେ । ଅଧାଡ଼ଜନ ସୁନ୍ଦରୀ ମହିଳା ତା ଗହଣରେ ଥାଆନ୍ତି ତାକୁ ଆଲଟ ଚାମର କରିବା ପାଇଁ, ଅଙ୍ଗସେବା କରିବା ପାଇଁ । ଏମିତି ବ୍ରହ୍ମଚାରୀ ଦେଖିଲେ ମୋର ହାଡ଼ ଜଳେ । ତୁମେ ତୁମ ପତ୍ରିକାରେ ଯାହା ସବୁ ଲେଖୁଛ ସେଗୁଡ଼ିକ ତାହା ମିଛ । ତାଙ୍କ ସହିତ ସଂକୀର୍ତ୍ତନ ଓ ଯୋଗ ସନ୍ଦର୍ଶନ ପର୍ବରେ ଯେଉଁ ଶହ ଶହ ଲୋକ ଯୋଗ ଦେଉଛନ୍ତି, ସେଥିପାଇଁ ତୁମେ ଓ ତୁମ ପତ୍ରିକା ହିଁ ମୁଖ୍ୟତଃ ଦାୟୀ । ସେ ବ୍ରହ୍ମଚାରୀର ଐନ୍ଦଜାଲିକ ଶକ୍ତି ତୁମକୁ କାବୁ କରିଦେଇଛି ।

 

—ମୁଁ ଯାହା ଲେଖୁଛି ସେଥିରେ ମିଛ କିଛି ନାହିଁ । କିଛି ଯଦି ମନେ ନକର ଅବଶ୍ୟ ତୁମ କଥା ନୁହେଁ; କିନ୍ତୁ କେତେ ଲୋକଙ୍କର ସ୍ୱଭାବ ଏମିତି ବୃଥାରେ ଅନ୍ୟ ବିରୁଦ୍ଧରେ କହିବା ଏବଂ ସେଇମାନେ ହିଁ ବେଶି ଦୌଡ଼ନ୍ତି ସାଧୁ ସନ୍ଥମାନଙ୍କ ପାଖକୁ ତାଙ୍କଠାରୁ ହୁକୁମପାଇ ଆହୁରି ବେଶି ବଡ଼ ହେବା ପାଇଁ, ଶତ୍ରୁଦମନ ପାଇଁ...ସରକାରୀ ଶୁଭଦୃଷ୍ଟି ପାଇଁ ଏମିତି ଅନେକ କିଛି ।

 

ମୋ ସ୍ତ୍ରୀ ବାସନ୍ତୀ ଦେବୀ ମଧ୍ୟ ଆମ ଯୁକ୍ତିରେ ଯୋଗ ଦେଇସାରିଥିଲେ । ସେ ଟିକିଏ ଥଟ୍ଟାକରି କହିଲେ–‘‘ତୁମେ ଯାଉନା ନାନୀ । ବ୍ରହ୍ମଚାରୀ ନିଶ୍ଚୟ ତୁମକୁ ସ୍ୱତନ୍ତ୍ର ସ୍ଥାନ ଦେବେ । ତୁମେ ସିନା ଏବେ ଏମିତି ତାଙ୍କ ବିରୁଦ୍ଧରେ କହୁଛ, ଥରେ ବ୍ରହ୍ମଚାରୀଙ୍କ ସହିତ ଦେଖା ହୋଇଗଲେ ତୁମେ ଆଉ ତାଙ୍କୁ ଭୁଲି ପାରିବ ନାହିଁ ।’’ ତା’ପରେ ସେ ଟିକିଏ ଭାଉଜଙ୍କ ନିକଟକୁ ଘୁଞ୍ଚିଆସି କହିଲେ-‘‘ଶୁଣିଛ ନାନି ! ବ୍ରହ୍ମଚାରୀ କୁଆଡ଼େ ମହାମନ୍ତ୍ର ବଳରେ ଅନନ୍ତ ଅକ୍ଷତ ଯୌବନ ପ୍ରଦାନ କରୁଛନ୍ତି । ସେ କେବଳ ତାଙ୍କର ଖାସ ଭକ୍ତମାନଙ୍କ ପ୍ରତି ଦୟା ପ୍ରଦର୍ଶନପୂର୍ବକ ଏହି ବର ପ୍ରଦାନ କରୁଛନ୍ତି ।’’

 

ଏହି କଥାଟିର ପ୍ରଭାବ ବୋଧହୁଏ ଭଲଭାବରେ ଭାଉଜଙ୍କ ଉପରେ ପଡ଼ିଲା । କିଛି ସମୟ ପାଇଁ ତାଙ୍କ ମୁଣ୍ଡ ଭିତରଟା ଯେପରି ଫାଙ୍କା ହୋଇଗଲା । ସେ କିଛି ଚିନ୍ତା କରିପାରିଲେ ନାହିଁ । ତାଙ୍କ ଦୃଷ୍ଟି ଝରକାଦେଇ ବାହାରକୁ ଲମ୍ବିଗଲା । ସେ ଯେମିତି କିଛି ଗୋଟାଏ ନିଭୃତ ଭାବେ ଚିନ୍ତା କରୁଥିଲେ । ସେ ହଠାତ୍‌ ଏମିତି ଅପ୍ରତିଭ ହୋଇପଡ଼ିବା ମୁଁ ଆଗରୁ କେବେ ଦେଖିନଥିଲି । ତାଙ୍କ ଗାଲ ଓ କାନମୁଣ୍ଡା କେମିତି ଟିକିଏ ମଉଳା ନାଲିରଙ୍ଗରେ ମାଖି ହୋଇଗଲା; କିନ୍ତୁ ଏସବୁକୁ ଲୁଚାଇବାର ଚେଷ୍ଟା ତାଙ୍କର ବୃଥା ହେଉଥିଲା ବୋଲି ସେ ବୁଝିପାରୁଥିଲେ ।

 

ନିଜର ଦୁର୍ବଳତା ଧରାପଡ଼ିଗଲେ ମଣିଷ ଉତ୍‌କ୍ଷିପ୍ତ ହେବା ସ୍ୱାଭାବିକ । ଭାଉଜଙ୍କ କ୍ଷେତ୍ରରେ ମଧ୍ୟ ତାହା ହିଁ ଘଟିଥିଲା ।

 

—‘‘ମୋର ଏସବୁ ଅନ୍ଧବିଶ୍ୱାସରେ ଆଦୌ ବିଶ୍ୱାସ ନାହିଁ । ମତେ ଯଦି ସେ ବ୍ରହ୍ମଚାରୀଟା ବିଷୟରେ ପଚରାଯାଏ ମୁଁ କହିବି ତାକୁ ଗୁଳି କରିଦିଆଯିବା ଉଚିତ । ତାର ଜାଗା ପାଗଳା ଗାରଦରେ ବା ବନ୍ଦିଶାଳାରେ-ଭଦ୍ରସମାଜରେ ନୁହେଁ ।’’

 

ଏଭଳି ଅବସ୍ଥା ଦେଖି ବାସନ୍ତୀ ଦେବୀ କଥା ବଦଳାଇବାକୁ ଚେଷ୍ଟାକଲେ । ମୁଁ ମଧ୍ୟ ଟିକିଏ ଅସ୍ୱସ୍ତି ଅନୁଭବ କଲି ।

 

ତାଙ୍କ ଝିଅ ବାହାଘର କଥା ପୁଣି ପଡ଼ିଲା । ସେ ଗପିଲେ ପ୍ରଗ୍‌ଳଭା ଭଳି । ମାଡ଼ିଚାଲିଲେ ଗୋଟିଏ ପାହାଡ଼ୀ ନଦୀର ଉତ୍‌ଶୃଙ୍ଖଳ ପ୍ରବାହ ଭଳି । ତାଙ୍କ ଝିଅ ପାଇଁ କାଶ୍ମୀରକୁ ସାଲ୍‌...ଓ୍ୱେଭିନ କମ୍ପାନୀ ଜେନେରାଲ ମ୍ୟାନେଜର ନିଜେ ଆସି ତାଙ୍କ କମ୍ପାନୀର ସବୁଠାରୁ ଉତ୍‌କୃଷ୍ଟ ଓ ଦାମୀ ଫ୍ରିଜ୍‌ଟି ଉପହାର ଦେଇଚନ୍ତି...ଲକ୍ଷ୍ନୌରୁ ନିଜେ କେମିତି ତାଙ୍କ ସ୍ୱାମୀଙ୍କ ଜଣେ କଣ୍ଟ୍ରାକ୍‌ଟର ବନ୍ଧୁ ସୁନା ଗହଣା ବରାଦ୍‌କଲେ...ଡେରାଡ଼ୁନ୍‌ରୁ ଫର୍‌ନିଚର—ପଲଙ୍କ ଓ ସୋଫାସେଟ୍‌-। ଜୋଇଁଙ୍କ ପାଇଁ ଇମ୍ପୋର୍ଟେଡ଼୍‌ ଗାଡ଼ିଟାଏ ଦେବାକୁ ତାଙ୍କର ଭାରି ଇଚ୍ଛା । କିନ୍ତୁ ଦୁଷ୍ଟ ପ୍ରକୃତିର ଲୋକେ ତୁଚ୍ଛାରେ କହିବେ—କଳାଟଙ୍କାର କରାମତି । ତାଙ୍କ ଝିଅ ଜୋଇଁଙ୍କୁ ସେମାନେ ଯାହା ଦେଲେ ସେଥିରେ ବାହାର ଲୋକଙ୍କ ମୁଣ୍ଡପୂରାଇବା କଣ ଦରକାର; କିନ୍ତୁ ସେଭଳି ଲୋକଙ୍କ ସଂଖ୍ୟା ଆଜିକାଲି ସବୁଠାରୁ ବେଶି ।

 

ସେତେବେଳକୁ ଅନେକ ସମୟ ହୋଇ ଯାଇଥିଲା । ଟେବୁଲ ଉପରେ ଗଦା ହୋଇଥିବା ଫାଇଲ୍‌ କଥା ଭାବିଲାବେଳକୁ ମୁଣ୍ଡ କଣ ହୋଇଯାଉଥିଲା ।

 

—ସାର୍‌ ମିଷ୍ଟର ନାରାୟଣ ଶର୍ମା ରିଟାୟାର୍ଡ଼ ଆଇ. ଏ. ଏସ୍‌. ଆପଣଙ୍କୁ ତିନି, ଚାରିଥର ଫୋନ୍‌ରେ ଡାକି ସାରିଲେଣି । ଆପଣ ଆସିବା ସଙ୍ଗେ ସଙ୍ଗେ ତାଙ୍କୁ ଫୋନ କରିବାକୁ ଅନୁରୋଧ କରିଛନ୍ତି ।

 

ମୁଁ ଚୌକିରେ ବସି ମୋର ନିଜର କାମ ସମ୍ପର୍କରେ ଚିନ୍ତାକରିବା ପୂର୍ବରୁ ସେକ୍ରେଟେରୀ ମିସ୍‌ ଲିଜା ଏ ସମ୍ବାଦ ଦେଇଗଲା ।

 

ସେ ତନ୍ୱୀ, ସୁନ୍ଦରୀ । ଅନ୍ୟ ସମୟ ହୋଇଥିଲେ ହୁଏତ ତା ସହିତ ଟିକିଏ ରସିକତା କରି ହୁଅନ୍ତା । ତାର ବବ୍‌ ବାଳ, ମିନିସ୍କଟ୍‌ ଓ ହାଇହିଲ୍‌ ଜୋତା ନେଇ ସେ ସର୍ପିଳ ଗତିରେ ବାତାବରଣକୁ ଏକ ଦାମି ସେଣ୍ଟରେ ସୁବାସିତ, ଉଦ୍‌ବେଳିତ କରି ଚାଲିଗଲାବେଳେ ପଛରୁ ଅନ୍ତତଃ ତାକୁ କିଛି ସମୟ ଚାହିଁ ଉପଭୋଗ କରି ହୁଅନ୍ତା; କିନ୍ତୁ କାମର ବୋଝ କେମିତି ମୋ ଉପରେ ମାଡ଼ି ପଡ଼ୁଥିଲା । ଜମା ହୋଇଥିବା ଖବରଗୁଡ଼ିକୁ ଏଡ଼ିଟିଙ୍ଗ୍‌ କରିବା ଭାର ମୋ ଉପରେ । ସନ୍ଧ୍ୟାର ସଂସ୍କରଣ ପାଇଁ ସେ ଗୁଡ଼ିକୁ ଦୁଇଟା ପୂର୍ବରୁ ହେବା ଦରକାର ।

 

ମିଷ୍ଟର ଶର୍ମାଙ୍କୁ ମୁଁ ଫୋନ୍‌ କରିବା ପୂର୍ବରୁ ହଠାତ୍‌ ଫୋନ୍‌ ରିଙ୍ଗ୍‌ କଲା ।

 

—ହାଲୋ...ମିଶ୍ର ।

 

—ମୁଁ ନାରାୟଣ ଶର୍ମା-ରିଟାୟାର୍ଡ଼ ଆଇ. ଏ. ଏସ୍‌. କହୁଛି । ଟିକିଏ ସବ୍‌ଏଡ଼ିଟର୍‌ ନିରୋତ୍ତମ ମିଶ୍ରଙ୍କୁ ଦେବେ ।

 

—ଆଜ୍ଞା ନମସ୍କାର, କହୁଛି ।

 

—ହାଲୋ...କଣ କହିଲେ ।

 

—ଆଜ୍ଞା ମୁଁ ସେଇ ବ୍ୟକ୍ତି ଯାହାକୁ ଆପଣ ଖୋଜୁଛନ୍ତି ।

 

—ଆପଣ କଣ ସେଇ ସ୍ପେସିଆଲ୍‌ କରେସ୍‌ପଣ୍ଡେଣ୍ଟ ଯେ ଭଗବାନ ପ୍ରଭୁପାଦ ବ୍ରହ୍ମଚାରୀଙ୍କ ପ୍ରୋଗ୍ରାମର ବିବରଣୀ ଦେବାପାଇଁ ନିଯୁକ୍ତ ?

 

—ଆପଣଙ୍କ ଅନୁମାନ ଏକଦମ୍‌ ନିର୍ଭୁଲ ।

 

—ଆପଣ ସେକ୍ରେଟେରୀ ମିସ୍‌ ଲିଜାଠାରୁ ନିଶ୍ଚୟ ଶୁଣିଥିବେ...ମୁଁ ଆପଣଙ୍କୁ.....

 

—ହଁ ଶୁଣିଛି...ଆପଣଙ୍କର କି ସେବା କରିପାରେ ?

 

—ଆଜି ସନ୍ଧ୍ୟା ସାଢ଼େ ସାତଟାରେ ମୋର ଘରେ ଭଗବାନ ପ୍ରଭୁପାଦ ବ୍ରହ୍ମଚାରୀଙ୍କ ଯୋଗଲୀଳା ସାଧନ କାର୍ଯ୍ୟକ୍ରମ ରହିଛି । ଏହା ସମସ୍ତ ଭକ୍ତଙ୍କ ପାଇଁ ଉନ୍ମୁକ୍ତ; କିନ୍ତୁ ଏହାପରେ ସ୍ୱାମୀଙ୍କର ତାଣ୍ଡବ-ନୃତ୍ୟ ପାଇଁ ଯେଉଁ ଅଲୌକିକ କାର୍ଯ୍ୟକ୍ରମ ରହିଛି, ତାହା କେବଳ ଖାସ୍‌ ଭକ୍ତମାନଙ୍କ ପାଇଁ ଉଦ୍ଦିଷ୍ଟ । ସେହି କାର୍ଯ୍ୟକ୍ରମରେ ଯୋଗଦେବାକୁ ହେଲେ ସ୍ୱାମୀଙ୍କର ଆଶୀର୍ବାଦସୂଚକ ଆଜ୍ଞାପତ୍ର ଆବଶ୍ୟକ ।

 

—କଣ ଆଦେଶ କହନ୍ତୁ, ଅବଶ୍ୟ ଆଜି ସନ୍ଧ୍ୟାର କାର୍ଯ୍ୟକ୍ରମର ବିବରଣୀ ସଂଗ୍ରହପାଇଁ ମୁଁ ଆଦେଶ ପାଇସାରିଛି ।

 

ଶର୍ମା ସାହେବ କେମିତି ଗୋଟିଏ ନାଟକୀୟ ହସରେ ଭାଙ୍ଗିପଡ଼ିଲେ । ଫୋନ୍‌ରେ ଏଭଳି ଶବ୍ଦଯୋଗୁଁ ମୁଁ ଟିକିଏ ବିରକ୍ତ ହେଲି । କିଛି କହିବାର ଶକ୍ତି କିନ୍ତୁ ମୋର ନଥିଲା । ସେ ହସ ଭିତରେ ହିଁ ଆରମ୍ଭ କଲେ—ବୁଝିଲେ ନରୋତ୍ତମ ବାବୁ ! ଆପଣ ଅତ୍ୟନ୍ତ ଭାଗ୍ୟବାନ । କେବଳ ଏହି ଖବରଟା ଆପଣଙ୍କୁ ଜଣାଇଦେବାପାଇଁ ମୁଁ ଏତେ ଥର ଫୋନ୍‌ କରି ଆପଣଙ୍କୁ ହଇରାଣ କରିଛି । ଭଗବାନ ପ୍ରଭୁପାଦ ବ୍ରହ୍ମଚାରୀଙ୍କ ଯେଉଁ ସ୍ୱତନ୍ତ୍ର ତାଣ୍ଡବ-ନୃତ୍ୟ କାର୍ଯ୍ୟକ୍ରମ କେବଳ ତାଙ୍କର ଅତ୍ୟନ୍ତ ଖାସ୍‌ ଭକ୍ତଙ୍କ ପାଇଁ ନିର୍ଦ୍ଦିଷ୍ଟ, ସେଥିରେ ଯୋଗଦେବାପାଇଁ ଆପଣଙ୍କୁ ଯୋଗାବିଷ୍ଟ ବ୍ରହ୍ମଚାରୀଙ୍କର ଆଜ୍ଞା ହୋଇଛି । ମୁଁ ଆପଣଙ୍କ ନିକଟରେ କେବଳ ତାଙ୍କର ମହତ୍‌ ଇଚ୍ଛା ପ୍ରକାଶର ଏକ ମାଧ୍ୟମ ମାତ୍ର ।

 

ସେଇ ଅବିସ୍ମରଣୀୟ ସନ୍ଧ୍ୟା ।

 

ନିଜେ ନାରାୟଣ ଶର୍ମା ତାଙ୍କ ପୋର୍ଟିକୋରେ ଠିଆହୋଇ ନିମନ୍ତ୍ରିତ ଭଦ୍ରମହିଳା ଓ ଭଦ୍ରବ୍ୟକ୍ତି, ସମ୍ମାନିତ ଅତିଥି ଓ ବନ୍ଧୁମାନଙ୍କୁ ପାଛୋଟି ଆଣୁଥାଆନ୍ତି । ସହରର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଆଜି ସେଠାରେ ଏକତ୍ରିତ । ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଟାଉଟର୍‌ ପର୍ଯ୍ୟନ୍ତ ଓ ବଡ଼ ହାକିମଙ୍କଠାରୁ ଚାଟୁକାର ପର୍ଯ୍ୟନ୍ତ ସମସ୍ତେ ସେଠାରେ ଏକତ୍ରିତ । ସମସ୍ତଙ୍କୁ ପାଛୋଟି ନେଇ ଶର୍ମା ସାହେବ ଗୋଟିଏ ବଡ଼ ହଲ୍‌ ଭିତରେ ପହଞ୍ଚାଇ ଦେଉଥିଲେ । ସେଠାରେ ଚର୍ଚ୍ଚାର ଦାୟିତ୍ୱରେ ଥିଲେ ଶେଠ୍‌ ହୀରାଭାଇ । ସେ ସମସ୍ତଙ୍କ ଉପରେ ସୁବାସିତ ଚନ୍ଦନଜଳ ଛିଞ୍ଚି ଗୋଟାଏ ଲେଖା ଚମ୍ପାଫୁଲ ସମସ୍ତଙ୍କୁ ଧରାଇଦେଉଥିଲେ ।

 

ପ୍ରଭୁପାଦ ବ୍ରହ୍ମଚାରୀ ଗୋଟିଏ ସୁସଜ୍ଜିତ କକ୍ଷରେ ହୋମ କରୁଥିଲେ । ସେଠାକୁ ପ୍ରବେଶ କରିବା ଅନ୍ୟମାନଙ୍କ ପାଇଁ ମନାଥିଲା । ସେହି ହୋମ କକ୍ଷରେ ବ୍ରହ୍ମଚାରୀ ସାକ୍ଷାତ୍‌ ଭଗବାନସ୍ୱରୂପ ଧାରଣକରି ଅବତୀର୍ଣ୍ଣ ହୁଅନ୍ତି । ସେ ଅପରୂପ ମୂର୍ତ୍ତି ଦର୍ଶନର ସୌଭାଗ୍ୟ ସମସ୍ତଙ୍କୁ ମିଳେନାହିଁ । ହୋମକୁଣ୍ଡରୁ ନିର୍ଗତ ଏକ ଅଲୌକିକ ଫଳର ପ୍ରସାଦ ସେବନକଲେ ଚିରନ୍ତନ ଯୌବନ ଲାଭହୁଏ ।

 

ଡ୍ରଇଂରୁମ୍‌କୁ ଲାଗି ବିରାଟ ହଲ୍‌ଟିରେ ଲୋକଙ୍କ ସଂଖ୍ୟା ବଢ଼ିଯାଇଥିଲା । ବାହାରୁ ଆସୁଥିବା ଲୋକଙ୍କୁ ମଧ୍ୟ ବନ୍ଦକରିବା ସମ୍ଭବ ନୁହେଁ । ଅବସ୍ଥା ପ୍ରାୟ ଅସମ୍ଭାଳ । ଶର୍ମା ସାହେବ ଅତିଶୟଭାବେ ଉତ୍‌ଫୁଲ୍ଲିତ । ଧୀରେ ଧୀରେ ଗାଡ଼ିମାନଙ୍କର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଥାଏ । ସହରର ସବୁ ଖ୍ୟାତନାମା ଲୋକ ଆଜି ନାରାୟଣ ଶର୍ମାଙ୍କ ଦ୍ୱାରସ୍ଥ । ତାହା ତାଙ୍କ ପକ୍ଷେ କମ୍‌ ଗୌରବର କଥା ନୁହେଁ । ଏ ସବୁ କେବଳ ବ୍ରହ୍ମଚାରୀଙ୍କ କରୁଣା ।

 

ଶେଠ୍‌ ହୀରାଭାଇ ମୋ ନିକଟକୁ ଆସି କହିଲେ, ଟିକିଏ ଆସିବେ...ଆପଣଙ୍କ ସାଙ୍ଗରେ ଗୋଟିଏ କଥା ଅଛି । ଆପଣ ସ୍ୱାମୀ ପ୍ରଭୁପାଦ ବ୍ରହ୍ମଚାରୀଙ୍କ ଅଲୌକିକ କ୍ରିୟାରେ ବିଶ୍ୱାସ କରନ୍ତିନାହିଁ ।

 

—ଆପଣ କେମିତି ଜାଣିଲେ...

 

—ଅବଶ୍ୟ ଆପଣଙ୍କ ଲେଖାଗୁଡ଼ିକ ମତେ ଭଲଲାଗେ; କିନ୍ତୁ ବ୍ରହ୍ମଚାରୀଙ୍କ ବିରୁଦ୍ଧରେ ଯେଉଁସବୁ ଲେଖା ପ୍ରକାଶିତ ହେଉଛି, ସେ ସମ୍ପର୍କରେ ଆପଣଙ୍କ ମତ କଣ ?

 

—ଗୋଟିଏ ଗଣତାନ୍ତ୍ରିକ ସମାଜରେ କାହା ମୁହଁ ତ ଆଉ ବନ୍ଦ କରିହେବନାହିଁ ।

 

ଏ କଥା ଶୁଣି ଶେଠ୍‌ ହୀରାଭାଇ ଟିକିଏ ବିରକ୍ତି ପ୍ରକାଶକଲେ । ତାଙ୍କ ମୁହଁରୁ ସେ କଥା ଠଉରାଇବା ମୋ ପକ୍ଷେ କଷ୍ଟକର ନ ଥିଲା । ତାଙ୍କ ଦେହରୁ ଗୋଟିଏ ଆମୋଦକର ସୁଗନ୍ଧ ନିର୍ଗତ ହେଉଥିଲା । ମତେ କଥାଟି ସ୍ପଷ୍ଟ କରିଦେବା ଉଦ୍ଦେଶ୍ୟରେ ସେ କହିଲେ—ବ୍ରହ୍ମଚାରୀ ସ୍ପର୍ଶକରିବା ମାତ୍ରେ ସମଗ୍ର ଶରୀର ଏ ଭଳି ଅପୂର୍ବ ସୁବାସରେ ସୁବାସିତ ହୁଏ । ତାଙ୍କର ଆଶୀର୍ବାଦ ହେଲେ ଏ ସୁବାସ ସବୁଦିନ ପାଇଁ ଆତ୍ମଗୁଣରେ ପରିଣତ ହୁଏ । କସ୍ତୁରୀ ଓ ଅଗରୁ ଚନ୍ଦନର ସହସ୍ର ପୁଟ ଦେଲେ ସୁଦ୍ଧା ଏଭଳି ସୁଗନ୍ଧ ସମ୍ଭବ ନୁହେଁ ।

 

ହୋମଗୃହରୁ ପ୍ରଭୁପାଦ ବ୍ରହ୍ମଚାରୀ ନିର୍ଗତହେବା ସୂଚନା ମିଳିବାକ୍ଷଣି ସମସ୍ତେ ନିଜ ନିଜ ସ୍ଥାନରେ ଠିଆହେଲେ । ବଡ଼ ଘରଟିରେ ଗୋଟିଏ ପାଖରେ ସ୍ୱତନ୍ତ୍ର ଭାବେ ନିର୍ମିତ ମଣ୍ଡପ ଉପରେ ସେ ବିରାଜମାନ ହେଲେ । ଚତୁର୍ଦ୍ଦିଗରେ ନିସ୍ତବ୍‌ଧତା ଖେଳିଗଲା । ବ୍ରହ୍ମଚାରୀ ଗୁଡ଼ିଏ ଶ୍ଲୋକ ଆବୃତ୍ତି କରି ସମବେତ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନକଲେ । ତା’ ପରେ ବ୍ରହ୍ମଚାରୀଙ୍କ ସମେତ ତାଙ୍କ ସାଙ୍ଗରେ ଥିବା ସୁନ୍ଦରୀ ରମଣୀମାନଙ୍କ ଯୋଗସାଧନ କ୍ରିୟା ପ୍ରାରମ୍ଭହେଲା । କମନୀୟ ଶରୀର ଧାରଣକରିଥିବା ସେହି ସୁନ୍ଦରୀମାନଙ୍କର ଯୋଗକ୍ରିୟା ସମସ୍ତେ ଅପଲକ ଚକ୍ଷୁରେ ଦେଖିବାକୁ ଲାଗିଲେ ।

 

ସେତେବେଳକୁ ସମୟ ଯେ କେତେ ହେବ ତାହା କହିବା ମୋ ପକ୍ଷେ ସମ୍ଭବ ନୁହେଁ । ସହସ୍ର ଧୂପବତି, ଝୁଣା ଓ ଆଳତିର ଧୂମାୟିତ ତମିସ୍ର ରାତିକୁ କେମିତି ଗାଢ଼ ଓ ଅଥୟ କରିଦେଇଥିଲା ।

 

ସ୍ୱତନ୍ତ୍ର କାର୍ଯ୍ୟକ୍ରମ—ତାଣ୍ଡବ-ନୃତ୍ୟ ।

 

ଏହି କାର୍ଯ୍ୟକ୍ରମ ଘୋଷିତ ହେବା ପରେ ଧୀରେ ଧୀରେ କେବଳ ବିଶେଷ ଆଜ୍ଞାପ୍ରାପ୍ତ ଭକ୍ତଙ୍କ ବ୍ୟତୀତ ଅନ୍ୟମାନେ ବିଦାୟ ନେଇ ଚାଲିଗଲେ । ମଣ୍ଡପରେ ଆଲୋକସଜ୍ଜା ଓ ତାର ବର୍ଣ୍ଣିଳ ଶୋଭା ଦର୍ଶକମାନଙ୍କ ଆଖିରେ କୁହୁକ ବୋଳିଦେଇଗଲା । ବ୍ରୋଞ୍ଜର ଏକ ବିରାଟ ନଟରାଜ ମୂର୍ତ୍ତି ଆଗରେ ପ୍ରଥମେ ନତଜାନୁପୂର୍ବକ ପୂଜାପାଠ କରି ପ୍ରଭୁପାଦ ବ୍ରହ୍ମଚାରୀ ହଠାତ୍‌ କିଛି ସମୟ ପାଇଁ ମଞ୍ଚ ଉପରୁ ଅଦୃଶ୍ୟ ହୋଇଗଲେ । କେବଳ କେତେକ ଅନୁଚରୀ ଅଧାଛାଇ ଆଲୁଅରେ ସେମାନଙ୍କର କମନୀୟ ତନୁକାନ୍ତି ଅଗରୁ ସୁଗନ୍ଧରେ ପ୍ରଖ୍ୟାଳନ କରୁଥିଲେ ।

 

ତା’ ପରେ ଗୋଟିଏ ବିଚିତ୍ର ଶବ୍ଦ । ଧୂମକୁଣ୍ଡଳୀରେ ମଞ୍ଚ ଏମିତି ଭାବେ ଆଚ୍ଛାଦିତ ହୋଇଗଲା ଯେ କିଛି ଦେଖିବା ସମ୍ଭବ ହେଲାନାହିଁ । ଦିଗମ୍ବର ରୂପରେ ବ୍ରହ୍ମଚାରୀ ଅବତୀର୍ଣ୍ଣ ହେଲେ । ତାଙ୍କର ତାଣ୍ଡବ-ନୃତ୍ୟ ସମସ୍ତଙ୍କୁ ସ୍ତବ୍‌ଧ କରିଦେଲା ।

 

ଠିକ୍‌ ପଛରେ କାହାର ଚାପା କାନ୍ଦ ହଠାତ୍‌ ମୋର ଦୃଷ୍ଟି ଆକର୍ଷଣ କଲା । ଅଧା ଆଲୁଅ ଅଧା ଛାଇର ସେ ବିଭୀଷିକାମୟ ବାତାବରଣରେ ମଧ୍ୟ ଭାଉଜଙ୍କୁ ଚିହ୍ନିବା ମୋ ପକ୍ଷେ କଷ୍ଟ ହେଲାନାହିଁ । ହୋମକୁଣ୍ଡରୁ ନିର୍ଗତ ଅଲୌକିକ ଫଳର ପ୍ରସାଦ ଓ ଅନନ୍ତ ଯୌବନଲାଭର ମୋହରୁ ତେବେ ସେ ମୁକ୍ତିଲାଭ କରିପାରିଲେ ନାହିଁ ! ମୋ ଭିତରେ କେମିତି ଗୋଟିଏ ଗ୍ଲାନିବୋଧ ମୁଁ ସ୍ପଷ୍ଟ ଅନୁଭବ କରିପାରିଲି ।

 

—ଭାଉଜ...ତେବେ ତୁମେ ମଧ୍ୟ...

 

ଏହାଠାରୁ ଆଉ କିଛି ଅଧିକ କହିବା ମୋ ପକ୍ଷେ ସମ୍ଭବ ନ ଥିଲା ।

 

ସେ ନିଜର କୋହ ସମ୍ଭାଳିବାକୁ ବହୁ ଚେଷ୍ଟା କରୁଥିଲେ । ତାଙ୍କର ଗୋଟିଏ ହାତ ଅନାୟାସ ଲମ୍ବି ଆସିଲା ମୋ ପାଟି ପାଖକୁ । ମୋର ଆଉ କିଛି କହିବା ଆବଶ୍ୟକ ନ ଥିଲା ।

 

ସେଇ ସୁପରିଚିତ ସୁଗନ୍ଧରେ ସୁଗନ୍ଧିତ ଅଗୁରୁ ସୁବାସରେ ସୁବାସିତ ହାତ । ଏକ ନିର୍ଯାତିତ ମୁହୂର୍ତ୍ତର, ଲୁଣ୍ଠିତ ମୁହୂର୍ତ୍ତର କାହାଣୀ ।

Image

 

ଉଦାସ ମୁହୂର୍ତ୍ତ

 

ଡ୍ରେସିଂ ଟେବୁଲର ଦର୍ପଣରେ ନିଜର ରୂପଶ୍ରୀ ଦେଖି ତନ୍ମୟ ହୋଇଯାଇଥିଲା ସିପ୍ରା । ତା ମନରେ ଥିଲା ଅଜସ୍ର ବିସ୍ମୟ । ସେ ଯେମିତି ପ୍ରଥମ ଥର ପାଇଁ ଆବିଷ୍କାର କରିଥିଲା ତା ନିଜ ସମ୍ପର୍କରେ ଏକ ନୂତନ ତଥ୍ୟ ।

 

ସତରେ ସେ ଏଡ଼େ ସୁନ୍ଦର ! ଖୁବ୍‌ ଯତ୍ନର ସହିତ କେଶ ପ୍ରସାଧନ ଶେଷକରି ଗାଲରେ ମାଖିଲା ଗୋଟିଏ ସୁଗନ୍ଧଯୁକ୍ତ କ୍ରୀମ୍‌ । ତା ଉପରେ ଦେଲା ଗୋଲାପୀ ପାଉଡ଼ରର ଗୋଟିଏ ପତଳା ପ୍ରଲେପ । ଗାଲର ରଙ୍ଗକୁ ଏହି ପ୍ରଲେପଟା ଶାଢ଼ି ଏବଂ କାଞ୍ଚୁଲାର ରଙ୍ଗ ସହିତ ମ୍ୟାଚ୍‌ କରାଇଦିଏ । କାନରେ ସରୁ ରିଙ୍ଗ୍‌—ନୂଆ ଡିଜାଇନ୍‌ର । ଆଖିରେ କଜ୍ଜ୍ୱଳର ସରୁ ଦୁଇଗାର । ତାର ବଡ଼ ବଡ଼ ଆଖିକୁ ବେଶ୍‌ ମାନେ କଜ୍ଜ୍ୱଳଗାର । ସୂକ୍ଷ୍ମ ଭ୍ରୂଲତାର ଶେଷ ବିନ୍ଦୁକୁ ଲାଞ୍ଜୀ ସ୍ପର୍ଶ କରିଛି । ଗଳାର ଶଙ୍ଖ ମସୃଣ ତ୍ୱକ୍‌କୁ ବେଷ୍ଟନ କରି ଝୁଲିପଡ଼ିଛି ସରୁ ସୁନା ଚେନ୍‌ । ନାଲି ଆଉ ଶାଗୁଆ ରଙ୍ଗର ଛୋଟ ଛୋଟ ଚିକିମିକି ପଥର ଚେନ୍‌ ତାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଉଥିଲା । ବେଶ୍‌ ମାନେ ସିପ୍ରାକୁ ଏଇ ହାରଟା, ଗୋଲାପୀ ରଙ୍ଗର ଶାଢ଼ୀ ସହିତ ତାର କଣ୍ଟ୍ରାଷ୍ଟ ଯୋଗୁଁ । ମ୍ୟାଚିଂ ଶାଢ଼ି ବ୍ଲାଉଜ୍‌ ସହିତ ଚମତ୍କାର ରୂପର ସଜ୍ଜା ।

 

ସିପ୍ରା ସାଙ୍ଗରେ ଗୋଟିଏ ମେସ୍‌ରେ ଦୀର୍ଘ ତିନିବର୍ଷ କାଳ ରହିବାପରେ ମଧ୍ୟ ସୁବ୍ରତା ତାକୁ ଠିକ୍‌ଭାବେ ବୁଝିପାରିନଥିଲା । ପ୍ରତିଥର ପ୍ରତି ମୁହୂର୍ତ୍ତରେ ସିପ୍ରା ଗୋଟିଏ ନୂଆ ରୂପ ଆଉ ନୂଆ ସମସ୍ୟା ନେଇ ତା ଆଗରେ ଠିଆହୁଏ । ସିପ୍ରା ବୟସରେ ତା’ଠାରୁ ଢେର୍‌ କମ୍‌; କିନ୍ତୁ ଅନୁଭୂତିରେ ସେ ଏତେ ପରିପକ୍ୱ, ପୃଥିବୀର ଲୋକମାନଙ୍କୁ ଚିହ୍ନିବାରେ ତାର ଆଖି ଏତେ ପାରଦର୍ଶୀ । ସୁବ୍ରତା ବେଳେବେଳେ ନିଜେ ମଧ୍ୟ ଗୋଲକଧନ୍ଦାରେ ପଡ଼ିଯାଏ । କଣ କହି ଏବଂ କିଭଳି ଭାବେ ସେ ସିପ୍ରାକୁ ତାର ଧ୍ୱଂସର ବାଟରୁ ଫେରାଇଆଣିବ !

 

ସୁବ୍ରତା କିନ୍ତୁ ଯାହାକୁ ଧ୍ୱଂସର ରାସ୍ତା ବୋଲି ଧରିନେଇଛି, ସିପ୍ରା ଦୃଷ୍ଟିରେ ତାହା ସଂପୂର୍ଣ୍ଣ ଭିନ୍ନ । ସୁବ୍ରତାର ଦୃଷ୍ଟିରେ ସେ ଜୀବନକୁ ଦେଖିବାପାଇଁ ଚାହେଁନାହିଁ । ସେ ଚାହେଁ ଜୀବନ ବିରୁଦ୍ଧରେ.....ସଂସାର ବିରୁଦ୍ଧରେ ପ୍ରତିବାଦ । ଯିଏ ତାର ସଂସ୍ପର୍ଶରେ ଆସିବ ତାକୁ ତାର ନିଜର ଦହନରେ ସେ ଦଗ୍‌ଧ କରିବାକୁ ଚାହେଁ । ସେ ଚାହେଁ ସାରା ଦୁନିଆଟାକୁ ପୋଡ଼ି ଜାଳି ଧ୍ୱଂସ କରିଦେବାକୁ । ଯେଉଁ ସମାଜ, ଯେଉଁ ପୃଥିବୀ ତାର ଛୋଟ ସଂସାରଟାକୁ ଏମିତି ନିଷ୍ଠୁର ଭାବେ କ୍ଷତ-ବିକ୍ଷତ କରିଛି, ତାକୁ ସେ କେବେହେଲେ କ୍ଷମା ଦେଇପାରିବ ନାହିଁ ।

 

ସୁବ୍ରତା ଚମକି ଉଠିଲା ସିପ୍ରାର ଏ ରୂପବିଭବ ଦେଖି । ସିପ୍ରା ସୁନ୍ଦରୀ; କିନ୍ତୁ ଏମିତି ସୁନ୍ଦରୀ ତ ଅନେକ ଅଛନ୍ତି । ସିପ୍ରାର ବିଶେଷତ୍ୱ ସେ ନିଜର ସୌନ୍ଦର୍ଯ୍ୟ ବିଷୟରେ ସଚେତନ ଓ ତାକୁ ସଜେଇପାରେ ଗୋଟିଏ ନିପୁଣ ଶିଳ୍ପୀଭାବରେ । ତାରି ରୂପ, ଯୌବନର ମାଦକତା ବଢ଼ିଯାଇଥିଲା ଅନେକ ଗୁଣ । ଏଇ ରୂପରେ ଦେଖିଲେ ସିପ୍ରାର କାମନାବହ୍ନିରେ କିଏ ବା ଝାସ ନଦେବ !

 

କିନ୍ତୁ ଏହି ରୂପ, ଯୌବନର ପରିଣତି କଣ ! ଏହାର ଶେଷ କେଉଁଠି ! ସୁବ୍ରତା ବାସ୍ତବରେ ଟିକିଏ ବିଚଳିତା ହୋଇପଡ଼ିଲା । ସେ ଯେତେ ଚେଷ୍ଟାକଲା ନୀରବ ରହିବାପାଇଁ, ପାରିଲା ନାହିଁ । ତାର ନୈତିକ କର୍ତ୍ତବ୍ୟ ତାକୁ ବାଧ୍ୟକଲା ସିପ୍ରାକୁ ପୁଣି ଥରେ ଚେତାଇଦେବାପାଇଁ । ଯେ ଯେଉଁ ପଥରେ ପାଦ ଦେଇଛି, ସେ ପଥ ଶ୍ରେୟ ନୁହେଁ । ଯେ ବହ୍ନି ସୃଷ୍ଟି କରେ; ସେ କେବଳ ଅନ୍ୟକୁ ଦଗ୍‌ଧ କରେନାହିଁ, ନିଜକୁ ମଧ୍ୟ ଦଗ୍‌ଧ କରି ପାଉଁଶରେ ପରିଣତ କରେ ।

 

ଘରୁ ବାହାରିଯିବା ପୂର୍ବରୁ ସୁବ୍ରତାର ଡାକରେ ଠିଆହେଲା ସିପ୍ରା ।

 

ସୁବ୍ରତାର ସ୍ୱର କେମିତି ଅସ୍ୱାଭାବିକ ଭାବେ ଗମ୍ଭୀର ।

 

—ସିପ୍ରା ! ଛୋଟ ଭଉଣୀଟି ମୋର । ଗୋଟିଏ କଥା କହିବି, ମାନିବୁ !

 

—କଣ କହିବ କୁହ । ସିପ୍ରାର ସଂକ୍ଷିପ୍ତ ଉତ୍ତର ।

 

—ମୁଁ ଜାଣେ ତୋ ଜୀବନରେ ଅନେକ ଝଡ଼ ଝଞ୍ଜା ଭିତରେ ତୁ ଗତିକରିଛୁ । ତୁ ଶିକ୍ଷିତା-। ସଂସାର ସମ୍ପର୍କରେ ମଧ୍ୟ ତୁ ଅନଭିଜ୍ଞା ନୋହୁ । ତଥାପି ତୁ ସବୁ ଯାହା କରୁଛୁ, ସବୁ ଭାବିଚିନ୍ତି କରୁଛୁ ତ ! ହୁଏତ ଯେଉଁ ପ୍ରତିଶୋଧ ନେବାପାଇଁ ତୁ ବାହାରିଛୁ ସଂସାର ବିରୁଦ୍ଧରେ—ସମାଜର କୁଳୀନତା ବିରୁଦ୍ଧରେ ତୁ ସେଇ ସଂଗ୍ରାମରେ ବେଶି ସମୟ ଦମ୍ଭ ଧରି ଠିଆହୋଇ ପାରିବୁନାହିଁ । ତୁ ଭାଙ୍ଗି ପଡ଼ିବୁ ଠିକ୍‌ ବନ୍ୟାମୁଖରା ନଦୀ ଆଗରେ ଗୋଟିଏ ମାଟିର ବନ୍ଧପରି । ସେତେବେଳେ ଆଉ ଠିକ୍‌ ରାସ୍ତାକୁ ଫେରିବା ପାଇଁ ବେଳ ପାଇବୁ ନାହିଁ । ମରୁଭୂମିର ପଥିକ ପରି ଶାନ୍ତ, ଶୀତଳ ଆଶ୍ରୟସ୍ଥଳଟିଏ ଯେତେବେଳେ ସବୁଠାରୁ ବେଶି ଦରକାର, ସେତିକିବେଳେ ତୁ ଠକିଯିବୁ, ଆଉ ତା’ପରେ ସବୁ ହା-ହା-କାର—ଖାଲି ନିରବଚ୍ଛିନ୍ନ ଶୂନ୍ୟତା ।

 

ସିପ୍ରାର ସଦା ହସ ହସ ମୁହଁରେ କେମିତି ଗୋଟିଏ ଭାବାନ୍ତର ଦେଖାଦେଲା । ସୁବ୍ରତା ଏଭଳି ପରିବର୍ତ୍ତନ ସହିତ ବେଶ୍‌ ପରିଚିତା । ନିଜର ଦହନ କଥା…...ଅତୀତ ଜୀବନର ଧ୍ୱଂସାବଶେଷ କଥା ଯେତେବେଳେ ତାର ହୃଦୟକୁ ବିଦୀର୍ଣ୍ଣ କରେ, ସେତେବେଳେ ସିପ୍ରା ଏମିତି ଗମ୍ଭୀର ଦେଖାଯାଏ ।

 

—ଗୋଟିଏ କଥା କହିବି ଅପା…..ଦୁଃଖ କରିବନାହିଁ ଯଦି ଶୁଣ ! ମୋର ଉପଦେଶ ଦରକାର ନାହିଁ; ମୋର ବର୍ତ୍ତମାନ ଦରକାର ପ୍ରେରଣା । ତୁମେ ମତେ ଆଶୀର୍ବାଦ କର । ମୋର ପଥ ପୁଷ୍ପିତ ହେଉ । ଗୋଟାଏ ପରେ ଗୋଟାଏ ଜୀବନରେ ନିଆଁ ଲଗାଇ ଧ୍ୱଂସ କରିପାରିଲେ ହୁଏତ ମୋର ଆତ୍ମାକୁ ଶାନ୍ତି ମିଳିବ । ମୁଁ ପାଇବି ଆତ୍ମପ୍ରସାଦ ଏଭଳି ଧ୍ୱଂସ ସଂଘଟିତ କରି ପାରିଲେ । ବୋଧହୁଏ ମୋର ଜନ୍ମ ହୋଇଛି ଏଇଥିପାଇଁ । ଆଉ ଯେତେବେଳେ ଥକିଯିବି, ସେତେବେଳେ ମୁଁ ଆଶ୍ରୟ ଖୋଜିବିନାହିଁ । ନିଜକୁ ଶେଷ କରିଦେବି କାହାର ଦ୍ୱାରସ୍ଥହେବା ପୂର୍ବରୁ-। ସେଇ ଶେଷ ମୁହୂର୍ତ୍ତ ସମସ୍ତଙ୍କ ଜୀବନରେ ଅନିବାର୍ଯ୍ୟ । ତାକୁ ସାଦରେ ଚୁମ୍ବନ ଦେଇ ବରଣ କରିବା ପୂର୍ବରୁ ମତେ ମୋର କାର୍ଯ୍ୟ କରିଯିବା ପାଇଁ ତୁମେ ସାହସ ଦିଅ । ମୋର ପ୍ରତ୍ୟେକ ଅଣୁରେ ଭରିଦିଅ ପାଶବିକ ଉନ୍ମାଦନାର ଅଗ୍ନିସ୍ଫୁଲିଙ୍ଗ । ମତେ ଉତ୍ତେଜନାରେ ହିଂସ୍ର କରିଦିଅ ।

 

ସୁବ୍ରତ ଶୁଣୁଥିଲା ସିପ୍ରାର ପ୍ରଗଳ୍‌ଭ ଭାଷଣ । ସିପ୍ରାର କଥା ଶୁଣିବା ପରେ ତାକୁ କିଛି କହି ଆଉ ବନ୍ଦକରିବା ଅବସ୍ଥାରେ ସେ ନଥିଲା । ଦୀର୍ଘ ତିନିବର୍ଷ ତଳେ ସିପ୍ରା ସହିତ ତାର ସେଇ ପ୍ରଥମ ସାକ୍ଷାତ କଥା ତାର ଆଖି ଆଗରେ ନାଚିଗଲା । ଚାକିରି କରିବାପାଇଁ ସହରକୁ ଆସିବାବେଳେ କେମିତି ଗୋଟିଏ ଭୟ ତା ମନ ଭିତରେ ସଂଚରି ଯାଇଥିଲା । ଗୋଟିଏ ନାରୀ ପକ୍ଷରେ ସହରରେ ଏକାକିନୀ ଜୀବନଯାପନ କରିବା ଯେ କି କଷ୍ଟ, ସେ କଥା ସେ ସ୍ପଷ୍ଟ ଭାବେ ଜାଣିଥିଲା । ଅନେକ ସଂଶୟ ଓ ଅନେକ ଦ୍ୱିଧାରେ ସେ ଭାରାକ୍ରାନ୍ତ ହୋଇପଡ଼ିଥିଲା ।

 

ବିଭିନ୍ନ ଅଫିସରେ କାମ କରୁଥିବା ମହିଳାମାନଙ୍କର ମେସ୍‌ରେ ରହିବାପାଇଁ ସେ ସୁପାରିଶ୍‌ ପତ୍ରଟିଏ ଧରି ଆସିଥିଲା । ଜଣେ କେହି ପରିଚିତ ବନ୍ଧୁତା ସହିତ ପରିଚୟ କରାଇ ଦେଇଥିଲେ ସିପ୍ରାର ।

 

ସିପ୍ରା ମହାନ୍ତି । ପାଞ୍ଚଫୁଟ ଚାରିଇଞ୍ଚ ଉଚ୍ଚତାବିଶିଷ୍ଟ ପାତଳୀ ସାବନା ରଙ୍ଗର ଝିଅଟିଏ । ପ୍ରଥମ ଦେଖାରେ ସୁବ୍ରତା ସେମିତି ବିଶେଷ କିଛି ପ୍ରଭାବିତ ହୋଇନଥିଲା ସିପ୍ରାଦ୍ୱାରା; କିନ୍ତୁ ଗୋଟିଏ ରୁମ୍‌ରେ ଗୋଟିଏ ଛାତତଳେ ଅନେକ ଦିନ ରହିବା ପରେ ଗଭୀର ଆତ୍ମୀୟତା ସୃଷ୍ଟି ହୋଇଥିଲା ସେମାନଙ୍କ ଭିତରେ ।

 

ସିପ୍ରାର ଅନାବିଳ ସ୍ନେହ-ମମତାରେ ସେ ମୁଗ୍‌ଧ ହୋଇଗଲା । ସେ ମଧ୍ୟ ଅତି ଆପଣାର ଛୋଟ ଭଉଣୀଟି ଭଳି ଭଲପାଇବାକୁ ଲାଗିଲା । ଜୀବନରେ ଏମିତି ଗଢ଼ିଉଠେ ପରସ୍ପର ଭିତରେ ବନ୍ଧୁତ୍ୱ, ପରସ୍ପରକୁ ଭଲପାଇବାର ମୋହ ।

 

ସୁବ୍ରତା ପିଲାଟିଦିନରୁ ମା’ର ପ୍ରକୃତ ସ୍ନେହ ପାଇନଥିଲା । ସାବତମା’ର ହତାଦର ଗାଳି-ଗଞ୍ଜଣା ସହି ସହି ଜୀବନ ତା ପାଇଁ କେମିତି ଦୁର୍ବିସହ ହୋଇଯାଇଥିଲା । ସିପ୍ରାର ଜୀବନ ମଧ୍ୟ ଥିଲା ଅବିକଳ ସେହିପରି । ସେ ଯେତେବେଳେ ମା’ ଗର୍ଭରେ, ବାପା ତାର ଯୁଦ୍ଧକ୍ଷେତ୍ରରେ ଆଖିବୁଜିଲେ ଶତ୍ରୁର ଗୁଳିରେ ।

 

ତାର ଜନ୍ମ ତା’ ମା’ ପାଇଁ ଥିଲା ଏକ ଅସହ୍ୟ ଯନ୍ତ୍ରଣା । ସମାଜ ତାକୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନଥିଲା । ଗ୍ଲାନି ଓ ପରାଭବ ସହ୍ୟକରି ତାର ମା’ ମଧ୍ୟ ବେଶି ଦିନ ବଞ୍ଚି ପାରିନଥିଲା ।

 

ସିପ୍ରା ସୁବ୍ରତା ମଧ୍ୟରେ ତେଣୁ ଅତି ସହଜରେ ଗଢ଼ି ଉଠିଥିଲା ସ୍ନେହ-ମମତାର ଅବିଚ୍ଛେଦ୍ୟ ବନ୍ଧନ । ସିପ୍ରା ସୁବ୍ରତାକୁ ସମ୍ମାନ କରୁଥିଲା ନିଜର ବଡ଼ ଭଉଣୀ ଭଳି ଏବଂ ସୁବ୍ରତା ମଧ୍ୟ ସିପ୍ରା ଉପରେ ଢାଳିଦେଇଥିଲା ତାର ସବୁ ସ୍ନେହ ମମତା । ପ୍ରଥମେ ପ୍ରଥମେ ସେମାନଙ୍କ ଭିତରେ ଯେଉଁ ଟିକିଏ ଦୂରତା ଥିଲା, ତାହା କଟିଯିବା ପରେ ସେମାନେ ପରସ୍ପର ପାଖରେ ଆଉ କିଛି ଗୁପ୍ତ ରଖିନଥିଲେ ।

 

ସେମାନଙ୍କର ପରିଚୟର ଅଳ୍ପ ଦିନ ପରର କଥା । ସିପ୍ରା ଫେରି ନଥାଏ ଅନେକ ରାତିଯାଏଁ । ସୁବ୍ରତା ବିଚଳିତ ହୋଇ ତା’ପାଇଁ ଅପେକ୍ଷା କରିଥିଲା । ଅନେକ ରାତିରେ ଫେରିଲା ସିପ୍ରା । ତାର ଡାକରେ କବାଟ ଖୋଲି ଚାହିଁଲା ସୁବ୍ରତା । ଘର ଭିତରକୁ ପଶିଆସିଲା ସିପ୍ରା ମହାନ୍ତି-। ମୁହଁରେ ତାର ହସର ଜୁଆର । ଧଳା ରଙ୍ଗର ପ୍ଲେନ୍‌ ଶାଢ଼ିରେ ସୂକ୍ଷ୍ମ ଏମ୍ବ୍ରୟଡ଼ରୀର କାରୁକାର୍ଯ୍ୟ । ତାର ଗୋରାରଙ୍ଗକୁ ବେଶ୍‌ ମାନୁଥିଲା ଶାଢ଼ି । ସୁବ୍ରତା ସେମିତି ଅନେକ ସମୟଧରି ଚାହିଁରହିଥିଲା ସିପ୍ରାକୁ ।

 

—ତୁମେ ଏ ଯାଏଁ ଶୋଇନା ଦିଦି !

 

ସିପ୍ରା ଟିକେ ହସି କଥାଟାଏ ସହଜ କରିଦେବାପାଇଁ ଚେଷ୍ଟାକଲା ।

 

—କଣ ଦେଖୁଛ...ମୋର ଏ ଶାଢ଼ି ! ଏ ବେଶ ପୋଷାକ ! ଆମ ମେନେଜିଂ ଡିରେକ୍ଟର ଗୁପ୍ତା ବାବୁ ପସନ୍ଦ କରନ୍ତି କମଳା ବା ଗୋଲାପୀ ରଙ୍ଗର ଝିନ ପତଳା ଶାଢ଼ି, ଯାହା ମୋର ଯୌବନ...ମୋର ଅଙ୍ଗ-ସୌଷ୍ଠବକୁ ଖୁବ୍‌ ଉନ୍ନତ୍ତ ଭାବେ ପ୍ରକାଶ କରିପାରିବ । ମୁଁ ତାଙ୍କର ଏହି ଚାହିଦା ଅନୁଯାୟୀ ନିଜକୁ ସଜାଇ ଯେଉଁଦିନ ଅଫିସ ଯାଏ, ସେଦିନ ବସ୍‌ ମୋ ଉପରେ ଭାରି ଖୁସି । ମୋର କୌଣସି କାମରେ ସେ ଭୁଲ ଦେଖନ୍ତିନାହିଁ । ବାରମ୍ବାର କଲିଂବେଲ ବାଜିଉଠେ ଓ ମତେ ତାଙ୍କ ଚେମ୍ବରକୁ ଡକରା ଆସେ । ସେ ସେତେବେଳେ ବିହ୍ୱଳ ହୋଇ ମତେ ଚାହିଁରହନ୍ତି । ତାଙ୍କର ଡିକ୍ଟେସନ୍‌ ଆଉ ସରେନାହିଁ । ବେଳେବେଳେ ଦୁଇ ତିନି ମିନିଟ୍‌ ଧରି ସେ କେବଳ ନିର୍ବାକ୍‌ ହୋଇ ଚାହିଁରହନ୍ତି । ଧରା ପଡ଼ିଗଲେ ଅପ୍ରତିଭ ହୋଇ ସେ ନାନା କାଣ୍ଡ କରି ବସନ୍ତି ।

ତାଙ୍କୁ ସେତେବେଳେ ସମ୍ଭାଳିବା ମୋ କାମ । ହଠାତ୍‌ ଦିନେ ସେ କହିପକାଇଲେ-ମିସ୍‌ ମହାନ୍ତି ! କାଚ ସଙ୍ଗେ କାଞ୍ଚନପରି ତୁମର ଗୋରା ଦେହ ଆଉ ଏ ଗୋଲାପୀ ଶାଢ଼ି...ତୁମ ଚଏସ୍‌ ମାର୍ଭଲେଶ୍‌... ।

ଆଉ ତା’ପରେ ସେ ଭୁଲିଗଲେ ଯେ ସେ ମନେଜିଂ ଡିରେକ୍ଟର ଓ ମୁଁ ଜଣେ ସାଧାରଣ ଷ୍ଟେନୋ । ସେଇ ମୁହୂର୍ତ୍ତରୁ ମୁଁ ମଧ୍ୟ ଠିକ୍‌ କରିସାରିଛି ଗୁପ୍ତାବାବୁଙ୍କର ଏ ଅବସ୍ଥା ଓ ଦୁର୍ବଳତାର ସଂପୂର୍ଣ୍ଣ ସୁଯୋଗ ନେବାପାଇଁ ।

ଆମର ଏଇ ସଂପର୍କ ଆରମ୍ଭର ପ୍ରଥମ ଅବସ୍ଥାରେ ମୁଁ ନିଜ ପ୍ରତି ବେଶି ସଚେତନ ହୋଇପଡ଼ୁଥିଲି । ଚାଲିଲାବେଳେ ଶାଢ଼ିର ପଣତ ଖସେ......ଚମ୍ବେରରୁ ଡାକରା ଆସିଲେ କେମିତି ଭାରି ଭାରି ଲାଗେ......ପାଦ ଛନ୍ଦି ହୋଇଯାଏ...ସେକ୍‌ସନ୍‌ର ଅନ୍ୟ କିରାଣିମାନଙ୍କର ଆଖିଗୁଡ଼ାକ ଫୋଡ଼ିହୋଇଯାଏ ମୋ ଦେହରେ । ପାଦୁଟିଏ ଆଗକୁ ଯିବାକୁ ମନ ଡାକେନାହିଁ । ହାତରୁ କଲମ ଖସିଯାଏ, ଟାଇପ୍‌ର ଭୁଲ ଅକ୍ଷରଗୁଡ଼ାକ ଉପରେ ଆପେ ଆପେ ଅଙ୍ଗୁଳି ଚାଳିତ ହୁଏ । ଏସବୁ ଦୁର୍ବଳତା ଭଲଲାଗେ ଗୁପ୍ତା ସାହେବଙ୍କୁ । ସେ ଯେମିତି ଏସବୁ ଘଟିବ ବୋଲି ଆଗରୁ ଜାଣିଛନ୍ତି । ସେ ଟାଣିହୋଇ ଆସନ୍ତି ମୋ ପାଖକୁ......ଆହୁରି ନିକଟ ଦୂରତ୍ୱକୁ ।

ମୁଁ ତେଣୁ ସମନ୍ୱୟ କରେ ମୋର ଓ ଗୁପ୍ତା ସାହେବଙ୍କ ରୁଚି ଭିତରେ । ସପ୍ତାହରେ ତିନିଦିନ ଧଳା ଶାଢ଼ି ଏବଂ ଆଉ ତିନିଦିନ ଗୋଲାପୀ ବା କମଳା ରଙ୍ଗର ଝିନ ପତଳା ଶାଢ଼ି । ଆଉ ବାକି ରହିଲା ଗୋଟିଏ ଦିନ—ରବିବାର । ସେଦିନ ମୋର ମୁଡ଼୍‌ ଓ ପ୍ରୋଗ୍ରାମ ଅନୁଯାୟୀ ଶାଢ଼ି ପରିବର୍ତ୍ତନ କରିଥାଏ । ସମୂଦ୍ରକୂଳ ପାଇଁ ଅଲଗା ଶାଢ଼ି......ସିନେମା ପାଇଁ ଆଉ ଭିନ୍ନ.....ନିମନ୍ତ୍ରଣ ଥିଲେ ତା ପାଇଁ ଅଲଗା ଶାଢ଼ି ।

 

ଖୁବ୍‌ ନିର୍ବିକାର ଭାବେ ଏସବୁ ବର୍ଣ୍ଣନା କରିଗଲା ସିପ୍ରା ମହାନ୍ତି । କୌଣସି କଥାରେ ତାର ଏତେ ଟିକିଏ ମଧ୍ୟ ସଂକୋଚ ନାହିଁ—କଥାକୁ ଲୁଚାଇବା ପାଇଁ ଚେଷ୍ଟା ନାହିଁ । ସିପ୍ରାର ବୋଧହୁଏ ଏଇ ଗୁଣଟା ବେଶି ଭଲଲାଗେ ସୁବ୍ରତାକୁ । ଆଜିକାଲି ଯୁଗରେ ଏଭଳି ଗୋଟିଏ ଚରିତ୍ର ସଂପୂର୍ଣ୍ଣ ଭାବେ ବିରଳ । ବିଶେଷକରି ଝିଅମାନଙ୍କଠାରେ ଏହା ଅତ୍ୟନ୍ତ ଅସ୍ୱାଭାବିକ । ସେମାନେ ନିଜକୁ ଯେତିକି ପ୍ରକାଶ କରନ୍ତି, ତା’ଠାରୁ ବହୁଗୁଣ ଅପ୍ରକାଶିତ ରହିବାପାଇଁ ପସନ୍ଦ କରନ୍ତି ।

 

—ସିପ୍ରା ! ଆଜି କଣ ଏତେ ଶୀଘ୍ର ଫେରିଆସିଲୁ ! ବୋଧହୁଏ ଗୁପ୍ତାସାହେବ ସହରରେ ନାହାନ୍ତି କିମ୍ବା ତୁ ତାଙ୍କ ସହିତ ଝଗଡ଼ା କରିଆସିଛୁ ! ତୋର ତ ବର୍ତ୍ତମାନ ଘରକୁ ଫେରିବା ସମୟ ହୋଇନାହିଁ ।

 

ସୁବ୍ରତା ନିଜର ଘଡ଼ିକୁ ଚାହିଁଲା । ସ୍ୱଭାବବଶତଃ ସିପ୍ରା ମଧ୍ୟ ଅନିଚ୍ଛାସତ୍ତ୍ୱେ ଚାହିଁଲା ନିଜର ୱାଚ୍‌କୁ । ସୁବ୍ରତାର ପ୍ରଶ୍ନ କିଛି ନୂଆ ନୁହେଁ । ଖୁବ୍‌ ଗୁରୁତର ଆକ୍ଷେପ ଥିଲା ତା ଭିତରେ ପ୍ରଚ୍ଛନ୍ନ ଭାବେ ।

 

ସିପ୍ରା ହସିଲା । ଏମିତି ସେ ସବୁଦିନେ ହସେ । ଖାଲି ଏଇ ହସ ଖଣ୍ଡିକ ତାକୁ ବଞ୍ଚାଇ ରଖିଛି । ଛାତି ଭିତରର ଅଜସ୍ର ଅକୁହା ବେଦନା ଭୁଲିବାକୁ ସେ ପାଇଛି ପ୍ରେରଣା । ସମାଜର ହୀନ ଚକ୍ରାନ୍ତ ବିରୁଦ୍ଧରେ ଯୁଦ୍ଧ କରିବାର ସାହସ ଦେଇଛି ତାକୁ ଏଇ ହସ । ବୋଧହୁଏ ଏହା ହିଁ ଥିଲା ତାର ବ୍ୟକ୍ତିତ୍ୱର ବିଶେଷତ୍ୱ । ସମାଜର କୁସଂସ୍କାର, ଦାରିଦ୍ର୍ୟର ତାଡ଼ନା ଏବଂ ତଥାକଥିତ ଆତ୍ମୀୟମାନଙ୍କର ହୀନ ଚକ୍ରାନ୍ତକୁ ସେ ଖାଲି ହସି ହସି ଉଡ଼ାଇ ଦେଇଛି । ସେ କେଉଁ କଥାରେ ଭାଙ୍ଗିପଡ଼ିନାହିଁ । ଯୁଦ୍ଧ କରିବାକୁ ହେଲେ ପ୍ରଥମେ ଯୁଦ୍ଧଭୂମିରେ ନିର୍ଭୀକ ଭାବେ ଠିଆହେବାକୁ ହେବ । ତଳେ ଢଳିପଡ଼ିଲେ ସବୁ ଶେଷ । ମଥା ପୋତିଦେଲେ ଆଉ ଟେକି ହୁଏନାହିଁ ।

 

ଅନେକବେଳୁ ସିପ୍ରା ଚାଲିଗଲାଣି । ସମୁଦ୍ରରେ କେମିତି ଗୋଟିଏ ମତୁଆଲା ପବନ ଲହରୀଗୁଡ଼ାକୁ ମନ୍ଥି ଦେଉଥିଲା । ପବନର ଅସଂଯତ ପ୍ରକୃତି ଯେତେ ବଢ଼ୁଥିଲା, ସେତିକି ଜୋରରେ ବଢ଼ୁଥିଲା ସମୁଦ୍ରର ଉଚ୍ଛ୍ୱାସ । କୂଳରେ ଖୁବ୍‌ ଜୋର ଆଘାତକରି ସେମାନେ ଫେରିଯାଉଥିଲେ ଠିକ୍‌ ଯେମିତି ଅସହିଷ୍ଣୁ କ୍ରୂର ପ୍ରକୃତିର କଥା ମନରେ ଆଘାତ ଦିଏ ।

 

ସିପ୍ରା କେତେବେଳେ ଫେରିବ କିଏ ଜାଣେ ! ସୁବ୍ରତାର ମନ କେମିତି ଟିକିଏ ଭାରି ହୋଇଆସିଲା ଦୁଃଖରେ ସମ୍ବେଦନାରେ । ତାର କର୍ତ୍ତବ୍ୟ କଣ ! ସିପ୍ରାକୁ କଣ ସେ ଠିକ୍‌ ରାସ୍ତାକୁ ଫେରାଇପାରିବ ! କିନ୍ତୁ ଏସବୁ ପାଇଁ ସେ ସିପ୍ରାକୁ ଦୋଷ ଦେଇପାରିଲା ନାହିଁ । ଯେଉଁ ସମାଜ ଯେଉଁ ପରିସ୍ଥିତି ତା ଜୀବନରେ ଏ ହଳାହଳ ତୋଳିଦେଇଛି ସେ କଥା ଭାବି ମଣିଷ କିଭଳି ଭାବେ ଅସହାୟ ସେଇ ଚିନ୍ତାରେ ସେ ବିବଶ ହୋଇ ପଡ଼ିଲା ।

 

ସେ ଶୁଣିଛି ସିପ୍ରାର ମଧ୍ୟ ଜଣେ ମା’ ଅଛି । ସମସ୍ତଙ୍କର ଯେମିତି ମା’ ଥାଆନ୍ତି ଠିକ୍‌ ସେମିତି । କିନ୍ତୁ ଫରକ ଖାଲି ଗୋଟିଏ କଥାରେ । ସମସ୍ତେ ମାଆର କୋଳରେ ବଢ଼ନ୍ତି…...ଆଶ୍ରୟ ପାଆନ୍ତି…...ସେଇଠି ତାଙ୍କର ହସ ଖୁସିର ସମସ୍ତ ଉପାଦାନ । ସିପ୍ରା ଖାଲି ତା ମା’ ବିଷୟରେ ଶୁଣିଛି । ହୁଏତ ସେ ସିପ୍ରା ପାଇଁ ଆଖିରୁ ଲୁହ ଗଡ଼ାଏ । ଦୁଃଖ କରେ । ହୁଏତ ତା ନିଜ ରକ୍ତ ମାଂସର କନ୍ୟା ସିପ୍ରାକୁ ଛାତିରେ ଜାବୁଡ଼ିଧରି ଦୁଃଖସବୁ ଭୁଲିଯିବା ପାଇଁ ତା ପ୍ରାଣରେ ମଧ୍ୟ ଅସୁମାରି ଆବେଗ ଥିବ । କିନ୍ତୁ ସେ ସବୁ ସମ୍ଭବ ହୋଇ ପାରିନି ।

 

ଛୁଆଟି ଦିନୁ ସେ ସିପ୍ରାକୁ ଛାଡ଼ି ଦେଇଥିଲା ଜଣେ ଖ୍ରୀଷ୍ଟିଆନ୍‌ ପାଦ୍ରିଙ୍କ ଘରେ । ସେଇଠି ପିତୃ-ମାତୃହୀନା ସିପ୍ରା ବଢ଼ି ଉଠିଛି । ମା’ର ସ୍ନେହ ମମତାରୁ ସେ ପିଲାଟି ଦିନରୁ ବଞ୍ଚିତା ।

 

ସେ ମଧ୍ୟ ସଂଭ୍ରାନ୍ତକୁଳରେ ଜନ୍ମ ହୋଇପାରିଥାନ୍ତା । ତାର ବାପ ମା’ ସମାଜରେ ପ୍ରତିଷ୍ଠିତ ଅବସ୍ଥାରେ ଥିଲେ । ସେ ମଧ୍ୟ ଉଚ୍ଚକୂଳରେ ଜନ୍ମ ଗ୍ରହଣ କରିବାର ସୌଭାଗ୍ୟ ଲାଭ କରିପାରିଥାନ୍ତା । ଭାଗ୍ୟର ବିଡ଼ମ୍ବନାରେ ସବୁ କିନ୍ତୁ ପରିବର୍ତ୍ତିତ ହୋଇଗଲା । ଏଭଳି ପଟ୍ଟପରିବର୍ତ୍ତନରେ ହଠାତ୍‌ କୁଳୀନ ସଂଭ୍ରାନ୍ତ ପରିବାରରେ ଜନ୍ମ ହେବାପାଇଁ ଉଦ୍ଦିଷ୍ଟ କନ୍ୟାଟିଏ ବାପ ମା’ ଛେଉଣ୍ଡ ହୋଇଯାଏ । କି ବିଚିତ୍ର ବିଧିର ବିଧାନ !

 

ସିପ୍ରାର ବାପା ଯେତେବେଳେ ନବବିବାହିତା ପତ୍ନୀର ସମସ୍ତ ସ୍ନେହ ସୋହାଗକୁ ପଛରେ ପକାଇଦେଇ କର୍ତ୍ତବ୍ୟର ଆହ୍ୱାନରେ ଯୁଦ୍ଧରେ ଯୋଗଦେଲେ, ସେତେବେଳେ ସିପ୍ରା ତା ମା’ର ଗର୍ଭରେ । ମୌନବତୀ ସ୍ତ୍ରୀର ଆଖିରୁ ଗଡ଼ିପଡ଼ିଲା କେବଳ ଦୁଇଧାର ଲୁହ । ସ୍ୱାମୀକୁ ବାରଣ କରିବାର ସାହସ ନଥିଲା ତାର । ଦୁଇଧାର ଲୁହ କେବଳ ସୂଚାଇ ଦେଉଥିଲା ତାର ମନର ଅକୁହା ବେଦନା ଓ ଯନ୍ତ୍ରଣାର ସ୍ୱରୂପ ।

 

ଯୁଦ୍ଧ ସରିଗଲା । ସମସ୍ତେ ଫେରିଲେ କିନ୍ତୁ ସିପ୍ରାର ବାପା ଫେରିଲେନାହିଁ । ସେତେବେଳେ ଅବଶ୍ୟ ସିପ୍ରା ଆସିନଥିଲା ଏ ସଂସାରକୁ । ବୋଝ ଉପରେ ନଳିତା ବିଡ଼ାପରି ସିପ୍ରା ଯେତେବେଳେ ଜନ୍ମହେଲା, ନିଜ ସନ୍ତାନର ବୈଧତ୍ୱ ପ୍ରମାଣ କରିବା ସହଜ ନଥିଲା ତା ମା’ ପାଖରେ । ସମାଜ ସହିତ ଏକାକୀ ଲଢ଼ିପାରିଲା ନାହିଁ ତାର ମା’ । ନିଜ ରକ୍ତ ମାଂସର ସନ୍ତକ ସୁନ୍ଦର ଶିଶୁଟିକୁ ଶେଷକରି ଦେବା ମା’ ପକ୍ଷରେ ସହଜ ନଥିଲା । ମାତୃତ୍ୱର ମମତା ତାକୁ ଶତଧିକ୍‌କାର କଲା । ପରିଶେଷରେ ଖ୍ରୀଷ୍ଟିଆନ୍‌ ପାଦ୍ରି ପାଖରେ ସିପ୍ରାକୁ ସମର୍ପଣ କରିଦେଇ ନିଜ ସମସ୍ୟାର ସମାଧାନ କରି ପାରିଥିଲା; କିନ୍ତୁ ସିପ୍ରାର ସମସ୍ୟା ଗୁଡ଼ିକ ଆରମ୍ଭ ହୋଇଥିଲା ଠିକ୍‌ ସେହି ସମୟରୁ ।

 

ବୁଦ୍ଧି ହେବା ଦିନରୁ ସିପ୍ରା ତା ମା’କୁ ଦେଖିବା ପାଇଁ ଚେଷ୍ଟା କରିନାହିଁ; କିନ୍ତୁ ତା ମା’ ସବୁ ମମତା ସତ୍ତ୍ୱେ ପରିଚୟ ଦେଇ ତା ପାଖକୁ ଫେରି ଆସିବାର ସତ୍‌ସାହସ ସଂଗ୍ରହ କରିପାରିନାହିଁ ।

 

ସିପ୍ରା ସିନିୟର କେମ୍ବ୍ରିଜ୍‌ ପାସ୍‌କରି ଯେତେବେଳେ ଷୋହଳ ବର୍ଷରେ ପାଦ ଦେଲା, ସେତେବେଳେ ତାକୁ ସୁରକ୍ଷା ଯୋଗାଇ ଦେଇଥିବା ପାଦ୍ରି ସଂସାରରୁ ବିଦାୟ ନେଲେ । ହଠାତ୍‌ ସିପ୍ରାର ମନେହେଲା ତାର ପୃଥିବୀ ଯେଭଳି କକ୍ଷଚ୍ୟୁତ । ଚତୁର୍ଦ୍ଦିଗ ଖାଲି ଶୂନ୍ୟତା…...ମହାଶୂନ୍ୟତା-

 

ଏଇ ଷୋହଳ ବର୍ଷଠାରୁ ଏକା ଏକା ସେ ଦୁନିଆ ସାଙ୍ଗରେ...ସମାଜ ସାଙ୍ଗରେ ଲଢ଼ି ଆସିଛି । ରୁଟି ପାଇଁ…..ସ୍ଥିତି ପାଇଁ…..ସୁରକ୍ଷା ପାଇଁ ତାର ସଂଗ୍ରାମ । ପରିସ୍ଥିତିର ଦାବି ଅନୁଯାୟୀ ସେ ନିଜକୁ ପରିବର୍ତ୍ତନ କରିଛି । ଦୁନିଆ ଯେମିତି ଚାହିଁଛି, ସେମିତି ସେ ସାଜିଛି ନିଜକୁ । ସେହିଭଳି ସହଜଭାବେ ବଦଳାଇ ଦେଇଛି ନିଜ ରୁଚିକୁ । ଅଜଣା ବାଟରେ କଣ୍ଟା ମାଡ଼ିଛି…..ସେଥିରୁ କମ୍‌ ଶିକ୍ଷା ମଧ୍ୟ ଲାଭ କରିନାହିଁ ! ଏମିତି ବହୁ ଅନୁଭୂତି ସଂଗ୍ରହକରି ସେ ଏକା ଏକା ଆଗେଇ ଚାଲିଛି । ଥରୁଟିଏ ପଛକୁ ଚାହିଁନାହିଁ । କୌଣସି କଥା ପାଇଁ ଅନୁଶୋଚନା କରିନାହିଁ କି ପଶ୍ଚାତାପ କରିନାହିଁ-। ଖେଳୁଆଡ଼ ମନୋଭାବ ନେଇ ଖେଳିଛି । ବିପଦ ଆପଦରେ ସାହସ ହରାଇନାହିଁ । ସାହାଯ୍ୟ ପାଇଁ କାହାକୁ ହାତ ପାତିନାହିଁ ।

 

ଖାଲି ଏଇ ହସ ବୋଧହୁଏ ତାକୁ ବଞ୍ଚିରହି ସଂଗ୍ରାମ କରିବାପାଇଁ ପ୍ରେରଣା ଯୋଗାଇ ଦେଇଛି । ଯେଉଁ ଦିନ ତା ଓଠରୁ ଏଇ ହସ ଟିକକ ଲିଭିଯିବ, ସେହି ଦିନ ହୁଏତ ସିପ୍ରା…... । ସୁବ୍ରତା ଆଉ ଭାବିପାରିଲା ନାହିଁ । ସିପ୍ରା କଥା ଭାବିଲାବେଳେ ଅନେକ ଥର ସେ ଏମିତି ଭାବବିହ୍ୱଳ ହୋଇପଡ଼େ । ତାକୁ ଯେତିକି ସେ ବୁଝିଛି ବୋଲି ଭାବେ ସେ ସେତିକି ଅବୁଝା ରହିଯାଏ ।

 

ସୁବ୍ରତା ତୁଳନା କରୁଥିଲା ନିଜକୁ ସିପ୍ରା ସାଙ୍ଗରେ । ସିପ୍ରାର ଜୀବନର କେତୋଟି ଘଟଣା ଯେମିତି ଆଜି ବାରମ୍ବାର ତାର ହୃଦୟତନ୍ତ୍ରୀରେ ସ୍ପନ୍ଦନ ସୃଷ୍ଟିକରୁଛି । ଦୁହେଁ ଏକାଭଳି ପରିସ୍ଥିତିର ତାଡ଼ନାରେ ଘରଛାଡ଼ି ଆଗେଇ ଆସିଛନ୍ତି ସଂସାରକୁ ସମ୍ମୁଖୀନ ହେବାପାଇଁ । ଅଣ୍ଟା ଭିଡ଼ିଛନ୍ତି ସବୁ ଦୁଃଖ ଦୁର୍ବିପାକ ବିରୁଦ୍ଧରେ ଏକା ଏକା ଠିଆ ହେବାପାଇଁ ତଥାପି ସେମାନଙ୍କର ଜୀବନର ଆଦର୍ଶ ଓ ଦର୍ଶନରେ ବହୁତ ପାର୍ଥକ୍ୟ । ସେ ନିଜେ ପ୍ରତିଶୋଧ ନିଏ ନିଜ ଉପରେ । ଅଭିମାନ ଏବଂ ଗ୍ଲାନିର ନିଆଁରେ ନିଜେ ନଜକୁ ଜାଳି ପୋଡ଼ି ଧ୍ୱଂସ କରେ ।

 

ସିପ୍ରା କିନ୍ତୁ ଠିକ୍‌ ବିପରୀତ, ସେ ପ୍ରତିଶୋଧ ନିଏ ସମାଜ ଉପରେ । ସେ ଦୁଃଖରେ କାନ୍ଦେନା...ଭାଙ୍ଗି ପଡ଼େନା । ସବୁ କଥା ହସରେ ଉଡ଼ାଇ ଦିଏ । ତା ଭିତରର ରୂପ ଯାହା ହେଉନା କାହିଁକି ବାହାରେ ସିପ୍ରାର ଏହି ରୂପଟି ହିଁ ସୁବ୍ରତା ସବୁବେଳେ ଦେଖି ଆସିଛି ।

 

ସିପ୍ରାର ଦେହ ଯଜ୍ଞରେ ଚଢ଼ିଛି ସମସ୍ତଙ୍କର ଆହୁତି । ସେହିସବୁ କ୍ଷେତ୍ରରେ ସିପ୍ରା ଅତି ମାତ୍ରାରେ ବ୍ୟାବସାୟିକ । ଯେଉଁମାନେ ତା ନିକଟକୁ ଆସନ୍ତି, ତାର ପ୍ରେମଭିକ୍ଷା କରି...ତାର ଦେହରେ ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ନିଜର ପରିବାର ସ୍ତ୍ରୀ ପିଲା ଛୁଆଙ୍କ କଥା ବୁଝିବା ଦାୟିତ୍ୱ ସେମାନଙ୍କର ନିହାତି ନିଜସ୍ୱ । ସେମାନେ ନିଜେ ବ୍ୟକ୍ତିଗତ ଭାବେ ଧ୍ୱଂସ ପାଇଲେ ବା ସେମାନଙ୍କର ପରିବାର ଧ୍ୱଂସ ପାଇଗଲେ, ସେଥିରେ ସିପ୍ରାର କିଛି ଚିନ୍ତା କରିବାର ନାହିଁ ।

 

ସୁବ୍ରତା ଅନେକ ଥର ଯୁକ୍ତିକରି ହାର ମାନିଛି—ଜୀବନରେ ଆଦର୍ଶ ବୋଲି କଣ କିଛି ନାହିଁ । ସିପ୍ରା କେବଳ ଟିକିଏ ହସିଦେଇ ଉତ୍ତର ଦେଇଥିଲା—ଆଦର୍ଶ ! ଏହା ଏକ ବୁର୍ଜୁୟା ସମାଜର ସହଜ ଉପଜୀବ୍ୟ ବିଷୟ; କିନ୍ତୁ ସମସ୍ତଙ୍କର ଉପଲଭ୍ୟ ନୁହେଁ । ଏଭଳି କେତେକ ଶସ୍ତା କାନୁନ୍‌ ତିଆରି କରି ସାମନ୍ତବାଦ ତାର ନିଗଡ଼ ସୃଷ୍ଟିକରେ । ସେହି ଅଧିକାର ସେହିମାନଙ୍କର ନିହାତି ଏକଚାଟିଆ । ସମସ୍ତଙ୍କ କ୍ଷେତ୍ରରେ ତାହା ପ୍ରଯୁଜ୍ୟ ନୁହେଁ । ଏସବୁ ତଥାକଥିତ ଆଦର୍ଶ ଓ ପରମ୍ପରାକୁ ମୁଁ ଧ୍ୱଂସ କରିବାକୁ ଚାହେଁ; କାରଣ ସେମାନେ ହିଁ ମୋର ପରିବାର, ମୋର ଅତୀତ, ମୋର ସୁଖର ସଂସାରକୁ ଧ୍ୱଂସ କରିଛନ୍ତି ।

 

ସୁବ୍ରତା ଆଉ ଉତ୍ତର ଖୋଜି ପାଇ ପାରିନଥିଲା । ସିପ୍ରା କଣ ବାସ୍ତବରେ ଏଭଳି ନିଜ ଜୀବନକୁ ତିଳତିଳ ଦଗ୍‌ଧ କରି ଆତ୍ମସନ୍ତୋଷ ଲାଭକରେ ! ହୁଏତ ବାହାରକୁ ଯେତେ ହସୁଥିଲେ ସୁଦ୍ଧା ନିଜ ଭିତରେ ସେ ଯନ୍ତ୍ରଣାର ଅକୁହା ବେଦନା ଅନୁଭବ କରୁଛି । ସେ ଯେଉଁ ଧ୍ୱଂସର ସୁଅ ମୁହଁରେ ଚାଲିଛି, ଆଉ ଶତ ଚେଷ୍ଟାକଲେ ସୁଦ୍ଧା ନିଜକୁ ଫେରାଇ ଆଣିପାରିବନାହିଁ । ଯକ୍ଷ୍ମାର ଜୀବାଣୁପରି ତାର ହୃଦୟରୁ ସମସ୍ତ ଶାନ୍ତିକୁ ଶୋଷଣକରି ସାରିଥିବ ଏଇ ମାରାତ୍ମକ ହସର ମାଦକତା । ଏମିତି ସମୟ ଆସିବ ତା ଜୀବନରେ, ସେ ଶତଚେଷ୍ଟା କରି ସୁଦ୍ଧା ଆଉ ହସିପାରିବନାହିଁ । ସମସ୍ତଙ୍କୁ ଧ୍ୱଂସ କରିବାକୁ ଯାଇ ସେ ନିଜେ କଣ ଅକ୍ଷତ ରହିପାରିବ !

 

ଓ୍ୱାଚ୍‌କୁ ଦେଖି ଚମକିପଡ଼ିଲା ସୁବ୍ରତା । ରାତି ଦୁଇଟା ବାଜିଲାଣି । ସିପ୍ରା ବୋଧହୁଏ ଆଉ ଫେରିବନାହିଁ । ଏମିତି ଅନେକ ରାତିରେ ସେ ମେସ୍‌କୁ ଫେରେନାହିଁ ।

 

ଡ୍ରେସିଂ ଟେବୁଲ ଉପରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ପ୍ରସାଧନ ଉପକରଣ ଉପରେ ସୁବ୍ରତାର ଦୃଷ୍ଟି ପଡ଼ିଲା । ସିପ୍ରାର ମେକଅପ୍‌ ପାଇଁ ଏସବୁ ଉଦ୍ଦିଷ୍ଟ । ପରଫ୍ୟୁମ୍‌ ସ୍ପ୍ରେ’ର ସୁଗନ୍ଧ କୋଠରିର ପବନକୁ କେମିତି ମତୁଆଲା କରିଦେଇଥିଲା । ସେଇ ପବନରେ ସିପ୍ରାର ପ୍ରତ୍ୟେକଟି ସଂଳାପର ପ୍ରତିଧ୍ୱନି ସତେ ଯେମିତି ରହି ରହି ଗୁଞ୍ଜରି ଉଠୁଥିଲା ।

 

ସୁବ୍ରତା ଚାହିଁଲା । ନିଅନ ଲାଇଟ୍‌ରେ ଆଲୋକିତ ରାଜରାସ୍ତା । ରାସ୍ତାଘାଟ ସେପଟେ ଅନବରତ ଗର୍ଜୁଥିବା ସମୁଦ୍ର । ସମୁଦ୍ରରେ ସୀମାହୀନ ଅନ୍ଧାରର ଆସ୍ତରଣ ସବୁ ଜମି ଆସୁଥିଲା । ଅନ୍ଧାରରେ ଗୋଳି ହେଉଥିବା ବିଶୃଙ୍ଖଳ ସମୁଦ୍ର କେମିତି ଉଦାସ ମନେ ହେଲା ସୁବ୍ରତାର ।

Image

 

Unknown

ମହାପ୍ରଳୟ

 

ଆକାଶରେ ଅନେକ ମେଘ । ଦୀର୍ଘ ତିନିଦିନ ଧରି ଅନବରତ ବର୍ଷା ହେବା ପରେ ମଧ୍ୟ ବର୍ଷାର ପ୍ରକୋପ ଏତେ ଟିକିଏ ମଧ୍ୟ କମି ନଥିଲା । ଇନ୍ଦ୍ର ଦେବତା ଯୁଆଡ଼ୁ ଯେତେ ପୃଥିବୀଯାକର ପାଣି ନେଇ ଜମାକରି ରଖିଥିଲା ସବୁ ଯେମିତି ପୃଥିବୀକୁ ପୁଣି ଫେରାଇ ଦେବାକୁ ବସିଛି କଡ଼ାଗଣ୍ଡା ସୁଧ ସହିତ ଚକ୍ରବୃଦ୍ଧି ହାରରେ ।

 

ସବୁଦିନ ଖାଲି ସେଇ ଗୋଟିଏ ତର୍କ, ଗୋଟିଏ ଆଲୋଚନା : ବର୍ଷା…... ବର୍ଷା….. ବର୍ଷା….. ।

 

ସରକାରୀ ପାଣିପାଗ ସୂଚନାରୁ, ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ସମ୍ପର୍କରେ ସୂଚନା ମିଳିଥିଲା; କିନ୍ତୁ ସରକାରୀ ସୂଚନା ବା ପ୍ରଚାର ମାଧ୍ୟମରେ ଖବରକୁ ମାନିନେବା ପାଇଁ ବର୍ଷା ବାଧ୍ୟ ନୁହେଁ । ଅଧିକାଂଶ ସମୟରେ ସରକାରୀ ସଂସ୍ଥାଟାକୁ ଅସୁବିଧାରେ ପକାଇବା ପାଇଁ ପ୍ରବଳ ବର୍ଷାର ବିବରଣୀ ପ୍ରଚାରିତ ହେବା ପରେ ମୋଟେ ବର୍ଷେନାହିଁ ବା ସାଧାରଣଠାରୁ ମଧ୍ୟମ ବର୍ଷାର ସୂଚନା ମିଳୁଥିବା ବେଳେ ଏକବାରେ ମୂଷଳଧାରାରେ ବର୍ଷା ହୋଇ ଲୋକମାନେ ପଦାକୁ ବାହାରିବା ଅସମ୍ଭବ ହୋଇଯାଏ । ନଦୀ, ନାଳ ପାଣିରେ ଭରିଯାଏ......ପାଣି ଉଛୁଳି ଯାଇ ଗାଁ, ଗଣ୍ଡା ସହର ବଜାର ସବୁଆଡ଼େ ମାଡ଼ିଯାଏ ।

 

ଚତୁର୍ଦ୍ଦିଗ ଖାଲି ଜଳମୟ ଯେମିତି ପ୍ରଳୟ ମାଡ଼ି ଆସୁଛି…...ମହାପ୍ରଳୟ । ସମୁଦ୍ର ଓ ଆକାଶ ଏକାକାର ହୋଇ ପୃଥିବୀକୁ ଧ୍ୱଂସ କରିଦେବେ ।

 

ମଝିରେ ମଝିରେ ପ୍ରଳୟ କଥାଟା ମଧ୍ୟ ଏମିତି ସଂଗୋପନରେ ପ୍ରଚାରିତ ହୋଇଥାଏ । ସୂର୍ଯ୍ୟ ଦେହରୁ ସହସ୍ର ଯୋଜନ ଦୂରକୁ ଗ୍ୟାସୀୟ ବାଷ୍ପମଣ୍ଡଳ ବ୍ୟାପିଗଲାଣି । ରାତିର ଗୋଟିଏ ଅଜବ୍‌ ଜ୍ୟେତି ଆକାଶ ମଣ୍ଡଳରେ ଘୂରି ବୁଲୁଛି । ସେ କେତେବେଳେ ଗୋଟିଏ ଭୟଙ୍କର ରାକ୍ଷସର ରୂପ ନେଉଛି ତ ଅନ୍ୟ କେତେବେଳେ ଅଶରୀରୀ ପ୍ରେତାତ୍ମାଭଳି ଖାଲି ବିକଳ ହୋଇ ଚତୁର୍ଦ୍ଦିଗେ ଘୂରି ବୁଲୁଛି ।

 

ଏହି କଥାଟି ଗୋଟିଏ ବିଖ୍ୟାତ ବହୁ ପ୍ରସାରିତ ଖବରକାଗଜରେ ତଥ୍ୟ ପ୍ରମାଣ ସହିତ ପ୍ରକାଶିତ ହେବା ପରେ ଲୋକମାନଙ୍କ ଆତଙ୍କ ଆହୁରି ବଢ଼ିଯାଇଥିଲା । ଆଉ ମହାପ୍ରଳୟ କଥାକୁ ବିଶ୍ୱାସ ନ କରିବାକୁ ଚାରା ନାହିଁ । ଜଣେ ବିଲାତ ଫେରନ୍ତା ବୈଜ୍ଞାନିକ ଡଃ ବିକ୍ରମ ଭୋରା ଗାଣିତିକ ସୂତ୍ର ମାଧ୍ୟମରେ ଅଙ୍କକଷି ବୁଝାଇ ଦେଇଥିଲେ ଯେ, ଏଭଳି ଗୋଟିଏ ଆଲୋକ ପ୍ରାୟ ସାତ ହଜାର ବର୍ଷତଳେ ଦେଖା ଦେଇଥିଲା । ସେତେବେଳେ ଏକ ମହାପ୍ରଳୟ ସଂଘଟିତ ହୋଇଥିବାର ବୈଜ୍ଞାନିକ ତଥ୍ୟ ପୃଥିବୀର ବହୁ ବିଜ୍ଞାନାଗାରରେ ସଂରକ୍ଷିତ ।

 

[ଏହି ଗଳ୍ପର ଉପବାଚ୍ୟ ବିଷୟ ଏବଂ ପାତ୍ରଗୁଡ଼ିକ ସଂପୂର୍ଣ୍ଣ କାଳ୍ପନିକ । କୌଣସି ପଦାଧାରୀ ବା ବ୍ୟକ୍ତି ବିଶେଷ ସହିତ ଯଦି କୌଣସି ପରୋକ୍ଷ ବା ପ୍ରତ୍ୟକ୍ଷ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ ତାହା କେବଳ ଆକସ୍ମିକ ବୋଲି ବିବେଚିତ ହେବ ।]

 

 

ଏଭଳି ତଥ୍ୟ ପରିବେଷିତ ହେବାର ଅଳ୍ପଦିନ ମଧ୍ୟରେ ସାର୍ବଜନିକ ପଣ୍ଡିତ ମହାସଭା ମଧ୍ୟ ଗୋଟିଏ ଜରୁରି ଅଧିବେଶନରେ ଏକତ୍ରିତ ହୋଇ ଗ୍ରହ ନକ୍ଷତ୍ରମାନଙ୍କର ସ୍ଥିତି ଓ କାଳ ଦୋଷ ଆଦି ସମ୍ପର୍କରେ ପ୍ରାଚୀନ ଜ୍ୟୋତିଷଶାସ୍ତ୍ର ଆଲୋଚନା କରି ନିଜର ସ୍ପଷ୍ଟ ମତ ପ୍ରଦାନ କଲେ ଯେ ମହାପ୍ରଳୟ ପ୍ରାୟ ସୁନିଶ୍ଚିତ । ପାଶ୍ଚାତ୍ୟ ବିଜ୍ଞାନ ତୁଳନାରେ ଯେ ଆମର ଖୋଦ ମାଟିର ମଞ୍ଜି ଜ୍ୟୋତିଷଶାସ୍ତ୍ର କୌଣସି ଗୁଣରେ କମ୍‌ ନୁହେଁ, ତାହା ପଣ୍ଡିତ ମହାସଭା ପ୍ରମାଣିତ କରିଦେବାକୁ ଚାହୁଁଥିଲେ ।

 

ତିନି ଦିନର ଭୟଙ୍କର ବର୍ଷା । ବିଗତ ବହୁ ବର୍ଷଧରି ଏଭଳି ବର୍ଷା ହୋଇଥିବା କାହାର ମନେନାହିଁ । ଘରୁ ପଦାକୁ ଗୋଡ଼ କାଢ଼ିବା ସମ୍ଭବ ହେଉନାହିଁ । ବର୍ଷା…...ବର୍ଷା…..ଖାଲି ବର୍ଷା । ଚାରିଆଡ଼େ ବେଙ୍ଗମାନଙ୍କର ବିକଟ ଚିତ୍କାର…...ଅନେକ ପକ୍ଷୀ ରାସ୍ତାଘାଟରେ ମରି ପଡ଼ିଛନ୍ତି । ସେମାନଙ୍କର ରହିବାର ନୀଡ଼ ଖଣ୍ଡିକ ଉଡ଼ିଯଇଛି ପବନରେ । ବର୍ଷ ବର୍ଷ ଧରି ସେମାନେ ଅଭୟ ଆଶ୍ରୟ ପାଇଥିବା ସେହି ଗଛଗୁଡ଼ିକ ଭାଙ୍ଗି ଶୋଇ ଗଲେଣି । ଗୋରୁଗାଈ ଯେ କେତେ ମରିଛନ୍ତି ତାର ହିସାବ ନାହିଁ ।

 

ପ୍ରଥମ ଦିନର ବର୍ଷା ପରେ ହିଁ ସମସ୍ତଙ୍କ ମନରେ ଏକ ପ୍ରକାର ଆତଙ୍କ ବ୍ୟାପି ଯାଇଥିଲା । ମହାପ୍ରଳୟର ବୈଜ୍ଞାନିକ ତଥ୍ୟ ସମ୍ବଳିତ ଖବର ଏବଂ ପଣ୍ଡିତ ମହାସଭାର ଜ୍ୟୋତିଷ ଶାସ୍ତ୍ର ଅନୁଧ୍ୟାନ ପୂର୍ବକ ସେହି ମତକୁ ସମର୍ଥନ ସାଙ୍ଗକୁ ଏଭଳି ବର୍ଷା ଲୋକମାନଙ୍କ ମନରେ ଏକପ୍ରକାର କୋକୁଆ ଭୟ ଆଣି ଦେଇଥିଲା । ଏ ସବୁ ଯେ ମହାପ୍ରଳୟର ସୂଚନା ନୁହେଁ ଏହା କିଏ କହିବ ?

 

ସେଣ୍ଟ୍ରାଲ୍‌ ନ୍ୟୁଜ ଏଜେନ୍‌ସି (ସି: ଏନ୍‌: ଏ:)ର ମୁଖ୍ୟ ସାମ୍ବାଦିକ ନିରଞ୍ଜନ ରାୟ । ତାଙ୍କ ଆଗରେ ସବୁ ଖବର କାଗଜ । ଗଣଯୋଗାଯୋଗ ମାଧ୍ୟମ ଗୁଡ଼ିକର ସର୍ବଶେଷ ବୁଲେଟିନ୍‌ଗୁଡ଼ିକୁ ମଧ୍ୟ ସେ ନିଜ ଡେସ୍କ ଉପରେ ରଖି ବିଶ୍ଳେଷଣ କରୁଥିଲେ । କଣ ହୋଇଗଲା ଏ ଦେଶଟାକୁ । ସମସ୍ତେ ପାଗଳ…..ମସ୍ତ ପାଗଳ । ମହାପ୍ରଳୟ.....ମହାପ୍ରଳୟ । ଏଭଳି ଚିନ୍ତା ମାରିଜୁଆନା ବା ଏଲ. ଏସ. ଡି. ଖାଇବା ଲୋକମାନଙ୍କ କଳ୍ପନା ପରି ଉଦ୍‌ଭ୍ରାନ୍ତ । ବର୍ଷାର ଭୟ ସତେ ଯେମିତି ଲୋକମାନଙ୍କର ଚେତନଶକ୍ତିକୁ ନିଷ୍ପନ୍ଦ କରିଦେଇଛି । ତାଙ୍କ ମନରେ ସୃଷ୍ଟି ହୋଇଛି ଉଦ୍‌ଭ୍ରାନ୍ତ ଚାଞ୍ଚଲ୍ୟ । ଏଲ. ଏସ. ଡି. ସେବନ କରି ଅପଲକ ନେତ୍ରରେ ସୂର୍ଯ୍ୟଙ୍କୁ ଚାହିଁରହି କେତେକ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇ ପାଗଳ ହୋଇଗଲା ପରି ଏ ସମସ୍ତେ ବଦ୍ଧ ପାଗଳରେ ପରିଣତ ହୋଇ ଯାଇଛନ୍ତି-

 

ପାଗଳ…..ନିଶ୍ଚୟ ପାଗଳ….. । ଏ ଜାତି ପାଗଳ...ଏ ଦେଶ ପାଗଳ...ଏହାର ଖବର କାଗଜ, ଗଣ ମାଧ୍ୟମ...ଶିକ୍ଷିତ, ଅଶିକ୍ଷିତ ସବୁ ଲୋକେ ପାଗଳ । ପାଗଳ ନ ହୋଇଥିଲେ ବନ୍ୟାର ପ୍ରକୋପରୁ ସହରକୁ ରକ୍ଷା କରିବାର ଯୋଜନା ନ କରି ଲୋକେ ମହାପ୍ରଳୟ କଥା ଚିନ୍ତାକରି ଏଭଳି ଆତଙ୍କିତ ହେଉଥାନ୍ତେ !

 

...କ୍ରିଂ...କ୍ରିଂ...କ୍ରିଂ...

 

ନିରଞ୍ଜନ ରାୟ ବିରକ୍ତ ହୋଇ ଫୋନ୍‌ ଉଠାଇବାପାଇଁ ଇଚ୍ଛା କରୁନଥିଲେ । ସେ ଜାଣନ୍ତି ନିଶ୍ଚୟ କୌଣସି ସମ୍ବାଦପତ୍ର ଅଫିସରୁ ଫୋନ୍‌ ଆସିଥିବ । ସମସ୍ତଙ୍କ ତୁଣ୍ଡରେ ଖାଲି ସେଇ ଗୋଟିଏ ପ୍ରଶ୍ନ...ଗୋଟିଏ କଥା ।

 

—ଆଜ୍ଞା ମହାପ୍ରଳୟ କଥା ନିଶ୍ଚୟ ଶୁଣିଥିବେ । ଆପଣଙ୍କର ମତ କଣ । ନନସେନ୍‌ସ ଏ ଜାତିଟା କ’ଣ ସତରେ ପାଗଳ ହୋଇଗଲା ! ଆଉ କିଛି ନାହିଁ, ଏକ କାଳ୍ପନିକ ଭୟ, ତାର ଚିନ୍ତା ଚୈତନ୍ୟକୁ ଗ୍ରାସ କରିଗଲାଣି । ଗୋଟିଏ ଭୟଙ୍କର ରାକ୍ଷସ ଭଳି । କୁଳପତି, ନଗରପତି, ଜିଲାପାଳ, ନଗରରକ୍ଷକ, ମହାଯନ୍ତ୍ରୀ, ଅଧ୍ୟାପକ, ସେନାପତି, ବିଦ୍ୟାନବିଶ, ନ୍ୟାୟାଧୀଶ, ଡାକ୍ତର, କବିରାଜ, ଆଇନଜୀବୀ, ଛାତ୍ର, ପଣ୍ଡିତ, ମୂର୍ଖ, ମନ୍ତ୍ରୀ, ମହାମନ୍ତ୍ରୀ-ସମସ୍ତଙ୍କର ସେଇ କେବଳ ଗୋଟିଏ ପ୍ରଶ୍ନ ।

 

—ମହାପ୍ରଳୟ ସମ୍ପର୍କରେ ଆପଣଙ୍କର ମତ କଣ ? ଦୟାକରି ସେ ସମ୍ପର୍କରେ ସବିଶେଷ ଖବର ଟିକିଏ କହନ୍ତୁ ।

 

ଗୋଟିଏ ଫୋନ୍‌ର ଉତ୍ତର ନ ଦେଉଣୁ ହଠାତ୍‌ ଅନ୍ୟ ଫୋନ୍‌ଟି ଗର୍ଜି ଉଠୁଛି । ଦୀର୍ଘ ବାଇଶି ବର୍ଷର ତାଙ୍କର ବିଚକ୍ଷଣ ସାମ୍ବାଦିକତା ପ୍ରତି ଆଜିର ଏ ମୁହୂର୍ତ୍ତ ଗୋଟିଏ ଆହ୍ୱାନ । ପ୍ରଳୟଙ୍କରୀ ବର୍ଷାର ଆହ୍ୱାନଠାରୁ ଆହୁରି ଅଧିକ ଭୟାନକ ଲୋକମାନଙ୍କର ମାନସିକ ଆତଙ୍କ । ଯୁଦ୍ଧ କରିବା ଆଗରୁ ଯେଉଁ ଜାତି ଯୁଦ୍ଧର ଆତଙ୍କଗ୍ରସ୍ତ ହୁଏ ସେ ଯୁଦ୍ଧ ପୂର୍ବରୁ ହିଁ ହାରିଯାଇଥାଏ । ଭୟଙ୍କର ବର୍ଷାରେ ପୃଥିବୀ ପ୍ରକମ୍ପିତ । ସହରର ବହୁ ଅଞ୍ଚଳ ଜଳମଗ୍ନ । ଅନେକ ଲୋକ ଏବଂ ଗୃହପାଳିତ ପଶୁ ଜଳ ସୁଅରେ ଭାସିଗଲେଣି । ଯେଉଁ ସ୍ଥାନରେ ଏକଦା ସମୃଦ୍ଧ ଜନବସତି ଠିଆ ହୋଇଥିଲା, ସେଠାରେ ଛଣ କୁଡ଼ିଆଟାଏ ମଧ୍ୟ ନାହିଁ । ପ୍ରାଣ ବିକଳରେ ସହରତଳି ଅଞ୍ଚଳର ଲୋକେ କିଏ କେଉଁଆଡ଼େ ଚାଲିଗଲେଣି; କିନ୍ତୁ ମୁଖ୍ୟ ସହର ସେ ପର୍ଯ୍ୟନ୍ତ ବିପଦଗ୍ରସ୍ତ ହୋଇନାହିଁ-

 

ବର୍ଷା......ପ୍ରଳୟଙ୍କରୀ ବର୍ଷା । ଯୁଦ୍ଧଠାରୁ ମଧ୍ୟ ଏ ବର୍ଷା ଆହୁରି ଭୟଙ୍କର । ପ୍ରକୃତି ବିରୁଦ୍ଧରେ ଲଢ଼ିବା ପାଇଁ ଛାର ମନୁଷ୍ୟର ଶକ୍ତି କାହିଁ ? ଘରର ଛାତ ଭୁଷୁଡ଼ିପଡ଼ି ମା’ କୋଳରେ ପୁଅ ଆଖି ବୁଜି ଦେଲାଣି ତ କାହାର ସ୍ୱାମୀ ଥୁରୁଥୁରୁ ଜ୍ୱରରେ ଆଉ ବର୍ଷାର ଦାଉ ସମ୍ଭାଳି ନପାରି ଟଳି ପଡ଼ିଲାଣି । ଏସବୁ ସତ୍ତ୍ୱେ ଏଇ ଲୋକମାନଙ୍କ ଭିତରେ ଚେତା ପଶିନାହିଁ ।

 

ବିରକ୍ତିରେ ନିରଞ୍ଜନ ରାୟଙ୍କ ରକ୍ତଚାପ ଯେପରି ବଢ଼ିବାକୁ ଲାଗିଲା । ଲୋକମାନଙ୍କ ପାଗଳାମି, ବୋକାମି ଓ ଆତଙ୍କ କଥା ସେ ଯେତେ ଚିନ୍ତା କରୁଥିଲେ ସେତେ ଅଧିକ ସେ ଭାଙ୍ଗି ପଡ଼ୁଥିଲେ ।

 

ନାଁ, ଏ ଜାତିକୁ ଆଉ ବଞ୍ଚାଇ ହେବନାହିଁ । ତଥାପି ଫୋନ୍‌ରେ ଚାଲିଛି ସେଇ ବିରକ୍ତିକର ଶବ୍ଦ-କ୍ରିଂ...କ୍ରିଂ...କ୍ରିଂ । ଲୋକଟାର ଧୈର୍ଯ୍ୟକୁ ପସନ୍ଦ ନ କରି ସେ ରହି ପାରିଲେ ନାହିଁ ! ଫୋନ୍‌ଟାକୁ କ୍ରେଡ଼େର୍‌ରୁ ବାହାରକରି ନେଇ ମଧ୍ୟ ସମାଧାନ କରି ହେବନାହିଁ । ସେ ଜଣେ ସାମ୍ବାଦିକ—ଗୋଟିଏ ନ୍ୟୁଜ୍‌ ଏଜେନ୍‌ସିର ମୁଖ୍ୟ । ନିଜର ଯତ୍‌କିଞ୍ଚିତ ଦାୟିତ୍ୱକୁ ସେ ଏଡ଼ାଇ ଦେଇ ପାରିବେନାହିଁ । ସମଗ୍ର ଦେଶ ଓ ସମଗ୍ର ଜାତି ଯେତେବେଳେ ପାଗଳ ସେ ମଧ୍ୟ ସେଇ ପାଗଳ ଦେଶର ପାଗଳ ସାମ୍ବାଦିକ । ସେ ଆଉ ଚିନ୍ତା କରି ପାରିଲେନାହିଁ ।

 

—ହେଲୋ...

 

—ହେଲୋ...ମୁଁ ସତ୍ୟାନନ୍ଦ ଗରାବଡ଼ୁ କହୁଛି ।

 

ରାୟବାବୁ ଅଛନ୍ତି...ମୁଁ...

 

—ନମସ୍କାର...କହୁଛି...

 

—ମୁଁ ବହୁତ ସମୟ ଧରି ଡାୟଲ କରୁଛି, ପାଉନାହିଁ ।

 

—ଆପଣ...

 

—ମୁଁ ବଡ଼ ବ୍ୟସ୍ତ । ଆପଣତ ଜାଣନ୍ତି ସହରର ବର୍ତ୍ତମାନ ଅବସ୍ଥା । ପ୍ରତି ମୁହୂର୍ତ୍ତରେ ବିଭିନ୍ନ ଜାଗାରୁ ଫୋନ୍‌ । ସେସବୁ ଏଟେଣ୍ଡ କରୁ କରୁ ନୟାନ୍ତ ହେଲିଣି ।

 

—ମହାପ୍ରଳୟ ସମ୍ପର୍କରେ ଆପଣଙ୍କ ସର୍ବଶେଷ ଖବର କଣ ?

 

ମୁଣ୍ଡକୁ ଭୟଙ୍କର ରାଗ ଉଠିଲା ନିରଞ୍ଜନ ରାୟଙ୍କର । ମନେହେଲା କଚାଡ଼ିଦେବେ ଫୋନ୍‌ଟାକୁ । ନନ୍‌ସେନ୍‌ସ ! କଣ ହୋଇଛି ଏ ଲୋକଗୁଡ଼ାଙ୍କୁ; କିନ୍ତୁ ସେ କିଛି କହିପାରିଲେ ନାହିଁ । ଗରାବଡ଼ୁ ତାଙ୍କର ବନ୍ଧୁ ଓ ସହରର ବିଖ୍ୟାତ କୋଟିପତି ଠିକାଦାର୍‌ ।

 

—ଆଜ୍ଞା ଆପଣ ମଧ୍ୟ କଣ ଏଇ ମିଛ କଥାରେ ବିଶ୍ୱାସ କରିଛନ୍ତି ।

 

—ଆପଣ ଏସବୁକୁ ମିଛ କହୁଛନ୍ତି ! ଡଃ ବିକ୍ରମ ଭୋରାଙ୍କର ଗାଣିତିକ ପ୍ରମାଣ ସହ ଅକାଟ୍ୟ ଯୁକ୍ତି ଆପଣ ଖବର କାଗଜରେ ପଢ଼ି ନାହାନ୍ତି ! ସେ ଆମର ଦେଶୀ ବୈଜ୍ଞାନିକ ନୁହନ୍ତି । ଖୋଦ୍‌ ଆମେରିକାରୁ ପିଏଚ୍‌. ଡି. ପାଇବା ପରେ, ବିଲାତରେ ଆନ୍ତର୍ଜାତିକ ଖ୍ୟାତିପ୍ରାପ୍ତ ବୈଜ୍ଞାନିକ ମେକ୍‌ ଫରସନ୍‌ ଜୁନିୟର, ଯେ କି ନୋବେଲ୍‌ ପୁରସ୍କାର ପାଇବାରୁ ଅଳ୍ପକେ ବଞ୍ଚିତ ହେଲେ, ତାଙ୍କ ସହିତ ମିଶି କାମ କରିଛନ୍ତି । ଭୋରା-ମେକ୍‌ ଫରସନ୍‌ ଥିଓରି କଥା ତ ଆପଣ ନିଶ୍ଚୟ ଶୁଣିଥିବେ । ସେ କେବଳ ଭାରତରେ ନୁହେଁ ସମଗ୍ର ପୃଥିବୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି । ଆଉ ଆପଣ କହୁଛନ୍ତି କଣ ନା ଆମେ ସବୁ ପାଗଳ.....ଏସବୁ ମିଛ ।

 

ସତ୍ୟାନନ୍ଦ ଗରାବଡ଼ୁ ଦେଶର ପ୍ରଖ୍ୟାତ ଗରାବଡ଼ୁ ଏଣ୍ଡ ସନ୍‌ସ ପ୍ରାଇଭେଟ ଲିମିଟେଡ଼, କନ୍‌ଷ୍ଟ୍ରକ୍‌ସନ୍‌ ଇଞ୍ଜିନିୟରସ୍‌ ଏଣ୍ଡ୍‌ କଣ୍ଟ୍ରାକ୍‌ଟର୍‌ସର ମେନେଜିଂ ପ୍ରୋପାଇଟର । ସମଗ୍ର ଦେଶରେ ନାଁକରା ତାଙ୍କର ଫାର୍ମ, ସରକାରୀ କଳର ବଡ଼ ଅଫିସର, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ପ୍ରାୟ ସବୁ ସାନବଡ଼, ନେତାଙ୍କ ସହିତ ତାଙ୍କର ଆତ୍ମୀୟତା । ପ୍ରତି ନିର୍ବାଚନରେ ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ଯେଉଁଦଳ ଜିଣିଲେ ମଧ୍ୟ ତାଙ୍କର ହୋଇ ଦଶପନ୍ଦର ଜଣ ନେତା ଅବଶ୍ୟ ବାହାରିବେ । ସେମାନଙ୍କ ମଧ୍ୟରୁ ଅନେକ ମନ୍ତ୍ରୀ ତାଲିକାଭୁକ୍ତ ହେବାପାଇଁ ଯୋଗ୍ୟ ବ୍ୟକ୍ତି । ତାଙ୍କ ଭଳି ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ କଥାକୁ ସହଜରେ ଏଡ଼ାଇ ଦେଇହେବନାହିଁ ।

 

ନିରଞ୍ଜନ ରାୟ ଟିକିଏ ବିବ୍ରତ ହୋଇ ଉଠିଲେ । —ଆଜ୍ଞା ମୁଁ କଣ କହିବାକୁ ଯାଉଛି କି ଡଃ ଭୋରାଙ୍କ ଭଳି ବୈଜ୍ଞାନିକ ପାଇଁ ଆମେ ସମସ୍ତେ ଗର୍ବିତ । ସେ ଆମ ଦେଶର ମଉଡ଼ମଣି । ତେବେ ଏଭଳି ଏକ ସମୟରେ ଆମେ ସବୁ ଆତଙ୍କିତ ହେଲେ କଣ ଚଳିବ ? ଆପଣ ତ ମହାମାନ୍ୟ ମହାମନ୍ତ୍ରୀଙ୍କ ଭାଷଣ ନିଶ୍ଚୟ ଶୁଣିଥିବେ । ଧୈର୍ଯ୍ୟର ସହିତ ଏ ବିପତ୍ତିର ମୁକାବିଲା କରିବାପାଇଁ ସେ ଆହ୍ୱାନ ଦେଇଛନ୍ତି । ଏହା ଗୋଟିଏ ଯୁଦ୍ଧ ଭଳି । ଆମକୁ ତାର ସମ୍ମୁଖୀନ ହେବାକୁ ପଡ଼ିବ ନିର୍ଭୀକ ଭାବେ । ଆଜିର ଏ ସମୟରେ ଆମ୍ଭେମାନେ ଆପଣଙ୍କ ଭଳି ଲୋକମାନଙ୍କଠାରୁ ନେତୃତ୍ୱ ଆଶା କରୁଛୁ ।

 

—ପ୍ରକୃତି ବିରୁଦ୍ଧରେ ଯୁଦ୍ଧ ! ଛାର ମନୁଷ୍ୟ ପ୍ରକୃତି ବିରୁଦ୍ଧରେ କି ଯୁଦ୍ଧ କରିପାରେ ! ସାର୍ବଜନୀନ ପଣ୍ଡିତ ମହାସଭାର ଜରୁରି ବୈଠକ ସମ୍ବାଦ ତ ଆପଣ ନିଶ୍ଚୟ ପଢ଼ିଥିବେ । ଖଗୋଳ, ଭୂଗୋଳ, ଜ୍ୟୋତିଷଶାସ୍ତ୍ରରେ ସେମାନେ ଯେ ବିଶାରଦ ଏକଥା ଆପଣ ନିଶ୍ଚୟ ସ୍ୱୀକାର କରିବେ !

 

ନିରଞ୍ଜନ ରାୟଙ୍କ ରକ୍ତଚାପ ଧୀରେ, ଧୀରେ ବଢ଼ୁଥିଲା । ଗରାବଡ଼ୁଙ୍କ ଅକାଟ୍ୟ ଯୁକ୍ତି ଆଗରେ ସେ ନିଜକୁ ଅତି ଅସହାୟ ମନେ କରୁଥିଲେ । ସାର୍ବଜନୀନ ପଣ୍ଡିତ ମହାସଭାର ମତ ଏବଂ ଦେଶର ବଡ଼ ବଡ଼ ପାଞ୍ଜିକାରମାନଙ୍କର ବିଜ୍ଞାପନ ସମ୍ପର୍କରେ ସେ ବା କଣ କହି ପାରିବେ !

 

—ଆଜ୍ଞା ମୁଁ ମାନୁଛି ପଣ୍ଡିତ ମହାସଭା ଯେଉଁ ମତ ପ୍ରକାଶ କରିଛନ୍ତି ସେଥିରେ ସତ୍ୟତା ଥାଇପାରେ । କିନ୍ତୁ......

 

ଗରାବଡ଼ୁ କଥାଟାର ଗୁରୁତ୍ୱ ବାହାରକରିବା ପାଇଁ ଅତ୍ୟନ୍ତ ବ୍ୟଗ୍ର ଥିଲେ । ନିରଞ୍ଜନ ରାୟଙ୍କର ଅଜ୍ଞତା ତାଙ୍କୁ ହାସ୍ୟାସ୍ପଦ ବୋଧ ହେଉଥିଲା । ଭଗବାନ ହିଁ ଏ ଦେଶର ଗଣ ମାଧ୍ୟମକୁ ରକ୍ଷାକରିପାରିବେ ! ଏଭଳି ସାମ୍ବାଦିକ ଏବଂ ଗୋଟିଏ ମୁଖ୍ୟ ସମ୍ବାଦ ସରବରାହ ସଂସ୍ଥାର ଦାୟିତ୍ୱଶୀଳ ବ୍ୟକ୍ତି ଯଦି ବିଭ୍ରାନ୍ତିକର ମତ ପୋଷଣ କରନ୍ତି ତେବେ...

 

—ରାୟ ବାବୁ ! (ଗରାବଡ଼ୁଙ୍କ ଗଳା କେମିତି ଟିକିଏ ଚଢ଼ା ଓ ଗମ୍ଭୀର) ଯଦି, କିନ୍ତୁ, ଅଥଚରେ ଏ ଦେଶର ସମସ୍ୟା ସମାଧାନ ହୋଇପାରିବ ନାହିଁ । ଯଦି ଆପଣଙ୍କ ଭଳି ଗଣମାଧ୍ୟମମାନଙ୍କର ଦାୟିତ୍ୱରେ ଥିବା ବ୍ୟକ୍ତି.....

 

—ଆଜ୍ଞା ! ମୋ କଥା ଟିକିଏ ଶୁଣନ୍ତୁ । ମୁଁ କଣ କହିବାକୁ ଚାହୁଁଛି କି.....

 

ନିରଞ୍ଜନ ରାୟଙ୍କ କଥା ଶୁଣିବା ପାଇଁ ଗରାବଡ଼ୁଙ୍କର ଧୈର୍ଯ୍ୟ ନ ଥିଲା ।

 

ଆପଣ ମହା କାପାଳିକ, ତନ୍ତ୍ର ବିଶାରଦ, ପରମ ଯୋଗୀ ଦୋଳ ଗଞ୍ଜନ ଚମ୍ପତିରାୟ ଶାସ୍ତ୍ରୀଙ୍କ ବିବୃତି ତ ନିଶ୍ଚୟ ପଢ଼ିଥିବେ । ଆପଣଙ୍କର ନିଶ୍ଚୟ ମନେଥିବ ବହୁବର୍ଷ ତଳେ ସିଂହଳ ଦ୍ୱୀପର ଜଣେ ହିନ୍ଦୁ ପଣ୍ଡିତ ମତ ପ୍ରକାଶ କରିଥିଲେ ଯେ, ରାମାୟଣରୁ ବାଲ୍ମିକୀ ମହର୍ଷିଙ୍କର ଦାଢ଼ି ବାହାରିବ ଏବଂ ସେହି ବର୍ଷ ମହାପ୍ରଳୟ ଘଟିବ । ପାପଭାରରେ ଭାରାକ୍ରାନ୍ତ ଏ ପୃଥିବୀକୁ ଧ୍ୱଂସ କରିବା ପାଇଁ ତାହା ଭଗବତ୍‌ ନିର୍ଦ୍ଦେଶ । ସେହି ସମ୍ବାଦଟିକୁ ସେତେବେଳେ ସମସ୍ତେ ଗୋଟିଏ କାଳ୍ପନିକ ମନଗଢ଼ା ଗପବୋଲି ହସି ଉଡ଼ାଇ ଦେଇଥିଲେ । ଦୋଳଗଞ୍ଜନ ଶାସ୍ତ୍ରୀ ବର୍ତ୍ତମାନ ଆବିଷ୍କାର କରିଛନ୍ତି ମହର୍ଷି ବାଲ୍ମିକୀଙ୍କର ସେହି ପବିତ୍ର ଶ୍ମଶ୍ରୁ ।

 

ଅନବରତ ଲାଗିରହିଥିବା ବର୍ଷା ଓ କୋହଲା ପାଗ ସତ୍ତ୍ୱେ ନିରଞ୍ଜନ ରାୟ ଅନୁଭବକଲେ ଯେମିତି ରଡ଼ନିଆଁରେ ଭରା ଉହ୍ମେଇଟିଏ କାନ୍ଧରେ ଓହଳେଇ ସେ ଠିଆହୋଇଛନ୍ତି-। ଝାଳରେ ସେ ଜୁଡ଼ୁବୁଡ଼ୁ ହୋଇଯାଇଥିଲେ । ସେ ଅବସ୍ଥା ତାଙ୍କ ଗ୍ଳାନିମୟ ପରାଭବର…...ପରାଜୟର ! ସେ ଜାଣନ୍ତି ଆତଙ୍କର ଏ ରୋଗ ବଡ଼ ଭୟଙ୍କର…...ମାରାତ୍ମକଭାବେ ସଂକ୍ରାମକ । ମହାମାରୀପରି ଏହା ଗୋଟିଏ ମୁହୂର୍ତ୍ତରେ ସାରାଦେଶକୁ ଗ୍ରାସକରି ତାକୁ ପଙ୍ଗୁ କରିଦେଇପାରେ; କିନ୍ତୁ ତାଙ୍କର ଚାରା ନାହିଁ, ଗରାବଡ଼ୁ ଯାହା କହିଲେ…....ଯେଉଁ ଅକାଟ୍ୟ ପ୍ରମାଣ କଥା କହିଲେ, ସେ ସବୁକୁ ଭଣ୍ଡାମି କହିବାର ଅର୍ଥ ନିଜକୁ ଜଣେ ଭଣ୍ଡ ଏବଂ ଗଣ୍ଡମୂର୍ଖ ବୋଲି ପ୍ରମାଣିତ କରିବା । ତଥାପି ତାଙ୍କଭଳି ଜଣେ ସାମ୍ବାଦିକ ପକ୍ଷେ ଏସବୁକୁ ସ୍ୱୀକାର କରିବା ମଧ୍ୟ ସ୍ପୃହଣୀୟ ନୁହେଁ ।

 

ନିରଞ୍ଜନ ରାୟ ବଡ଼ ହଲ୍‌ଟିର ରିଡ଼ିଙ୍ଗ୍‌ ଡେସ୍କ ଉପରେ କ୍ଲିପ୍‌ ଲଗା ସବୁ ବଡ଼ ବଡ଼ ଖବରକାଗଜ ଉପରେ ଆଖିବୁଲାଇ ଆଣିଲେ । କିଭଳି ଏକ ଅପମାନବୋଧ ତାଙ୍କୁ ଯେମିତି ଗ୍ରାସକଲା । ଗରାବଡ଼ୁଙ୍କ ଖବରକାଗଜ-ଲବ୍‌ଧ ଜ୍ଞାନ ସମ୍ପର୍କରେ ସେ ଯେତେ ସଚେତନ ହେଲେ, ତାଙ୍କର ଗ୍ଳାନିବୋଧ ସେଇ ମାତ୍ରାରେ ବଢ଼ିଗଲା ।

 

ପରମଯୋଗୀ, ମହାକାପାଳିକ, ତନ୍ତ୍ରବିଶାରଦ ଦୋଳଗଞ୍ଜନ ଚମ୍ପତ୍ତିରାୟ ଶାସ୍ତ୍ରୀଙ୍କ ମନ୍ତବ୍ୟ ଓ ମହର୍ଷି ବାଲ୍ମୀକିଙ୍କ ପବିତ୍ର ଶ୍ମଶ୍ରୁ ପ୍ରାପ୍ତହେବାର ଚାଞ୍ଚଲ୍ୟକର ବିବରଣୀଟି ତାଙ୍କର ସେଣ୍ଟ୍ରାଲ ନ୍ୟୁଜ ଏଜନ୍‌ସି (ସି. ଏନ୍‌. ଏ.) ଦ୍ୱାରା ପ୍ରଚାରିତ ହୋଇଛି । ଗରାବଡ଼ୁ ତାଙ୍କୁ ବୋକା ଓ ନିହାତି ଅପଦାର୍ଥ ଭାବିବା ଅନ୍ୟାୟ ହୋଇନାହିଁ ବୋଲି ନିରଞ୍ଜନ ରାୟ ମନେକଲେ । ଏତେ ଖବରକାଗଜ ଏବଂ ପରିବେଷିତ ବହୁବିଧ ସମ୍ବାଦ ଭିତରୁ ଏ ସମ୍ବାଦଟି ତାଙ୍କର ଦୃଷ୍ଟି ଏଡ଼ାଇଦେଇଥିଲା ।

 

ନିରଞ୍ଜନ ରାୟ ମନେକଲେ ହଠାତ୍‌ ଯେମିତି ତାଙ୍କର ମୁଣ୍ଡଟା ଘୂରାଇଦେଲା । ସେ ଚୌକିଉପରେ ଲଥ୍‌କରି ବସିପଡ଼ିଲେ, ଯେମିତି ଜୋର କରି କିଏ ତାଙ୍କୁ ସେଠାରେ ବସାଇଦେଲା-। କାନ ପାଖରେ ସେ କେମିତି ଗରମ ଅନୁଭବ କରୁଥିଲେ । କେତେବେଳୁ କେଜାଣି ଚା’ କପେ ଥୋଇଦେଇ ଯାଇଥିଲା ତାଙ୍କ ପିଅନ । ସେ ଦେଖିପାରିନାହାନ୍ତି । ନ ଦେଖିବା ମଧ୍ୟ ସମ୍ଭବ, ତାଙ୍କର ଯେଉଁ ମାନସିକ ପରିସ୍ଥିତି ସେଥିରେ ।

 

ବାହାରେ ଯେମିତି କେଉଁଠି ହଠାତ୍‌ ହୁତ୍‌କରି ନିଆଁ ଜଳିଉଠିଲା । ବିଜୁଳିଟାଏ ଲକ୍ ଲକ୍‌ ଖେଳିଯାଇ ଅପସରିଗଲା । ବର୍ଷା ସେମିତି ଚାଲିଛି ଅବିରାମ । ପରେ ପରେ ବଜ୍ରନାଦରେ କମ୍ପି ଉଠିଲା ପୃଥିବୀ । ପାଖର ବରଗଛଟାଏ ଜଳିଗଲା । ରକ୍ଷାକର, ରକ୍ଷାକର ନାଦରେ ସମସ୍ତେ କାନ୍ଦିଉଠିଲେ ଗୋଟିଏ ସମୟରେ । ସାନ୍ତ୍ୱନା କିଏ ବା ଦେବ ! କିଏ ଯେମିତି କାହାକଥା ଶୁଣିବାପାଇଁ ପ୍ରସ୍ତୁତ ନୁହନ୍ତି ।

 

ସିଗାରେଟ୍‌ଟା ଲଗାଇବାପାଇଁ ତାଙ୍କ ମନ ବ୍ୟାକୁଳ ହୋଇଉଠିଲା । ବର୍ଷାର ତୃତୀୟ ଦିବସ । ଦୋକାନ ବଜାର ପ୍ରାୟ ସବୁ ବନ୍ଦ । ବାହାରକୁ ଯାଇ ସିଗାରେଟ୍‌ ଆଣିବାପାଇଁ ମଧ୍ୟ ସେ ସାହସ କରିନଥିଲେ ।

 

ପାଖର ଡ୍ରୟାର, ଟେବୁଲ, ବୁକ୍‌ ସେଲ୍‌ଫ ସବୁ ସେ ଖୋଜିଗଲେ ପାଗଳ ଭଳି । ଅନେକ ବେଳୁ ସେ ଯେ ଶେଷ ସିଗାରେଟ୍‌ ଖଣ୍ଡିକ ଶେଷ କରିସାରିଥିଲେ, ସେ କଥା ହଠାତ୍‌ ମନେପଡ଼ିଯିବାରୁ ଛାତି ଭିତରଟା କେମିତି ଦାଉଁକିନା ଥରିଉଠିଲା । ଆଗରେ ସାରା ରାତି । ତା’ ପରେ କଣ ଯେ ହେବ, କିଏ କହିବ ! ମହାପ୍ରଳୟ, ନନ୍‌ସେନ୍‌ସ ! କିନ୍ତୁ ପ୍ରଳୟ ହେଉ ବା ନ ହେଉ ସାରା ରାତି ଗୋଟିଏ ସିଗାରେଟ୍‌ ନ ପାଇ କଟାଇବା ତାଙ୍କପକ୍ଷେ ପ୍ରଳୟ ନୁହେଁ ତ ଆଉ କଣ ! ପାଟିଟା କେମିତି ଟିକିଏ ପିତାଳିଆ ଲାଗିଲା । ଓଠ ଉପରେ ଜିଭଟାକୁ ବୁଲାଇଆଣିଲେ ଅସହିଷ୍ଣୁ ଭାବେ ।

 

ବିଧୁରା ରମଣୀର କ୍ରନ୍ଦନପରି ପ୍ରକୃତି କାନ୍ଦୁଥିଲା ସାଇଁ-ସାଇଁ ଶବ୍ଦରେ । ଅସ୍ତିତ୍ୱହୀନ ବ୍ୟକ୍ତିପରି ମହା ମହା ଦ୍ରୁମମାନେ ମଧ୍ୟ ପବନରେ ଏପାଖ ସେପାଖ ହେଉଥିଲେ । ରାଜନୈତିକ ଦଳବଦଳ ପରି ପ୍ରକୃତିର ଚିତ୍ର ଘଡ଼ି-ଘଡ଼ିକେ ବଦଳିବାରେ ଲାଗିଥିଲା ।

 

ଟେବୁଲ୍‌ ଉପର ଏସ୍‌ଟ୍ରେ ଦରାଣ୍ଡି ସେ ଖଣ୍ଡିଏ ଅଧାଜଳା ସିଗାରେଟ୍‌ ବାହାରକଲେ । ତା ସତ୍ତ୍ୱେ ପ୍ରତିବନ୍ଧକର ଶେଷ ନାହିଁ । ଅନେକ ଚେଷ୍ଟାକରି ମଧ୍ୟ ସେ ନିଆଁ ଧରାଇ ପାରୁନାହାନ୍ତି । ତାଙ୍କର ଏଇ ଅପେକ୍ଷାକୃତଭାବେ ନିରାପଦ ପକ୍‌କା ଛାତି ଆଉ ଗ୍ଲାସଦିଆ ଝରକାକୁ ଭେଦକରି ପବନ ଏଭଳି ଆର୍ଦ୍ର ଓ ସକରୁଣ ! ପ୍ରାୟ ଆଠଟି ଦିଆସିଲି କାଠିର ତୀବ୍ର ଆକ୍ରମଣାତ୍ମକ ଘର୍ଷଣଯୋଗେ ନିଆଁ ଜଳିଉଠେ ।

 

ଆଃ…..କି ଆନନ୍ଦ ! କି ଅଶ୍ୱସ୍ତିକର ଏ ଉଷ୍ମତା ! ଧୂଆଁର କୁଣ୍ଡଳୀ ଭିତରେ ନିରଞ୍ଜନ ରାୟ କିଛି ସମୟ ପାଇଁ ଭୁଲିଯାଇଥିଲେ ମହାପ୍ରଳୟର ଆତଙ୍କ ।

 

—କ୍ରିଂ.....କ୍ରିଂ…..କ୍ରିଂ ।

 

ଟେଲିଫୋନ୍‌ର ସେଇ ଯନ୍ତ୍ରଣାଦାୟକ ଆହ୍ୱାନ । ତାଙ୍କର ଅସହାୟ ଗ୍ଳାନିବୋଧ ପ୍ରତି ତାଚ୍ଛଲ୍ୟ ପ୍ରକାଶ କରି ଟେଲିଫୋନ୍‌ ବାରମ୍ବାର ତାଙ୍କୁ ଏମିତି ଆହ୍ୱାନ ଜଣାଉଥିଲା । ଫୋନ୍‌ରେ ଆସୁଥିବା ପ୍ରଶ୍ନକୁ ଶୁଣିବା ପାଇଁ ବା ତାର ଉତ୍ତର ଦେବାପାଇଁ ମାନସିକ ପ୍ରସ୍ତୁତିର ଅଭାବ ତାଙ୍କୁ ଆହୁରି ଦୁର୍ବଳ କରିଦେଉଥିଲା ।

 

ସହକାରୀ ଗୋବିନ୍ଦ ମେନନ୍‌ ।

 

ତାଙ୍କର ଡକ୍‌ବେକ୍‌ ୱାଟର ପ୍ରୁଫ୍‌ ଓଭରକୋଟ ଓ ଶିରସ୍ତ୍ରାଣ ଆଦି ସତ୍ତ୍ୱେ ବର୍ଷା ତାଙ୍କୁ ପ୍ରଭାବମୁକ୍ତ କରିବାପାଇଁ ଯେମିତି ପ୍ରସ୍ତୁତ ନଥିଲା । ଅସରାଏ ଅନାସକ୍ତ ମେଘପରି ସେ ପଶିଆସିଲେ ବୈଠକଘର ଭିତରକୁ । ପାଣିରେ ଜୁଡ଼ୁବୁଡ଼ୁ ।

 

ସେ କିଛି କହିବା ପୂର୍ବରୁ ନିରଞ୍ଜନ ରାୟ ନାଟକୀୟ ଭଙ୍ଗୀରେ ନିର୍ଦ୍ଦେଶ କଲେ କ୍ରିଂ-କ୍ରିଂ-କ୍ରିଂ ଶବ୍ଦରେ ଅପେକ୍ଷା କରିଥିବା ଫୋନ୍ଆଡ଼କୁ ।

 

—ହେଲୋ…..

 

—ହେଲୋ...ମୁଁ ରାୟବାବୁ…..ମାନେ ନିରଞ୍ଜନ ରାୟଙ୍କ ସହିତ କଥାହୋଇପାରେ କି-?

 

—ଆପଣଙ୍କ ପରିଚୟ…..

 

—ମୁଁ ଅଧ୍ୟାପକ ରାମଚିନ୍ତକ ଦଣ୍ଡବତେ…...ଇନ୍‌ଷ୍ଟିଚ୍ୟୁଟ୍‌ ଫାର ଇଣ୍ଟରନ୍ୟାସନାଲ୍‌ ଅଣ୍ଡରଷ୍ଟାଣ୍ଡିଙ୍ଗ୍‌ ଏଣ୍ଡ୍‌ ବୁଦ୍ଧ କନସିୟସ୍‌ନେସ୍‌ର ପ୍ରିନ୍‌ସିପାଲ ।

 

ରିସିଭରର ମାଉଥ୍‌କୁ ନିଜ ହାତରେ ବନ୍ଦକରି ମେନନ୍‌ ଖବରଟି ଜଣାଇଦେଲେ ଧୂଆଁର କୁଣ୍ଡଳୀ ଭିତରେ ସ୍ୱପ୍ନମଗ୍ନ ନିରଞ୍ଜନ ରାୟଙ୍କୁ । —କଣ ସେ ଚାହାନ୍ତି ତୁମେ ବୁଝିନିଅ ମେନନ୍‌ ! ମତେ ଆଉ ବିରକ୍ତକରନା । ଫୋନ୍‌ କଲ୍‌ ଏଟେଣ୍ଡ କରି କରି ମୁଁ ଥକିଗଲିଣି । ମୋର ପରମ ଭାଗ୍ୟ ତୁମେ ଠିକ୍‌ ସମୟରେ ଆସିଯାଇଛ ।

 

ମେନନ୍‌ ଜବାବ ଦେଲା ରାମଚିନ୍ତକ ଦଣ୍ଡବତେଙ୍କୁ :

 

—ସାର୍‌ ! ଯାହା କହିବା କଥା ମତେ କହନ୍ତୁ । ରାୟବାବୁ ଅସୁସ୍ଥ ।

 

—ମୁଁ ରାୟବାବୁଙ୍କ ସଙ୍ଗେ କଥା ହେବାକୁ ଚାହେଁ । ସେ ସମ୍ବାଦ ଅତି ଗୁରୁତ୍ୱପୂର୍ଣ୍ଣ । ସେ ସେଠାରେ ଅଛନ୍ତି ତ.....

 

—ହଁ.....

 

—ତେବେ ଦୟାକରି ଫୋନ୍‌ ତାଙ୍କୁ ଦିଅନ୍ତୁ । ଏ ସମ୍ବାଦର ଗୁରୁତ୍ୱ ଦୃଷ୍ଟିରୁ ତାଙ୍କ ବ୍ୟତୀତ ଅନ୍ୟ କାହାକୁ କହିବା ସମ୍ଭବ ନୁହେଁ । ପ୍ଲିଜ୍‌…...

 

ସମସ୍ତ ଅନିଚ୍ଛାସତ୍ତ୍ୱେ ନିରଞ୍ଜନ ରାୟ ମେନନ୍‌ ହାତରୁ ଫୋନ ଧରିଲେ ।

 

—ହେଲୋ…... କିଏ ରାୟବାବୁ ! …..ନମସ୍କାର । ମୁଁ ରାମଚିନ୍ତକ...ରାମଚିନ୍ତକ ଦଣ୍ଡବତେ, ଅଧ୍ୟାପକ…... ପ୍ରିନ୍‌ସିପାଲ…..

 

—ଆଜ୍ଞା ଜାଣିଛି । କୁହନ୍ତୁ…….ମୁଁ ଟିକିଏ ଅସୁସ୍ଥ ।

 

—ଗୋଟିଏ ଚାଞ୍ଚଲ୍ୟକର ସମ୍ବାଦ ସମ୍ପର୍କରେ ଆପଣଙ୍କଠାରୁ ସବିଶେଷ ବିବରଣୀ ଜାଣିବା ଦରକାର ପଡ଼ିବାରୁ କଷ୍ଟଦେଲି । କ୍ଷମା କରିବେ !

 

—କି ଭଳି ସମ୍ବାଦ ? ବର୍ତ୍ତମାନ ତ କେବଳ ବର୍ଷା...ବର୍ଷା...ବର୍ଷା...ବର୍ଷା ଛଡ଼ା ମୋ ପାଇଁ ଅନ୍ୟ କୌଣସି ସମ୍ବାଦ ନାହିଁ ।

 

ଏହା ବର୍ଷା ସମ୍ବାଦ ନୁହେଁ; କିନ୍ତୁ ସେ ସହିତ ସଂପୃକ୍ତ ମହାପ୍ରଳୟ ଉପରେ ଆଲୋକପାତ କରେ ।

 

—ତେବେ ଆପଣଙ୍କୁ ମଧ୍ୟ ସେ ମହାପ୍ରଳୟ ଭୂତ ଗ୍ରାସକରିଛି ନା କଣ !

 

—ସତ କହୁଛନ୍ତି ଆପଣ ସେଇ ଚାଞ୍ଚଲ୍ୟକର ସମ୍ବାଦ ସମ୍ପର୍କରେ କିଛି ଶୁଣିନାହାନ୍ତି !

 

—କେଉଁ ଚାଞ୍ଚଲ୍ୟକର ସମ୍ବାଦ କଥା ଆପଣ କହୁଛନ୍ତି......

 

—ଗୟାର ଅନତିଦୂରରେ ଥିବା ଗୋଟିଏ ବୁଦ୍ଧମନ୍ଦିରର ମହାକାରୁଣିକ ତଥାଗତ ବୁଦ୍ଧଙ୍କ ଚକ୍ଷୁରୁ ଲୋତକବନ୍ୟା ସୃଷ୍ଟିହୋଇ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

 

—ଆପଣ କଣ ଅଫିମ ଖାଇ ଏଭଳି ପ୍ରଳାପ କରୁଛନ୍ତି !

 

ଅନ୍ୟ ଅନେକ କିଛି କହିବା ପୂର୍ବରୁ ସେ ରାଗରେ ଫୋନ୍‌ଟାକୁ କଚାଡ଼ିଦେଲେ । ନିଜର ଅସମ୍ଭବ କ୍ରୋଧକୁ ସମ୍ବରଣ କରିବା ତାଙ୍କପକ୍ଷେ ସହଜ ନଥିଲା ।

 

ହ୍ୱାଟ୍‌ ନନ୍‌ସେନସ୍‌ ! ମହାକାରୁଣିକ ତଥାଗତ ବୁଦ୍ଧଙ୍କ ଚକ୍ଷୁର ଲୋତକବନ୍ୟା ! କି ଭାଣ୍ଡାମି...କିଭଳି ମିଥ୍ୟା ପ୍ରଚାର । କେଉଁ ଗଣ-ମାଧ୍ୟମ ପ୍ରଚାର ସଂସ୍ଥା ଏଭଳି ସମ୍ବାଦ ପ୍ରଚାର କରିଛି ଜାଣିବା ପାଇଁ ରାୟବାବୁଙ୍କର ମନ ବ୍ୟାକୁଳ ହୋଇଉଠିଲା । ଫୋନ୍‌ଟାକୁ ଏଭଳି ଭାବରେ ରଖିଦେଇ ସେ ବୋଧହୁଏ ଭଲ କରିନାହାନ୍ତି । ସେ ବହୁତଗୁଡ଼ିଏ ତଥ୍ୟ ଜାଣିପାରିଥାନ୍ତେ । ଏସବୁ ବାଦେ ପ୍ରିନ୍‌ସିପାଲ୍‌ ରାମଚିନ୍ତକ୍‌ ତାଙ୍କର ବଂଧୁ । ତାଙ୍କ ପ୍ରତି ଏଭଳି ଅନ୍ୟାୟ ବ୍ୟବହାରଯୋଗୁଁ ନିରଞ୍ଜନ ରାୟ ଟିକିଏ ଅସ୍ୱସ୍ତ ବୋଧକଲେ; କିନ୍ତୁ ସେହି ସମୟରେ ତାଙ୍କ ମନର ଅବସ୍ଥା ଯାହା ଥିଲା, ସେଥିରେ ଏପରି ନକରି ବୋଧ ହୁଏ ଅନ୍ୟ କିଛି ଉପାୟ ନଥିଲା ।

 

ଗୋବିନ୍ଦ ମେନନ୍‌ !

 

ପତଳା ଅନାକର୍ଷଣୀୟ ଚେହେରା; କିନ୍ତୁ ଅସାଧାରଣ ବ୍ୟକ୍ତିତ୍ୱ । ଅନନ୍ୟ-ସାଧାରଣ ପ୍ରତିଭା । ଗୋଟିଏ କଥାକୁ ଥରୁଟିଏ ଜାଣିନେଲେ ଆଉ କିଛି କହିବା ଦରକାର ହୁଏନାହିଁ । ବିଶେଷ ଗୋରା ନହେଲେ ମଧ୍ୟ କଳା ନୁହେଁ । କେରଳର କେଉଁ ନାରୀକେଳ ଛୁରିଅନାକୁଞ୍ଜର ଲୋଭନୀୟ ଆକର୍ଷଣକୁ ଛାଡ଼ି ସେ ଧାଇଁଆସିଛି ହଜାର, ହଜାର ମାଇଲ ଏ ଦୂର ସହରକୁ ଚାକିରିପାଇଁ । ତାର ସେଥିପାଇଁ ଅବଶୋଷ ନାହିଁ, କୌଣସି କଥାକୁ ପରବାୟ ନାହିଁ । ସେମିତି ଧଳା ଲୁଙ୍ଗି ଖଣ୍ଡିଏ ଓ ଧଳା ସାର୍ଟଟାଏ ପିନ୍ଧି ଶତାବ୍ଦୀ ଶତାବ୍ଦୀ ଧରି ସେମାନେ ଘୂରିବୁଲୁଛନ୍ତି ଘୂର୍ଣ୍ଣିବାତ୍ୟାପରି । ଯେଉଁଠାରେ ମୁଠେ ଅନ୍ନ-ସଂସ୍ଥାନର ସମ୍ଭାବନା, ସେଇଠି ସେମାନଙ୍କର ଘର । ସେ ଘରମୁହାଁ ନୁହେଁ ଅନ୍ୟମାନଙ୍କ ଭଳି । ସେ ଠାରି କଥା କହିପାରେ…...ଭାଷା ନଜାଣି କେବଳ ଆଖିରୁ ଓ ହସରୁ କଥା ବୁଝିପାରେ…...ନୂଆ ଭାଷା କହିବାପାଇଁ ତାକୁ ଡେରି ଲାଗେନାହିଁ । ସେ ହିନ୍ଦୀ କହେ ଠିକ୍‌ ମାଲୟଲମ୍‌ ଭଳି; କିନ୍ତୁ ସେଥିରେ ତାର ଟିକିଏ ଲାଜ ନାହିଁ କି ମନରେ ସଙ୍କୋଚ ନାହିଁ । ତାର ଜୀବନର ମୂଳମନ୍ତ୍ର ହେଲା କାମ । କର୍ମପୀଠ ହିଁ ତା ଧର୍ମପୀଠ ।

 

ତାର ସରୁ ଚଷମା ଭିତରୁ ଗୋବିନ୍ଦ ମେନନ୍‌ ଚାହିଁଥିଲା ନିରଞ୍ଜନ ରାୟଙ୍କର ମୁହଁକୁ । ରାୟବାବୁଙ୍କର ମନର ଅବସ୍ଥା ବୁଝିବାପାଇଁ ମେନନ୍‌କୁ ବେଶି ଡେରି ଲାଗିନଥିଲା ।

 

ପାଟି ଖୋଲି କିଛି କହିବାପାଇଁ ସାହସ କରିନଥିଲା ମେନନ୍‌; କିନ୍ତୁ ସେ ଜାଣିଥିଲା ଏମିତି କେତେ ମିନିଟର ବିରାଟ ଶୂନ୍ୟତା କଟିଗଲାପରେ ପୁଣି ନିରଞ୍ଜନ ରାୟ ପ୍ରକୃତିସ୍ଥ ହୋଇଉଠିବେ । କାମର ଚାପ ପ୍ରବଳ ହୋଇଉଠିଲେ ବା ହଠାତ୍‌ କୌଣସି ଗୁରୁତର ଚିନ୍ତାଦ୍ୱାରା ଆକ୍ରାନ୍ତ ହେଲେ ନିରଞ୍ଜନବାବୁଙ୍କର ବିଷର୍ଣ୍ଣତା ତାକୁ ମହାଶୂନ୍ୟତା ଭିତରକୁ ଠେଲିଦିଏ । ସେତେବେଳେ ତାଙ୍କ ମୁଣ୍ଡ ଭିତରଟା ସତେ ଯେମିତି ଖାଲି ହୋଇଯାଏ । ଚାରିଆଡ଼େ ଘୋଟିଯାଏ କେମିତି ଗୋଟିଏ ବିଚିକିଟିଆ ଅନ୍ଧାର ଆଉ ଅନ୍ଧାର । ସେ ନିର୍ବାକ୍‌ ଆଉ ନିଷ୍ପନ୍ଦ ହୋଇ ପଡ଼ିରହନ୍ତି-। ସେତେବେଳେ କେହି ତାଙ୍କ ସହିତ କଥାବାର୍ତ୍ତା ହେବାପାଇଁ ମଧ୍ୟ ସାହସ କରନ୍ତିନାହିଁ-

 

ମେନନ୍‌ ଅଳ୍ପଦିନଧରି ସେହି ଅଫିସରେ କାମ କରୁଥିଲେ ସୁଦ୍ଧା ରାୟବାବୁଙ୍କର ଏହି ଗୁଣ ସମ୍ପର୍କରେ ଅବହିତ ଥିଲା ।

 

ରାୟବାବୁଙ୍କର ସେହି ଘନ କୁହେଳିର ମୁହୂର୍ତ୍ତ ବୋଧହୁଏ କଟିଯାଇଥିଲା । ପ୍ରକୃତିସ୍ଥ ହୋଇ ସେ ପଚାରିଲେ—ମେନନ୍‌, ସହରର ଖବର କଣ ? ତୁମେ ଜାଣ ଏଇ ଘର ଛାଡ଼ି ତିନିଦିନ ହେବ ମୁଁ ବାହାରକୁ ବାହାରିନାହିଁ ।

 

—ଖବର ବଡ଼ ସାଂଘାତିକ ସାର୍‌ ! ଯେକୌଣସି ମୁହୂର୍ତ୍ତରେ ଆମର ଏ ସହର ବାହ୍ୟ ଜଗତଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇପାରେ । ସମସ୍ତ ସଭ୍ୟତାଠାରୁ ବିଚ୍ଛିନ୍ନ ହୋଇ ଏବଂ କିଭଳି ଭୟାନକଭାବେ ଯେ ଆମକୁ ଜୀବନ କାଟିବାକୁ ହେବ, ସେ କଥା କିଏ କହି ପାରିବ । ମହାପ୍ରଳୟ କଥା ଯାହା କୁହାଯାଉଛି…...

 

ମେନନ୍‌ ମୁହଁରୁ କଥା ଛଡ଼ାଇ ନେଇ ନିରଞ୍ଜନ ରାୟ ଯେମିତି ଚିତ୍କାର କରିଉଠିଲେ—ତେବେ ତୁମେ ମଧ୍ୟ ବିଶ୍ୱାସ କରୁଛ, ସେଇ ଭଣ୍ଡାମିରେ । ମହାପ୍ରଳୟ...ମହାପ୍ରଳୟ । ଏହା ଗୋଟିଏ ଖିଆଲୀ ମନର ଉଦ୍ଭଟ ପରିକଳ୍ପନା ମାତ୍ର ।

 

—କ୍ଷମା କରିବେ ସାର୍‌ ! ମହାପ୍ରଳୟ ସଂପର୍କରେ ଯେଉଁ ଗୁଜବ ଓ ଗୁଲିଗପ ସବୁ ପ୍ରଚାରିତ, ମୋର ସେଥିରେ ଆଦୌ ବିଶ୍ୱାସ ନାହିଁ । ମଣିଷର ଯୌନଶକ୍ତିର ସୃଜନଶୀଳତା ଓ ମନବିଜ୍ଞାନଗାରିମାର ଅଜେୟତା ସମ୍ପର୍କରେ ମୋର କୌଣସି ସନ୍ଦେହ ନାହିଁ ।

 

—ତେବେ ମହାପ୍ରଳୟ କଥା ତୁଣ୍ଡରେ ଧରୁଛ କାହିଁକି ? ସେ କଥାଟା ଏତେଥର ମୁଁ ଶୁଣିଲିଣି ଯେ ପୁଣି ଥରେ ଶୁଣିବାବେଳକୁ ମୋର ହାଡ଼ ଥରିଉଠୁଛି ।

 

—ସାର୍‌ ! ଆପଣ ତିନିଦିନ ଧରି ପଦାକୁ ବାହାରିନାହାନ୍ତି । ମୁଁ ଏଇ ଆସିବା ପୂର୍ବରୁ ହଜାର ହଜାର ଲୋକଙ୍କ ସାଙ୍ଗରେ ଠିଆହୋଇଥିଲି ସୁଚିରା ନଦୀର ବନ୍ଧ ଉପରେ । ଅବିରାମ ବର୍ଷା ସତ୍ତ୍ୱେ ସେଇ ଲୋକମାନେ ସାରାଦିନ, ସାରାରାତି ସେଇ ବନ୍ଧ ଉପରେ ଠିଆ ହୋଇଛନ୍ତି, ତାରି କାଦୁଅରେ କ୍ଳାନ୍ତି ମେଣ୍ଟାଇବା ପାଇଁ ବସିପଡ଼ିଛନ୍ତି; କିନ୍ତୁ ସେ ସ୍ଥାନଛାଡ଼ିନାହାନ୍ତି । ଅନବରତ ସେମାନେ ଯୁଦ୍ଧ କରୁଛନ୍ତି ଉନ୍ନତ୍ତ ବନ୍ୟାଜଳ ସହିତ......ତାର ବେଗବାନ ଉଦ୍ଦାମ ଗତି ସହିତ ଆଉ ପ୍ରକୃତିର ଏ ଭୟାନକ ବିତ୍ପା‌ତ୍‌ ସହିତ । ସେହିମାନଙ୍କୁ ଦେଖିବାପରେ ମୋର ବିଶ୍ୱାସ ଦୃଢ଼ ହୋଇଛି ଯେ ବନ୍ୟା ବା ଏମିତି ବର୍ଷା ମନୁଷ୍ୟକୁ ଧ୍ୱଂସ କରିପାରିବନାହିଁ । ଦଶଟା ଏଟମ୍‌ ବୋମ୍‌ ମଧ୍ୟ ଏଇ ମଣିଷକୁ ସଂସାରରୁ ଶେଷ କରିଦେଇ ପାରିବନାହିଁ । ସବୁ ମନୁଷ୍ୟ ନିଃଶେଷ ହୋଇଯିବା ପରେ ମଧ୍ୟ ପୁଣି ସେଇ ମାଟିରୁ ଜନ୍ମ ନେବ ଦୁର୍ବାର ମନୁଷ୍ୟ…...ପୁଣି ଆସିବ ନୂତନ ମାନବ-ସଭ୍ୟତା…...ନୂଆ ନୂଆ ଦେଶ ।

 

ନିରଞ୍ଜନ ରାୟ ଯେମିତି ଚାହୁଁଥିଲେ ଏଭଳି କିଛି ଶୁଣିବାପାଇଁ । ତାଙ୍କର ସମସ୍ତ ପ୍ରକାର ବିରକ୍ତିଭାବ ଓ ପ୍ରତ୍ୟାଖ୍ୟାନ ସତ୍ତ୍ୱେ ମହାପ୍ରଳୟର ମହାମାରୀ ତାଙ୍କ ମନକୁ ସଂକ୍ରମିଯାଇଥିଲା । ସନ୍ନିପାତ ରୋଗୀକୁ କୋରାମିନ୍‌ ପରି ମେନନ୍‌ର କଥାଗୁଡ଼ାକ ତାଙ୍କ ଦେହରେ ଦେହରେ କାମ କଲା । ସେ ଜାଣନ୍ତି ମେନନ୍‌କୁ ଟିକିଏ ଉତ୍ତେଜିତ କରିଦେଲେ ସେ କିଭଳି ପ୍ରତିକ୍ରିୟା ସୃଷ୍ଟିକରେ ।

 

—ତେବେ ମହାପ୍ରଳୟ କଥା ତୁମେ କହୁଥିଲ କାହିଁକି ମେନନ୍‌ ? ଏହା କଣ ତୁମ ଚିନ୍ତା ଓ ମତବାଦର ବିରୋଧୀ ନୁହେଁ ?

 

—ସାର୍‌ ! ସୁଚିରା ନଦୀର ବନ୍ୟାଜଳ ପନ୍ଦର ଫୁଟ ଉଚ୍ଚରେ ଯଦି ଆମର ଏଇ ସହର ଭିତରେ ମାଡ଼ିଯାଏ, ତେବେ ସେଭଳି ଏକ ଘଟଣାକୁ ବର୍ଣ୍ଣନାକରିବାପାଇଁ ମହାପ୍ରଳୟ ଛଡ଼ା ଅନ୍ୟ ଉପଯୁକ୍ତ ଶବ୍ଦ ମୁଁ ପାଉନାହିଁ । ଆପଣ ତାକୁ ଯେକୌଣସି ଭାବରେ ବର୍ଣ୍ଣନା କଲେ ମଧ୍ୟ ପ୍ରଭାବ ଦୃଷ୍ଟିରୁ ସେଥିରେ କୌଣସି ଫରକ୍‌ ଦେଖାଦେବନାହିଁ ।

 

—ତୁମେ ଏସବୁ କ’ଣ କହୁଛ ମେନନ୍‌ ! ତେବେ ମହାରାଜା ବୀରଭଦ୍ର କେଶରୀ ବନ୍ଧ ଯାହା ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି, ତାହା କଣ ସୁଚିରା ବନ୍ୟାରୁ ଏ ସହରକୁ ରକ୍ଷା କରିପାରିବ ନାହିଁ ? ତୁମର ନିଶ୍ଚୟ ମନେଥିବ ପ୍ରଧାନମନ୍ତ୍ରୀଙ୍କଦ୍ୱାରା ଉଦ୍‌ଘାଟିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମହାଶୟ ଯେଉଁ ପ୍ରତିଶ୍ରୁତିପୂର୍ଣ୍ଣ ଭାଷଣ ଦେଇଥିଲେ, ଅନ୍ୟୂନ ଶହେବର୍ଷ ପାଇଁ ସୁଚିରା ବନ୍ୟାରୁ ମହାରାଜା ବୀରଭଦ୍ର କେଶରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀତ ଏଇ ଗନ୍ଧ ନିଶ୍ଚିତଭାବରେ ସହରକୁ ରକ୍ଷା କରିବ । ବନ୍ୟାଭୟରେ ସବୁବେଳେ ଯନ୍ତ୍ରଣା ଭୋଗୁଥିବା ଏଇ ସହରର ଲୋକେ ମାଆର ଅଭୟ ପଣତତଳେ ଶିଶୁ ନିଦ୍ରାଗଲାପରି ସେଦିନ ମହା ଆରାମରେ ଶୋଇଯାଇଥିଲେ । ଦୀର୍ଘ ଏକଶତ ବର୍ଷର ନିରାପତ୍ତା ।

 

—ମୋର ସବୁ ମନେଅଛି ସାର୍‌ ! କେଶରୀ ବନ୍ଧ ହିଁ ଆଜି ଏ ସହରପାଇଁ ସବୁଠାରୁ ବଡ଼ ବିପଦ । ଯଦି ମହାପ୍ରଳୟ ବାସ୍ତବରେ ଆସେ, ତେବେ ତାହା ରାମାୟଣରୁ ନିର୍ଗତ ମହର୍ଷି ବାଲ୍ମୀକିଙ୍କର ପବିତ୍ର ଶ୍ମଶ୍ରୁ ଯୋଗୁଁ ନୁହେଁ, ଏହି ବନ୍ଧ ଭାଙ୍ଗିବାଯୋଗୁଁ ହିଁ ଆସିବ ।

 

ନିରଞ୍ଜନ ରାୟ ଏସବୁ କିଛି ବିଶ୍ୱାସ କରିବାପାଇଁ ପ୍ରସ୍ତୁତ ନଥିଲେ । ଶହେ ବର୍ଷର ସୁରକ୍ଷାପାଇଁ ନିଶ୍ଚିତ ପ୍ରତିଶ୍ରୁତି ବହନକରୁଥିବା ନଦୀବନ୍ଧ କେବଳ ପାଞ୍ଚ ବର୍ଷ ଭିତରେ ଧୋଇହୋଇଯାଇପାରେ ! ଏହା ସଂପୂର୍ଣ୍ଣ ଅସମ୍ଭବ ।

 

—ତୁମେ ବିଭ୍ରାନ୍ତ ମେନନ୍‌ ! ନିଶ୍ଚୟ ତୁମେ ସେହି ଗୁଲିଖଟି ଗପ ମହାପ୍ରଳୟରେ ଭାସିଯାଇଛ । ତୁମର ଚିତ୍ତ ବିଭ୍ରାନ୍ତ, ତୁମ କଥାରେ ବିରୋଧାଭାସ ପ୍ରକାଶ ପାଉଛି । ମଣିଷର ଦୁର୍ବାର ଶକ୍ତିକଥା କହିଲାବେଳେ…...ତା’ର ଜ୍ଞାନ-ଗାରିମାର ପ୍ରଶଂସା କଲାବେଳେ ଅନ୍ୟ ପକ୍ଷରେ ସେହି ମଣିଷ ଉପରେ, ତାହାର କୃତି ଉପରେ ତୁମର ବିଶ୍ୱାସ ନାହିଁ । ଆଶ୍ଚର୍ଯ୍ୟ !

 

—ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ସାର୍‌ ! ମୋର ମାନସିକ ବିଭ୍ରାନ୍ତି ଘଟିନାହିଁ–ଘଟିଛି ମଣିଷର ଚାରିତ୍ରିକ ବିଭ୍ରାନ୍ତି । ସେଇ ଭ୍ରଷ୍ଟାଚାର ହିଁ ଆଜିର ଏ ମହାପ୍ରଳୟର ବାର୍ତ୍ତାବହ-। ସତ୍ୟାନନ୍ଦ ଗରାବଡ଼ୁ ଯେ କି ଏହି ବନ୍ଧ ନିର୍ମାଣପାଇଁ ଠିକା ନେଇଥିଲେ, ସେ ଦୁର୍ନୀତିର ଆଶ୍ରୟ ନେଇ ବନ୍ଧ ଠିକ୍‌ ଆବଶ୍ୟକତା ଅନୁଯାୟୀ କରିନାହାନ୍ତି । ମନ୍ତ୍ରୀ ଓ ଯନ୍ତ୍ରୀମାନଙ୍କ ଦୃଷ୍ଟିକୁ ସେ କଥା ବର୍ତ୍ତମାନ ଆସିସାରିଲାଣି । ତାଙ୍କ ବିରୁଦ୍ଧରେ ତନାଘନା ତଦନ୍ତ କରାଯିବାର ବନ୍ଦୋବସ୍ତ ହେଉଛି-

 

—ଗରାବଡ଼ୁ ମୋର ବନ୍ଧୁ, ହିତାକାଂକ୍ଷୀ । ତୁମର ଏ ସମ୍ବାଦ ଯଦି ସତ୍ୟ ହୋଇଥାଏ, ତେବେ ଏ କାମପାଇଁ ସେ କ’ଣ ଏକା ଦାୟୀ ! ଯନ୍ତ୍ରୀମାନଙ୍କ ହାତ ନଥାଇ କଣ ଠିକାଦାର ଦୁର୍ନୀତି କରିପାରେ ? ବନ୍ଧ ଯେ ଆବଶ୍ୟକତା ଅନୁଯାୟୀ ହୋଇନାହିଁ, ସେ କଥା ବନ୍ୟାବେଳେ ହିଁ ଉଠିଲା କାହିଁକି ? ଯେଉଁ ଯନ୍ତ୍ରୀମାନେ ତାକୁ ଅନୁମୋଦନ କଲେ, ସେମାନେ ଆଜିଯାଏଁ ଥିଲେ କେଉଁଠି ? ସେଇ ମନ୍ତ୍ରୀମାନେ ତ ଆଉ ନାହାନ୍ତି, ଯେଉଁମାନଙ୍କର ମାଧ୍ୟମ ଏଇ ଯନ୍ତ୍ରୀ ଓ ଠିକାଦାରମାନେ ! ହଜମ କରିଦେଇଗଲେଣି ସେମାନଙ୍କର ପ୍ରାପ୍ୟ ପାଉଣା । ମୋ ମତରେ ଶତକରା ଶହେ ସେହିମାନେ ହିଁ ଦାୟୀ ।

 

ନିରଞ୍ଜନ ରାୟ ବୋଧହୁଏ ସତକଥାସବୁ କହୁଥିଲେ; କିନ୍ତୁ ନିଜ ବନ୍ଧୁଙ୍କ ଅପରାଧକୁ ଘୋଡ଼ାଇପକାଇବା ପାଇଁ କଥାଟାକୁ ସେ ବିକ୍ଷିପ୍ତ କରିଦେଇ ଲଘୁ କରିଦେବାପରି ଜଣାପଡ଼ୁଥିଲା ।

 

ମେନନ୍‌ ଅଳ୍ପ ସମୟ ଚିନ୍ତାକରି ଖୁବ୍‌ ଗମ୍ଭୀର ଭାବେ କହିଲା—କିନ୍ତୁ ସାର୍‌ ! ମହାପ୍ରଳୟ ଶତକରା ଶହେ ଭୋଗ କରିବା ଆମେମାନେ । ଗରାବଡ଼ୁ ହେଲିକପ୍‌ଟର ମଗାଇସାରିଲେଣି । ମନ୍ତ୍ରୀ, ଯନ୍ତ୍ରୀ ଓ ବଡ଼ ବଡ଼ ଅଫିସରମାନେ ଆକାଶମାର୍ଗରୁ ବ୍ୟୋମଯାନରେ ମହାପ୍ରଳୟ ଦୃଶ୍ୟ ଦେଖିବେ ନିଶ୍ଚୟ । ସମବେଦନାରେ ହରଫ୍‌ରେ ଖବରକାଗଜର ପୃଷ୍ଠା ଭରିଉଠିବ । ଆମର ଏ ଅଫିସ୍‌ ରହୁ ବା ନରହୁ, ସି. ଏନ୍‌. ଏ. ସମ୍ବାଦ ସଂସ୍ଥା ମହାପ୍ରଳୟର ଫଟୋଚିତ୍ର ଓ ବିବରଣୀ ଯୋଗାଇଦେବେ । ‘‘ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ’’ ଶିରୋନାମାରେ ସଂପାଦକୀୟ ଲେଖି କେତେ ସମ୍ପାଦକ ଅମୂଲ୍ୟ ଅଶ୍ରୁମୋଚନ କରିବେ । ସରକାରୀ ହିସାବରେ ମୃତବ୍ୟକ୍ତିଙ୍କ ସଂଖ୍ୟା ଯେତେ ସମ୍ଭବ କମ୍‌ ହେବାବେଳେ ବିରୋଧିଗୋଷ୍ଠୀ ତାକୁ ବହୁଗୁଣ ବଢ଼ାଇ ମଧ୍ୟ ପ୍ରଚାର କରିବେ ।

 

ବାହାରେ ଅବିରାମ ବର୍ଷା । ବର୍ତ୍ତମାନ ମେନନ୍‌ ଅନୁଭବକଲା ଯେମିତି ତାର ଦେହ ଓ ମନ ଅବଶ ହେବାରେ ଲାଗିଛି । ଏତେବେଳଯାଏଁ ସେ କହି କହି ଚାଲିଥିଲା ଆବେଗ ଓ ଉତ୍‌କଣ୍ଠାକୁ ସମ୍ଭାଳି ନପାରି । ନିରଞ୍ଜନ ରାୟ ମେନନ୍‌ର ସେ ଛୋଟ ଅଥଚ ବୁଦ୍ଧିଦୀପ୍ତ ଆଖିରେ କେମିତି ଗୋଟିଏ ଜ୍ୟୋତିର ସ୍ଫୁଲିଙ୍ଗ ଦେଖିପାରିଲେ । ମେନନ୍‌ କଣ୍ଠର ଶିହରଣ ସେ ଅନୁଭବ କରିପାରିଥିଲେ । ମେନନ୍‌ ବହୁତ କିଛି କହିବାପାଇଁ ଚାହୁଁଥିଲା; କିନ୍ତୁ କହିପାରୁନଥିଲା । ସେ ବୋଧହୁଏ ଧୀରେ ଧୀରେ କୋଲାପ୍‌ସ୍‌ କରିଯାଉଥିଲା ।

 

ନିରଞ୍ଜନ ରାୟ ତା ଶରୀରରେ ହାତଦେଇ ଚମକି ପଡ଼ିଲେ—ମେନନ୍‌ ! ତୁମ ଦେହରେ ଭୟଙ୍କର ଜ୍ୱର ! ତୁମେ ଏଯାଏଁ କିଛି କହିନା ମତେ !

 

—ଏ ଜ୍ୱର ନୁହେଁ ସାର୍‌ ! ଏ ମୋର କ୍ରୋଧର ଉତ୍ତାପ, ଯାହା ଶରୀର ଭିତରେ ସଞ୍ଚରିଯାଇଛି ।

 

—କ୍ରୋଧ ! କାହା ଉପରେ ?

 

—ସମସ୍ତଙ୍କ ଉପରେ । ମୋ ନିଜ ଉପରେ...ଭଗବାନଙ୍କ ଉପରେ...ପ୍ରକୃତି ଉପରେ...ମଣିଷ-ସମାଜ ଉପରେ......

 

—ଏତେ କ୍ରୋଧ ତୁମକୁ ଶୋଭାପାଏନା ମେନନ୍‌ ! ମୋ ପାଖକୁ ଆସ । ଏଇଠି ବସ ।

 

ନିରଞ୍ଜନ ରାୟ ଉଠିଗଲେ ଆଲମାରି ପାଖକୁ; ହ୍ୱିସ୍କି ବୋତଲଟା ଆଉ ଦୁଇଟା ଗ୍ଲାସ ନେଇ ସେ ଫେରିଲେ । ଗ୍ଲାସରେ ହ୍ୱିସ୍କି ଭରୁଥିବା ସମୟରେ ଆରମ୍ଭ କଲେ—ତୁମେ ପିଅ କି ନାଁ ମୁଁ ଜାଣେନା; କିନ୍ତୁ ବର୍ତ୍ତମାନ ଭଳି ଅତ୍ୟନ୍ତ ଆତ୍ମୀୟ ଏଇ ମୁହୂର୍ତ୍ତରେ ପରସ୍ପରକୁ ଏକାତ୍ମ କରିଦେବାପାଇଁ ବୋଧହୁଏ ଏହାଠାରୁ ଭଲ ମାଧ୍ୟମ ଆଉ ନାହିଁ । ମହାପ୍ରଳୟ ଯେ କଣ, ତାହା ମୁଁ କେବେ କଳ୍ପନା କରିନଥିଲି; କିନ୍ତୁ ତାହା ଯେ ହେବ ପନ୍ଦର ଫୁଟ ଉଚ୍ଚା ବନ୍ୟାଜଳ ଭିତରେ ସଲିଳ ସମାଧି, ଆଉ ତାହା ଭ୍ରଷ୍ଟାଚାରୀ ମଣିଷର ନିଜ ହାତଗଢ଼ା, ଏକଥା ଦୁଃସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିଲି ।

 

ନିରଞ୍ଜନ ରାୟଙ୍କ କଣ୍ଠ କେମିତି ଭାରି ଜଣାପଡ଼ୁଥିଲା । ସେ ଚିୟରସ୍‌ କଲାବେଳକୁ ତାଙ୍କ ଆଖିରେ ଦୁଇ ବିନ୍ଦୁ ଲୁହ ଦେଖି ମେନନ୍‌ ଚମକିପଡ଼ିଲା । ଏଇ ପ୍ରଥମ ଥର ନିରଞ୍ଜନ ରାୟଙ୍କଭଳି ଲୋକଙ୍କ ଆଖିରେ ସେ ଦେଖିଥିଲା ଲୁହ । ସେ ଲୁହ ଜୀବନ ପ୍ରତି ଭୟଜନିତ ଆବେଗର ପ୍ରକାଶ ନିଶ୍ଚିତ ଭାବେ ନଥିଲା । ଭ୍ରଷ୍ଟାଚାରୀ ମଣିଷର ନିର୍ବୋଧତା ପାଇଁ ବୋଧହୁଏ ସମବେଦନା-ଜର୍ଜ୍ଜରିତ ଥିଲା ସେଇ ଦୁଇ ବିନ୍ଦୁ ଅଶ୍ରୁ ।

 

—ମଣିଷକୁ ଫାଶୀ ଦେବା ପୂର୍ବରୁ ତାକୁ କ’ଣ ପଚରାଯାଏ, ଜାଣ ମେନନ୍‍ !

 

ଖାଲି ନିର୍ବୋଧ ପରି ମେନନ୍‌ ଚାହିଁଥିଲା ବର୍ଷଣକ୍ରାନ୍ତ ଆକାଶକୁ.....ଅଜସ୍ର ବର୍ଷୁକ ମେଘର ତାଣ୍ଡବକୁ । ତାର ଯେମିତି ନିଦ୍ରାଭଙ୍ଗ ହେଲା ନିରଞ୍ଜନରାୟଙ୍କ ପ୍ରଶ୍ନରେ ।

 

—ତାକୁ ପଚରାଯାଏ ତାର ଅନ୍ତିମ ଇଚ୍ଛା କଣ ? ଏ ସବୁ ଅବାନ୍ତର କଥା ଶୁଣି ମେନନ୍‌ ଟିକିଏ ଘାବରେଇଯାଇଥିଲା ।

 

—ସାର୍‌ ! ଆଜି ଆପଣଙ୍କର କଣ ହୋଇଛି...

 

—ମୁଁ ପଳାୟନପନ୍ଥୀ ନୁହେଁ ମେନନ୍‌ ! ମୁଁ ଏ ସଂସାରକୁ ଛାଡ଼ି ଚାଲିଯିବା ପାଇଁ ଚାହେଁନା । ମୁଁ ବଞ୍ଚିବାକୁ ଚାହେଁ…...ଜୀବନକୁ ସାର୍ଥକ ଭାବେ ଉପଭୋଗ କରିବାକୁ ଚାହେଁ; କିନ୍ତୁ ମହାପ୍ରଳୟ ଯଦି ପ୍ରକୃତରେ ଆସେ, ମଣିଷର ନିର୍ବୋଧତା ଦୂର କରିବାପାଇଁ ସମସ୍ତଙ୍କ ଆଗରେ ମୁଁ ମୋର ବଳିଦାନ ଚାହେଁ । ମୁଁ ଗରାବଡ଼ୁ ପରି ହେଲିକେପ୍‌ଟର ଯୋଗେ ପ୍ରଳୟରୁ ରକ୍ଷାପାଇବାର କ୍ଷୁଦ୍ର ସ୍ୱାର୍ଥପରତାରେ ବିଶ୍ୱାସ କରେନାହିଁ ।

 

କିଛି ସମୟପାଇଁ ଅଳ୍ପକମିଯାଇଥିବା ବର୍ଷା ପୁଣି ଅତି ଜୋରଭାବେ ଆରମ୍ଭ କରିଥିଲା ତାର ଧ୍ୱଂସର ଲୀଳା—ପ୍ରଳୟ ତାଣ୍ଡବ । ନିରଞ୍ଜନ ରାୟ କାଚ ଝରକା ଦେଇ ଆକାଶକୁ ଚାହିଁଲେ । ଆକାଶ ସତେ ଯେମିତି ଗୋଟାଏ ମେଘର ମହାସମୁଦ୍ର ! ଅକଳନ ପାଣି ଢେଉ ଖେଳୁଛି । ଯେଣିକି ଚାହିଁବ ତେଣିକି ଖାଲି ପାଣି ଆଉ ପାଣି । ଭଙ୍ଗା ଟିଣ ଛାତ, ଛଣ ଛାତ, ପକ୍‌କା ଛାତ, ପାହାଡ଼, ପର୍ବତ, ଚଟାଣ, ବୃକ୍ଷ, ଲତା ସବୁ ଉପରେ ଏକାଭଳି ନିର୍ମମଭାବେ ବର୍ଷା ପ୍ରହାରକରି ଚାଲିଛି ତାର ଚାବୁକ । ବେଳେବେଳେ ସୁତୀକ୍ଷ୍‌ଣ ବର୍ଚ୍ଛାଭଳି ତାହା ଦେହକୁ ଭେଦକରୁଛି ତ ଅନ୍ୟ କେତେବେଳେ ଅଣଚାଶପବନ ସାଙ୍ଗେ ମିଶି ସର୍ବଗିଳା ନିଆଁର ଜିଭପରି ତାହା ସବୁ କିଛି ଚାଟିଯାଉଛି । ପକ୍‌କା ଛାତଗୁଡ଼ିକ ମଧ୍ୟ ନିଜକୁ ଆଉ ସୁରକ୍ଷିତ ମନେକରୁନାହାନ୍ତି । କଫି ଫିଲଟରରୁ ଟୋପେ ଟୋପେ କଫି ଲିକର ଗଳିଲାପରି ଛାତରୁ ଟୋପାଏ ଟୋପାଏ ପାଣି ଗଳିପଡ଼ୁଛି ରେକର ସାଇତା ବହି ଉପରେ…...ବିଛଣା ଚାଦର ଉପରେ…...କାନ୍ଥରେ ଟଙ୍ଗାହୋଇଥିବା ମହାପୁରୁଷମାନଙ୍କର ଫଟୋ ଚିତ୍ର ଓ ତୈଳଚିତ୍ରମାନଙ୍କ ଉପରେ ।

 

ଅଦ୍ଭୁତ ଏ ବର୍ଷା । ଏ କଣ ବାସ୍ତବରେ ଡଃ ବିକ୍ରମ ଭୋରାଙ୍କର ମହାପ୍ରଳୟତତ୍ତ୍ୱକୁ ସତ୍ୟ ପ୍ରମାଣିତ କରିବ ! ସାତ ହଜାର ବର୍ଷତଳେ ସଂଘଟିତ ମହାପ୍ରଳୟ......

 

ସାତ ହଜାର ବର୍ଷ ତଳର କଥା ବିକ୍ରମ ଭୋରା ଜାଣିଲା କିପରି ! ବାଜେ କଥା, ସବୁ ଗୁଲିଖଟି ଗପ । ଆନ୍ତର୍ଜାତିକ ଖ୍ୟାତିପ୍ରାପ୍ତ ବିକ୍ରମ ଭୋରା…...ସବୁ ନନ୍‌ସେନ୍‌ସ ।

 

ସାର୍ବଜନିକ ପଣ୍ଡିତ ମହାସଭା । ଖଗୋଳ, ଭୂଗୋଳ ଓ ପ୍ରାଚୀନ ଜ୍ୟୋତିଷ ଶାସ୍ତ୍ର...ଗ୍ରହନକ୍ଷତ୍ରମାନଙ୍କର ସ୍ଥିତି ଓ ପ୍ରଭାବ ଉପରେ ଆଧାରିତ ପଣ୍ଡିତ ମହାସଭାର ମହାପ୍ରଳୟ ସଂପର୍କିତ ମନ୍ତବ୍ୟ ! ମହାମୂର୍ଖମାନଙ୍କର ପ୍ରଳାପ ବ୍ୟତୀତ ଏହା ଆଉ କଣ ହୋଇପାରେ ! ମାଗଣା ଭୂରି-ଭୋଜନ ପକାଉଥିବା କର୍ମକୋଢ଼ି- ଏ ପଣ୍ଡିତଦଳ ଦେଶକୁ ରସାତଳକୁ ଟାଣିନେବେ ।

 

ପଞ୍ଜିକାରମାନଙ୍କର ବିଜ୍ଞାପନ ! ଶସ୍ତା ବ୍ୟବସାୟିକ କୌଶଳ ବ୍ୟତୀତ ତାହା କଣ ହୋଇପାରେ । ସହରରୁ ବହୁଦିନରୁ ଅତ୍ୟାବଶ୍ୟକୀୟ ଜିନିଷ ସବୁ ଉଭାନ୍‌ ହୋଇ ଯାଇଥିଲା । ମହାପ୍ରଳୟ ଯେ ଏଭଳି ଲାଭଖୋରୀ ଓ କଳାବଜାରୀ ବ୍ୟବସାୟୀମାନଙ୍କପାଇଁ ସୁବର୍ଣ୍ଣ ସୁଯୋଗ, ଏ କଥା ବହୁବାର ପ୍ରମାଣିତ । ଅନାହାରକ୍ଳିଷ୍ଟ ମୃତ ମଣିଷର ଅସ୍ଥିମେଦରେ ଗଢ଼ି ଉଠିବ ଏ ଭଳି ଲାଭଖୋରୀ ରାକ୍ଷସମାନଙ୍କର ଓ ସେମାନଙ୍କୁ ସାମାଜିକ ସୁରକ୍ଷା କବଚ ଯୋଗାଇଦେଉଥିବା ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବହୁତଳ ପ୍ରାସାଦ…...ସୁରକ୍ଷିତ ଅଭେଦ୍ୟ ଦୁର୍ଗ । ସେମାନଙ୍କର ରକ୍ତରେ ଜୁଆରିଆଗଡ଼ଖାଇ ରାକ୍ଷସମାନଙ୍କର ନିରାପତ୍ତାର ପ୍ରତିଶ୍ରୁତି ବହନ କରିବ ।

 

ଏଭଳି ବର୍ଷାରେ ମଧ୍ୟ ମାଇକ୍‌ଟାଏ ସରକାରୀ ଘୋଷଣା ପ୍ରଚାରିତ କରୁଥିଲା-ସହରବାସୀମାନଙ୍କୁ ଏହାଦ୍ୱାରା ସାବଧାନ କରାଇଦିଆଯାଉଛି ଯେ ସୁଚିରା ନଈ ବିପଦ ସଂକେତ ପାରହୋଇସାରିଛି । କେଉଁ ମୁହୂର୍ତ୍ତରେ ତାହା ବନ୍ଧରେ ଘାଇ କରିଦେଇ ବା ବନ୍ଧ ଡେଇଁ ସହର ମଧ୍ୟରେ ପ୍ରବେଶ କରିପାରେ । ତଳିଆ ଅଞ୍ଚଳ ଯାହାକି ବର୍ତ୍ତମାନ ଜଳପ୍ଳାବିତ, ସେଠାରୁ ଲୋକମାନଙ୍କୁ ଉଚ୍ଚସ୍ଥାନମାନଙ୍କୁ ନିଆଯାଉଛି । ଏହା ସତ୍ତ୍ୱେ ସହର ଯେ ବିପଦମୁକ୍ତ ଏହା କୁହାଯାଇପାରିବ ନାହିଁ । ବନ୍ୟାବିଶାରଦମାନଙ୍କ ମତରେ ବନ୍ଧ ଭାଙ୍ଗିଗଲେ ପନ୍ଦର ଫୁଟ ଉଚ୍ଚରେ ବନ୍ୟାଜଳ ସହର ମଧ୍ୟରେ ପ୍ରବେଶ କରିବାର ଆଶଙ୍କା ରହିଛି । ତେଣୁ ସମଗ୍ର ରାତି ସହରବାସୀମାନେ ଅନିଦ୍ରା ରହି ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ସତର୍କ କରାଇଦିଆଯାଇଛି ।

 

ମେନନ୍‌ ଝରକାର କାଚ ଦେହରେ ଆଖି ଲଗାଇ ଦେଖିବାପାଇଁ ଚେଷ୍ଟା କଲା, ଏଭଳି ପ୍ରଳୟଙ୍କରୀ ବର୍ଷାରେ ସରକାରୀ କାର୍ଯ୍ୟ କରିବାକୁ ସାହସ ବାନ୍ଧି ବାହାରିପଡ଼ିଥିବା ଦେଶପ୍ରେମୀ ନାଗରିକମାନଙ୍କୁ; କିନ୍ତୁ ବାହାରେ ବର୍ଷା ଆଉ ଅନ୍ଧାର ମିଶି ଏଭଳି ଏକ ଧୂଆଁର କୁହେଳି ସୃଷ୍ଟି କରିଥିଲେ ଯେ ସେ କିଛି ଦେଖିପାରିଲା ନାହିଁ ।

 

ମାଇକ୍‌ ପୁଣି ଗର୍ଜିଉଠିଲା ମେଘର ଗର୍ଜନ ଭଳି—ଏଭଳି ଏକ ଜଟିଳ ପରିସ୍ଥିତିର ସୁଯୋଗ ନେଇ ଯେଉଁ ବ୍ୟବସାୟୀମାନେ ଅତ୍ୟାବଶ୍ୟକୀୟ ଜିନିଷପତ୍ର ଓ ଖାଦ୍ୟପଦାର୍ଥର କୃତ୍ରିମ ଅଭାବ ସୃଷ୍ଟି କରିବେ ବା ଲାଭଖୋରୀ କାରବାର କରିବେ, ସେମାନଙ୍କୁ କଠିନ ଦଣ୍ଡ ଦିଆଯିବ; କିନ୍ତୁ ସରକାର ଆଶା କରନ୍ତି ଲୋକମାନେ ବିଶେଷକରି ବ୍ୟବସାୟୀମାନେ ତାଙ୍କ ସହିତ ଏଭଳି ଦୁର୍ଦ୍ଦିନରେ ସହଯୋଗ କରିବେ ।

 

ମାଇକ୍‌ ଲଗା ସରକାରୀ ଗାଡ଼ିଟା ବୋଧହୁଏ ଟିକିଏ ଦୂରକୁ ଚାଲିଯାଇଥିଲା । ରାସ୍ତାରେ ଛୁଟିଥିଲା ଅଜସ୍ର ପାଣିର ସୁଅ । ତଥାପି ସାଧାରଣ ଜୀବନ ବୋଧହୁଏ ଅବ୍ୟାହତ ଥିଲା-। ନିଷ୍ପ୍ରଭ ନିଅନଗୁଡ଼ିକ ବିପଦର ସାଥୀ ଭଳି ଆପ୍ରାଣ ଚେଷ୍ଟା କରୁଥିଲେ ପ୍ରତିଶ୍ରୁତି ପାଳନ କରିବାପାଇଁ ।

 

କିନ୍ତୁ ଯେଉଁ ମୁହୂର୍ତ୍ତରେ ଯେ କଣ ଘଟିବ, କିଏ କହିପାରେ ! ହଠାତ୍‌ ମାଡ଼ିଆସିପାରେ ପନ୍ଦର ଫୁଟ ଉଚ୍ଚର ବନ୍ୟାଜଳ । ସହରକୁ ବାହ୍ୟଜଗତରୁ ଛିନ୍ନ କରିଦେଇ ଘୋର ଅନ୍ଧକାର ଓ ମୃତ୍ୟୁର ଗହ୍ୱର ମଧ୍ୟକୁ ଠେଲିଦେଇପାରେ । ମହାପ୍ରଳୟ !

 

ଖୁବ୍‌ ଦୂରରୁ ଭାସିଆସୁଥିଲା ଧୀର ଓ ଅସ୍ପଷ୍ଟଭାବେ ସତର୍କ ଘୋଷଣା—ଗୁଜବ ପ୍ରଚାର କରୁଥିବା ଲୋକମାନଙ୍କୁ ସତର୍କ କରିଦିଆଯାଉଛି ଯେ ଏଭଳି ସମୟରେ ଯେକୌଣସି ଗୁଜବ ପ୍ରଚାର କରି ନାଗରିକମାନଙ୍କର ମନୋବଳ ଭାଙ୍ଗିଦେବାର ଚେଷ୍ଟା ଏକ ଦଣ୍ଡନୀୟ ଅପରାଧ । ସେଭଳି ଗୁଜବ ପ୍ରଚାର କରୁଥିବା ଲୋକଙ୍କ ପ୍ରତି ସମସ୍ତେ ସାବଧାନ ରହିବାପାଇଁ ନିବେଦନ । ଏଭଳି ଗୁଜବରେ ବିଶ୍ୱାସ କରନ୍ତୁନାହିଁ । ଗୁଜବ ପ୍ରଚାରକରୁଥିବା ବ୍ୟକ୍ତିଙ୍କୁ ପୋଲିସ ହାତରେ ଧରାଇଦିଅନ୍ତୁ । ବନ୍ୟାର ପ୍ରତ୍ୟେକ ଖବର ପ୍ରତି ଅଧଘଣ୍ଟାରେ ଲୋକମାନଙ୍କୁ ଜଣାଇ ଦିଆଯିବ । ନ୍ୟୁଜ୍‌ ଏଜେନ୍‌ସି ଅଫିସ୍‌ମାନଙ୍କରୁ ଏବଂ କଣ୍ଟ୍ରୋଲ ରୁମ୍‌ରୁ ସମସ୍ତ ତାଜା ଖବର ଆପଣମାନେ ଯେକୌଣସି ମୁହୂର୍ତ୍ତରେ ପାଇପାରିବେ ।

 

ଟେଲିପ୍ରିଣ୍ଟରର ନ୍ୟୁଜ୍‌ରିଲ ଆଡ଼େ ଦୃଷ୍ଟି ଫେରାଇଲା ମେନନ୍‌ । ସେ ମଧ୍ୟ କର୍ତ୍ତବ୍ୟପରାୟଣ ସରକାରୀ କର୍ମଚାରୀପରି ଅବିରତ ତା କାମରେ ଲାଗିଛି । ଟକ୍‌...ଟକ୍‌..ଟକ୍‌ଟକ୍‌...ଟକ୍‌...ଟକ୍‌...ଟକ୍‌ ଏଭଳି ଅନେକଗୁଡ଼ିଏ ଶବ୍ଦ ଅକ୍ଷରରେ, ଅକ୍ଷରଗୁଡ଼ିକ ଶବ୍ଦରେ ଏବଂ ଶବ୍ଦଗୁଡ଼ିକ ବାକ୍ୟରେ ପରିଣତ ହେବାର ଅଦ୍ଭୁତ ଯାନ୍ତ୍ରିକକୌଶଳ । ଗୋଟିଏ ଖବର ଉପରେ ହଠାତ୍‌ ତାର କୌତୂହଳୀ ଦୃଷ୍ଟି ନିବଦ୍ଧ ରହିଗଲା । ନିରଞ୍ଜନ ରାୟଙ୍କୁ ସେ ଖବରଟି ଦେବାପାଇଁ ଟେଲିପ୍ରିଣ୍ଟର୍‌ ରୁମ୍‌ରୁ ସେ ବୈଠକଘରକୁ ଏକରକମ ଦୌଡ଼ିଆସିଲା ।

 

—ଖବର କ’ଣ ମେନନ୍‌ !

 

—ସାର୍‌ ! ମହାକାପାଳିକ ତନ୍ତ୍ରବିଶାରଦ ପରମଯୋଗୀ ଦୋଳଗଞ୍ଜନ ଚମ୍ପତ୍ତିରାୟ ଶାସ୍ତ୍ରୀ ବିଶ୍ୱଶାନ୍ତି ଯଜ୍ଞର ଆୟୋଜନ କରିଛନ୍ତି । ଅଧ୍ୟାପକ ରାମଚିନ୍ତକ୍‌ ଦଣ୍ଡବତେ ସେହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛନ୍ତି । ଅଧ୍ୟାପକ ଦଣ୍ଡବତେ, ଇନିଷ୍ଟିଚ୍ୟୁଟ୍‌ ଫାର୍‌ ଇଣ୍ଟରନ୍ୟାସନାଲ ଅଣ୍ଡରଷ୍ଟାଣ୍ଡିଙ୍ଗ୍‌ ଏଣ୍ଡ ବୁଦ୍ଧ କନ୍‌ସିୟସ୍‌ର ପ୍ରିନସ୍‌ପାଲ । ସେ ତାଙ୍କର ଏହି ପବିତ୍ର ରିଷ୍ଟଖଣ୍ଡନମୂଳକ କାର୍ଯ୍ୟକ୍ରମପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବଡ଼ ବଡ଼ ବୈଜ୍ଞାନିକ, ନେତା, ଜନସେବକ ଓ ଆନ୍ତର୍ଜାତିକ ଖ୍ୟାତିପ୍ରାପ୍ତ ଡଃ ବିକ୍ରମ ଭୋରାଙ୍କ ଭଳି ଅଧ୍ୟାପକମାନଙ୍କଠାରୁ ମଧ୍ୟ ପ୍ରଶଂସାପତ୍ର ଲାଭକରିସାରିଛନ୍ତି ।

 

ମନୁଷ୍ୟ ଛାର ! ସେ ପ୍ରକୃତି ସହିତ କି କେବେ ଯୁଦ୍ଧ କରିପାରେ ! ସେଭଳି ଯୁଦ୍ଧ କରିବାକୁ ହେଲେ ବା ପ୍ରକୃତ-ସ୍ପଷ୍ଟ ଦୁର୍ବିପାକରୁ ରକ୍ଷା ପାଇବାକୁ ହେଲେ ଐଶ୍ୱରୀୟ କରୁଣାର ଆବଶ୍ୟକତା ଅନିବାର୍ଯ୍ୟ । ଈଶ୍ୱର-କରୁଣା ଲାଭପାଇଁ ହେଉଥିବା ଏହି ମହାଯଜ୍ଞର ହୋତା ଚମ୍ପତ୍ତିରାୟ ଶାସ୍ତ୍ରୀ ।

 

ଏଇ ଖବରଟି ନିରଞ୍ଜନ ରାୟଙ୍କୁ ଉତ୍‌କ୍ଷିପ୍ତ କରିବାପାଇଁ ସେପରି ଯଥେଷ୍ଟ ନଥିଲା । ଫୋନରେ ପୁଣି ସେଇ ବିରକ୍ତିକର କ୍ରିଂ…..କ୍ରିଂ.....କ୍ରିଂ…...

 

ମେନନ୍‌ ଫୋନ ଧରିଲା । ରାୟବାବୁଙ୍କୁ ଲକ୍ଷ୍ୟକରି କହିଲା—ସାର୍‌ ! ଗରାବଡ଼ୁ...ମିଃ ସତ୍ୟାନନ୍ଦ ଗରାବଡ଼ୁ, କଣ୍ଟ୍ରାକଟର ।

 

ନିରଞ୍ଜନ ରାୟ ଏତେ ଜୋରରେ ରାଗିଯାଇଥିଲେ ଯେ ଗରାବଡ଼ୁଙ୍କ ସମ୍ପର୍କରେ ସବୁ କିଛି ଶୁଣିବାପରେ ତାଙ୍କ ପ୍ରତି ନିଜର ଧାରଣା ସଂପୂର୍ଣ୍ଣ ବଦଳିଯାଇଥିଲା । ତଥାପି ସୌଜନ୍ୟଦୃଷ୍ଟିରୁ ଜଣେ ପୁରୁଣା ବନ୍ଧୁଙ୍କୁ ପ୍ରତ୍ୟାଖ୍ୟାନ ନ କରିବାପାଇଁ ସେ ଫୋନ୍‌ ଧରିଲେ—ହେଲୋ...କିଏ ସତ୍ୟାନନ୍ଦ ବାବୁ...ନମସ୍କାର, କେମିତି ମନେପଡ଼ିଲା ! ...କୁହନ୍ତୁ ।

 

—ଖବର ତ ସବୁ ଆପଣଙ୍କ ପାଖରେ; ଆଉ ମୁଁ କହିବି କଣ ?

 

—ନଦୀ ଯେଭଳିଭାବେ ବଢ଼ୁଛି ଜଳପତ୍ତନ ବିପଦ-ସଂକେତ ଟପି ସହରରେ ପ୍ରବେଶ କରିବାପାଇଁ ଆଉ ବେଶି ସମୟ ନାହିଁ । ଶୁଣାଯାଉଛି ବନ୍ୟାଜଳରେ ନଦୀବନ୍ଧ ଭାଙ୍ଗିବା ପୂର୍ବରୁ ଚକ୍ରାନ୍ତକାରୀମାନେ ନିଜର ସଂକୀର୍ଣ୍ଣ ସ୍ୱାର୍ଥ ଯୋଗୁଁ ବନ୍ଧକୁ ଭାଙ୍ଗିଦେଇ ପାରନ୍ତି । ସେଥିପାଇଁ ହଜାର ହଜାର ଲୋକ ବନ୍ଧ ଉପରେ ଉଜାଗର ରହି ଜଗିଛନ୍ତି । କେତେକ ଜାଗାରେ ପୋଲିସ ପହରା ମଧ୍ୟ ବନ୍ଦୋବସ୍ତ ହୋଇଛି । ତେବେ ଏତେବଡ଼ ବନ୍ଧଟାରେ ସବୁ ଜାଗାରେ ପୋଲିସ ପହରା ବନ୍ଦୋବସ୍ତ କରିବା କଣ ସମ୍ଭବ ! ଯଦି ଅନ୍ତର୍ଘାତୀ କାମ କରିବାପାଇଁ ବାସ୍ତବିକ କେହି ଛକି ବସିଥାଏ, ତେବେ ତାକୁ ରୋକିହେବନାହିଁ । ବର୍ତ୍ତମାନ ନଦୀବନ୍ଧ ଉପରେ ଏତେ ଲୋକ ଜମାହେଲେଣି ଯେ ସେମାନଙ୍କୁ ସମ୍ଭାଳିବା ଆଉ ଏକ ସମସ୍ୟାରୂପେ ଦେଖାଦେଲାଣି ।

 

ନିରଞ୍ଜନ ବାବୁ ନିଜର କ୍ରୋଧକୁ ଚାପିରଖି ଅତ୍ୟନ୍ତ ଭଦ୍ରତାର ସହିତ ଏସବୁ ବର୍ଣ୍ଣନା କରିଗଲେ, ଯେମିତି ତାଙ୍କର କିଛି ପରିବର୍ତ୍ତନ ହୋଇନାହିଁ । ମନ ଭିତରେ କିନ୍ତୁ ସେ ଏଭଳି ଗୋଟିଏ ଚରିତ୍ର ସହିତ ସଂପର୍କ ରକ୍ଷାକରିବାକୁ ପଡ଼ୁଥିବାରୁ ନିଜକୁ ଦୋଷୀ ଅନୁଭବ କରୁଥିଲେ । ବାସ୍ତବରେ ଗରାବଡ଼ୁଙ୍କ ରୂପ କଣ ଏ ୟା ! ଲୋକଙ୍କର ବାହ୍ୟଜୀବନ ଓ ଭିତରି ରହସ୍ୟ ମଧ୍ୟରେ ଏତେ ପ୍ରଭେଦ !

ଲୋକମାନଙ୍କ ପ୍ରତି ଏତେ ଦରଦ ଏ ବ୍ୟଗ୍ରତା ପ୍ରକାଶ କରୁଥିବା ବିଶିଷ୍ଟ ସମାଜସେବୀ ଠିକାଦାର ଗରାବଡ଼ୁ ନିଜେ ଏହି ବିପର୍ଯ୍ୟୟ ପାଇଁ ପୂର୍ଣ୍ଣତଃ ଦାୟୀ । ଜୀବନ-ମରଣର ସନ୍ଧିକ୍ଷଣରେ ହଜାର ହଜାର ବ୍ୟକ୍ତି ନଦୀବନ୍ଧ ଉପରେ ମୃତ୍ୟୁ ସହିତ ପ୍ରତି ମୁହୂର୍ତ୍ତ ଯୁଦ୍ଧ କରୁଥିବାବେଳେ କୋଟୀପତି ଗରାବଡ଼ୁ ହେଲିକେପ୍‌ଟରର ଘର୍‌ ଘର୍‌ ସଙ୍ଗୀତକୁ କାନପାରି ରହିଛି । ପନ୍ଦର ଫୁଟ ଉଚ୍ଚରେ ବନ୍ୟାଜଳ ସହର ଭିତରକୁ ମାଡ଼ି ଆସି ଯେତେବେଳେ ହଜାର ହଜାର ଲୋକ ସଲିଳ ସମାଧି ଲାଭକରିବେ, ସେତେବେଳେ ସେ ଖସିଯିବେ କୌଣସି ଏକ ନିରାପଦ ଜାଗାର ବେଷ୍ଟନୀ ଭିତରକୁ—ଯେଉଁଠି ଜୀବନ ହେବ ଆନନ୍ଦମୟ...ଐଶ୍ୱର୍ଯ୍ୟମୟ । ମନର ଏସବୁ ଯନ୍ତ୍ରଣା ସତ୍ତ୍ୱେ ଗରାବଡ଼ୁଙ୍କୁ ପ୍ରତ୍ୟାଖ୍ୟାନ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ।

ଗରାବଡ଼ୁ କେମିତି ଟିକିଏ ଭାଙ୍ଗି ପଡ଼ିଲାପରି ତାଙ୍କ ସ୍ୱରରୁ ଜଣାପଡ଼ୁଥିଲା ।

—ଏ ବିପଦର ବେଳ ସମସ୍ତଙ୍କ ପାଇଁ ସମାନ; କିନ୍ତୁ ଜାଣନ୍ତି ମୋର ଶତ୍ରୁମାନେ ଏହାକୁ ମୋ ବିରୁଦ୍ଧରେ ଏକ ଆୟୁଧରୂପେ ବ୍ୟବହାର କରିବାକୁ ବସିଛନ୍ତି । ମଣିଷ ଚାହିଁଲେ ମହାପ୍ରଳୟ ସୃଷ୍ଟି କରିପାରିବ ନାହିଁ । ପ୍ରଭୁଙ୍କ ବରାଦ ବିନା କୁଟାଟିଏ ମଧ୍ୟ ଦି’ଖଣ୍ଡ ହୋଇ ପାରିବ ନାହିଁ । ଏ ସବୁ କପାଳଲିଖନ । ଯିଏ ଯାହା ଲେଖିକରି ଆସିଛି, ତାହା କେବେ ଅନ୍ୟଥା ହୋଇପାରିବ ନାହିଁ । କେଉଁ ପୂର୍ବଜନ୍ମର ପାପଯୋଗୁଁ ଏ ସହରର ବାସିନ୍ଦାମାନେ ଯଦି ସଲିଳ ସମାଧି ଲାଭକରିବାପାଇଁ ଭଗବତ୍‌ ନିର୍ଦ୍ଦେଶ ଥାଏ, ତେବେ କେହି ରକ୍ଷା କରିପାରିବେ ନାହିଁ । ନିୟତି ବିରୁଦ୍ଧରେ…...ଭବିତବ୍ୟ ବିରୁଦ୍ଧରେ ଛାର ମଣିଷ କି ସଂଗ୍ରାମ କରିପାରେ !

ଏସବୁ ପ୍ରଳାପ ଶୁଣିବା ବ୍ୟତୀତ ନିରଞ୍ଜନ ରାୟଙ୍କର ଅନ୍ୟ ଚାରା ନଥିଲା ।

—ଆପଣ ଜାଣନ୍ତି ରାୟବାବୁ ! ମୋର ବିରୋଧୀ ଲୋକମାନେ ଏବଂ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ପରିସ୍ଥିତିର ସୁବିଧା ନେଇ ଲୋକମାନଙ୍କୁ ମୋ ବିରୁଦ୍ଧରେ ଉତ୍ତେଜିତ କରୁଛନ୍ତି । ସେମାନେ ପ୍ରଚାର କରୁଛନ୍ତି ଯେ ସୁଚିରା ନଦୀର ବନ୍ଧ ଠିକ୍‌ ଆବଶ୍ୟକତା ଅନୁଯାୟୀ ହୋଇନାହିଁ ଏବଂ ଅର୍ଥ ତୋଷରପାତ୍‌ ହୋଇଛି । ମତେ ଆକ୍ରମଣ କରି ଧ୍ୱଂସ କରିବାପାଇଁ ଉତ୍ତେଜନାପୂର୍ଣ୍ଣ ଭାଷଣମାନ ଦିଆଯାଉଛି । ସେହିସବୁ ନେତାମାନଙ୍କୁ ମୁଁ ଜାଣେ ଏବଂ ସେମାନଙ୍କର ମୂଲ୍ୟ ସମ୍ପର୍କରେ ମଧ୍ୟ ମତେ ଅଜଣା ନାହିଁ । ମୋର ଅନ୍ନରେ ଯେଉଁମାନେ ପରିପୋଷିତ, ସେହିମାନେ ଆଜି ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି । ଝିଅବାହାଘରଠାରୁ ଆରମ୍ଭ କରି ବାଧିକା ପଡ଼ି ହାସପତାଲ୍‌ରେ ଭର୍ତ୍ତିହେବା, ନିର୍ବାଚନ ଲଢ଼ିବା, ଘର ତିଆରି କରିବା ଏମିତି କେଉଁ କାମ ପାଇଁ ସେମାନେ ଆସି ମୋ ପାଖରେ ହାତ ପାତିନାହାନ୍ତି ! ବର୍ତ୍ତମାନ ସବୁ ସଚ୍ଚୋଟ ଧର୍ମାବତାର ! ମୁଁ ଚାହିଁଲେ ସମସ୍ତଙ୍କର ମୁଖା ଖୋଲିଦେଇପାରେ ।

—ଆପଣ କ’ଣ କହିବାକୁ ଚାହାନ୍ତି ଯେ ଲୋକମାନଙ୍କର ଏ ଅଭିଯୋଗ ମିଥ୍ୟା ! ସେମାନଙ୍କର ଅଭିଯୋଗରେ ଯଦି ବିନ୍ଦୁଏ ମାତ୍ର ସତ୍ୟତା ଥାଏ, ତାହାହେଲେ ହଜାର ହଜାର ନିରୀହ ଲୋକଙ୍କର ଧନଜୀବନ ହାନି ପାଇଁ ଆପଣ କ’ଣ ନିଜର ଦାୟିତ୍ୱ ଏଡ଼ାଇଦେଇ ପାରିବେ ?

—ଲୋକମାନଙ୍କ ପାଇଁ ମୋର ସହାନୁଭୂତି ଅସୀମ । ମୋର ହୃଦୟ ଓ ମନ ଏକାନ୍ତ ପବିତ୍ର ରାୟବାବୁ ! ଯେଉଁମାନେ ଆଜି ଏ ପ୍ରଶ୍ନ ଉଠାଇ ମତେ ଦୋଷଦେବାପାଇଁ ଚେଷ୍ଟା କରୁଛନ୍ତି, ସେମାନେ ଆଜିଯାଏଁ ଥିଲେ କେଉଁଠି ! ସରକାରୀ ତହବିଲ୍‌ରୁ ଗରିବ କରଦାତାମାନଙ୍କର ଲକ୍ଷ ଲକ୍ଷ ଟଙ୍କା ଦରମା ସ୍ୱରୂପ ପାଇ ଏ କାମର ତତ୍ତ୍ୱାବଧାନ ଦାୟିତ୍ୱରେ ଥିବା ସେଇ ଯନ୍ତ୍ରୀମାନେ ଗଲେ କୁଆଡ଼େ ! ସେମାନଙ୍କର କ’ଣ କିଛି ଦାୟିତ୍ୱ ନାହିଁ ! ଯେଉଁ ରାଜନୈତିକ ଦଳମାନେ ସେମାନଙ୍କଠାରୁ ଏବଂ ସେମାନଙ୍କ ଜରିଆରେ ଆମଠାରୁ ତାଙ୍କର ପାଉଣା କଡ଼ାଗଣ୍ଡା ହିସାବରେ ଆଦାୟ କରିଥିଲେ ଏବଂ ସରକାରୀ କଳର ସମସ୍ତ ଦୁର୍ନୀତି ଓ ଅପାରଗତାକୁ ଘଣ୍ଟଘୋଡ଼ାଇ ରଖିଥିଲେ, ସେଇମାନେ ଆଜି ଗଲେ କୁଆଡ଼େ ? ମୋର କାର୍ଯ୍ୟଦକ୍ଷତାର ଅଭାବ ନାହିଁ; କିନ୍ତୁ କାର୍ଯ୍ୟଦକ୍ଷତା ସଙ୍ଗେ ସାଲିସ୍‌ କରିବାର ଫର୍ମୁଲା ଯେଉଁମାନେ ମତେ ଶିକ୍ଷାଦେଲେ ନିଜର ପାଉଣା ଆଦାୟ କରିବା ପାଇଁ, ସେହିମାନଙ୍କର ଦାୟିତ୍ୱ ଆଜି ନିର୍ଣ୍ଣୟ କରିବ କିଏ !

 

ନିଜକୁ ଆଉ ନିୟନ୍ତ୍ରଣ ଭିତରେ ରଖିବା ନିରଞ୍ଜନ ରାୟଙ୍କ ପକ୍ଷେ ସମ୍ଭବ ନଥିଲା । ଗରାବଡ଼ୁଙ୍କ ସମସ୍ତ କୈଫିୟତ୍‌ ସତ୍ତ୍ୱେ ସେ ଯେ ଆଜିର ଏ ଦାରୁଣ ଦୁର୍ବିପାକପାଇଁ ପ୍ରତ୍ୟକ୍ଷଭାବେ ଦାୟୀ ଏକଥା ତାଙ୍କ ମନରେ ଦୃଢ଼ ହୋଇଉଠିଲା । ଗରାବଡ଼ୁଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନକରି ଫୋନ୍‌ଟାକୁ କଚାଡ଼ି ଦେବାପାଇଁ ତାଙ୍କର ଇଚ୍ଛା ହେଉଥିଲା ।

 

ମେନନ୍‌ ମଧ୍ୟ ବହୁ ସମୟ ଧରି ତାଙ୍କର ଏ ମାନସିକ ପ୍ରକ୍ରିୟାକୁ ଲକ୍ଷ୍ୟ କରୁଥିଲା । କେମିତି ଟିକିଏ ବିଚିତ୍ର ଭଙ୍ଗୀରେ ତାଙ୍କର ଆଖି ଦୁଇଟା ପ୍ରକୋଷ୍ଠ ଭିତରେ ଘୂରିଆସିବାବେଳକୁ ମେନନ୍ ଆଖିରେ ନିବଦ୍ଧ ରହିଲା । ତା ଆଖିରୁ ସେ ଯେମିତି କିଛି ସନ୍ଧାନ ପାଇଲେ, ସେ ଗରାବଡ଼ୁଙ୍କ ସହିତ ପୁଣି କଥା ଚାଲୁରଖିବା ପାଇଁ ସ୍ଥିରକଲେ ।

 

—ଏସବୁ ଭିତରକୁ ଆପଣ ଅନ୍ୟମାନଙ୍କୁ ଟାଣିଆଣିବାପାଇଁ ଯେତେ ଚେଷ୍ଟା କଲେ ସୁଦ୍ଧା ଆପଣ ନିଜର ଦାୟିତ୍ୱକୁ ଏଡ଼ାଇଦେଇ ପାରିବେନାହିଁ । ବର୍ତ୍ତମାନ ପରିସ୍ଥିତିରେ ଆପଣଙ୍କ ମନ ଓ ହୃଦୟର ପବିତ୍ରତା କଥା କହିବା ଏକାନ୍ତ ଅବାନ୍ତର ନୁହେଁ କି ! ଲୋକମାନଙ୍କ ପ୍ରତି ଯେଉଁ ସହାନୁଭୂତି କଥା ଆପଣ କହିବାକୁ ଚାହୁଁଛନ୍ତି, ତାକୁ ବର୍ତ୍ତମାନ ବିଶ୍ୱାସ କରିବ କିଏ !

 

—ସେ କଥାକୁ କିଏ ବିଶ୍ୱାସ କରୁ ବା ନକରୁ ଆମ ସମସ୍ତଙ୍କ ଉପରେ ସର୍ବଗୁଣର ଆଧାର ଯେଉଁ ଭଗବାନ ଅଛନ୍ତି—ଯେ ସର୍ବଜ୍ଞାତା ଓ ସର୍ବଦ୍ରଷ୍ଟା.....ସେ ନିଶ୍ଚୟ ଜାଣନ୍ତି । ଆପଣ ତ ନିଶ୍ଚୟ ଶୁଣିଥିବେ ବର୍ତ୍ତମାନ ରିଷ୍ଟ ଖଣ୍ଡନପାଇଁ ମହାକାପାଳିକ ତନ୍ତ୍ରବିଶାରଦ ପରମଯୋଗୀ ଦୋଳଗଞ୍ଜନ ଚମ୍ପତ୍ତିରାୟ ଶାସ୍ତ୍ରୀ ବିଶ୍ୱଶାନ୍ତି-ଯଜ୍ଞର ଆୟୋଜନ କରିଛନ୍ତି । ତାଙ୍କ ସହିତ ସହଯୋଗ କରୁଛନ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଫାର ଇଣ୍ଟରନ୍ୟାସ୍‌ନାଲ୍‌ ଅଣ୍ଡରଷ୍ଟାଣ୍ଡିଙ୍ଗ୍‌ ଏଣ୍ଡ ବୁଦ୍ଧ କନ୍‌ସିୟସ୍‌ନେସ୍‌ର ପ୍ରିନ୍‌ସିପାଲ ଅଧ୍ୟାପକ ରାମଚିନ୍ତକ ଦଣ୍ଡବତେ । ଲୋକମାନଙ୍କର ଏଭଳି ଏକ ଭୟଙ୍କର ଦୁର୍ଦ୍ଦିନରେ ଭଗବତ୍‌ କରୁଣାପାଇଁ ପ୍ରାର୍ଥନା କରିବା ଏଇ ଯଜ୍ଞର ମୁଖ୍ୟ ଉଦ୍ଦେଶ୍ୟ । ଏହି ଯଜ୍ଞର ଆୟୋଜନ କରିବାରେ ଯାହା ଖର୍ଚ୍ଚ ହେବ ସେ ସମସ୍ତ ଅକାତର ଭାବେ ବହନ କରିବାପାଇଁ ମୁଁ ପ୍ରତିଶ୍ରୁତି ଦେଇସାରିଛି । ଯେଉଁ ସହରତଳି ଅଞ୍ଚଳରେ ବନ୍ୟାଜଳ ପ୍ରବେଶକରିବା ଯୋଗୁଁ ଦଳିତ ଲୋକେ ଗୃହଶୂନ୍ୟ ହୋଇଯାଇଛନ୍ତି, ସେମାନଙ୍କର ଥଇଥାନ ଉଦ୍ଦେଶ୍ୟରେ ମହାମାନ୍ୟ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ମୁଁ ତିରିଶହଜାର ଟଙ୍କା ଦାନକରିସାରିଛି । ଏଇକଥା ପ୍ରେସ୍‌ କନ୍‌ଫରେନ୍‌ସରେ ଘୋଷିତ ହୋଇସାରିଛି ଏବଂ ଆପଣଙ୍କ ସେଣ୍ଟ୍ରାଲ୍‌ ନ୍ୟୁଜ ଏଜେନ୍‌ସି (ସି.ଏନ୍‌. ଏ) ଦ୍ୱାରା ଏହା ପ୍ରଚାରିତ ।

 

ଗରାବଡ଼ୁଙ୍କ କଥାକୁ ବିଶ୍ୱାସ କରିବେ କି ନାହିଁ ନିରଞ୍ଜନ ରାୟ ଠିକ୍‌ କରିପାରୁନଥିଲେ । କୋଟିପତି ଗରାବଡ଼ୁ ବାସ୍ତବରେ କ’ଣ ଅନୁତପ୍ତ ! ସେ ଲୋକମାନଙ୍କୁ ଏ ଦାରୁଣ ବିପତ୍ତିରୁ ରକ୍ଷା କରିବାପାଇଁ ଭଗବତ୍‌ କରୁଣା ଭିକ୍ଷାକରୁଛି ! ଜନତାର ଉଦ୍ଧାରପାଇଁ କାନ୍ଦିଉଠୁଛି ତା’ର ପ୍ରାଣ ! ଏହା ଯଦି ସତ୍ୟ ହୁଏ, ତେବେ ସେ ହେଲିକପ୍‌ଟର ମଗାଇ ରଖିଥିବା ଖବର କଣ ମିଥ୍ୟା ! ସେ କ’ଣ ମହାପ୍ରଳୟକୁ ଡାକିଆଣି ନିଜେ ନିରାପଦ ଦୂରତ୍ୱକୁ ଖସିଯିବାପାଇଁ ଯୋଜନାବଦ୍ଧ ବ୍ୟବସ୍ଥା କରିନାହିଁ !

 

—ଲୋକମାନଙ୍କ ପାଇଁ ଆପଣଙ୍କର ଏ ମୋହ ଓ ସମ୍ବେଦନା ଯଦି ସତ୍ୟ, ତେବେ ହେଲିକପ୍‌ଟର ମଗାଇ ମହାପ୍ରଳୟକୁ ଫାଙ୍କିଦେବାର କୌଶଳ କାହିଁକି ? ମୋ କଥାକୁ ଖରାପ ଭାବିବେ ନାହିଁ । ଏହି ଅଭିଯୋଗ ଆଜି ପ୍ରତ୍ୟେକ ବ୍ୟକ୍ତିର ମୁହଁରେ । ଏହାର ଆପଣ କି ଜବାବ ଦେଇପାରିବେ ?

 

—ଏଇ ଅପପ୍ରଚାରରେ ଆପଣ ମଧ୍ୟ କଣ ବିଶ୍ୱାସ କରୁଛନ୍ତି ରାୟବାବୁ ! ମତେ ଧ୍ୱଂସକରିବା ପାଇଁ ଓ ମୋର ସବୁ କିଛି ଲୁଟ୍‌ କରିବାପାଇଁ ଏହା ଏକ ଚକ୍ରାନ୍ତ । ମୋର ଅନ୍ନରେ ପରିପାଳିତ ସେଇ ବିଶ୍ୱାସଘାତକର ଦଳ ବାସ୍ତବରେ ଯଦି ମା ଉପରେ ଆକ୍ରମଣ କରନ୍ତି, ସେମାନଙ୍କୁ ସମଗ୍ର ଜୀବନପାଇଁ ମୁଁ ଉଚିତ ଶିକ୍ଷା ଦେବି । ମୁଁ ସହଜରେ ଛାଡ଼ିଦେବିନାହିଁ ସେମାନଙ୍କୁ-

 

ନିରଞ୍ଜନ ରାୟଙ୍କର ଆଉ ଧୈର୍ଯ୍ୟ ନଥିଲା ଗରାବଡ଼ୁଙ୍କର ସେ ପ୍ରଳାପ ଶୁଣିବାପାଇଁ । ଗରାବଡ଼ୁ ଉତ୍ତେଜିତ ହୋଇଯାଇଥିଲେ ତାଙ୍କର ଗଳାରୁ ଓ ଚଢ଼ା ଆହ୍ୱାନରୁ ତାହା ବେଶ୍‌ ଅନୁମାନ କରିହେଉଥିଲା । ରାତି ଅନେକ ହୋଇଯାଇଥିଲା । ଗରାବଡ଼ୁଙ୍କର ଅଭିମତ ଓ ପ୍ରତିକ୍ରିୟା ପ୍ରତି ଖାତିର ନ କରି ନିରଞ୍ଜନ ରାୟ ଫୋନ୍‌ ରଖିଦେଲେ ।

 

ମୁଖ୍ୟ ଅଫିସ୍‌ରୁ ତାଙ୍କୁ ନିର୍ଦ୍ଦେଶ ଆସିଥିଲା ସୁଚିରା ବନ୍ଧ ଉପରକୁ ଯାଇ ନିଜ ଆଖିରେ ଅବସ୍ଥା ଅନୁଧ୍ୟାନ କରି ରିପୋର୍ଟ ଦେବାପାଇଁ । ସେ ଇଚ୍ଛାକରିଥିଲେ ଏହି କାର୍ଯ୍ୟପାଇଁ ମେନନ୍‌କୁ ପଠାଇଦେଇପାରିଥାନ୍ତେ; କିନ୍ତୁ ଦୀର୍ଘ ତିନିଦିନ କାଳ କେବଳ ଘରଭିତରେ ବସିରହି ସେ କେମିତି ଅସୁସ୍ଥ ଅନୁଭବ କରୁଥିଲେ । ଚାରିଆଡ଼େ ଭୟ ଓ ଆତଙ୍କର ଗୋଟିଏ ବାତାବରଣ ଘେରିରହିଥିବା ବେଳେ କେବଳ ଘରେ ବସି ସେ ସମ୍ପର୍କରେ ସମ୍ବାଦ ପରିବେଷଣ କରିବାକୁ ସେ ଘୃଣା କରୁଥିଲେ-। କଥାର ଗୁରୁତ୍ୱ ସମ୍ପର୍କରେ ଆଉ ସନ୍ଦେହ କରିବାର କିଛି ନଥିଲା ।

 

ଠିକ୍‌ ସମୟରେ ମନ ଜାଣିଲାଭଳି ଦୁଇକପ୍‌ ଗରମ ଚା’ ଧରି ପହଞ୍ଚିଲା ତାଙ୍କ ପିଅନ୍‌ । ଦୁଧ ନଥିବା ନାଲି ଚା’…...କିନ୍ତୁ ସେହି ସମୟରେ ତାହା ରାୟବାବୁଙ୍କୁ ଅମୃତ ଭଳି ମନେହେଲା । ସେଇ କୋହଲା ବର୍ଷା ପାଗରେ ଦେହକୁ ଟିକିଏ ଗରମ କରିବା ପାଇଁ ଚା’ କପେ ତାଙ୍କର ନିହାତି ଦରକାର ଥିଲା ।

 

—ଚାଲ ମେନନ୍‌ ! ଆଉ ଡେରିକଲେ ଚଳିବନାହିଁ । ବନ୍ଧ ଉପରକୁ ଯାଇ ମୋ ନିଜ ଆଖିରେ ପରିସ୍ଥିତି ନିଜେ ଦେଖିବାପାଇଁ ମୁଁ ଚାହେଁ ।

 

—ଏଇ ବର୍ଷାରେ ଆପଣ ଯିବେ ସାର୍‌ !

 

—କାହିଁକି ମୁଁ କ’ଣ ଏତେ ଅସମର୍ଥ ? ମୋର ବୟସ ହୋଇଛି ସତ, ମାତ୍ର ମୁଁ ବୁଢ଼ା ନୁହେଁ; ମୁଁ ବର୍ତ୍ତମାନ ସବୁକିଛି ପାଇଁ ପ୍ରସ୍ତୁତ । ଦରକାର ହେଲେ ବଢ଼ିଲା ନଈକୁ ଡେଇଁପଡ଼ି ମୁଁ ଲୋକମାନଙ୍କୁ ଉଦ୍ଧାର କରିପାରେ । ତୁମେ ଜାଣ ମେନନ୍‌, ମୁଁ ସନ୍ତରଣରେ ସର୍ବଭାରତୀୟ ରେକର୍ଡ଼ ରଖିଥିଲି । ମୋର ମନେହେଉଛି ମୁଁ ଯେମିତି ଆଜି ଫେରିଯାଇଛି ସେଇ ତିରିଶି ବର୍ଷ ପଛକୁ ।

 

ବାହାରେ ଅବିରାମ ବର୍ଷାକୁ ପିଠିକରି ସେମାନେ ପୁନର୍ବାର ଆଗେଇ ଚାଲିଲେ । ମେନନ୍‌ ବାସ୍ତବରେ ବିଶ୍ୱାସ କରିପାରୁନଥିଲା ପଚାଶ ବାଉନ ବର୍ଷର ଏଇ ବ୍ୟକ୍ତି ନିରଞ୍ଜନ ରାୟ ରାଜା ଟୋକାଟାଏ ଭଳି ଭୟଙ୍କର ବର୍ଷାକୁ ଖାତିର ନକରି ଉଦ୍ଦାମ ଭାବରେ ରାସ୍ତା ଚାଲିପାରେ । ବର୍ଷାତି ଭିତରେ ସେ କେମିତି ଅସୁସ୍ଥ ଅନୁଭବ କଲା ।

 

ସେଇ ବର୍ଷା-ଅନ୍ଧକାରକୁ ଭେଦକରି ସେଇମାନେ ପହଞ୍ଚିଲେ ସୁଚିରା ନଦୀର ବନ୍ଧ ଉପରେ । ମହାରାଜା ବୀରଭଦ୍ର କେଶରୀ ବନ୍ଧ ସତୀତ୍ୱ ହରାଇଥିବା ଉଦ୍‌ବସ୍ତ୍ରା ନାରୀପରି ମୂର୍ଚ୍ଛାହତ-। ତା ମଥାକୁ ଛୁଇଁ ବଢ଼ିଲା ନଈର ପାଣି ଯେମିତି ଖେଳ ଖେଳୁଛି । ଜୁଆରର ଛୋଟ ଛୋଟ ଧକ୍‌କା ଦେଇ ପଛକୁ ଫେରିଯାଉଛି ପୁଣି ଥରେ ଲେଉଟିଆସିବା ପାଇଁ ଆଉ ଟିକିଏ ବେଗରେ ।

 

ବନ୍ଧ ଉପରେ ଲୋକମାନଙ୍କ ହାଉଯାଉ, ଜୀବନ-ମରଣ ସଂଗ୍ରାମ ଲାଗିଛି । କେତେ ଲୋକ ବନ୍ଧ ଉପରେ ମାଟି ପକାଇ ତାକୁ ଉଚ୍ଚା କରୁଛନ୍ତି । ଆଉ କେହି ହାଉଳି ଖାଇ ଖାଲି ଚିତ୍କାର କରୁଛି । ତା ହାତରୁ ପାଞ୍ଚବର୍ଷର ପୁଅ କେତେବେଳୁ ଖସି କୁଆଡ଼େ ହଜିଗଲାଣି ।

 

ସାଧନା ପାକଳ ହୋଇନଥିବା ସାଧକ ଅଳ୍ପ ପ୍ରଲୋଭନରେ ପାଦ ଖସେଇଦେବାଭଳି ଧସ୍‌ଧାସ୍‌ ନଈ ଭିତରକୁ ଖସିପଡ଼ୁଛି ମାଟି ଅତଡ଼ା ।

 

ଆଉ ଟିକିଏ ଉପରକୁ ବନ୍ଧ ପାଖରେ ଚାଲିଛି ସଭାଟାଏ । ବହୁ ଲୋକ ବର୍ଷାକୁ ଖାତିର ନକରି ଭାଷଣ ଦେଉଥିଲେ । ସେ ସବୁ ଶୁଣିବାରେ ମଧ୍ୟ ଖୁବ୍‌ ଆଗ୍ରହ ପ୍ରକାଶ କରୁଥିଲେ ଅନେକ ଉତ୍ତେଜିତ ଲୋକ । ବନ୍ଧ କାମରେ ଖଇଚା କରିଥିବା ଦୁର୍ନୀତିଗ୍ରସ୍ତ ଲୋକମାନେ ବିଶେଷ କରି ଗରାବଡ଼ୁ ଥିଲେ ସେ ଆଲୋଚନାର ଶରବ୍ୟ ।

 

—ଯେ ହଜାର ହଜାର ନିରୀହ ଲୋକଙ୍କୁ ସର୍ବନାଶ ଭିତରକୁ ଠେଲି ଦେଇଛି, ସେଭଳି ରାକ୍ଷସକୁ ଆମେ ଛାଡ଼ିବୁନାହିଁ…... ।

 

କିଏ ଗୋଟାଏ ସଭା ଭିତରୁ ଚିତ୍କାର କଲା—ଆବେ, ଭିଡ଼ି ଆଣବେ ସେ ସଇତାନଟାକୁ । ତାକୁ ଏ ବଢ଼ିଲା ନଈରେ ପକାଇଲେ ଯାଇ ଏ ନଈର ଆତ୍ମା ଶାନ୍ତ ହେବ । ତା’ ନ ହେଲେ ଗୋଟିଏ ଲୋକପାଇଁ ସମସ୍ତେ ବଳିପଡ଼ିବ ।

 

ଅବସ୍ଥା ଯେ ବିସ୍ଫୋରକ, ଏହା ବୁଝିବାପାଇଁ ନିରଞ୍ଜନ ରାୟଙ୍କର ଡେରି ହେଲାନାହଁ । ଗରାବଡ଼ୁ ଫୋନ୍‌ ଯୋଗେ ତାଙ୍କୁ ଯେଉଁ ଖବର ଦେଇଥିଲେ, ତାହା ମିଥ୍ୟା ନୁହେଁ । ଏଭଳି ଗୋଟିଏ ପରିସ୍ଥିତିପାଇଁ ସେ ପ୍ରସ୍ତୁତ ନଥିଲେ; କିନ୍ତୁ ଏହା ତାଙ୍କ ଆୟତ୍ତର ବାହାରେ । ସେଭଳି ସମୟରେ କଣ କରାଯିବା ଉଚିତ ଏହା ଭାବିବା ପୂର୍ବରୁ ଜନତାର ପଟୁଆର ଆଗକୁ ମାଡ଼ିଗଲା । ତାର ପରିଣାମ ଯେ କଣ ହେବ, ସେକଥା ସେ ଅନୁମାନ କରିପାରୁଥିଲେ ।

 

ସରକାରୀ ଜିପ୍‌ରୁ ତୀବ୍ରସ୍ୱରରେ ସାଇରନ୍‌ ଓ ଘୋଷଣା ଭାସିଆସୁଥିଲା । ଖଳପ୍ରକୃତିର ଲୋକମାନେ କଡ଼ା ପହରା ସତ୍ତ୍ୱେ ନିଜର ସଂକୀର୍ଣ୍ଣ ସ୍ୱାର୍ଥପାଇଁ ଉପରପଟେ ବନ୍ଧ କାଟି ଦେଇଛନ୍ତି । ଆଉ ପ୍ରାୟ ଅଧଘଣ୍ଟା ଭିତରେ ପନ୍ଦର ଫୁଟ ଉଚ୍ଚରେ ବନ୍ୟାଜଳ ସହର ଭିତରେ ମାଡ଼ିଯିବ । ବର୍ତ୍ତମାନ ଏଇ ମୁହୂର୍ତ୍ତରେ ଯିଏ ଯେଉଁ ଅବସ୍ଥାରେ ଅଛ, ସମସ୍ତେ ଏହି ଅଞ୍ଚଳ ଛାଡ଼ି ଉଚ୍ଚଜାଗାମାନଙ୍କୁ ଚାଲିଯିବାପାଇଁ ସତର୍କ କରିଦିଆଯାଉଛି ।

 

ସାଇରନ୍‌ ଶବ୍ଦ ଆହୁରି ତୀବ୍ର ହେବାକୁ ଲାଗିଥିଲା ଗୋଟିଏ ଅବୁଝା ପିଲାର କାନ୍ଦଣା ଭଳି ।

 

ଅଧଘଣ୍ଟା…...କେବଳ ଅଧଘଣ୍ଟା…..

 

ମହାପ୍ରଳୟ ପାଇଁ କେବଳ ତିରିଶ ମିନିଟ୍‌ ସମୟ ।

 

ନିଜ ଅଜାଣତରେ ଘଡ଼ି ଉପରେ ନଜର ପଡ଼ିଗଲା ନିରଞ୍ଜନ ରାୟଙ୍କର । ରାତି ଗୋଟାଏ । ମହାକାଳ ଭିତରେ ସମୟର ଗୋଟିଏ ମୁହୂର୍ତ୍ତ ମାତ୍ର । ମହାପ୍ରଳୟରେ ଧ୍ୱଂସ ପାଇବା ଗୋଟିଏ ସାଧାରଣ ବ୍ୟକ୍ତି ପରି କରୁଣଭାବେ ନିଃସହାୟ ।

 

ଦରିଦ୍ରର ସଞ୍ଚିତ ସ୍ୱଳ୍ପ ପୁଞ୍ଜି ଭଳି ସରିଯାଉଥିବା ପ୍ରତ୍ୟେକ ମିନିଟ୍‌ କି ମୂଲ୍ୟବାନ୍‌ !

 

ପଚିଶ୍‌ ମିନିଟ୍‌......

 

ଦୂରତା ଓ ଜଳର ବେଗ ସମ୍ପର୍କରେ ମାନସାଙ୍କ କରି ନିରଞ୍ଜନ ରାୟ ମହାପ୍ରଳୟକୁ ଯେମିତି ଛାତିରେ ଆବୋରି ନେବାପାଇଁ ଅପେକ୍ଷା କରିଥିଲେ ।

 

ସାଇରନ୍‌ର କର୍କଶ ଚିତ୍କାର ପରି ଶୁଣାଯାଉଥିଲା ଦଳାଚକଟା ଭିତରେ ନଦୀବନ୍ଧ ଉପରୁ ପାଣିତୋଡ଼ରେ ଅତଡ଼ା ଖସିଲା ପରି ସୁଅ ଭିତରକୁ ଖସିଯାଉଥିବା ଲୋକମାନଙ୍କର ବିକଳ ଚିତ୍କାର-

 

ଆଉ ମାତ୍ର ପନ୍ଦର ମିନିଟ୍‌ । ଏହା ମହାକାଳର କେତେକାଂଶରୁ କେତେ ! ମାନସାଙ୍କରେ ଏହାକୁ କଷିହେବନାହିଁ ।

 

ମହାପ୍ରଳୟ ପାଇଁ କେବଳ ପନ୍ଦର ମିନିଟ୍‌...ଚତୁର୍ଦ୍ଦିଗରେ ଯେମିତି ହଜାର ହଜାର ସାଇରନ୍‌ ଗୋଟିଏ ସମୟରେ ଚିତ୍କାର କରିଉଠିଥିଲେ ।

Image

 

ଶେଷ ସଂଳାପ

 

ସତରେ ସେ ଆମ ମଉସା ନୁହନ୍ତି । ରକ୍ତ-ସମ୍ପର୍କରେ ସେ ଆମର କିଛି ନହେଲେ ମଧ୍ୟ ସେ ଆମର ମଉସା । ମୋ ନନାଙ୍କର ସେ ବଡ଼ ସାଙ୍ଗ । ଦୁହେଁ ଏକାଠି ପାଠ ପଢ଼ୁଥିଲେ…..ଏକାଠି ବସୁଥିଲେ…..ଏକାଠି ଉଠୁଥିଲେ । ଯାହା କରୁଥିଲେ, ସବୁ ଏକାଠି ସାଙ୍ଗହୋଇ କରୁଥିଲେ । ତାଙ୍କ ଭିତରେ ମେଳଟା ଏତେ ଘନିଷ୍ଠ ଥିଲା ଯେ ସାଙ୍ଗସାଥୀ ଓ ଶିକ୍ଷକମାନଙ୍କ ମହଲରେ ସେମାନେ ‘ଯୋଡ଼ିବଳଦ’ ନାଁରେ ବେଶ୍‌ ପରିଚିତ । ତାଙ୍କ ଦୁଇଜଣଙ୍କ ନାଁ କହିଲେ କେହି ହୁଏତ ଜାଣିନପାରେ; କିନ୍ତୁ ତାଙ୍କ ସାଙ୍ଗସାଥୀ ମହଲରେ ‘ଯୋଡ଼ିବଳଦ’ କହିଲେ ସେ ଦୁହିଁଙ୍କୁ ସମସ୍ତେ ବେଶ୍‌ ମନେ ପକେଇ ପାରୁଥିଲେ । ଖାଲି ମନେ ପକେଇ ପାରୁଥିଲେ କହିଲେ କଥାଟା ଠିକ୍‌ ପ୍ରକାଶ ପାଇପାରୁନାହିଁ । ସେମାନଙ୍କର ନାକ ନକ୍‌ସା, ଆଖି, କାନ, ଖେଳ କସରତ୍‌ ଏପରିକି ଶ୍ରେଣୀଘରେ ଗୋଟିଏ ବେଞ୍ଚ୍‌ରେ ସାଙ୍ଗହୋଇ ବସିବା ସବୁ ଆଲୋକଚିତ୍ରପରି ମନରେ ଖେଳିଯାଏ-

 

ପାଠପଢ଼ା ସରିଯିବାପରେ ନନା କିରାଣି ହେଲେ । ତାହାହିଁ ଥିଲା ତାଙ୍କ ନନାଙ୍କ ଜୀବନର ଏକମାତ୍ର ଅଭିଳାଷ—ସ୍ୱପ୍ନ । ତା’ଠାରୁ ବେଶି ସେ ନିଜ ପୁଅ ପାଇଁ ଚିନ୍ତା କରିନଥିଲେ । ସେତେବେଳେ କିରାଣିଟିଏ ହୋଇପାରିଲେ ବଡ଼ କଥା । ତାହା ମଧ୍ୟ କେତେ ଜଣଙ୍କ ଭାଗ୍ୟରେ ଜୁଟେ ! ମଉସା ପଢ଼ା ଶେଷରେ ଜନହିତକର ସମାଜସେବାରେ ମନଦେଲେ । ତାଙ୍କର ପଇସାପତ୍ରର ଅଭାବ ନଥିଲା । ସୁନ୍ଦର ରୂପବାନ୍‌ ଚେହେରା, ବଳିଷ୍ଠ ବ୍ୟକ୍ତିତ୍ୱ—କହିବାକୁ ଠିଆହେଲେ ସେ ଅନର୍ଗଳ ଘଣ୍ଟା-ଘଣ୍ଟାଧରି ଭାଷଣ ଦେଇପାରନ୍ତି । ଯେକୌଣସି ସମୟରେ ଯେକୌଣସି ବିଷୟରେ ଏବଂ ଯେକୌଣସି ସଭାମଞ୍ଚ ଉପରୁ ବାଛବିଚାର ନରଖି ସେ ଭାଷଣ ଦେଇପାରୁଥିବାରୁ ଲୋକେ ତାଙ୍କୁ ‘ଭାଷଣ ମହାପାତ୍ରେ’ ବୋଲି ଡାକନ୍ତି । ଆମର ସେ ‘ଭାଷଣ ମଉସା’ । ଏମିତି ଅନେକ କ୍ଷେତ୍ରରେ ବିଶେଷଣ ସବୁ ନାମବାଚକ ବିଶେଷ୍ୟରେ ରୂପାନ୍ତରିତ ହୁଏ । ଲୋକେ ଗୁଣରୁ ହିଁ ବ୍ୟକ୍ତିଙ୍କୁ ଚିହ୍ନନ୍ତି, ତେଣୁ ଗୁଣକୁ ନେଇ ନାମକରଣ ସହଜ ।

 

ତାଙ୍କ ଘରେ ଅଧିକାଂଶ ଦିନ ‘ଖାନାପିନା’ର ବନ୍ଦୋବସ୍ତ ହୁଏ । ନନାଙ୍କୁ ଡାକରା ଆସେ-। ବୋଉ ଆମମାନଙ୍କୁ ଭଲ ଭଲ ଲୁଗା ପିନ୍ଧାଇ ସଜାଇଦିଏ । ମୁହଁରେ ପାଉଡ଼ର ପଫ୍‌ ଟିକିଏ ମାରିଦେଇ, ବାସନାତେଲ ଦେଇ ମୁଣ୍ଡ କୁଣ୍ଡାଇଦିଏ । ନନାଙ୍କର ଇଚ୍ଛା ନଥାଏ ଆମକୁ ନେବାପାଇଁ । ଆମେ କିନ୍ତୁ ଜିଦ୍‌ ଧରୁ । ନନା ନାହିଁ କରିପାରନ୍ତିନାହିଁ ବୋଉ ଡରରେ । ବୋଉ କହେ, ‘‘ପିଲାଗୁଡ଼ାକୁ କୁଆଡ଼େ ଟିକିଏ ବୁଲେଇ ଚଲେଇ ନେଉନାହଁ । ଖାଲି ଘରକଣେ ପଡ଼ିରହି ଘରୁଆ ହୋଇଗଲେଣି । କେତେବେଳେ କେମିତି ଗଲେ ତ ସେଇ ମଉସା ଘରକୁ ଯିବାକୁ ଶରଧା ହେଉଛନ୍ତି ! ତାହା ମଧ୍ୟ ତୁମେ ବନ୍ଦ କରିଦେବାକୁ ବସିଛ ।’’

 

ନାନା ଟିକିଏ ବଡ଼ ବଡ଼ ଆଖିରେ ବୋଉକୁ ଚାହିଁଦିଅନ୍ତି । ବୋଉ ସେଥିରୁ କ’ଣ ବୁଝେ କେଜାଣି, ସିଧା ରୋଷେଇଘରକୁ ଚାଲିଯାଏ । ଆମେ ସବୁ ସେତେବେଳେ ଦ୍ୱିଧା ଓ ଭୟରେ କର୍ତ୍ତବ୍ୟ ସ୍ଥିର କରିନପାରି ଦୂରକୁ ଚାଲିଯାଉ । ତା’ ପରେ ଆମ ଉଚ୍ଚ ପିଣ୍ଡା ଉପରୁ ନନା ଯେତେବେଳେ ‘ଏ ରିକ୍‌ସା’ ବୋଲି ପାଟିଟାଏ କରନ୍ତି, ଆମେ ପୁଣି ତାଙ୍କ ପାଖକୁ ପାଖକୁ ଲାଗିଆସୁ ।

 

ମଉସାଙ୍କ ଘରଆଡ଼େ ରିକ୍‌ସା ଚାଲେ । ଆମକୁ ଦେଖି ମଉସା ଖୁସିରେ ବୈଠକଘରୁ ଉଠିଆସନ୍ତି । ଆମକୁ ପାଛୋଟି ନେଇ ବୈଠକଘରେ ବସିଥିବା ନେତା, ଅଫିସର ଓ ବଡ଼ ବଡ଼ ଲୋକଙ୍କ ସହିତ ପରିଚୟ କରାଇଦେବାବେଳେ ଆମେ କେମିତି ଲାଜରେ ମୁହଁ ପୋତିଦେଉ । ପୋତାମୁହାଁ ବୋଲି ମତେ ସେ ସବୁବେଳେ ଥଟ୍ଟା କରନ୍ତି । ମତେ ବେଳେବେଳେ ତାଙ୍କ କଥାରେ ଭାରି ରାଗ ଲାଗେ; କିନ୍ତୁ ତାଙ୍କ ଭଳି ଲୋକ ଉପରେ କିଏ ବେଶି ସମୟ ରାଗ କରିପାରିବ ନାହିଁ । ସେ ଏମିତି ମଉଜିଆ କଥା କହିବେ ଯେ ଯେଡ଼େ ବଡ଼ ଅଭିମାନୀ ରୁଷାଣିଆ ପିଲା ମଧ୍ୟ ହସିପକେଇବ ।

 

ଆମେ ଘର ଭିତରେ ଖେଳାଖେଳି କରି ସମୟ କଟାଉ । ମଉସା ପୁଅପରି ସ୍ନେହ କରନ୍ତି । ତାଙ୍କ ପୁଅ ଅଭୟ ମୋ ବୟସର । ଅଭୟ ଓ ମୋ ଭିତରେ ସେ କେବେ କୌଣସି ପାତର-ଅନ୍ତର ଭାବ ଦେଖାଇବା ମୁଁ ଜାଣିନାହିଁ । ଅଭୟ ଓ ମୁଁ ଖେଳୁ, କୁସ୍ତି ଲଢ଼ୁ ମିଛମିଛିକା । ବେଳେବେଳେ ରାମ ରାବଣ ଲଢ଼େଇ ହୁଏ ଆମ ଭିତରେ । ମାଉସୀ ଆମ ଖେଳର ରେଫେରୀ । ଖେଳ ହେଉ ହେଉ ବେଳେବେଳେ ପ୍ରକୃତରେ ଆମ ଭିତରେ ଲଢ଼େଇ ହୁଏ । ମୁଥା ମରାମରି ହୋଇ କାନ୍ଦରୋଳ ସୃଷ୍ଟି ହୁଏ । ଅଭୟ ମୋ’ ଠାରୁ ବଳୁଆ । ମତେ ସେ କାବୁ କରିଦିଏ । ମାଉସୀ ସଙ୍ଗେ ସଙ୍ଗେ ମୋ ଉପରୁ ତାକୁ ଠେଲିଦେଇ, ମତେ କୋଳକୁ ନେଇଯାଆନ୍ତି ।

 

ଅଭୟ ସେତେବେଳେ କି ଭୟଙ୍କର ରୂପ ଧାରଣ କରେ ! ସତେ ଅବା ନୃସିଂହ ଅବତାର ପରି ମତେ ସେ ବିଦୀର୍ଣ୍ଣ କରିପକାଇବ । ସେତେବେଳେ ସେ ମାଉସୀଙ୍କୁ ମଧ୍ୟ ମାରିପକାଏ । ଭୟରେ ମୋ ଆଖି ବୁଜିହୋଇଥାଏ । ମାଉସୀ ଶୂନ୍ୟେ ଶୂନ୍ୟେ ମତେ ଉପରକୁ ଟେକି ଦିଅନ୍ତି । ଉଡ଼ନ୍ତା ଚଢ଼େଇଟିଏ ଫାଶରେ ଛନ୍ଦିହୋଇ କଲବଲ ହେବାପରି ମୁଁ ହାତପାଦ ଛାଟୁଥାଏ । ଅନେକ ସମୟ ପରେ ଯେତେବେଳେ ତା’ର ରାଗ ଶାନ୍ତ ହୁଏ, ସେ କେମିତି ଅହେତୁକ ଭାବେ ଗମ୍ଭୀର ହୋଇଯାଏ । ମାଉସୀଙ୍କ ହାତର ଶୂନ୍ୟ ଦୋଳିରୁ ମୁଁ ତଳକୁ ଓହ୍ଲାଇଆସେ । ଅଭୟ ମତେ କଥା କହେ ନାହିଁ । ମୁଁ ତା’ ପାଖରେ ଟିକିଏ ସାକୁଲେଇ ହୋଇ ତାକୁ ହସାଇବାକୁ ଚେଷ୍ଟାକରେ, ଖୋସାମତ କରେ । ତାକୁ ଖେଳିବା ପାଇଁ ଡାକେ । ସେ କିନ୍ତୁ କିଛି ଶୁଣେ ନାହିଁ ।

 

ମାଉସୀ ତାକୁ ବହୁତ ବୁଝାନ୍ତି—‘‘ପିଲାଟା ଏତେ କରି କହୁଛି, ଟିକିଏ ଖେଳୁନାହୁଁ କାହିଁକି ? ମୋ ସୁନାଟା ପରା….. ।’’

 

—ମୁଁ ତା’ ସାଙ୍ଗେ ଖେଳିବି ନାହିଁ । ମୁଁ ତାକୁ ମାରିବି । ଅଭୟ ସେମିତି ଗମ୍ଭୀର ଭାବେ କହେ—ମାରିବୁ...ମାର୍‌ !

 

ମୁଁ ତା’ ପାଖକୁ ଲାଗିଆସେ । ଅଭୟ ହାତମୁଠା କରି ଠିଆହୁଏ । ମାଉସୀ ପୁଣି ଥରେ ଆମ ଭିତରେ ମିଳାମିଶା କରାଇବା ଚେଷ୍ଟାରେ ବ୍ୟର୍ଥ ହୁଅନ୍ତି । ତାଙ୍କ ମୁହଁରେ ହତାଶାର ଛାଇ ଗାଢ଼ କଟା ଦାଗଟିଏ ଯେମିତି ଟାଣିଦିଏ । ସେ କ’ଣ ଭାବନ୍ତି କେଜାଣି; ସେକଥା ଜାଣିବା ସେତେବେଳେ ମୋ ପକ୍ଷେ ସମ୍ଭବ ନଥିଲା । ଅଭୟ ପକ୍ଷେ ମଧ୍ୟ ତାହା ବୁଝିବା ସହଜ ନଥିଲା ।

 

ବୈଠକଘରେ ଅନେକ ଲୋକଙ୍କ ସମ୍ମିଳିତ କଣ୍ଠରୋଳ ଶୁଣାଯାଉଥାଏ । ସେମାନେ ସମସ୍ତେ ବେଳେବେଳେ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରନ୍ତି । କେମିତି ଭୟଙ୍କର ସେମାନଙ୍କର ହସ । ସମସ୍ତଙ୍କର ହସ ଭିତରେ ହଠାତ୍‌ କିଏ ଜଣେ କରୁଣ ସ୍ୱରରେ କାନ୍ଦିପକାଏ । ସତେ ଯେମିତି ଅନେକ ଲୋକ ମିଶି ଜଣଙ୍କ ଉପରେ ଆକ୍ରମଣ କରିଛନ୍ତି…...ତାକୁ ନିସ୍ତୁକ ପ୍ରହାର କରୁଛନ୍ତି । ଆମେ ଆତଙ୍କିତ ହୋଇପଡ଼ୁ । ବୈଠକଘରକୁ ଦୌଡ଼ିଯିବା ପାଇଁ ଚେଷ୍ଟା ମଧ୍ୟ କରୁ । ମାଉସୀ ସର୍ବଦା ଆମ ଉପରେ ତୀକ୍ଷ୍‌ଣ ନଜର ରଖିଥା’ନ୍ତି । ସେଠାକୁ ଯିବା ଆମପାଇଁ ମନା ।

 

‘‘ବଡ଼ ଲୋକଙ୍କ କଥାରେ ଛୋଟ ପିଲାଏ ମୁଣ୍ଡ ପୁରାଇବା ମନା ।’’ —ନାନାକଥା କହି ମାଉସୀ ଆମ ମନ ଭୁଲାଇଦିଅନ୍ତି ।

 

କେତେ ରାତିରେ ତାଙ୍କ ଆସର ଶେଷହୁଏ, କହିବା ମୋ ପକ୍ଷେ ସମ୍ଭବ ନୁହେ । ମୁଁ ଓ ମୋ ଭଉଣୀ ଅନୁରାଧା ସେତେବେଳେ ଗାଢ଼ନିଦରେ ଶୋଇଥାଉ । ମଉସାଙ୍କ ଚାକର ଆମକୁ ଟେକି ନେଇ ରିକ୍‌ସାରେ ବସାଇ ଦିଏ । ନିଦବାଉଳାରେ ଆମେ ଘରକୁ ଫେରୁ । ସେହି ଛାଇ ଆଲୁଅରେ ନନାଙ୍କ ମୁହଁ କେମିତି ନିହାତି ଭୟଙ୍କର ଭାବେ ଗମ୍ଭୀର ଦେଖାଯାଏ । ଘରୁ ଆସିଲାବେଳେ ରାସ୍ତାରେ ସେ ଖୁସିଗପ କରନ୍ତି, ବିଶେଷ କରି ଅନୁରାଧା ସାଙ୍ଗରେ । ଫେରିଲାବେଳେ ତାଙ୍କ ମୁହଁରୁ କେମିତି ଗୋଟିଏ ତିକ୍ତ ଦୁର୍ଗନ୍ଧ ବାହାରେ । ଆମେମାନେ ଭୟରେ ହଲ୍‌ ଚଲ୍‌ ନ ହୋଇ ବସିରହୁ । ଅନେକ ରାତିଯାଏ ବୋଉ ସେମିତି ଚାହିଁରହିଥାଏ । ନନା ଠିକ୍‌ ଭାବେ ଚାଲିପାରୁ ନଥା’ନ୍ତି । ବୋଉ ତାଙ୍କ ହାତ ଧରି ଘରକୁ ନେଇଯାଏ ।

 

ଆମକୁ ଶୋଇବାକୁ କହିଦେଇ ବୋଉ ଚାଲିଯାଏ । ଆମେ କବାଟ ଦେହରେ କାନ ଲଗେଇ ପର ବଖରାରେ କ’ଣ ହେଉଛି ଆବେଗର ସହିତ ଶୁଣୁ । ବଡ଼ପାଟିରେ ତାଙ୍କ ଭିତରେ ବଚସା ହୁଏ । ତା’ପରେ ଯେତେବେଳେ ବୋଉ ନାଗୁଣୀ ଭଳି ଫଁ ଫଁ ନିଶ୍ୱାସ ଛାଡ଼ି ଫେରିଆସି ଧଡ଼କିନି କବାଟ କିଳିଦିଏ, ଆଉ ଗରଗର ହେଇ ସବୁ କଣ କହୁଥାଏ, ଆମେ ମିଛିମିଛିକା ଶୋଇପଡ଼ିଥିବା ଅଭିନୟ କରୁ । ବୋଉର ଆଖିରୁ କିନ୍ତୁ ତାହା ଲୁଚିପାରେ ନାହିଁ । ବିରକ୍ତ ହେଲା ଭଳି ସେ ପଚାରେ-‘‘ଏତେ ବେଳଯାଏଁ ଶୋଇନା କାହିଁକି ?’’ ଆମେ କିଛି କହୁନା । ଆଖିକୁ ଆହୁରି ଜୋର୍‌ ବନ୍ଦ କରି ଶୋଇବା ଅଭିନୟ କରୁ । ସେହି ଅଭିନୟ ଭିତରେ ବାସ୍ତବରେ କେତେବେଳେ ନିଦ ଆସିଯାଇଥାଏ ।

 

ତା’ପରେ ଅବଶ୍ୟ ଅନେକ ଦିନ ଧରି ମଉସାଙ୍କ ଘରକୁ ଯିବା ନନା ବନ୍ଦ କରି ଦେଇଥିଲେ । କେତେଥର ସେ ଲୋକ ପଠାଇଥିଲେ ଡାକିନେବା ପାଇଁ । ଦେହ ଭଲ ନାହିଁ କହି ନନା ଏଡ଼ିଦେଇଥିଲେ । ଆମେ ସବୁ ବୁଝିପାରୁଥିଲୁ ସେ ମିଛରେ ଏମିତି ଠକି ଦେଉଛନ୍ତି । ବାସ୍ତବରେ ତାଙ୍କର କିଛି ହୋଇନଥିଲା । ସେ ଜାଣିଥିଲେ ଥରେ ମଉସାଙ୍କ ଘରେ ପହଞ୍ଚିଲେ, ସେ ତାଙ୍କ କଥା ଭାଙ୍ଗି ନପାରି ମଦ୍ୟପାନ କରିବେ । ତା’ ଫଳରେ ପାରିବାରିକ ଅଶାନ୍ତି ସୃଷ୍ଟି ହେବ ।

 

ଅନ୍ୟ ଗୋଟିଏ କଥା ଯାହା ଆମେ ଜାଣି ନଥିଲୁ ମଉସାଙ୍କ ସମ୍ପର୍କରେ, ତାହା ନନା ଜାଣିଥିଲେ । ମଦନିଶା ଏବଂ ବଡ଼ ବଡ଼ ନେତା ଅଫିସରଙ୍କ ଚର୍ଚ୍ଚାରେ ମଉସା ହଜାର ହଜାର ଟଙ୍କା ପାଣି ପରି ଖର୍ଚ୍ଚ କରିଦେଇ କରଜରେ ବୁଡ଼ିରହିଥିଲେ । ଘର ଜମିବାଡ଼ି ସବୁ ବେଙ୍କ୍‌ରେ ମର୍ଟଗେଜ୍‌ ହୋଇସାରିଥିଲା । ଏସବୁ ସତ୍ତ୍ୱେ ତାଙ୍କର ବଡ଼ଲୋକୀ ଥାଟକୁ ଭାଙ୍ଗି ପରାଜୟ ସ୍ୱୀକାର କରିବାକୁ ‘ଭାଷଣ ମଉସା’ ପ୍ରସ୍ତୁତ ନଥିଲେ । ଧୀରେ ଧୀରେ ରୋଜଗାରର ପନ୍ଥା ବନ୍ଦ ହୋଇଯାଇ ବ୍ୟୟ ବଢ଼ିଗଲେ ମଣିଷ ତା’ର ବିବେକ ବୁଦ୍ଧି ହରାଇବସେ । ମଉସାଙ୍କର ମଧ୍ୟ ସେଇ ଅବସ୍ଥା ।

 

ଅନେକ ବର୍ଷ ପରେ......

 

ତାଙ୍କର ବଡ଼ ଦି’ମହଲା କୋଠାଟା ଚାଳିଶ ହଜାର ଟଙ୍କାକୁ ମର୍ଟଗେଜ୍‌ କରି, ଅଭୟକୁ ବିଲାତ ପଠାଇଦେଲା ପରେ ମଉସା କେମିତି ଖେଳୁଆଡ଼ ମନୋବୃତ୍ତି ନେଇ ତାଙ୍କର ସମସ୍ତ ପୁଞ୍ଜି ଲଗେଇ ଦେଇଥିଲେ ନିର୍ବାଚନରେ । ତାଙ୍କର ବନ୍ଧୁ, ସହକର୍ମୀ ଓ ଦଳ ଉପରେ ଅଗାଧ ବିଶ୍ୱାସ ଥିଲା । ନିଜ ଉପରେ ମଧ୍ୟ ତାଙ୍କର କମ୍‌ ବିଶ୍ୱାସ ନଥିଲା ।

 

ବାସ୍ତବରେ ସେ ଜନତାର ସେବା କରିଥିଲେ । ଲୋକଙ୍କ ପାଇଁ ସେ ଦିନରାତି ପରିଶ୍ରମ କରି ତାଙ୍କ ଦୁଃଖ-ସୁଖର ସାଥୀ ହିସାବରେ ତାଙ୍କ ପାଖରେ ଠିଆହୋଇଥିଲେ । ସିଏ ଯେ ନିର୍ବାଚନରେ ହାରିଯିବେ, ତାହା କିଏ ବିଶ୍ୱାସ କରି ନଥିଲା; କିନ୍ତୁ ରାଜନୀତିର ଦାଓଁ ପେଁଚ୍‌ରେ ପୋଖତ୍‌ ତାଙ୍କ ଭଳି ଜଣେ ନେତା ମଧ୍ୟ ଜଣେ ଅର୍ବାଚୀନ ଛାତ୍ରନେତା ନିକଟରୁ ମାତ୍‌ ଖାଇଗଲେ ।

 

ବହୁଦିନରୁ ନନା ତ ତାଙ୍କ ଘରକୁ ଯିବା ବନ୍ଦ କରି ଦେଇଥିଲେ । ମଉସା ମଧ୍ୟ ଅଭିମାନରେ ଆସୁ ନଥିଲେ । ମଉସାଙ୍କ ଚିଠି ଖଣ୍ଡିକ ଧରି ନନା ପିଲାଙ୍କଭଳି କାନ୍ଦୁଥିଲେ । ଚିଠିଟି ତାଙ୍କ ହାତରୁ ନେଇ ପଢ଼ିଲି । ମଉସା ଲେଖିଥିଲେ ବ୍ୟକ୍ତିଗତ ଜୀବନର ଅକୁହା କଥା ।

 

—‘‘ମୁଁ ହାରିଗଲି ସାଙ୍ଗ ! ନିର୍ବାଚନରେ ହାରିଯିବା ବଡ଼କଥା ନୁହେଁ । ଜୀବନରେ ହାରିଗଲି, ପରାଜିତ ସୈନିକର ଜୀବନ ନେଇ ଆଉ ବଞ୍ଚି କି ଲାଭ ! କିନ୍ତୁ ମୁଁ ମରିପାରିବି ନାହିଁ । ସମସ୍ତଙ୍କ ଉପରୁ ମୋର ବିଶ୍ୱାସ ତୁଟିଗଲା......ଏପରିକି ନିଜ ଉପରୁ ମଧ୍ୟ ।’’

 

ମଉସାଙ୍କ ଦୁର୍ଦ୍ଦିନ ଦେଖିବା ପାଇଁ ନନା କିନ୍ତୁ ବେଶି ଦିନ ବଞ୍ଚିପାରି ନଥିଲେ ।

 

X X X

 

ତାଙ୍କ ବାରବର୍ଷର ଝିଅ ସୁନୀତା ଚିଠି ଖଣ୍ଡିଏ ଧରି ଆସିଥିଲା । ବହୁବେଳୁ ଛାଇଟିଏ ପରି ମୋ ଅଫିସ ଘର ଆଗରେ ଠିଆ ହୋଇଥିବା ଦୃଷ୍ଟିରେ ପଡ଼ିଥିଲେ ମଧ୍ୟ, ମୁଁ ସେତେ ଗୁରୁତ୍ୱ ଦେଇ ନଥିଲି । ବହୁଲୋକ ଏମିତି ଆସନ୍ତି । ପରଦା ସେପଟେ ସେମାନଙ୍କର ସାଦା ମୁହଁଗୁଡ଼ିକ ଦେଖାଯାଏ । ତାଙ୍କର ଅସ୍ପଷ୍ଟ ଆଳାପ, ଆଲୋଚନା ମଧ୍ୟ କିଛି କିଛି କାନରେ ପଡ଼େ । କେତେକ ବାସ୍ତବରେ ପରଦା ଟେକି ଭିତରକୁ ଆସନ୍ତି, ଆଉ କେତେକ କଣ ଠିକ୍‌ କରି ସେଇ ବାହାରୁ ଫେରିଯା’ନ୍ତି । ଭିତରକୁ ଆସି ସମସ୍ୟାଟି ମୋ ଆଗରେ ନ ଥୋଇଲା ଯାଏଁ ମୁଁ ମୁହଁ ଖୋଲେ ନାହିଁ-। ମୋ ମତାମତ ନ ଲୋଡ଼ିବାଯାଏ କାହାକୁ ମତାମତ ଦିଏନାହିଁ । ସେହି ଦୃଷ୍ଟିରୁ ବନ୍ଧୁମହଲରେ ଓ ପରିଚିତ ଲୋକଙ୍କ ଗହଣରେ ମୋର ଅପଖ୍ୟାତି । ମୁଁ ଜଣେ ଗମ୍ଭୀର ଏବଂ ଅହଂସର୍ବସ୍ୱ ବ୍ୟକ୍ତି ହିସାବରେ ସାଧାରଣ ଭାବେ ପରିଚିତ ।

 

ଝିଅଟି ବହୁ ସମୟ ସେମିତି ଠିଆହେବା ପରେ ବୋଧହୁଏ ଭିତରକୁ ଆସିବ କି ନାହିଁ ତାହା ଭାବୁଥିଲା । ମୋର କିରାଣି ବ୍ରଜକିଶୋର ତାକୁ ଭିତରକୁ ଡାକିଲା । ଅତି ସଂଭ୍ରମରେ ସୁନୀତା ଭିତରକୁ ଆସି ନମସ୍କାର ହେଲା । ମୁଁ କିଛି ପଚାରିବା ଆଗରୁ ଚିଠିଟି ହାତକୁ ବଢ଼ାଇଦେଲା ।

 

ଚିଠିରେ ବିଶେଷ କିଛି ଲେଖା ନଥିଲା । ଯେତେବେଳେ ତାଙ୍କଠାରୁ ଚିଠି ଆସେ ଏମିତି ପଦେ, ଦି’ପଦ ଛଡ଼ା ଆଉ କିଛି ନଥାଏ ସେଥିରେ : ‘‘ଘର ଆଡ଼େ ଟିକିଏ ମୁହଁମାରି ଦେଇଯିବ । ବହୁ ଜରୁରୀ କଥା କହିବାର ଅଛି ।’’ ତଳେ ବଡ଼ ବଡ଼ ଅକ୍ଷରରେ ତାଙ୍କର ଦସ୍ତଖତ ।

 

ଏମିତି ଚିଠି ସହିତ ମୁଁ ବହୁ ଦିନରୁ ଅଭ୍ୟସ୍ତ । ସେ କ’ଣ ଜରୁରୀ କଥା କହିବେ ତାହା ମଧ୍ୟ ମୋର ଅଜଣା ନଥିଲା । ମୁଁ ସେଥିପାଇଁ ଯେତେବେଳେ ତାଙ୍କ ଘରକୁ ଯାଏ, ଆଗରୁ ପ୍ରସ୍ତୁତ ହୋଇଥାଏ ।

 

ଚିଠିଟି ପଢ଼ିସାରିବା ପରେ ମୋର ଅଜାଣତରେ କେତେ ସମୟ ମୁଁ ଟିକିଏ ବୋଧହୁଏ ଅନ୍ୟମନସ୍କ ହୋଇଯାଇଥିଲି । ଝିଅଟି ସେମିତି ମୋ ମୁହଁକୁ ଅନାଇ ଠିଆ ହୋଇଥିଲା । ମୁଁ କ’ଣ ଉତ୍ତର ଦେବି ସେଥିପାଇଁ ସେ ଅପେକ୍ଷା କରିଥିଲା ।

 

—ବାପାଙ୍କୁ କହିଦେବୁ ମୁଁ ସନ୍ଧ୍ୟାରେ ଆସିବି । ବ୍ୟସ୍ତହେବା ଦରକାର ନାହିଁ ।

 

ଝିଅଟି ଯେମିତି ମୋ ତୁଣ୍ଡରୁ ଏତିକି ଶୁଣିବା ପାଇଁ ଚାହିଁରହିଥିଲା । ନମସ୍କାର କରି ଧୀରେ ଧୀରେ ବିଦାୟ ନେଇଗଲା । ଯେମିତି ଛାଇଟିଏ ପରି ସେ ଆସିଥିଲା, ଠିକ୍‌ ସେମିତି ଛାଇଟିଏ ପରି ସେ ଅପସରିଗଲା ।

 

ମଇଳା ଚିରା ଫ୍ରକ୍‌ ଖଣ୍ଡିଏ ପିନ୍ଧି ଝିଅଟି ଆସିଥିଲା । ଦୁଇ ଚାରିବର୍ଷ ତଳେ ତିଆରି ହୋଇଥିବ । ଛୋଟ ହୋଇ ଦେହକୁ ଚିପି ହୋଇ ରହିଛି । ଛୋଟ ପେଣ୍ଟଟିକୁ ମଧ୍ୟ ଘୋଡ଼ାଇ ପାରୁନାହିଁ । ମଇଳା ପେଣ୍ଟର ଠାଏ ଠାଏ ସିଲେଇ ପଡ଼ିଛି । ଝିଅଟିର ଆଖି ଓ କଥା କହିବା ଢଙ୍ଗରୁ ସେ ଯେ ତା’ର ଦାରିଦ୍ର୍ୟ ଓ ତା’ ପରିବାରର ଅସହାୟ ଅବସ୍ଥା ସମ୍ପର୍କରେ ସଚେତନ ଥିଲା, ତାହା ସ୍ପଷ୍ଟ ବାରିହେଉଥିଲା । ସେ ଯେଉଁ କେତେ ସମୟ ମୋ ପାଖରେ ଠିଆହୋଇ, ସେତିକି ସମୟ ଭିତରେ କାରୁଣ୍ୟର ପ୍ରତିଚ୍ଛବିଟିଏ ପରି ମୋ ମନରେ ଆଙ୍କିହୋଇଗଲା ତାର ଚେହେରା । ଏଇ କେତେଦିନ ହେବ ପ୍ରାୟ ସବୁବେଳେ ତା’ ସହିତ ଦେଖାହୁଏ; କିନ୍ତୁ ଏତିକି ଦୟନୀୟ ତାକୁ ମୁଁ କେବେ ଲକ୍ଷ୍ୟ କରି ନଥିଲି ।

 

ସମୟର ପରିବର୍ତ୍ତନରେ କେତେ ଯେ କଣ ସବୁ ଘଟିଯାଇପାରେ, ତାହା ଭୁକ୍ତଭୋଗୀ ନ ହେଲେ ଜାଣିବା ସହଜ ନୁହେଁ; ନବ ମଉସା—ଯାହାଙ୍କ ଝିଅ ଆଜି ଭଲ ଫ୍ରକ କିମ୍ବା ଜାମା ଖଣ୍ଡିଏ ପିନ୍ଧିବାକୁ ପାଉନି, ଆଉ ସେଇଥିପାଇଁ ଲାଜରେ ତା ମୁହଁ ତଳକୁ ନଇଁଯାଉଛି, ତାଙ୍କରି କୋଳରେ ଆମେ ବଢ଼ିଥିଲୁ । ସେତେବେଳେ ଆମେ ଥିଲୁ ଭଡ଼ାଘରେ । ଘରଭଡ଼ା ମାସକୁ ସତୁରି ଟଙ୍କା । ସେଇତକ ଦେବାପାଇଁ ବାପାଙ୍କ ପାଖେ ପଇସା ନଥାଏ । ମ୍ୟୁନିସିପାଲ୍‌ ଅଫିସରେ ବାପା କିରାଣି । ଯାହା ଚାରିଶହ କି ସାଢ଼େ ଚାରିଶହ ଦରମା ମିଳେ, ସେଥିରେ ପାଞ୍ଚପ୍ରାଣୀ କୁଟୁମ୍ବ ଚଳିବା ବଡ଼ କଷ୍ଟ ।

 

ନବ ମଉସା ସାହିର ମୁରବୀ, ବଡ଼ ଲୋକ । ତାଙ୍କ ଘରେ ସବୁବେଳେ ଦରବାର ଜମେ-। ସାହିର ସବୁ ସାନ, ବଡ଼ ଲୋକ ସେଠାରେ ଏକ୍‌ଜୁଟ୍‌ ହୁଅନ୍ତି । ଧର୍ମନୀତିଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁ ସେଠାରେ ଆଲୋଚିତ ହୁଏ । ବ୍ୟକ୍ତିଗତ କଥାଠାରୁ ରାଷ୍ଟ୍ରର ନିୟମ-କାନୁନ ପର୍ଯ୍ୟନ୍ତ ସବୁ ବିଚାର ହୁଏ । ସବୁକଥାର ଶେଷରେ ଲୋକେ ନବ ମଉସାଙ୍କ ମୁହଁକୁ ଅନାଇ ବସନ୍ତି ନିଷ୍ପତ୍ତି ପାଇଁ । ତାଙ୍କ ମୁହଁରୁ ଯାହା ବଚନ ବାହାରିଲା, ତାହା ବେଦର ଗାର । ଆଲୋଚନା ସେତିକିରେ ବନ୍ଦହୁଏ ।

 

ଅନେକ ଦିନ ତଳର କଥା । ସାହିରେ ମନ୍ଦିରଟିଏ ନଥିବାରୁ ଲୋକଙ୍କ ମନରେ ବଡ଼ ଦୁଃଖ । ଲୋକେ ନିଜ ପେଟରୁ କାଟି ଚାନ୍ଦା ସଂଗ୍ରହ କରୁଥା’ନ୍ତି । ଦେବକାର୍ଯ୍ୟ, ଧର୍ମାର୍ଥ, ପରମାର୍ଥ କଥାରେ କିଏ କାହିଁକି ବାରଣ କରିବ । ସବୁଦିନ ସନ୍ଧ୍ୟାରେ ସଭା ବସେ ନବ ମଉସାଙ୍କ କଚେରି ଘରେ । କିଏ କ’ଣ କଲା, କିଏ କେତେ ଟଙ୍କା ଚାନ୍ଦା ଆଦାୟ କଲା, ସବୁ ଚର୍ଚ୍ଚା ହୁଏ । ଟଙ୍କା ଗଣତି ହୋଇ ମଉସାଙ୍କ ପାଖରେ ଜମାରହେ । ତାଙ୍କ ଉପରେ ଲୋକଙ୍କର ଅଗାଧ ବିଶ୍ୱାସ । କେହି କେବେ ତାଙ୍କଠାରୁ ରସିଦ୍‌ ମାଗେନାହିଁ । ଜମା ଟଙ୍କାର ହିସାବ ଖାତାରେ ଚଢ଼େ । ଠାକୁରଙ୍କ ଲୁହା ଆଲମିରାରେ ଟଙ୍କା ଜମାହୁଏ ।

 

ମନ୍ଦିରର ପୁନାଦି ପଡ଼ିବାଠାରୁ କାନ୍ଥ ଉଠିବା ପର୍ଯ୍ୟନ୍ତ ସବୁକାମ ମଉସା ତଦାରଖ କରୁଥିଲେ । ଟଙ୍କା ଯେମିତି ଧୀରେ ଧୀରେ ଜମାହେଉଥିଲା, କାମ ମଧ୍ୟ ସେମିତି ଧୀରେ ଧୀରେ ଆଗୋଉଥିଲା । ମନ୍ଦିର ବେଢ଼ାରେ ସେ ନିଜେ ଲଗାଇଥିବା ଚାରାଗଛଗୁଡ଼ିକରେ କ୍ରମେ ଜୀବନ ଖେଳିଗଲା । ଫୁଲ, ଫଳରେ ସେଗୁଡ଼ିକ ଭରପୂର ହେଲେ । ବେଢ଼ା ଭିତରେ ଥିବା ବାମ୍ଫୀରେ କାଚକେନ୍ଦୁ ପରି ପାଣି । ସକାଳୁ, ସଞ୍ଜରେ ଠାକୁର ଧୂପଲାଗି ହେଲାବେଳେ ମଉସା ମନ୍ଦିରର ଗୋଟିଏ କୋଣରେ ଠିଆହୋଇ ରାଧାମାଧବ ଯୁଗଳମୂର୍ତ୍ତିଙ୍କୁ ଏକ ଧ୍ୟାନରେ ସଜଳ ନୟନରେ ଚାହିଁବା ସମସ୍ତେ ଦେଖନ୍ତି ।

 

ମନ୍ଦିର ତିଆରି କାର୍ଯ୍ୟରେ ଲୋକଙ୍କୁ ନେତୃତ୍ୱ ଦେବାପାଇଁ ନବଘନ ମହାପାତ୍ରେ ପ୍ରଥମେ ରାଜିହେଉନଥିଲେ । ଲୋକେ ତାଙ୍କୁ ନାସ୍ତିକ ବୋଲି କହିଥା’ନ୍ତି । ସେ ଉପରଠାଉରିଆ ଭାବେ ଭଗବାନରେ ବିଶ୍ୱାସ କରନ୍ତି ନାହିଁ । ମୂର୍ତ୍ତିପୂଜାରେ ମଧ୍ୟ ତାଙ୍କର ବିଶ୍ୱାସ କମ୍‌ । ପୂଜା, ଉପଚାର ସବୁ ଲୋକଦେଖାଣିଆ ଧର୍ମ ବୋଲି ତାଙ୍କର ବିଶ୍ୱାସ । ଧର୍ମପ୍ରାଣ ବୋଲି ବାହାରକୁ ଦେଖାଇହେଉଥିବା ଲୋକଗୁଡ଼ାକ ବେଶୀ ଭଣ୍ଡ ବୋଲି ସେ କହିଥା’ନ୍ତି । ଭଗବାନ ଭକ୍ତର ବିଶ୍ୱାସର ମୂଳ । ହରି ହରି ଡାକଦେଇ, ମାଳା ଜପି ଯଦି ପିଣ୍ଡ ଶୁଦ୍ଧି ନ ହେଲା, ତେବେ ସେ ଧର୍ମରେ କି ଲାଭ ! ମୁହଁରେ ଧର୍ମକଥା କହି ଯେ ସବୁବେଳେ ପରର କୁତ୍ସା ଓ ସର୍ବନାଶ କଥା ଚିନ୍ତା କରୁଥାଏ, ତା’ଠାରୁ ବଳି ମାରାତ୍ମକ ପାପୀ ଆଉ କେହି ନୁହେଁ ।

 

ଏସବୁ ସତ୍ତ୍ୱେ ନବ ମଉସା ଲୋକଙ୍କର ଅଳି ଏଡ଼ିପାରିନଥିଲେ ।

 

—ସବୁ କଥାରେ ତ ଏ ସାହିଲୋକେ ଆପଣଙ୍କୁ ନେତା କରିଛନ୍ତି, ଆଉ ଏତିକିବେଳକୁ ଓହରିଗଲେ କେମିତି ହେବ ! ପୂଜା-ପର୍ବରେ ଏ ସାହିର ଝିଅ, ବୋହୂ ଅନ୍ୟ ସାହିକୁ ଯିବେ । ଏକଥା କ’ଣ ଆପଣଙ୍କର ପସନ୍ଦ ହେଉଛି ! ଗତବର୍ଷ ଦୋଳରେ ବିଶନ୍‌ପୁରିଆ ଆମକୁ କେମିତି ବେଜିତ୍‌ କଲେ, ସେକଥା କ’ଣ ଆପଣଙ୍କୁ ଜଣାନାହିଁ !

 

—ସେସବୁ ସତ; କିନ୍ତୁ ତୁମେ ତ ଜାଣ ମୋର ଏସବୁ କଥାରେ ବିଶ୍ୱାସ ନାହିଁ । ମୁଁ କେବେ ମନ୍ଦିରକୁ ଯାଏନାହିଁ କି ପୂଜା ଓପାସରେ ମୋର ବିଶ୍ୱାସ ନାହିଁ । ମୋ ଭଳି ନାସ୍ତିକ ହାତରେ ମନ୍ଦିର ତିଆରିବା ଦାୟିତ୍ୱ ତୁମେମାନେ ଯେ କାହିଁକି ଦେଉଛ ମୁଁ ବୁଝିପାରୁନାହିଁ ।

 

—ଆମର କିନ୍ତୁ ଆପଣଙ୍କ ଉପରେ ବିଶ୍ୱାସ । ଆପଣ ନେତୃତ୍ୱ ନନେଲେ ଏ ମନ୍ଦିର ହୋଇପାରିବ ନାହିଁ ।

 

—ତେବେ ମୁଁ ଯାହା କହିବି ହେବ । ମୋ କଥାର ପାଳନ ନହେଲେ ତୁମେ ଯାହା ଇଚ୍ଛା ତାହା କର; କିନ୍ତୁ ମତେ ଆଉ ଡାକିବ ନାହିଁ ।

 

ଲୋକମାନେ ସମସ୍ୱରରେ କହିଲେ, ‘‘ଆପଣ ଯାହା କହିବେ ତାହାହିଁ ହେବ । ମନ୍ଦିର କମିଟି ଖାଲି ନାଁକୁ ରହିବ । ଆପଣ ଯାହାକୁ କହିବେ ସିଏ ତା’ର ସଭ୍ୟ ହେବ । ଆପଣ ସଭାପତି ହିସାବରେ ସବୁ ନିଷ୍ପତ୍ତି ନେବେ......ସବୁକାମ କରିବେ ।’’

 

କେବଳ ଲୋକମାନେ ନିଜ ଖୁସିରେ ସ୍ୱତଃପ୍ରବୃତ୍ତ ହୋଇ ଯାହା ଚାନ୍ଦା ଦେବେ, ସେଇ ଚାନ୍ଦାରେ ମନ୍ଦିର ତିଆରି ହେବ—ଜମିଦାର, କଣ୍ଟ୍ରାକ୍ଟର, ରାଜନୈତିକ ନେତା ବା କଳାବଜାରୀ ବେପାରୀ କିମ୍ବା ଲାଞ୍ଚଖୋର ଅଫିସରଙ୍କ ମୋଟା କଳା ଟଙ୍କାରେ ନୁହେଁ । ଏହି ସର୍ତ୍ତର ଖିଲାଫ ହେଲେ, ତେଣିକି ତୁମେ ତୁମକଥା ବୁଝିବ । ମତେ ଆଉ କହିବ ନାହିଁ ।

 

ଲୋକମାନେ ନବ ମଉସାଙ୍କୁ ଭଲ କରି ଚିହ୍ନିଥିଲେ । ତାଙ୍କ କଥାରୁ ଟିକେ ଏପାଖ ସେପାଖ ହେଲେ ସେ ନଛୋଡ଼ବନ୍ଧା । ସମସ୍ତେ ଡରିମରି ତାଙ୍କ କଥାରେ ହଁ ଭରିଲେ । ୟେ ବା କି ମନ୍ଦ କଥା ! ଚୋରା ଧନରେ ଠାକୁରଙ୍କ ଘର ତିଆରି ହେବ ! ତା’ ଠାରୁ ବଳି ଅନ୍ୟାୟ ଆଉ କଣ ଥାଇପାରେ ! ଗରିବ ଲୋକମାନେ ଟଙ୍କାଏ ଟଙ୍କାଏ ଦେଲେ ଠାକୁରଙ୍କ କୃପାରୁ କିଛି ଅଭାବ ରହିବ ନାହିଁ । ଲୋକଙ୍କର ଆତ୍ମବିଶ୍ୱାସକୁ ନେଇ ଗଢ଼ା ସେଇ ମନ୍ଦିର କାଳ-କାଳକୁ ରହିବ । ଚୋରା ଧନରେ ତିଆରି ମନ୍ଦିର ବେଶିଦିନ ତିଷ୍ଠିପାରିବ ନାହିଁ ।

 

ମଉସାଙ୍କ କଥା ଅନୁଯାୟୀ କାମ ହେବାପାଇଁ ଠିକ୍‌ ହେଲା । ଶୁଭ ଅନୁକୂଳ ହୋଇ ଠାକୁରଘର ନିଆଁ ଖୋଳାହେଲା । ପୁନାଦି ପଡ଼ିଲା । ଲୋକଙ୍କ ସହଯୋଗର ଅଭାବ ନଥିଲା । ନବ ମଉସା ହଠାତ୍‌ ନାସ୍ତିକରୁ ଭକ୍ତରେ ପରିଣତ ହୋଇଗଲେ । ସେ ମନ୍ଦିର ବେଢ଼ା ଚାରିପାଖ ବୁଲି ମିସ୍ତ୍ରୀ, ବଢ଼େଇ ଓ ମଜୁରିଆଙ୍କ କାମ ତଦାରଖ କଲାବେଳେ ଲୋକମାନେ କୁହାକୁହି ହୁଅନ୍ତି,–‘ବାଇମୁଣ୍ଡିକି କଟକ ଚିନ୍ତା’ । ବାସ୍ତବରେ ନବ ମଉସାଙ୍କ ଜୀବନରେ ଦେଖାଦେଇଥିଲା ଏକ ବିଚିତ୍ର ପରିବର୍ତ୍ତନ ।

 

ଏସବୁ ସତ୍ତ୍ୱେ ଲୋକମାନଙ୍କ ଆଗ୍ରହ ବେଶୀ ଦିନ ତିଷ୍ଠି ପାରିଲା ନାହିଁ । ରାଧାମାଧବ ମୂର୍ତ୍ତି ଯେଉଁଦିନ ଅସମ୍ପୂର୍ଣ୍ଣ ମନ୍ଦିରରେ ସ୍ଥାପିତ ହୋଇ ପୂଜା ପାଇଲେ, ସେହିଦିନ ପରଠାରୁ ଲୋକମାନଙ୍କ ଉତ୍ସାହ ଧୀରେ ଧୀରେ କମିଗଲା । ଏହି କଥାଟି ବୁଝିବାପାଇଁ ମଉସାଙ୍କର ଡେରିହେଲା ନାହିଁ । ତଥାପି ସେ ଲୋକଙ୍କ ଉପରେ ଭରସା ରଖି ନିଜ କାମରେ ଲାଗିପଡ଼ିଥିଲେ । ମଉସାଙ୍କର ଅତି ଆପଣାର କେଇଜଣ ଖାଲି ମାଟି କାମୁଡ଼ି ତାଙ୍କ କଥାରେ ରହିଥିଲେ ।

 

କିନ୍ତୁ ଭାଷଣ ମଉସାଙ୍କ ସ୍ୱପ୍ନ ଭାଙ୍ଗିବାପାଇଁ ବେଶି ସମୟ ଲାଗିଲା ନାହିଁ । ଯେଉଁ ଲୋକମାନଙ୍କୁ ସେ ବିଶ୍ୱାସ କରି, ନିଜର ସବୁକିଛି ତାଙ୍କପାଇଁ ତ୍ୟାଗ କରିଥିଲେ, ସେମାନେ ଯେ ତାଙ୍କୁ ଏପରି ଠକିଦେଇଯିବେ ତାହା ସେ କଳ୍ପନା କରି ନଥିଲେ । ତାଙ୍କ ମୁହଁରୁ କଥା ପଦିଏ ବାହାରିଲେ, ଯେଉଁମାନେ ଜୀବନ ପଣ କରିବାପାଇଁ ବାହାରି ପଡ଼ୁଥିଲେ, ସେମାନେ ଶେଷରେ ତାଙ୍କ ମୁହେଁ ମୁହେଁ ଜବାବ୍‌ ଦେଇପାରିଲେ ! ତାଙ୍କୁ ଅବିଶ୍ୱାସ କଲେ ।

 

ସେ ଦିନର ସଭା ନିହାତି ଗୁରୁତ୍ୱପୂର୍ଣ୍ଣ । ମୁଣ୍ଡ ଉପରେ ନିର୍ବାଚନ । ଭୋଟ ହେବା ପୂର୍ବରୁ ମନ୍ଦିର ମୁଣ୍ଡି ମାରିବା ଉଚିତ । ନବଘନ ମହାପାତ୍ରେ ଜିଣିଲେ ଧୁମ୍‌ଧାମରେ ସେଦିନ ଭୋଜି ହେବ; କିନ୍ତୁ ମନ୍ଦିର କାମ ବା ସରିବ କେମିତି ! ଲୋକଙ୍କ ମନରେ ଆଗର ସେ ଉତ୍ସାହ ନାହିଁ । ପଇସା ଦେବାପାଇଁ କାହାର ଆଉ ଆଗ୍ରହ ନାହିଁ । କିଏ କେଉଁ ଆଳରେ ବାଟକାଟି ଚାଲିଯାଉଛନ୍ତି । ଲୋକଙ୍କ ଭିତରେ ମଧ୍ୟ ଟିକିଏ ଫୁସ୍‌ଫାସ୍‌, କାନ କୁହାକୁହି ଚାଲିଥିଲା । ସେଇଟା ଲୋକଙ୍କର ସ୍ୱଭାବ । ତାଙ୍କ ପାଟିକୁ କିଏ ବନ୍ଦକରି ପାରିବ ! ଏତେଗୁଡ଼ାଏ ଟଙ୍କା, ଏତେବର୍ଷ ଧରି ସଂଗ୍ରହ କରାଗଲା । ଲୋକେ ପେଟରୁ କାଟି ମନ୍ଦିର ପାଇଁ ଚାନ୍ଦା ଦେଲେ । ତାହାର ହିସାବ କାହିଁ ! ଯେଉଁଦିନ ଏ କଥାଟି ମଉସାଙ୍କ କାନରେ ପଡ଼ିଲା ସିଆର ପରି ମୋଟା ମୋଟା ଦାଗରେ ତାଙ୍କର କପାଳ ରେଖାଙ୍କିତ ହେଲା । ତାଙ୍କ ପାଦତଳୁ ମାଟି ଧସିଗଲା ପରି ସେ ଅନୁଭବ କଲେ ।

 

ସେଦିନ ସଭାରେ ଯିଏ ମଉସାଙ୍କୁ ଦେଖିଥିବ, ସେ ନିଶ୍ଚୟ ତାଙ୍କ ଭିତରର ଘାତ-ପ୍ରତିଘାତକୁ ବୁଝିପାରିଥିବ । ସେ ଅସ୍ୱାଭାବିକ ଗମ୍ଭୀର ଦେଖାଯାଉଥିଲେ । ତାଙ୍କର ସବୁବେଳର ସେଇ ଲାଲ ଆଖି ଦୁଇଟି ଯେମିତି ଦୁଇଟି ଜ୍ୱଳନ୍ତ ଅଗ୍ନି ଗୋଲକ ।

 

—ବିଶ୍ୱାସର ଅନ୍ୟ ନାମ ଭଗବାନ । ବିଶ୍ୱାସରେ ଗରଳ ପାନକଲେ ମଧ୍ୟ ତାହା ଅମୃତ; କିନ୍ତୁ ଅବିଶ୍ୱାସର ଅମୃତ ଗରଳଠାରୁ ହୀନ—ଜଘନ୍ୟ । ମନ୍ଦିର ତିଆରିରେ ଯାହାସବୁ ତ୍ରୁଟିବିଚ୍ୟୁତ ଘଟିଛି ସେଥିପାଇଁ ମୁଁ ଦାୟୀ । ମୁଁ ଆଉ ଅଧିକ କିଛି କହିବାକୁ ଚାହେଁନାହିଁ । ତୁମେମାନେ ଯାହା ଠିକ୍‌ ବିଚାରୁଛ କରିପାର । ମୋର ଆଜିଠାରୁ ମନ୍ଦିର ସହିତ କୌଣସି ସଂପର୍କ ନାହିଁ । ମୁଁ ମାଟି ପଥରର ଭଗବାନରେ ବିଶ୍ୱାସ କରେନାହିଁ । ଯେଉଁମାନଙ୍କୁ ଭଗବାନ ଭାବି ମୋର ସବୁକିଛି ତାଙ୍କରି ପାଇଁ ତ୍ୟାଗ କରିବାକୁ ପଶ୍ଚାତ୍‌ପଦ ହୋଇନାହିଁ, ସେହି ଭଗବାନ ଯେ ଏତେବଡ଼ ଅବିଶ୍ୱାସୀ…….ସ୍ୱାର୍ଥପର, ସେ ଧାରଣା ମୋର ନଥିଲା । ବର୍ତ୍ତମାନ ମୁଁ......

 

ଭାଷଣ ମଉସା ଥରେ କହିବାକୁ ଠିଆହେଲେ ଅନର୍ଗଳ ବାଣ ଫୁଟିଲାପରି ବଚନ ବାହାରେ । ସେ ଭାଷଣ ସହଜରେ ବନ୍ଦ ହେବାର ନୁହେଁ । ନୂଆ ନେତାମାନେ ଯେଉଁମାନେ ଲୋକଙ୍କୁ ଜଳଖିଆ ଦେଇ ଆଉ କିଛି ଭବିଷ୍ୟତ ପ୍ରତିଶ୍ରୁତି ଦେଇ ସଭାକୁ ଆଣିଥିଲେ, ସେମାନେ ପ୍ରମାଦ ଗଣିଲେ । ଏଭଳି ଜ୍ୱାଳାମୟୀ ଭାଷଣ ଜ୍ୱାଳାରେ ଆଉ ଅଳ୍ପ ସମୟ ରହିଲେ କଠିନ-ହୃଦୟ ଲୋକେ ମଧ୍ୟ ତରଳିଯିବେ । ନେତାମାନେ ପ୍ରମାଦ ଗଣିଲେ । ଆଉ ଡେରି କରିବା ଉଚିତ ହେବନାହିଁ । ଦୁଇ ଚାରିଜଣ ପରସ୍ପରକୁ ଠରାଠରି ହେଲେ ।

 

—‘ଜନତାର ଅନୁମତି ହେଲେ ମୁଁ କିଛି କହିବି ।’ —ଜଣେ ଠିଆ ହେଲା ।

 

କୁହନ୍ତୁ...କୁହନ୍ତୁ । ଏ ସଭା ସମସ୍ତଙ୍କର...ଜନତା-ଜନାର୍ଦ୍ଦନର । ଜଣଙ୍କର ନୁହେଁ..କୌଣସି ବ୍ୟକ୍ତିବିଶେଷର ନୁହେଁ । କ’ଣ କୁହାଯିବ ତାହା ଆଗରୁ ରିହର୍‌ସାଲ ସରିଥିଲା । କଥାଟି ଠିକ୍‌ ଜମିଗଲା ।

 

ପ୍ରଥମ ବ୍ୟକ୍ତି ଆରମ୍ଭ କଲେ—ଆପଣ ଆମପାଇଁ ବହୁତ ସ୍ୱାର୍ଥତ୍ୟାଗ କରିଛନ୍ତି, ଆମେ ମାନୁଛୁ; କିନ୍ତୁ ଆଜିଯାଏ ମନ୍ଦିର କାମ ସରିଲାନାହିଁ । ଶୀତ-କାକରରେ ରାଧାମାଧବ ସଢ଼ୁଛନ୍ତି । ଲୋକେ ତାଙ୍କ ପେଟ କାଟି ଯେଉଁ ଟଙ୍କା ଦେଲେ, ତା’ର ହିସାବ ଜାଣିବାପାଇଁ ସେମାନେ ହକ୍‌ଦାର-

 

—‘ହଁ ଆମ ଟଙ୍କାର ହିସାବ ଦରକାର...ଆମ ଟଙ୍କାର ହିସାବ ।’ —ଦୁଇଚାରି ଜଣ ପାଟିକଲେ ପଛରୁ ।

 

—‘ପ୍ରତ୍ୟେକ ପଇସାର ହିସାବ ଅଛି । ତୁମେମାନେ ଦେଖିପାର ।’ ଏହା କହି ମଉସା ଚେକ୍‌ବହି ଆଉ ହିସାବଖାତା ଜଣଙ୍କ ମୁହଁ ଉପରେ ଫୋପାଡ଼ିଦେଲେ ।

 

—‘ଏତେ କଥାରୁ ଆମର କ’ଣ ମିଳିବ ଯେ ! ଆମର ମନ୍ଦିର ଦରକାର । ଆପଣ ହେଲେ ବଡ଼ଲୋକ । ଆପଣ ଚାହିଁଲେ….. ।’ ଟୋକା ଦି’ଚାରି ଜଣ ବିକୃତ ହସ ସୃଷ୍ଟି କଲେ ।

 

ଏସବୁ ପାଇଁ ମଉସା ଆଗରୁ ପ୍ରସ୍ତୁତ ନଥିଲେ । ତାଙ୍କ ବିରୁଦ୍ଧରେ ତାଙ୍କ ପ୍ରତିଦ୍ୱନ୍ଦୀ ବୃନ୍ଦାବନ ଶତ୍ରୁଶଲ୍ୟ ଯେ ଷଡ଼ଯନ୍ତ୍ର କରୁଛି ତାହା ସେ ଶୁଣିଥିଲେ । ସେ ଟଙ୍କା ଦେଇ ଏ ଭିତରେ ବହୁ ଲୋକଙ୍କୁ କିଣିସାରିଥିଲା । ତା’ର ପରାମର୍ଶରେ ଏ ସଭାଟି ଯେ ଆୟୋଜିତ, ଏକଥା ବୁଝିବାକୁ ଡେରି ହେଲାନାହିଁ । ସେ ସବୁକଥା ପାଇଁ ନିଜକୁ ପ୍ରସ୍ତୁତ କରି କହିଲେ—ତୁମେମାନେ ସବୁ ଚୁକ୍ତି ଖିଲାପ କରିଛ । ମୋ’ଠାରୁ କିଛି ଆଶା କର ନାହିଁ । ନିଜ ଚେଷ୍ଟାରେ ଯାହା ସମ୍ଭବ କର ।

 

ମଉକା ଉଣ୍ଡି ଆଉ ଜଣେ ପାଟିକରି କହିଲା—ଆମର ପରିଶ୍ରମ କରିବା କିଛି ଦରକାର ନାହିଁ । ନିର୍ବାଚନ ବେଳ, ଲୋକେ ମନ୍ଦିର କରାଇଦେବାପାଇଁ ଆଗଭର ହୋଇ ଆସୁଚନ୍ତି । ସବୁ ଖର୍ଚ୍ଚ ସେମାନେ ବହନ କରିବେ ।

 

—‘ବେଶ୍‌ ଭଲ କଥା । ତେବେ ଯାଅ ସେମାନଙ୍କ ପାଖକୁ, ଯେଉଁମାନେ ତୁମ ମନ୍ଦିର ଗଢ଼ି ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ଏଠାକୁ ଆସିଛ କାହିଁକି ?’ ମଉସାଙ୍କର ଆହତ ବ୍ୟକ୍ତିତ୍ୱ ଗର୍ଜିଉଠିଲା ।

 

—ସେ କଥା ଆମକୁ ଶିଖାଇବାକୁ ପଡ଼ିବନାହିଁ । କେଉଁଠାକୁ ଯିବାକୁ ହେବ ଆମେ ଜାଣୁ । ଆପଣ ନିର୍ବାଚନ ଲଢ଼ୁଛନ୍ତି, ଆପଣ ଆମ ନିଜ ଲୋକ…...ଆପଣ କ’ଣ ଆମ ପାଇଁ ମନ୍ଦିରଟିର କାମ ପୁରା କରିବା ଦାୟିତ୍ୱ ନେଇପାରିବେନାହିଁ ।

 

—‘ନାଁ, କେବେ ନୁହେଁ । ଯଦି ସେଭଳି ଆଶା ନେଇ ଆପଣମାନେ ଏଠାକୁ ଆସିଥା’ନ୍ତି ତେବେ ଆପଣମାନଙ୍କୁ ମୋର ନମସ୍କାର ।’’ ମଉସା ଆଉ କିଛି କହିପାରିଲେ ନାହିଁ । କ’ଣ ଗୋଟାଏ ଯେମିତି ତାଙ୍କ ଗଳାରେ ଅଟକିଗଲା । ତାଙ୍କର ସେ ବଡ଼ ବଡ଼ ଆଖି ଦୁଇଟାରେ ଲୁହ ଭରିଆସିଲା ।

 

X X X

 

ମୋର ସଂଧ୍ୟାବେଳେ ପହଞ୍ଚିବା କଥା ମଉସାଙ୍କ ଘରେ । ତାଙ୍କ ଝିଅ ସୁନୀତା ହାତରେ ମୁଁ ସେଭଳି ଖବର ଦେଇଥିଲି । ସେ ଘର ବଦଳାଇ ଛୋଟ ଭଡ଼ା ଘରକୁ ଚାଲିଯିବା ପରେ ମୋ ଘରଠାରୁ ତାଙ୍କ ଘରର ଦୂରତ୍ୱ ଯୋଗୁଁ ହେଉ ବା ଅନ୍ୟ କୌଣସି କାରଣ ଯୋଗୁଁ ହେଉ, ମୁଁ ଅନେକ ଦିନଧରି ତାଙ୍କ ଘରକୁ ଯାଇପାରିନଥିଲି । ମୋର କାମର ବୋଝ ମଧ୍ୟ ଅସମ୍ଭବ ଭାବରେ ବଢ଼ିଯାଇଥିଲା । କୋର୍ଟରୁ ଫେରି ଅଫିସରେ ମହକିଲମାନଙ୍କ ଦ୍ୱାରା ଆକ୍ରାନ୍ତ ହୁଏ; ଅଣନିଶ୍ୱାସୀ ହୋଇପଡ଼େ ବେଳେବେଳେ ।

 

ତାଙ୍କ କଥା ଯେ ମନେ ନପଡ଼େ ଏମିତି ନୁହେଁ; କିନ୍ତୁ ବହୁକାମ କରିବାପାଇଁ ଇଚ୍ଛା ପ୍ରକାଶ କରି ମଧ୍ୟ କରି ହୁଏନାହିଁ । ଏ କଥାଟି ଏଡ଼େ ସରଳ ଯେ କାହାକୁ ବୁଝାଇବା ହୁଏତ ଦରକାର ନୁହେଁ ।

 

ମଉସା ଯେ ନିର୍ବାଚନରେ ହାରିବେ ସେ କଥା ସେ ନିଜେ ଜାଣିଥିଲେ । ‘‘ପରାଜୟ ସ୍ୱୀକାର କରିବାରେ ମୋର ଦୁଃଖ ନାହିଁ । ଦୁର୍ଜେୟ ଦୁର୍ବିନୀତ ଜୀବନର ସ୍ୱାଦ ଚାଖିଲା ପରେ ଏଭଳି ପରାଜୟ ସର୍ବନାଶର ବାର୍ତ୍ତାବହ ହେବ ବୋଲି ଯେଉଁମାନେ ଆଶା ପ୍ରକାଶ କରିଥିଲେ, ସେମାନଙ୍କ ମୁହଁ ଉପରେ ମୁଁ ତାଚ୍ଛଲ୍ୟର ହସ ହସିବାକୁ ଚାହେଁ ।’’

 

ମୁଁ ଜାଣିଥିଲି ମଉସାଙ୍କ ସମସ୍ତ ସମ୍ପତ୍ତି ମର୍ଟଗେଜ୍‌ ହୋଇଯାଇଥିଲା । ତାଙ୍କର ଘର ନିଲାମ ହେବାପାଇଁ ନୋଟିସ୍‌ ଦିଆସରିଥିଲା । ତଥାପି ସେ ହତୋତ୍ସାହ ହୋଇନଥିଲେ । ବେଳେବେଳେ ବହୁଦିନ ଧରି ଟୋପାଏ ମଦ ପିଇବାକୁ ନ ପାଇ ସେ ପାଗଳ ଭଳି ପ୍ରଳାପ କରନ୍ତି-। ନାନା ଅଶ୍ଳୀଳ ଭାଷାରେ ସମସ୍ତଙ୍କୁ ବକାବକି କରନ୍ତି । ପୃଥିବୀକୁ, ସ୍ୱର୍ଗକୁ—ଏପରିକି ଦେବତାମାନଙ୍କୁ ମଧ୍ୟ ସେ ବାଦ୍‌ ଦିଅନ୍ତି ନାହିଁ । ମଣିଷର ଆତ୍ମକଥା ଆତ୍ମରତିର ଅଶ୍ଳୀଳ ନଗ୍ନ ରୂପଟାକୁ ଘୋଡ଼ାଇବା ପାଇଁ ସୁନ୍ଦର ପାଟବସ୍ତ୍ରଟିଏ ଭଗବାନ । ମନ୍ଦିର ଗଢ଼ିବାରେ ଜୀବନର ଯେଉଁ ମୁହୂର୍ତ୍ତଗୁଡ଼ିକ ସେ ବିନିଯୋଗ କରିଥିଲେ ସେଗୁଡ଼ିକ ଗୋଟିଏ କିମ୍ଭୂତ ଭୂତ ହୋଇ ତାଙ୍କ ମୁଣ୍ଡରେ ସବାର ହୋଇଥିଲେ । ଡିସମ୍ବର ମାସର ଅସମ୍ଭବ ଶୀତରାତିରେ ମଦ୍ୟପାନ ଅଭାବରୁ ତୃଷିତ ଓ କମ୍ପିତ ତାଙ୍କ ସ୍ନାୟୁଗୁଡ଼ିକ ଶୀତଳ କରିବାପାଇଁ ଗାଧୁଆଘରେ ପଶି ସେ ଢେର୍‌ ଗାଧୋଇଥିଲେ । ଆଉ ସେମିତି ଥରି ଥରି ଗାଧୁଆଘରୁ ଫେରିଆସି ଶୀତାକ୍ରାନ୍ତ ଡିସମ୍ବରର ମଧ୍ୟରାତ୍ରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସୁନ୍ଦର ଦାରୁମୂର୍ତ୍ତିରେ ସେ ନିଆଁ ଲଗାଇ ଦେଇଥିଲେ । ତାଙ୍କ ପାଟିରୁ ସେତେବେଳେ ଉଚ୍ଚାରିତ ହୋଇଥିଲା—‘‘ଯାଅ ଜଗନ୍ନାଥ । ତୁମ୍ଭଙ୍କୁ ମୁଁ ପାପ, ଶଠତା ଓ ଭ୍ରଷ୍ଟାଚାରର ବନ୍ଧନରୁ ମୁକ୍ତକଲି । ଆଜିର କୁତ୍ସିତ, କଦାକାର ଓ ଗଳିତ ମଣିଷର ମୁହଁକୁ ଘୋଡ଼ାଇପକାଇବା ତୁମଭଳି ସୁନ୍ଦର ମୁଖା ଅତି ମାରାତ୍ମକ ଭାବେ କ୍ଷତିକାରକ ।’’

 

ମାସ ଦୁଇତିନିଟାରେ ମଉସାଙ୍କୁ କେମିତି ଗୋଟିଏ ଅସମ୍ଭବ କ୍ଲାନ୍ତି ଓ ମୁଣ୍ଡବିନ୍ଧା ଆକ୍ରମଣ କରି ବସିଥିଲା । ରାତିରେ ନିଦରୁ ଉଠି ସେ ଭାଷଣ ଦେଉଥିଲେ ତାଙ୍କର ଅଦୃଶ୍ୟ ଓ ଅନିର୍ଦ୍ଦିଷ୍ଟ ଶ୍ରୋତାମାନଙ୍କୁ । ଗୋଟିଏ ଅଦ୍‌ଭୁତ ରୋଗ ତାଙ୍କୁ ଗ୍ରାସ କରିଥିଲା । ସେ ସବୁବେଳେ ଗୋଟିଏ ଧାରଣାର ବଶବର୍ତ୍ତୀ ହୋଇଥିଲେ ଯେ, ତାଙ୍କ ଆଗରେ ସହସ୍ର ସହସ୍ର ଜନତା । ଆହ୍ୱାନ ଆସିଛି ତାଙ୍କୁ ଭାଷଣ ଦେବାପାଇଁ ହେବ । ତା’ପରେ ଅନର୍ଗଳ ଭାଷଣ ଚାଲେ । ସେ ଭାଷଣର ଏକମାତ୍ର ଶ୍ରୋତା ତାଙ୍କ ଝିଅ ସୁନୀତା । ମଉସାଙ୍କର ଏ ଦୁଃଖ ସମୟରେ ସମସ୍ତେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ । ମାଉସୀ କାଳର କରାଳ ସ୍ରୋତରେ ଭାସିଗଲେ । ଅଭୟ ଯେ ଥିଲା ଏକମାତ୍ର ସମ୍ବଳ, ସେ ବିଦେଶରେ । ଯାହାକିଛି ସ୍ଥାବର ଅସ୍ଥାବର ସମ୍ପତ୍ତି ଥିଲା, ସେ ସବୁ ବିକ୍ରିକରି ବା ମର୍ଟଗେଜ୍‌ ଦେଇ ମଉସା ପୁଅକୁ ବିଦେଶ ପଠାଇଥିଲେ ।

 

ମଣିଷ-ସମାଜ ଉପରେ ମଉସାଙ୍କର ସମସ୍ତ ଅବିଶ୍ୱାସ ଓ ଅଭିସମ୍ପାତ୍‌କୁ ଦୃଢ଼ୀଭୂତ କରି ଅଭୟ ମଧ୍ୟ ତାଙ୍କୁ ଠକିଦେଲା । ତା’ଠାରୁ ଆଉ ଚିଠିର ଉତ୍ତର ମିଳେନାହିଁ । ବିଦେଶରେ ସେ ବେଶ୍‌ ଖୁସିରେ ଅଛି । ମେମ୍‌ଟିଏ ବାହା ହୋଇ, ଛୁଆପିଲା ଧରି ଆରାମ ଓ ଐଶ୍ୱର୍ଯ୍ୟରେ ଦିନ କାଟୁଛି । ଦେଶକୁ ଫେରି ଲାଭ କ’ଣ ? ସେଭଳି ଅର୍ଥ ଓ ଐଶ୍ୱର୍ଯ୍ୟ ତ ସେ ପାଇବ ନାହିଁ.....ତା’ପରେ ଫେରିବ ଏକ ବିଧ୍ୱସ୍ତ ଅବଲୁପ୍ତପ୍ରାୟ ପରିବାରକୁ…...ଆଉ ଏକ ଅର୍ଦ୍ଧପାଗଳ ପିତା ପାଖକୁ !

 

ହୁଏତ ଏଭଳି ଏକ ଚରମ ବିଶ୍ୱାସଘାତକତା ପାଇଁ ମଉସା କେବେ ପ୍ରସ୍ତୁତ ନ ଥିଲେ । ତାଙ୍କର ପାଗଳାମି ପାଇଁ ଅଭୟ କମ୍‌ ଖୋରାକ ଯୋଗାଇ ନଥିଲା ।

 

ଜୁନ୍‌ ମାସର ଉତ୍ତପ୍ତ ଅବସନ୍ନ ସନ୍ଧ୍ୟା ।

 

ତାଙ୍କ ଘରେ ପହଞ୍ଚି ପ୍ରଥମେ ଦେଖିଲି ସୁନୀତାକୁ । ବାହାର ପିଣ୍ଡାରେ ବସି ସେ ତାର ଚିରା ଫ୍ରକ୍‌ଟିରେ ତାଳି ପକାଉଥିଲା ବୋଧହୁଏ । ମତେ ଦେଖି ଲାଜରେ ସେଇଟିକୁ ଲୁଚାଇଦେବାକୁ ଚେଷ୍ଟା କରୁଥିଲା । ମୁଁ ମଧ୍ୟ ତା’ର କାମ ନ ଦେଖିଲା ପରି ମୁହଁ ବୁଲାଇଆଣିଲି । ସେ ଠିଆହୋଇପଡ଼ି ନମସ୍କାର ଜଣାଇଲା ।

 

ଘର ଭିତରୁ କେମିତି ଗୋଟିଏ ବିକଟାଳ ହସ ଶୁଣାଗଲା ।

 

—ମଉସାଙ୍କ ଦେହ କଣ ଭାରି ଖରାପ !

 

—କାଲି ରାତିସାରା ଶୋଇନାହାନ୍ତି । ଖାଲି କାଲି ରାତି କାହିଁକି, ଗତ ଅନେକ ରାତିରେ ସେ ଶୋଇନାହାନ୍ତି । ରାତିସାରା ବଡ଼ ପାଟିରେ ଭାଷଣ ଦେଉଛନ୍ତି । କେତେବେଳେ ଟିକିଏ ଆଖିପତା ଲାଗିଆସିଲେ ପୁଣି ବିକଟାଳ ଚିତ୍କାର କରି ଉଠିପଡ଼ୁଛନ୍ତି ।

 

—‘ତାଙ୍କ ସ୍ୱାସ୍ଥ୍ୟ ଏତେ ଖରାପ—କାହିଁ ଚିଠିରେ ତ ସେକଥା ସେ କିଛି ଲେଖି ନଥିଲେ-! ତୁ ମଧ୍ୟ କିଛି କହିଲୁ ନାହିଁ କାହିଁକି ?’ ସୁନୀତା ଆଖିରେ ଲୁହ ଜମିଆସିଥିଲା । ସେ କ’ଣ କହିବ କିଛି ଉତ୍ତର ଖୋଜି ପାଉନଥିଲା ବୋଧହୁଏ । ମୁଁ କହିଲି—ଡାକ୍ତର କିଏ ଦେଖୁଛନ୍ତି ?

 

—ଆମ ଅବସ୍ଥା କଣ ଆପଣଙ୍କୁ ଜଣାନାହିଁ ଯେ ଏକଥା ପଚାରୁଛନ୍ତି ? ଡାକ୍ତର ଡାକିବାକୁ ପାଖରେ ପଇସା କାହିଁ ! ବନ୍ଧୁବାନ୍ଧବ ସମସ୍ତେ ତ ଏତିକିବେଳେ ଦୂରେଇଗଲେ…... ଅଭୟ ଭାଇ ମଧ୍ୟ ଶେଷକୁ….. । ସେ ଆଉ କିଛି କହିପାରିଲା ନାହିଁ–କାନ୍ଦିପକାଇଲା ଅନାଥ ଶିଶୁଟିଏ ପରି ।

 

ମଉସା ବୋଧହୁଏ ତାଙ୍କ ବିକଟାଳ ସ୍ୱପ୍ନରାଜ୍ୟରୁ ଘଡ଼ିକପାଇଁ ଫେରିଆସିଥିଲେ । ଏମିତି ସ୍ୱାଭାବିକ ଅବସ୍ଥା ଘଡ଼ିକ ପାଇଁ ଆସି ପୁଣି ସେ ଅର୍ଦ୍ଧଚେତନ ପ୍ରଳାପ ଆଡ଼କୁ ଗତି କରନ୍ତି ।

 

—‘କିଏ ଆସିଛି ମା......ବାହାରେ କିଏ ସୁନୀତା !’ କେମିତି ଗୋଟିଏ ବିବ୍ରତ ଅସହାୟତାରେ ସେ ଯେମିତି ଭାଙ୍ଗିପଡ଼ୁଥିଲେ ।

 

ମୁଁ ଘର ଭିତରେ ପ୍ରବେଶ କରି ଆଲୁଅ ଲଗାଇଦେଲି, ନମସ୍କାର କଲି । ତାଙ୍କ ନିକଟକୁ ଯିବାକ୍ଷଣି ସେ ମୋ ହାତକୁ ଜାବୁଡ଼ି ଧରିଲେ । ସେ କଥା କହିବାକୁ ଚେଷ୍ଟା କଲେ । ତାଙ୍କ ଗଳାରେ କଫ ଜମିଯାଇଥିବା ମୁଁ ସ୍ପଷ୍ଟ ଜାଣିପାରିଲି ।

 

—ମୁଁ ତୁମଠାରୁ ପ୍ରତିଶ୍ରୁତି ଚାହେଁ, ମୋର ମୃତ୍ୟୁପରେ ଦାହବେଳେ ତୁମେ ମୁଖାଗ୍ନି ଦେବ । ତୁମଦ୍ୱାରା ହିଁ ମୋର ଶ୍ରାଦ୍ଧ ସଂସ୍କାର... । କିଛି ସମୟ ପରେ ପୁଣି ସେ କହିଲେ—ମତେ ଅପୁତ୍ରକ ଭାବେ ମରିବାକୁ ଦେବନାହିଁ ।

 

ତାଙ୍କର ତାହା ହିଁ ଥିଲା ଶେଷ ସଂଳାପ । ତା’ପରେ ଆସ୍ତେ ଆସ୍ତେ ହାତମୁଠା କୋହଳ ହୋଇଗଲା । ସୁନୀତା ଆଡ଼କୁ ସେ କେମିତି କରୁଣ ଆଖିରେ ଚାହିଁଲେ…...ପରମୁହୂର୍ତ୍ତରେ ଆସ୍ତେ ଆକାଶର ଅସଂଖ୍ୟ ତାରାରେ ଯେମିତି ସମ୍ମୋହିତ ହୋଇଗଲେ ମଉସା ।

Image

 

ନାଟକର ଦୁଇଟି ପାତ୍ର

 

ତାଙ୍କୁ ମୁଁ ହଠାତ୍‌ ଚିହ୍ନିପାରିଲି ନାହିଁ । ସତରେ ମଣିଷର ଚେହେରା ଯେ ଏତେ ଅଳ୍ପ ସମୟ ମଧ୍ୟରେ ଏମିତି ବଦଳିଯିବ, ସେ କଥା କେହି କଳ୍ପନା କରିପାରିବନାହିଁ । ସେ ବହୁଦିନ ଧରି ଦାଢ଼ି ଆଦୌ କାଟିନଥିଲେ । ଦେହର ପୋଷାକ ପ୍ରତି ମଧ୍ୟ ତାଙ୍କର ସେମିତି କିଛି ଯତ୍ନ ନଥିଲା । ମୁଣ୍ଡର ବାଳଗୁଡ଼ାକ ଅସ୍ୱାଭାବିକ ଭାବେ ଧଳା ପାଲଟିଯାଇଥିଲା । ତାଙ୍କୁ ଯେ ବୟସ ହୋଇ ନଥିଲା, ଏପରି ନୁହେଁ । ସେ ଚାକିରିରୁ ଅବସର ନେବାର ମାତ୍ର ଛଅମାସ ହେବ । ବୟସ ତେଣୁ ଷାଠିଏ ତଳକୁ । ଅବଶ୍ୟ ଏଇ ବୟସରେ ମୁଁ ଅନେକଙ୍କୁ ଦେଖୁଛି, ଖୁବ୍‌ ବୁଢ଼ାଭଳି ଦିଶନ୍ତି ସେମାନେ-। ଷାଠିଏ ବର୍ଷରେ ସେମାନେ ଦେଖାଯା’ନ୍ତି ଅଶୀ ସେ ପାଖ । ସେମାନଙ୍କ କଥା ଭିନ୍ନ-

 

ମୁଁ ଯାହା କଥା କହୁଛି, ସେ ସେଭଳି ଗୋଷ୍ଠୀର ନୁହନ୍ତି । ପ୍ରବଳ-ପ୍ରତାପୀ ସେ । ଏଇ ଅଳ୍ପଦିନ ତଳେ ତାଙ୍କ ସାଙ୍ଗେ ଦେଖାହୋଇଥିଲା ଗୋଟିଏ ସଭାରେ । ଶିକ୍ଷାବିତ୍‌ ପଣ୍ଡିତ କୃଷ୍ଣକୃପା ଦାସଙ୍କ ସମ୍ମାନାର୍ଥେ ଆୟୋଜିତ ଶୋକସଭାରେ ସେ ଥିଲେ ସଭାପତି । ଶୋକସଭାରେ ଯୋଗଦେବା ପାଇଁ ସେ ଆସିଥିଲେ ସତ; କିନ୍ତୁ ତାଙ୍କ ବ୍ୟକ୍ତିତ୍ୱରେ ଶୋକର ଲେଶ ମାତ୍ର ଚିହ୍ନ ନଥିଲା । ଆଖିରେ ସରୁ ସୁନାଫ୍ରେମ୍‌ଦିଆ ଚଷମା ଓ ଫିନ୍‌ ଫିନ୍‌ ଧଳା ବୁଶ୍‌ସାର୍ଟ ଓ ଟେରୀ ଖଦଡ଼ ପେଣ୍ଟ ପିନ୍ଧି ସେ ଯେତେବେଳେ ତାଙ୍କ ଫିଆଟ୍‌ରୁ ଓହ୍ଲାଇଗଲେ, ସେତେବେଳେ ବାୟୁମଣ୍ଡଳ ଅବସ୍ଥା ଦୃଷ୍ଟିରୁ ଭାରି ହେବା ପରିବର୍ତ୍ତେ କେମିତି ଟିକିଏ ଅଠାଳିଆ ହୋଇଗଲା । ତାଙ୍କ ସମ୍ବର୍ଦ୍ଧନା ପାଇଁ ସମସ୍ତେ ଠିଆହୋଇଗଲେ । ମନେହେଲା ଏହା ଶୋକସଭା ନୁହେଁ; ସମ୍ବର୍ଦ୍ଧନା ସଭା । ତାଙ୍କ ଓଠରେ ଲାଗିରହିଥାଏ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଈଷତ୍‌ ହସର ରେଖା । ବେଳେବେଳେ ସେ ଚଷମା ଫ୍ରେମ୍‌ରେ ଟିକିଏ ହାତ ମାରିଦେଇ, ତାକୁ ବାଗେଇଦେଉଥିଲେ । ତାଙ୍କ ଆଖିରେ ଥିଲା କୁଟୀଳ ଭଙ୍ଗିମା । ସମସ୍ତେ ବ୍ୟସ୍ତ ହୋଇପଡ଼ିଥିଲେ ତାଙ୍କ ଆଖିର ପରିସୀମା ଭିତରକୁ ଆସିବାପାଇଁ । କର୍ମକର୍ତ୍ତାମାନେ ମାଡ଼ିଗଲେ ଗାଡ଼ି ପର୍ଯ୍ୟନ୍ତ ତାଙ୍କୁ ପାଛୋଟି ଆଣିବାପାଇଁ । ଅନ୍ୟମାନେ ମଧ୍ୟ ପରସ୍ପରକୁ ଟିକିଏ ଚାହିଁଦେଇ ଆଗେଇଗଲେ । ସମସ୍ତଙ୍କ ମଧ୍ୟରେ ଯେମିତି ଆରମ୍ଭ ହୋଇଗଲା ଛୋଟ ପ୍ରତିଯୋଗିତାଟିଏ । ସିଏ କାହାକୁ ପ୍ରଥମେ କଥା ପଦିଏ କହିବେ । କାହାକୁ ଚାହିଁ ଟିକିଏ ମୁରୁକିହସା ଦେବେ । କାହାର ପିଠିରେ ଟିକିଏ ହାତମାରିଦେବେ । ସେମାନେ ହଠାତ୍‌ କେମିତି ଗୋଟିଏ ଭିନ୍ନରୂପ ଗ୍ରହଣ କରିବେ । ପଥରରୁ ମଣିଷ ହୋଇଯିବେ ସେମାନେ ।

 

ତାଙ୍କର ସେ ଉନ୍ନତ ବୟସରେ ସେ ଦିଶୁଥିଲେ ଯୁବକ ପରି । ମନେହେଉଥିଲା, ବୟସ ତାଙ୍କ ପାଖରେ ହାରମାନିଛି । ଉଜ୍ଜ୍ୱଳ ଦୀପ୍ତିମାନ୍‌ କାନ୍ତି, ଗାମ୍ଭୀର୍ଯ୍ୟମୟ ବ୍ୟକ୍ତିତ୍ୱ, ଦୂରକୁ ଲମ୍ବିଯାଇଥିବା ଚାହାଣୀରେ କେମିତି ଦାର୍ଶନିକ ଭଳି ଏବଂ ବେଳେବେଳେ ଉଚ୍ଚ ଅଧିକାରୀ ଭଳି ପ୍ରତୀୟମାନ ହେଉଥିବା ତାଙ୍କର ଚେହେରା ଏକସମୟରେ ସମସ୍ତଙ୍କ ମନରେ ଭୟ ଓ ସମ୍ମାନ ସୃଷ୍ଟି କରୁଥିଲା ।

 

ସେ ଥିଲେ ପ୍ରବଳ ପ୍ରତାପୀ । ତାଙ୍କୁ ଦେଖାକରିବା ଏତେ ସହଜ ନଥିଲା । ତାଙ୍କ ସହିତ କଥାହେବା, ତା’ଠାରୁ ବଳି ଦୁରୂହ । ଫୋନ୍‌କରି ଆଗରୁ ସମୟ ନିର୍ଦ୍ଧାରିତ କରିବାକୁ ହୁଏ । ତାଙ୍କର ସମୟ ବଡ଼ ମୂଲ୍ୟବାନ୍‌ । ସମୟ ନଥାଇ ପାରେ । ତାଙ୍କ ଭଳି ହାକିମ ମଧ୍ୟ ସମୟ ଦେବାକୁ ମନାକରିଦେଇପାରନ୍ତି । ସେ ଜଗନ୍ନାଥଙ୍କ ଗରୁଡ଼ସ୍ତମ୍ଭ । ସେଇଠି ପ୍ରଥମେ ମୁଣ୍ଡିଆଟାଏ, ଘିଅ ଦୀପଟାଏ—ତା’ପରେ ଯାଇ ଦିଅଁ-ଦର୍ଶନ । ବେଳେବେଳେ ସେଠୁ ଫେରିବାକୁ ପଡ଼େ । ଯଦି ଭାଗ୍ୟବଳରୁ ଭିତରକୁ ଯିବାପାଇଁ ଅନୁମତି ମିଳେ, ତେବେ ଭିତରେ ପଶି ବଡ଼ ହାକିମଙ୍କ ଦରଜା ବାହାରେ ପାଟି ଅଠା ବାନ୍ଧିଯାଏ । ବାରମ୍ବାର ଆଉଡ଼ା ବାକ୍ୟଗୁଡ଼ିକ କେମିତି ଅଡ଼ୁଆ ସୁତାପରି ଜଟିଳ ହୋଇଯାଏ । କାନବାଟେ ଜୋର୍‌ ଜୋର୍‌ ପବନ ଯିବା ଆସିବା କରେ । ପୁଣି ବାକ୍ୟଗୁଡ଼ିକୁ...ବାକ୍ୟର ପ୍ରତ୍ୟେକ ଶବ୍ଦକୁ ମନେପକାଇ ଭଲକରି ରିହର୍ସଲଟାଏ କରୁ କରୁ ହଠାତ୍‌ ଯେତେବେଳେ ତାଙ୍କ ଖାସ୍‌ ପିଅନ ନାଁଟା ଡାକିଦିଏ, ସବୁ ପୁଣି ଗୋଳମାଳିଆ ଧରିଯାଏ । କିଡ଼୍‌ନି ଭିତରଟା କେମିତି ହଠାତ୍‌ ଓଜନିଆ ହୋଇଯାଏ । ବାଥ୍‌ରୁମ୍‌ଟାଏ ପାଖରେ ଥିଲେ କେଡ଼େ ଭଲ ହୋଇଥାନ୍ତା ! ଏଇ ଅଳ୍ପ ସମୟତଳେ ଯେ ସେ ବାଥ୍‌ରୁମ୍‌ ଯାଇ ଫେରିଥିଲା, ତା’ର ସେକଥା ମନେପଡ଼ି ମଧ୍ୟ ପଡ଼େନାହିଁ ।

 

ଅଧସ୍ତନ କର୍ମଚାରୀମାନଙ୍କୁ ସେ କେବେ ପାଖରେ ବସିବାପାଇଁ କହନ୍ତି ନାହିଁ । ସେଟା ବୋଧହୁଏ ଆବଶ୍ୟକ ବୋଲି ମନେକରନ୍ତି ନାହିଁ । ଅବଶ୍ୟ ସେ କ୍ଷେତ୍ରରେ ତାଙ୍କ ପକ୍ଷରେ ଅନେକ ଯୁକ୍ତି ଦିଆଯାଇପାରେ । ସମସ୍ତେ ଯଦି ସେଠାରେ ଆସନ ଜମାଇ ବସିବେ, ତେବେ କାମ ହେବ କିପରି ? ତେଣୁ ଚଟାପଟ୍‌ ମିନିଟିଏ ଭିତରେ ଜଣ-ଜଣଙ୍କର କାମ ସାରିଦେବା ଉଚିତ; କିନ୍ତୁ ଏହି କ୍ଷେତ୍ରରେ ବ୍ୟତିକ୍ରମ ଯେ ନ ଘଟେ, ଏପରି ନୁହେଁ । ମନ୍ତ୍ରୀ, ଉଚ୍ଚ ହାକିମ, ଲୋକପ୍ରତିନିଧି ଓ ପଞ୍ଚାୟତ ଚେୟାରମାନ୍‌ (ଯେଉଁମାନେ ମନ୍ତ୍ରୀଙ୍କ ପାଖଲୋକ) ସେମାନଙ୍କ ସୁପାରିଶପତ୍ର ନେଇ ଆସିଥିବା କର୍ମଚାରୀମାନେ ଟିକିଏ ସ୍ୱତନ୍ତ୍ର ବ୍ୟବହାର ପାଇଥାନ୍ତି । ସେମାନଙ୍କ ପାଇଁ ତାଙ୍କର ଓଠରେ ଅନିଚ୍ଛାକୃତ ହସ ଟିକିଏ ଫୁଟିଉଠେ । ଭାଷାରେ ଥାଏ କିଞ୍ଚିତ୍‌ ଶାଳୀନତା ଓ ନିଶ୍ଚିତ-ଅନିଶ୍ଚିତ ପ୍ରତିଶ୍ରୁତିର କିଛି ମିଶ୍ରଣ ।

 

କିନ୍ତୁ ସାଧାରଣ କର୍ମଚାରୀ ହଠାତ୍‌ ତାଙ୍କୁ ଦେଖିପକାଇଲେ, ଭୂତ ଦେଖିଲା ଭଳି ଛାନିଆ ହୋଇଯାଏ । ପାଟିରୁ କଥା ବାହାରେନାହିଁ । ମୁଁ ଜାଣେ, ତାଙ୍କ ଅଫିସ୍‌ ରୁମ୍‌କୁ ଦୁଃଖ ଜଣାଇବା ପାଇଁ ହଠାତ୍‌ ପଶିଯାଇ ହତବାକ୍‌ ହୋଇ ଅନେକେ ଫେରିଛନ୍ତି । ହୁଏତ କିଛି କହିପାରି ନାହାନ୍ତି ବା ଯଦି କିଛି କହିଛନ୍ତି, ସେ ବାକ୍ୟଗୁଡ଼ିକ ଏଭଳି ଅସମନ୍ୱିତ ଯେ ସେମାନେ ପରେ ନିଜେ ତା’ର ଅର୍ଥ ବୁଝିପାରନ୍ତି ନାହିଁ ।

 

ତାଙ୍କ ଆଖିରେ ଥିଲା ସମ୍ମୋହନ ଶକ୍ତି । ସାପ ଓ ବାଘର ଆଖିରେ ଏମିତି ସମ୍ମୋହନ ଶକ୍ତି ଥିବା କଥା କେହି କେହି କହନ୍ତି । ସେଇ ଶକ୍ତିବଳରେ ସେମାନେ ଶତ୍ରୁକୁ ବଶୀଭୂତ ଓ ପରାଭୂତ କରନ୍ତି । ସେଭଳି ଶକ୍ତିର ଅଧିକାରୀ ହୋଇ ସମସ୍ତଙ୍କ ମନରେ ଭୟ ସଂଚାର କରୁଥିଲେ-

 

ତାଙ୍କର ସେ ଶକ୍ତି ସମ୍ପର୍କରେ ମୁଁ ବେଶ୍‌ ପରିଚିତ ଥିଲି । ମୁଁ ସମ୍ମୋହିତ ହେବା ପୂର୍ବରୁ ମନ୍ତ୍ରୀଙ୍କ ସୁପାରିଶପତ୍ରଟି ବଢ଼ାଇ ଦେଇଥିଲି ତାଙ୍କ ହାତକୁ । ଠିକ୍‌ ବିଷାକ୍ତ ସର୍ପକୁ ଗଦଭଳି ତାହା କାମ କରିଥିଲା ।

 

—ବସ । ତୁମେ ମନ୍ତ୍ରୀ ମହାଶୟଙ୍କୁ କେମିତି ଜାଣ ?

 

‘ସେ ମୋର ସମ୍ପର୍କୀୟ ।’ —ଏତକ କହିବାକୁ ମତେ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା ।

 

‘ମନ୍ତ୍ରୀଙ୍କୁ ଧରିବା ବଡ଼ ସହଜ । ଆଉ ସମସ୍ତେ କହନ୍ତି, ସେ ତାଙ୍କ ସମ୍ପର୍କୀୟ ! ତୁମ ସମ୍ପର୍କଟା କଣ ?’ —ତାଙ୍କ କଣ୍ଠ କେମିତି ଗମ୍ଭୀର ହୋଇଆସୁଥିଲା । ସେଥିରେ ମିଶ୍ରିତ ଥିଲା ବ୍ୟଙ୍ଗର ରସାୟନ ।

 

ମୋର ସବୁ ରିହାର୍ସଲ୍‌ ପାଣିଫାଟିଗଲା । ତା’ପର ବାକ୍ୟଟି ଯେ କଣ କୁହାଯିବା ଉଚିତ, ମୁଁ ତାହା ଭାବି ପାରିଲିନାହିଁ । ହଠାତ୍‌ ମୁଣ୍ଡରେ ବଜ୍ରଟାଏ ପଡ଼ିଲାଭଳି ଲାଗିଲା । ଆଉ ଗୋଟିଏ ସଭାରେ (ଯେଉଁଠି କେହି ମନ୍ତ୍ରୀ କିମ୍ବା ସାମ୍ବାଦିକ ନଥା’ନ୍ତି) ସେ ମନ୍ତ୍ରୀଙ୍କ ଦ୍ୱାରା ତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କଲେ, ତାର ପରିଣାମ ଗୁରୁତର ହେବ ବୋଲି ଛୋଟ ଭାଷଣଟିଏ ଦେଇଥିଲେ ।

 

ସେ କଥାଟା ବାରମ୍ବାର ମନେପଡ଼ି, ମୋ ପେଟ ଭିତରଟା କେମିତି ମନ୍ଥି ହୋଇଗଲା । ଯାହା ସବୁ ଖାଇଛି, ଯେମିତି ସବୁ ପଦାକୁ ବାହାରିଆସିବ—ମନ୍ତ୍ରୀମାନେ ଭସାମେଘ ଭଳି…..ଆବର୍ତ୍ତ ଋତୁର ଫୁଲ ଭଳି ।

 

ସେଦିନର ସେଇ ସଭାରେ ତାଙ୍କର ଭାଷଣ । ମତେ ଭଲଲାଗିଥିଲା । ...ଆବର୍ତ୍ତ ଋତୁର ଫୁଲ ଭଳି...ଭସାମେଘ ଭଳି ମନ୍ତ୍ରୀମାନେ । ବାସ୍ତବରେ ତାଙ୍କ ପ୍ରତି ମୋ ମୁଣ୍ଡ ନଇଁଆସିଥିଲା ସମ୍ମାନରେ, ଭକ୍ତିରେ ।

 

ଯେ ନିଜର ଅଧିକାର ଜାଣେ, ସେ ଅଧିକାରୀ । ଅଧସ୍ତନଗୁଡ଼ାକୁ କାମରେ ଠିକ୍‌ ଖଟାଇବାକୁ ହେଲେ, ଏମିତି କଡ଼ା କଥା କିଛି ଓ କର୍କଶ ବ୍ୟବହାର ନିହାତି ଦରକାର । ଏଭଳି ହାକିମ ଥିଲେ ଦେଶରେ ଆଉ କୌଣସି ସମସ୍ୟା ରହିବ ନାହିଁ । ସେ ତ ବାଘବକିରୀକୁ ଗୋଟିଏ ଘାଟରେ ପାଣି ପିଆଇବେ । ଆଖିର ଇସାରାରେ ସବୁ କାମ ଫତେ । କଲମ ମୁନକୁ ତାଙ୍କର ଦୂରୁ ଜୁହାର । ଏମିତି ତାଙ୍କର ବହୁ ପ୍ରଶଂସା ଶୁଣିଥିଲି ।

 

ଅସଲ ରୂପଟି କିନ୍ତୁ ଦେଖିବାପାଇଁ ଡେରିହୋଇନଥିଲା । ଟାଣୁଆ ଲୋକପ୍ରତିନିଧିମାନଙ୍କ ତାଲିକା ତାଙ୍କ ଡାଏରିରେ ଟିପାହୋଇ ରହୁଥିଲା । ସେ ତାଙ୍କ ସରକାରୀ ବାସଭବନଆଡ଼େ ମଧ୍ୟ ବେଳେବେଳେ ବୁଲିଆସୁଥିଲେ । ଫୁଲତୋଡ଼ା ଧରି ପହଞ୍ଚିଯାଉଥିଲେ ମନ୍ତ୍ରୀମାନଙ୍କ ଘରେ । ବିମାନବନ୍ଦରଠାରେ ଫୁଲମାଳ ଧରି ସେ ଅନେକ ଥର ବିଦାୟ ସମ୍ବର୍ଦ୍ଧନା ବା ସ୍ୱାଗତ ଅଭ୍ୟର୍ଥନା ପାଇଁ ହାଜର ହେଉଥିଲେ ।

 

ଏ ସବୁ ଜାଣିବା ପରେ ହିଁ ସୁପାରିଶ୍‌ ପତ୍ରଟି ଧରି ମୁଁ ପହଞ୍ଚିଥିଲି । ମନ୍ତ୍ରୀଙ୍କ ସୁପାରିଶକୁ ଓ ମୋର ଉତ୍ତରକୁ ସେ ବିଶ୍ୱାସ କରିଥିଲେ କି ନାହିଁ ମୋର ଜାଣିବା ପୂର୍ବରୁ ହଠାତ୍‌ ଫୋନ୍‌ ବାଜିଉଠିଲା । ମୁଁ ରକ୍ଷା ପାଇଗଲି । ମୋର ସରକାରୀ ଚାକିରିଟା ଗଲା ଗଲା ହୋଇ ରହିଗଲା ।

 

ତା’ପରେ କିଛି ସମୟ ସେ ଯେମିତି ତନ୍ମୟ ହୋଇ ଯାଇଥିଲେ—ଆଜ୍ଞା ! …..ହଁ.....ସାର୍‌…..ନିଶ୍ଚୟ.....ଚିନ୍ତା କରିବେନି ସାର୍‌ !

 

ଫୋନ୍‌ଟିକୁ କେମିତି ଗୋଟିଏ ବିଦ୍ରୂପ କଲାଭଳି ଥୋଇଦେଇ ସେ ମୋ ଆଡ଼କୁ ଅଳ୍ପ ଚାହିଁଲେ ! ମୋର ଆଉ ବୁଝିବାରେ ବିଳମ୍ବ ହେଲାନାହିଁ ।

 

—ତୁମେ ତେବେ ଏଇୟା ବନ୍ଦୋବସ୍ତ କରିଦେଇ ଆସିଥିଲ !

 

—ସାର୍‌ ! କଥା କ’ଣ କି ସାର୍‌...ମାନେ ମୋର...ଆଉ ମୁଁ କିଛି କହିପାରିନଥିଲି ।

 

—ତୁମେ ଯେ ବର୍ତ୍ତମାନ ମୋ ସାଙ୍ଗରେ କଥା ହେଉଛ, ସେ କଥା ମନ୍ତ୍ରୀ ଜାଣିଲେ କେମିତି ?

 

—ଯୋଗାଯୋଗ ସାର୍‌ ! ଆପଣ ହୁଏତ ବିଶ୍ୱାସ କରିବେ ନାହିଁ; କିନ୍ତୁ ମୋର ଏଥିରେ କିଛି ଦୋଷ ନାହିଁ ।

 

—ହଉ ସେ କୈଫିୟତ୍‌ଗୁଡ଼ାକ ଥାଉ । ତୁମ କାମ ହୋଇଯିବ ଯାଅ; କିନ୍ତୁ ଗୋଟିଏ କଥା ମନେରଖ, ତୁମ କାମ କରିବାପାଇଁ ମନ୍ତ୍ରୀ ସବୁବେଳେ ନଥିବେ ।

 

ସେଇ ମୋର ତାଙ୍କ ସହିତ ଶେଷ ଦେଖା । ଆଉ ଦେଖା ହେବାର ସୁଯୋଗ ବା ଦୁର୍ଯୋଗ ମୋର ପଡ଼ିନଥିଲା ।

 

ଯେଉଁ ଶୋକସଭାରେ ତାଙ୍କ ସହିତ ମୋର ଦେଖା ହେଲା, ସେଇ ସଭାର ବିବରଣୀ ଲେଖିବା ପାଇଁ ମୁଁ ଥିଲି ନିମନ୍ତ୍ରିତ ସାମ୍ବାଦିକ । ମୋର ପୁରୁଣା ଚାକିରି ଛାଡ଼ିବା କଥା ସେ ନିଶ୍ଚୟ ଜାଣିଥିଲେ ହୁଏତ ଟିକିଏ ସ୍ୱସ୍ତିର ନିଃଶ୍ୱାସ ମାରିଥିବେ ।

 

ବହୁ ଲୋକଙ୍କ ଗହଳି ଭିତରୁ ସେ ମତେ ଚିହ୍ନିବା ପାଇଁ ବାଧ୍ୟ ହୋଇଥିଲେ ଯେମିତି । ମୁଁ ଯେ ଆଉ ତାଙ୍କର ଅଧସ୍ତନ କର୍ମଚାରୀ ନଥିଲି, ସେ ବିଷୟରେ ସେ ସଚେତନ ଥିଲେ । ଆଉ ତାହା ହିଁ ତାଙ୍କୁ ବେଶି ମୋ ଆଡ଼କୁ ଆକର୍ଷଣ କରୁଥିଲା । ଯେଉଁମାନେ ଧାଇଁଥିଲେ ତାଙ୍କୁ ସମ୍ବର୍ଦ୍ଧିତ କରିବାପାଇଁ, ସେ ଯେମିତି ସେମାନଙ୍କୁ ଦେଖିପାରିନଥିଲେ । ତାଙ୍କ ଆଖିରେ କେମିତି ନିର୍ଲିପ୍ତ ଚାହାଣୀ । ସେ ଏ ପୃଥିବୀର ମଣିଷ ହୋଇ ମଧ୍ୟ ପୃଥିବୀର ନୁହନ୍ତି । ଇତର ପ୍ରାଣୀମାନଙ୍କଠାରୁ ଭିନ୍ନ ତାଙ୍କର ବ୍ୟକ୍ତିତ୍ୱ ଏମାନଙ୍କୁ ସ୍ୱୀକାର କରିବାପାଇଁ ପ୍ରସ୍ତୁତ ନଥିଲା ।

 

ସେମାନଙ୍କୁ ସେ ହୁଏତ ଘୃଣା କରୁଥିଲେ । ତାଙ୍କ ଅଧରରୁ ରେଖାଏ ହସ ପାଇବାପାଇଁ ମଧ୍ୟ ଅଯୋଗ୍ୟ ଏମାନେ । ଅଧସ୍ତନ କର୍ମଚାରୀମାନେ ନମସ୍କାର କଲାବେଳେ ତାଙ୍କ ଆଖି ହଠାତ୍‌ ଦୂରକୁ ଲମ୍ବିଯାଏ । କୁଟିଳ ଭ୍ରୂଲତାରେ ଅନେକ ବ୍ୟଞ୍ଜନା ଖୁନ୍ଦି ହୋଇଯାଏ । ତାହା ହୁଏତ ଘୃଣା ହୋଇ ନପାରେ; କିନ୍ତୁ ଆଶ୍ରିତକୁ ଅକୁଣ୍ଠିତ ଭାବେ ବାହୁ ପ୍ରସାରି ଉଠାଇ ନେବାଭଳି ନୁହେଁ । ସେମାନଙ୍କୁ ଦୂରେଇଦେବାରେ ଅନେକ ସମ୍ମାନ...ଶାସନର ମୂଳନୀତି ଗାମ୍ଭୀର୍ଯ୍ୟପୂର୍ଣ୍ଣ ଦୂରତ୍ୱ ।

 

—ତୁମେ ଏଠି... !

 

—ମୁଁ ଆଉ ଆପଣଙ୍କର ଆଡ଼ହକ୍‌ କର୍ମଚାରୀ ନୁହେଁ ।

 

—ଜାଣେ । ଆଉ ସେଇଥିପାଇଁ ହିଁ ତୁମକୁ ପଚାରୁଛି । ତୁମେ ସାମ୍ବାଦିକତା କରୁଛ । ତୁମର ଗୋଟିଏ ଲେଖା ସେଦିନ ପଢ଼ିଥିଲି ଇଷ୍ଟର୍ଣ୍ଣ ନ୍ୟୁଜ୍‌ ପତ୍ରିକାରେ । ବେଶ୍‌ ଭଲ ଲାଗିଲା ।

 

—ଧନ୍ୟବାଦ୍‌ ! ଆପଣଙ୍କ ଭଳି ଗୁରୁଜନମାନଙ୍କର ଆଶୀର୍ବାଦ ହିଁ ମୋର ପାଥେୟ ।

 

—କିନ୍ତୁ ଆମର ଆଉ କେତେଦିନ ! ତୁମେ ବୋଧହୁଏ ଜାଣନା, ମୁଁ ରିଟାୟାର୍ଡ଼ କରିବି ଆଉ ଅଳ୍ପଦିନ ପରେ ।

 

.....ଆପଣଙ୍କୁ ଦେଖିଲେ ମୋର କେବଳ ମନେପଡ଼େ...ନା ଥାଉ ।

 

—କାହିଁକି କହୁନା—ଯାହା କହିବାର ଅଛି କୁହ । ତୁମେତ ଆଉ ମୋର ତଳିଆ କର୍ମଚାରୀ ନୁହଁ ? ଏତେ ଡର କାହିଁକି ?

 

ବହୁତ କଥା କହିବାର ଥିଲା; କିନ୍ତୁ କହିଲିନାହିଁ । କେବଳ କହିଲି—ଆପଣଙ୍କୁ ଦେଖିଲେ ତ ମନେହୁଏନା ଆପଣ ଏତେ ଶୀଘ୍ର ରିଟାୟାର୍ଡ଼ ହେବେ ।

 

ସେ ଖାଲି ହସିଲେ । ତାଙ୍କର ସେ ହସ ଅନାବିଳ ନା କୃତ୍ରିମ, ଜାଣିବା ସହଜ ନଥିଲା । ମୁଁ ନିଜକୁ ନିଜେ ବିଶ୍ୱାସ କରିପାରୁନଥିଲି । ସେ କେବେହେଲେ ଏତେ ସହଜ ଓ ସୁନ୍ଦର ଭାବେ ହସିବା ମୁଁ ଦେଖିନାହିଁ ।

 

ସେ ପୁଣି କଥା ଆରମ୍ଭ କଲେ—ମୋର ଦୁଃଖ, ତୁମ ଚାକିରିଟା ସ୍ଥାୟୀ ହୋଇପାରିଲା ନାହିଁ । ତୁମର ସେ ଆତ୍ମୀୟ ଯେ ସେତେବେଳେ ମନ୍ତ୍ରୀ ଥିଲେ...

 

ମୋର ଚାକିରି ଯେ ସ୍ଥାୟୀ ହେଉ, ଏହା ସେ ଚାହିଁନଥିବା ସତ୍ତ୍ୱେ କି ନିର୍ଭୀକଭାବେ ସେ ମୋ ସହିତ ସମବେଦନା ଜଣାଉଥିଲେ, ତାହା ଦେଖି ମତେ ଆଶ୍ଚର୍ଯ୍ୟ ଲାଗୁଥିଲା, ହସ ବି ମାଡ଼ୁଥିଲା ।

 

—ମୋର ଯେଉଁ ଆତ୍ମୀୟଙ୍କ କଥା କହିଲେ, ସେ ଚାହୁଁନଥିଲେ ମୋର ଚାକିରି କରିବା-। ମୋର ବର୍ତ୍ତମାନ ପେଶାରେ ମୁଁ ଖୁସି । ଅନ୍ତତଃ ଆପଣ ତ ଆଜି ମୋ ସହିତ ମନଖୋଲା କଥା ହୋଇପାରିଲେ । କଥାଟା ବୋଧହୁଏ ତାଙ୍କ ମର୍ମକୁ ବିନ୍ଧିଲା; କିନ୍ତୁ ଚାଲାକ୍‌ ଲୋକମାନେ ହାରିଗଲାବେଳେ ବା ଅପମାନିତ ହେଲେ ନାଟକୀୟ ଭାବେ ହସିପାରନ୍ତି; କାରଣ ସେମାନଙ୍କର ଅନ୍ୟ ସହଜ ଉପାୟ ନଥାଏ ।

 

ସେ ଆରମ୍ଭ କଲେ—ଶୁଣୁଛି, ତୁମର ଆତ୍ମୀୟ ବର୍ତ୍ତମାନ ଦଳ ପରିବର୍ତ୍ତନ କରି ସରକାରୀ ଦଳରେ ଯୋଗ ଦେଉଛନ୍ତି । ତାଙ୍କର କୁଆଡ଼େ ମନ୍ତ୍ରୀ ହେବାର ବହୁ ସମ୍ଭାବନା ରହିଛି । ଲକ୍ଷ୍ୟକଲି, ତାଙ୍କ କଣ୍ଠରେ କେମିତି ଗୋଟିଏ ଆବେଗ । ସେ ମୋ ସହିତ ଘନିଷ୍ଠ ହେବାପାଇଁ ଚେଷ୍ଟା କରିଥିବା କଥା ମୋର ଆଉ ଅଛପା ନଥିଲା ।

 

—ରାଜନୀତିରେ ଯେ ରହେ, ତା’ର ମନ୍ତ୍ରୀହେବା ସମ୍ଭାବନାକୁ ଏଡ଼ି ଦିଆଯାଇ ନପାରେ-

 

ଏ କଥାଟି କହିବାବେଳେ, ମୁଁ ନିଜେ ଗର୍ବ ଅନୁଭବ କରୁଥିଲି । ଏକଦା ମୋର ବଡ଼ ହାକିମ ଆଜି ମୋର ଏତେ ଘନିଷ୍ଠ ହେବାପାଇଁ ଚେଷ୍ଟା କରିବା ନିଶ୍ଚୟ ସ୍ୱାର୍ଥବିହୀନ ନଥିଲା ।

 

ସେ ଦିନର ଶୋକସଭାରେ ତାଙ୍କର ଭାଷଣ ହୁଏତ ବହୁ ଆଗରୁ ପ୍ରସ୍ତୁତ ଥିଲା । ପଣ୍ଡିତ କୃଷ୍ଣକୃପା ଦାସ ଏକାଧାରରେ ସାହିତ୍ୟିକ, ଶିକ୍ଷାବିତ୍‌, କବି, ପ୍ରାବନ୍ଧିକ, ନାଟ୍ୟକାର, ବକ୍ତା, ପରମସାଧକ, ଦେଶପ୍ରେମୀ ରାଜନୈତିକ ନେତା ଥିଲେ । ସେ ବହୁଦିନ ଧରି ବିରୋଧିଦଳରେ ରହି ସଂଗ୍ରାମ ଚଳାଇଥିଲେ ସୁଦ୍ଧା ଶେଷ ପର୍ଯ୍ୟାୟରେ ସରକାରୀ ଦଳରେ ଯୋଗ ଦେଇଥିଲେ । ତାଙ୍କ ଭଳି ଜଣେ ପ୍ରବୀଣ ନେତାଙ୍କୁ ହରାଇ ଶାସକଦଳ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଥିଲା । ତେଣୁ ସରକାରୀ ସ୍ତରରେ ସର୍ବତ୍ର ତାଙ୍କର ଶୋକସଭା ଓ ସ୍ମୃତିସଭା ପାଳିତ ହେଉଥିଲା । ବହୁ ପତ୍ର ପତ୍ରିକା ଆଗରୁ ପ୍ରସ୍ତୁତ ଥିବା ସଂକ୍ଷିପ୍ତ ଜୀବନୀ ଓ ମୃତ୍ୟୁ ବିବରଣୀ ପ୍ରକାଶ କରିଥିଲେ ।

 

ଏଭଳି ଏକ ମହନୀୟ ଅବସ୍ଥାରୁ ଯଥାସମ୍ଭବ ଲାଭ ଉଠାଇବା ପାଇଁ ସେ ଚେଷ୍ଟା କରିଥିଲେ । ଚରଣ କିଙ୍କର ଦାସ ତାଙ୍କ ଭାଷଣରେ ଦେଶ ଓ ଜାତି ପ୍ରତି ପଣ୍ଡିତ କୃଷ୍ଣକୃପାଙ୍କ ଅତୁଳନୀୟ ଅବଦାନ ବିଷୟ ବର୍ଣ୍ଣନା କରୁ କରୁ ନିଜେ କାନ୍ଦି ପକାଇଲେ । ସେ ଯେ କୃଷ୍ଣକୃପାଙ୍କର ଜଣେ ଦୂର ସମ୍ପର୍କୀୟ, ଏ କାନ୍ଦ ତା’ର କାରଣ ନଥିଲା ।

 

ପଣ୍ଡିତ କୃଷ୍ଣକୃପା ଆଜି ମରି ସୁଦ୍ଧା ଅମରତ୍ୱ ଲାଭ କରିଛନ୍ତି । କୃଷ୍ଣକୃପାଙ୍କ ଅବଦାନ ବ୍ୟାଖ୍ୟା କଲାବେଳେ ଚରଣ କିଙ୍କର ସର୍ବଦା ସଚେତନ ଥିଲେ ଯେ, ଆଉ ଅଳ୍ପ ଦିନ ପରେ ସେ ଚାକିରିରୁ ଅବସର ନେବେ । ବୋଧହୁଏ ଏହି ସଚେତନତା ତାଙ୍କୁ ବହୁ ଭାବରେ ଭାବପ୍ରବଣ କରିଦେଇଥିଲା । ତାଙ୍କ ଆଖିରୁ ଝରୁଥିବା ଅବିରତ ଅଶ୍ରୁକୁ ସେ ସଂବରଣ କରିପାରିନଥିଲେ । ତାଙ୍କର ଏ ଅବସ୍ଥା ଦେଖି ଉପସ୍ଥିତ ତଳିଆ କର୍ମଚାରୀମାନେ ମଧ୍ୟ ନ କାନ୍ଦି ରହିପାରିଲେ ନାହିଁ ।

 

X X X

 

ହଠାତ୍‌ ଦିନେ ମୋର ଛୋଟିଆଘର ଆଗରେ ଠିଆହେଲା ଗାଡ଼ିଟିଏ । ମୋ ଘର ଆଗରେ ଏମିତି ଅବେଳରେ ଗାଡ଼ିଟିଏ ଅଟକିବାର କାରଣ ଅନୁସନ୍ଧାନ କରିବା ପୂର୍ବରୁ ଗାଡ଼ି ଭିତରୁ ଓହ୍ଲାଇ, ହସର ମନ ଖୋଲା ବିସ୍ତୃତ ରେଖାଟିଏ ଟାଣି ଚରଣ କିଙ୍କର ଘର ଭିତରକୁ ପଶିଆସିଲେ । ମୋର କରମର୍ଦ୍ଦନ କରୁ କରୁ ବହୁ ଅଯାଚିତ ଧନ୍ୟବାଦ ବର୍ଷଣ କଲେ ।

 

—ମୋର ଭାଷଣ ପ୍ରସଙ୍ଗରେ ପ୍ରସ୍ତୁତ ତୁମ ଲେଖାଟି ବାସ୍ତବିକ ବଡ଼ ଚମତ୍କାର ।

 

ସେ କଥା ଆରମ୍ଭ କରିଦେଲେ । ମୁଁ ମୋ ମନର ଅଳିଆ ଗଦା ସଫା କରି ଖୋଜୁଥିଲି କଥାର ସାରମର୍ମ ।

 

ଧରିଛି...ଠିକ୍‌ ଧରିଛି । ମନେ ପଡ଼ିଲା ବହୁଦିନ ତଳେ ଶୋକସଭାରେ ସେ ଦେଇଥିବା ଭାଷଣକୁ ମୁଁ ଖବରକାଗଜରେ ଛାପି ଦେଇଥିଲି; କିନ୍ତୁ ଅବସର ଗ୍ରହଣ ପରେ ଚରଣ କିଙ୍କରଙ୍କ ପରି ମହାପ୍ରତାପୀ ହାକିମ ମୋ ଭଳି ଲୋକ ପାଖକୁ ଏମିତି ସାମାନ୍ୟ କଥାପାଇଁ ସେ ଆସିପାରନ୍ତି; ତାହା ବିଶ୍ୱାସ କରିବାପାଇଁ ମୁଁ ପ୍ରସ୍ତୁତ ନଥିଲି । ତାଙ୍କର ଉଦ୍ଦେଶ୍ୟ ଯେ ଏହାଠାରୁ ନିଶ୍ଚୟ ମହତ୍ତ୍ୱପୂର୍ଣ୍ଣ, ଏହା ବୁଝିବାରେ ମୋର ଡେରି ହେଲାନାହିଁ ।

 

କିଛି ସମୟ ପରେ ସେ ମୋ ପାଖକୁ ଲାଗି ଆସିଲେ, ହଠାତ୍‌ କିଛି ଗୁରୁତର ଭାବେ ଗୋପନୀୟ କଥା କହିବା ବେଳେ ମଣିଷ ଯେମିତି ଲାଗିଆସେ ।

 

ତୁମେ ବୋଧହୁଏ ଜାଣ, ଏଇ ଅଳ୍ପ ଦିନ ତଳେ ମୁଁ ଚାକିରିରୁ ଅବସର ନେଇଛି । ଜୀବନଟା ତ ଖାଲି ଚାକିରି କରି ବେକାର ହୋଇଗଲା । ଭାବୁଛି, ବର୍ତ୍ତମାନ ଏଇ ଶେଷ ଜୀବନରେ ଦେଶ-ଦଶର କିଛି ସେବା କରିବି । ଖାଲି ସରକାରୀ ଦଳର ଟିକଟଟା ମିଳିଗଲେ, ଆଉ ସବୁ ତେଣିକି…... ।

 

କଥାଟା ବୁଝିବାରେ ମୋର ମୋଟେ ଡେରି ହେଲାନାହିଁ । ତଥାପି କହିଲି—ସାର୍‌ ! ମୁଁ କଣ କରିପାରେ... ।

 

—କାହିଁକି, ତୁମର ସେ ଆତ୍ମୀୟ…...ତୁମ ମଉସା । ଟିକଟ କାରବାରରେ ସେ କୁଆଡ଼େ ସର୍ବେସର୍ବା । ତାଙ୍କର ସୁପାରିଶ ଖଣ୍ଡେ ହେଲେ…... । ଦଳ ନିର୍ବାଚନ ପାଣ୍ଠିକୁ କିଛି ଦେବା ପାଇଁ ମଧ୍ୟ ମୋର ଆପତ୍ତି ନାହିଁ ।

 

ମୁଁ କିନ୍ତୁ କହିବା ପାଇଁ ସେ ଅପେକ୍ଷା କରିନଥିଲେ । ମୋର ମୁଣ୍ଡ ଉପରେ ସବୁ ଦାୟିତ୍ୱ ଦେଇ ସେ ଚାଲିଯାଇଥିଲେ ।

 

X X X

 

ବର୍ତ୍ତମାନ ସେ ଆଉ ନେତାଙ୍କ ଭଳି ଅଭିନୟ କରିବା ଦରକାର ହେଉନଥିଲା ବୋଧହୁଏ । ତାଙ୍କର ଚେହେରା ଓ ପୋଷାକରୁ ଦୁଃସ୍ଥ ରାଜନୈତିକ କର୍ମୀ ବୋଲି ଠଉରେଇବା କଠିନ ହେଉନଥିଲା । ସରକାରୀ ଉଚ୍ଚ ହାକିମରୁ ରାଜନୈତିକ ନେତା । ପରିବର୍ତ୍ତନଟି ଏଡ଼େ ଚମତ୍କାର ଭାବେ ସଙ୍ଗଠିତ ହୋଇଥିଲା ଯେ, ନ ଦେଖିଲେ ବିଶ୍ୱାସ କରିହେବନି । ତାଙ୍କ ଚେହେରା ହୁଏତ ଭାଙ୍ଗି ପଡ଼ିଥିଲା କିମ୍ବା ହୁଏତ ସେଭଳି ଚେହେରା ହିଁ ବର୍ତ୍ତମାନର ରାଜନୈତିକ ଜୀବନ ପାଇଁ ତାଙ୍କର ଦର୍କାର ଥିଲା ।

 

ସେ ଭଲ ଭାଷଣ ଦେଇ ପାରୁଥିଲେ । ଲୋକଙ୍କ ସହିତ ମିଶି ପାରୁଥିଲେ ଚମତ୍କାର ଭାବେ । ମୁଁ ତାଙ୍କୁ ଦେଖିଛି ହାକିମ ଭାବେ…....ଆଉ ଏବେ ରାଜନୈତିକ ନେତା ଭାବେ । ନାଟକର କେଉଁ ପୋଷାକ ଏବଂ ଅଭିନୟ ତାଙ୍କୁ ଭଲ ମାନୁଥିଲା କହିବା ମୋ ପକ୍ଷେ ସମ୍ଭବ ନୁହେଁ-

 

ସଭାମଞ୍ଚରୁ ସେ ଓହ୍ଲାଇ ଆସିଲେ । କୁଣ୍ଢାଇ ପକାଇଲେ ମତେ । କହିଲେ-ସିଗାରେଟ୍‌ ଅଛି ?

 

—ଚାରମିନାର୍‌ ।

 

—ଚଳିବ । ସେ ଏକରକମ୍‌ ଟାଣିନେଲେ ମୋ ହାତରୁ ସିଗାରେଟ୍‌ । ତା’ପରେ ମୋ ହାତକୁ ଭିଡ଼ିନେଇ ସେ ଚାଲିବା ଆରମ୍ଭ କରିଦେଲେ । ଏଭଳି ଅବସ୍ଥାରେ ଯେ କେହି ତାଙ୍କୁ ଦେଖିଲେ ଚିହ୍ନି ପାରିବନାହିଁ । ମଞ୍ଚରେ ଅଭିନୟ କଲାବେଳେ ଗୋଟିଏ ପାତ୍ର ଅନ୍ୟ ଜଣଙ୍କ ଭୂମିକାକୁ ସୁନ୍ଦରଭାବେ ଅଭିନୟରେ ଫୁଟାଇ ଦିଏ । ନାଟକର ପାତ୍ରଟି ହିଁ ମନେ ରହେ । ଭୂମିକା ଗ୍ରହଣ କରିଥିବା ଅଚିହ୍ନା ଲୋକର ଛାଇ ଅପସରି ଯାଏ । ଚରଣ କିଙ୍କର ଜୀବନର ବିଭିନ୍ନ ଭୂମିକାରେ କରୁଥିବା ଅଭିନୟ ଏତେ ଦକ୍ଷ ଓ କୁଶଳ ଯେ ତାଙ୍କୁ ଚିହ୍ନିବା ମୋ ପକ୍ଷେ ସମ୍ଭବ ନଥିଲା-

 

ମୁଁ ନିଜକୁ ନିଜେ ଅନେକ ପ୍ରଶ୍ନ ପଚାରି ତା’ର ସମାଧାନ ଖୋଜୁଥିଲି । ସେ କିନ୍ତୁ ନିର୍ବିକାର ।

 

—ସାର୍‌ ! ଆପଣଙ୍କର ଫିଆଟ୍‌...

 

—ତୁମେ କଣ ଜାଣନା; ଗତ ନିର୍ବାଚନରେ ମୁଁ ହାରିଯାଇଛି । ସେ କଥାଟା ଏତେ ସାଧାରଣ ଭାବେ ଯେ କହିଦେଇପାରିବେ, ମୁଁ ବିଶ୍ୱାସ କରିପାରିଲି ନାହିଁ ।

 

—ଏ ସବୁ ପରିବର୍ତ୍ତନ ଆପଣଙ୍କ ପାଇଁ କଣ...

 

—ତୁମେ କଣ ଜାଣନା ସାମ୍ବାଦିକ, ରଜାର ବେଶ ପୋଷାକ ପିନ୍ଧି ଖଳନାୟକର ଭୂମିକାରେ କେହି ପାର୍ଟ କରେନା…….. !

Image

 

Unknown

ପ୍ରାପ୍ତିର ଶେଷକଥା

 

ବିଜନ ଯଦି ବାସ୍ତବିକ ଆଉ ନ ଫେରେ ! ସେ ମତେ ଏଠାରୁ ନେବା ପୂର୍ବରୁ ଯଦି ମୋର ସନ୍ତାନ ଜନ୍ମ ହୁଏ, ତେବେ ମୋର ଅବସ୍ଥା କଣ ହେବ ? ଏଇ ସମୁଦ୍ରରେ ଝାସ ଦେଇ ଆତ୍ମହତ୍ୟା କରିବା ଛଡ଼ା ମୋର ଅନ୍ୟଗତି ନାହିଁ ।

 

କେତେ ଆଶା କେତେ ସ୍ୱପ୍ନ ନେଇ ଏ ବିଜନ ସଙ୍ଗେ ମୋର ପ୍ରେମ । ଭାବିଥିଲି, ପୁରୁଷର ଅବଲମ୍ବନ ପାଇଲି, ମୋର ବା ଆଉ ଦରକାର କଣ ? ଭଲ ସ୍ୱାମୀ...ଭଲ ଦରମା, ସବୁ କିଛି ତ ଭଲ । ସେ ମଧ୍ୟ କମ୍‌ ଭଲ ପାଉନଥିଲେ ମତେ; କିନ୍ତୁ ଏବେ ସେ ଏତେ ଭାଙ୍ଗି ପଡ଼ୁଛନ୍ତି କାହିଁକି ?

 

ତାଙ୍କର ଦରମାଗଣ୍ଡାକ ଯେମିତି ଥିଲା ତାଙ୍କର ପୁରୁଷତ୍ୱ । ଚାକିରି ଗଲାପରେ ସେ ଯେମିତି ପାଲଟି ଯାଇଛନ୍ତି ମୂକ, କାପୁରୁଷ । ଗୋଟିଏ ଡରକୁଳା ମେଣ୍ଢାଛୁଆ ପରି ସେ ଇତସ୍ତତଃ-। ମୋଠାରୁ ଦୂରେଇଯିବା ପାଇଁ ସେ ଚେଷ୍ଟା କରୁଛନ୍ତି । ପୁରୁଷଗୁଡ଼ାକ କଣ ସତେ ଏଡ଼େ କାପୁରୁଷ-! ତାଙ୍କର ପୁରୁଷତ୍ୱ ଖାଲି ଚାକିରି ଆଉ ଦରମା । ମୋଟା ଦରମାରେ ବନ୍ଧା ପୁରୁଷପଣିଆଁ, ଯାହାକି ଚାକିରି ପାଖରେ ମଣିଷକୁ ଗୋଲାମ କରିନିଏ ।

 

ନିଜର ଚାକିରିର ଦ୍ୱାହିରେ ପରିଚିତ—ଦରମାଦ୍ୱାରା ସାମାଜିକ ଆସନପ୍ରାପ୍ତ ମଣିଷପଣିଆ ନଥିବା ଏହି ବିଜନ ପରି ଅମଣିଷଗୁଡ଼ାକୁ ତେବେ ସେ ଆଜି ଠିକ୍‌ଭାବେ ଚିହ୍ନିଲା । ମେନକା ନିଜ ଭିତରେ ନିଜେ ହଜିଯାଇଥିଲା । ଏଇ ବିଜନ କେତେ ପ୍ରେମର ନିବେଦନ ନ କରିଛି-! କେତେ ଆଶାର ସୌଧ ନ ତୋଳିଛି ତା’ ମନଭିତରେ !

 

ଆମେ ଗଢ଼ିବା ସୁନ୍ଦର ଘରଟିଏ…...ଫୁଲ ବଗିଚା..ମାଛ ପୋଖରୀ ! ଠିକ୍‌ ଏଇ ଆଶ୍ରମ ପରି ହେବ ସେ ଘର । ତୁମ ବାବୁଙ୍କର ହାତର ସ୍ପର୍ଶରେ ତୁମେ ତାକୁ ସୁନ୍ଦର ଓ ରୂପମୟ କରି ଗଢ଼ିବ ମେନା ! ବାସ୍‌, ମୋର ଆଉ ଦରକାର କଣ ? ତା’ପରେ ହଁ, ତା’ପରେ ଆମର ହେବେ ଛୋଟ ଛୋଟ କୁନି ପୁଅ ଝିଅ । ସେମାନେ ପାଠ ପଢ଼ି ବଡ଼ ହେବେ…... ।

 

ସତରେ କେଡ଼େ ନିଷ୍ଠୁର ଏ ପୁରୁଷ ଜାତିଟା । କେଡ଼େ ମଧୁର କଥା କହି ଅନ୍ୟର ମନ ଭୁଲାଇପାରନ୍ତି ସହଜରେ ଏମାନେ ! ଉପରୁ ଯାହା ଦେଖା ଯାଉଥାନ୍ତି, ବାସ୍ତବରେ କଣ ଏମାନେ ସେଇୟା ? ଯୁଗ ଯୁଗ ଧରି ଅନୁସନ୍ଧାନ କଲେ ମଧ୍ୟ ଏମାନଙ୍କ କଥା ଜାଣିହୁଏ ନାହିଁ । ଆଜିକୁ ଦୀର୍ଘ ଏକବର୍ଷ ତଳୁ ବିଜନ ସଙ୍ଗେ ତାର ପରିଚୟ; କିନ୍ତୁ କାହିଁ ତା’ ବିଷୟରେ ସେ କଣ ବା ଜାଣେ-?

 

ପ୍ରତ୍ୟେକ ନାରୀ ତେବେ ପୁରୁଷ ହାତରେ ଏମିତି ଗୋଟିଏ ଗୋଟିଏ କ୍ରୀଡ଼ନକ । ସମାଜର ତଥାକଥିତ କର୍ଣ୍ଣଧାର, ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର କାମନାର ଅଗ୍ନିରେ ଏମିତି ପ୍ରତ୍ୟେକ ନାରୀର ହୁଏ ପୂର୍ଣ୍ଣାହୁତି ।

 

ସୀମାହୀନ, ଅନ୍ତଃହୀନ ଭାବନାର ଜୁଆର ମେନକାର ମନ ସମୁଦ୍ରରେ; କିନ୍ତୁ ନିଜକୁ ପ୍ରକାଶ କରିବାପାଇଁ ସେ କୁଣ୍ଠିତା । କାହା ଆଗରେ କହିବ ନିଜ ମନର କଥା ! କିଏ ବା ତାକୁ ବିଶ୍ୱାସ କରିବ !!

 

X X X

 

ମେନକା ସେଦିନ ସତେ ଅବା କାହାର ପ୍ରତୀକ୍ଷାରେ ଥିଲା । ଶୁଭ୍ରାର ନଜରରୁ ତାହା ବାଦ୍‌ ଯାଇନି । ମେନକା ସଙ୍ଗେ କଥା ହେଲା ବେଳେ ସେ ତାର ଅନ୍ୟମନସ୍କତା ଲକ୍ଷ୍ୟ କରିଛି । ଶୁଭ୍ରା ଜାଣେ, ଗୋଟିଏ ବୟସରେ ପ୍ରାୟ ସମସ୍ତେ ଏମିତି ବେଳେବେଳେ ଅନ୍ୟମନସ୍କ ହୁଅନ୍ତି । ଆଖିରେ ଆଖିରେ ସ୍ୱପ୍ନର ସୁନେଲି ଜୁଆର ଉଠେ । ଅସୁମାରି ସ୍ୱପ୍ନ ଓ ଆଶାରେ ଯେତେବେଳେ ମନ ପରିପୂର୍ଣ୍ଣ ହୋଇଯାଏ, ସେତେବେଳେ ବାହାରର ଅନ୍ୟ ଛୋଟ ଛୋଟ କଥା ଶୁଣିବା ପାଇଁ ଆଉ ଧୈର୍ଯ୍ୟ ନଥାଏ ।

 

ଶୁଭ୍ରା ବାଲ୍‌କୋନି ଉପର ବସି ସେବତୀଫୁଲର ଗାଢ଼ ହଳଦିଆ ରଙ୍ଗର କୋମଳ ପାଖୁଡ଼ାରେ ଥରେ ହାତ ବୁଲାଇ ଆଣିଲା । ପୁଣି ଥରେ ଚା’ କପ୍‌ରୁ କିଛି ଗରମ ପାନୀୟ ଶୋଷିନେଲା ।

 

ସେ ପୁଣି ଥରେ ଚାହିଁଲା ମେନକାର ମୁହଁକୁ । ମେନକା ଆରାମ ଚୌକିରେ ବସି ଖବର କାଗଜର ପୃଷ୍ଠା ଲେଉଟାଉଥିଲା ।

 

ସତରେ କଣ ସେ ଖବର କାଗଜ ପଢ଼ୁଛି ! ସନ୍ଦେହ ହେଲା ତା’ର । ମେନକା କେବେ ଖବର କାଗଜ ପଢ଼େନାହିଁ । ସେ ଯୁକ୍ତି ବାଢ଼ିବସେ, ଖବରକାଗଜ ପଢ଼ିବା ଦରକାର କଣ ? ନିତିଦିନିଆ ଜୀବନପାଇଁ ଖବରକାଗଜ ତ କିଛି କାମରେ ଲାଗେନାହିଁ ! ଅତିରଞ୍ଜିତ ଟିପ୍‌ପଣୀ, ଚାଞ୍ଚଲ୍ୟକର ସମ୍ବାଦ ଆଉ ଦେଶ ବିଦେଶର ଖବର ଏସବୁ ପଢ଼ି ବୃଥାରେ ସମୟ ନଷ୍ଟକରିବା ଅପେକ୍ଷା କିଛି ଫଳପ୍ରଦ କାମ କରିବା ଭଲ । ଦେଶର ରାଜନୀତିଜ୍ଞ ଓ ନେତାମାନଙ୍କ ବିଷୟରେ ଯେତେ କମ୍‌ ଜାଣିବ ସେତେ ଭଲ । ଝବରକାଗଜ ପଢ଼ା ମାନସିକ ବିକୃତି ଥିବା ବ୍ୟକ୍ତିମାନଙ୍କର ଏକ ପେଶା ବା କର୍ମକୋଢ଼ି ଫୁରୁସତ୍‌ ସର୍ବସ୍ୱ ଖିଆଲି ଲୋକମାନଙ୍କର ସମୟ କଟାଇବାପାଇଁ ଏକ ଅର୍ଥହୀନ ସଉକ୍‌ ।

 

କଣ ତେବେ ମେନକା ହଠାତ୍‌ ତାର ଜୀବନଦର୍ଶନ ବଦଳାଇ ଦେଲା ! ଆଶ୍ଚର୍ଯ୍ୟ ହେଉଥିଲା ଶୁଭ୍ରା ।

 

ସକାଳର ସୁନାରଙ୍ଗର କଅଁଳିଆ ଖରା ସ୍ପର୍ଶ କରୁଥିଲା ମେନକାର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ । ତାର ସୁନ୍ଦର ଦେହରେ ଯେମିତି ସେ ଉତ୍ତାପ ସଞ୍ଚାରିତ କରୁଥିଲା । ଆଖିରେ ତା’ର ଏକ ଉଦାସ ଅବଶଭାବ । ମନେହୁଏ ସେ ଯେମିତି ଗତ ରାତିରେ ଆଦୌ ଶୋଇ ପାରିନାହିଁ । ନିଦ୍ରାହୀନତାର ଛାପ ତା’ ମୁହଁରେ ସୁସ୍ପଷ୍ଟ ।

 

ଶୁଭ୍ରା ଲକ୍ଷ୍ୟ କଲା—ମେନକା ବାରମ୍ବାର କାହାକୁ ଦେଖୁଛି......କାହାର ଆସିବା ରାସ୍ତାକୁ ଚାହିଁବସିଛି । ବାଲ୍‌କୋନିରୁ ଉଠିଆସି ମେନକା ହାତରୁ ଖବରକାଗଜଟା ଟାଣିନେଲା ଶୁଭ୍ରା ।

 

ମେନକା ତା’ ମୁହଁକୁ ଚାହିଁ ପାରିଲାନାହିଁ । ଆଖି ସହିତ ଆଖି ମିଳାଇ ଚାହିଁବାର ସତ୍‌ସାହସ ଯେମିତି ତାର ନଥିଲା । କୌଣସି ଅପରାଧ କରୁଥିବା ସମୟରେ ଧରା ପଡ଼ିଗଲେ ମଣିଷ ଯେମିତି ହତଭମ୍ବ ହୋଇପଡ଼େ, ମେନକା ସେମିତି ବିବ୍ରତ କାତର ହୋଇ ପଡ଼ୁଥିଲା ।

 

—ଗୋଟିଏ ପ୍ରଶ୍ନ ପଚାରିବି, କିଛି ଭାବିବୁନି ମେନକା ? —ସରଳ ପ୍ରଶ୍ନ ଶୁଭ୍ରାର ।

 

—କଣ କହୁନୁ ? ମେନକା ଶୁଭ୍ରାର ପ୍ରଶ୍ନକୁ ଏଡ଼ାଇଦେବାପାଇଁ ଚାହୁଁଥିଲା ।

 

—କାଲି ରାତିରେ କେଉଁଠି ଥିଲୁ ?

 

ମେନକା ସତେ ଅବା ସେ ପ୍ରଶ୍ନର ଉତ୍ତର ଖୋଜି ପାଉନାହିଁ । କଣ ଜବାବ ଦେବ ସେ-! ...କଣ ସେ କହିବ !

 

ମେନକା ଆଖିରେ ନାଚିଗଲା ତାର ଯନ୍ତ୍ରଣାମୟ ଅନୁଭୂତି । ତା’ ଜୀବନ ସେଇଠି ଶେଷ ହେଲା କି ସବୁକିଛିର ସେଠାରୁ ଅୟମାରମ୍ଭ ହେଲା ତା’ ମଧ୍ୟ ସେ ବୁଝିପାରୁନଥିଲା । ନିଜର ସମସ୍ତ ସତ୍ତାକୁ ତିଳ ତିଳ କରି ତାର ପ୍ରାଣର, ଅତି ନିଜର ବିଜନର କାମନା ଅଗ୍ନିରେ ଜାଳିଦେବାରେ ସେ କଣ କିଛି ଭୁଲ୍‌ କରିଛି ?

 

ତା’ ନିଜ ମନର-ମଣିଷର ବଂଧନରେ ଧରା ଦେଇ ନିଜକୁ ସମର୍ପଣ କରି ଜୀବନର ପୂର୍ଣ୍ଣତା ଲାଭକରିବା ପାଇଁ ନାରୀ କଣ ବ୍ୟାକୁଳ ହୋଇ ଉଠେନାହିଁ ? ତେବେ ଗତରାତ୍ରିର ସେ ମଧୁର ସ୍ମୃତି ବିଜଡ଼ିତ ମୁହୂର୍ତ୍ତଗୁଡ଼ିକର ଅନୁଭୂତି ପ୍ରକାଶ କରିବାରେ ଅପରାଧ କଣ ?

 

—କିରେ, ଚୁପ୍‌ ରହିଲୁ ଯେ ! କଣ ବିଜନ ବାବୁ କଲିକତାରୁ ଆସିଛନ୍ତି କି ?

 

—ହଁ । ମେନକାର ସଂକ୍ଷିପ୍ତ ଉତ୍ତର ।

 

—ସେଇ କାରଣରୁ ସଖୀ ରାଧିକାର ଏଇ ଅବସ୍ଥା । ଆଖିରେ ନିଦ ନାହିଁ.......ଦେହରେ ପ୍ରାଣ ନାହିଁ…...ମନରେ ଶାନ୍ତି ନାହିଁ । ପ୍ରେମରେ ପଡ଼ିଲେ ଅବସ୍ଥା ଏମିତି ହୁଏ ବୋଲି ଗପବହିରେ ପଢ଼ିଥିଲି । ତୋର ଅବସ୍ଥା ଦେଖିଲେ ତାର ସତ୍ୟାସତ୍ୟକୁ ଆଉ ଅବିଶ୍ୱାସ କରି ହେଉନି । ମୋର ଧାରଣା ଥିଲା, ଏ କବି ଆଉ ଲେଖକର ଦଳଟା ଗୋଟିଏ ନିହାତି ବଦ୍ଧପାଗଳର ଦଳ । ହୁଏତ ଜୀବନରେ ପ୍ରେମ କଣ ନ ଜାଣି କେବଳ ଉପନ୍ୟାସର ପଢ଼ା ବିଷୟକୁ ନେଇ ଏମିତି ସବୁ ପ୍ରଳାପ କରୁଛନ୍ତି; କିନ୍ତୁ ତତେ ଦେଖିଲା ପରେ….. ।

—ତୋର ସବୁବେଳେ ଖାଲି ଏଇକଥା । ତୁ କେବଳ ଥଟ୍ଟା କରିବା ଜାଣୁ । ମନକଥା ବୁଝିବା ପାଇଁ ତୁ କେବେ ଚେଷ୍ଟା କରିବୁ ! ମେନକା ଟିକିଏ ଗମ୍ଭୀର ଦେଖାଯାଉଥିଲା ।

—ଆରେ ମୁଁ ତ ଆଉ ବିଜନ ବାବୁ ନୁହେଁ ଯେ, ତୋ ମନ କଥା ତୁ ନ କହୁଣୁ ବୁଝିପାରିବି ! ମେନକାର ଗାଲ ଥାପୁଡ଼େଇଦେଇ ଗେଲରେ କହିଲା ଶୁଭ୍ରା ।

—ତୋ ଆଗରେ ସେସବୁ କହି କିଛି ଲାଭ ନାହିଁ । ତୁ ସବୁକଥାକୁ ଏମିତି ହସରେ ଉଡ଼ାଇ ଦେଉ । କେବେ ଥରେ କାହା ମନର କଥାକୁ ଟିକିଏ ଦରଦ ଦେଇ, ହୃଦୟ ଦେଇ ବୁଝିବାକୁ ଚେଷ୍ଟା କର ।

ଶୁଭ୍ରାର ମନକୁ ମେନକାର ଏ କଥାଗୁଡ଼ା ସ୍ପର୍ଶକଲା । ସେ ଗମ୍ଭୀର ହୋଇପଡ଼ିଲା ।

—ଏତେ ଦିନ ଏକାଠି ରହିବା ସତ୍ତ୍ୱେ ତୁ ମତେ ବୁଝିପାରିଲୁନି ମେନକା । ସମସ୍ତଙ୍କର ମୋ ବିଷୟରେ ଯେଉଁ ଧାରଣା ସେମିତି ଗୋଟିଏ ସାଧାରଣ ଉପରଠାଉରିଆ ଭାବେ ତୁ ମଧ୍ୟ ମତେ ବିଚାର କରୁଛୁ । ତୁ କଣ ଭାବୁ ଯେ ମୁଁ କେବେ କାହାକୁ ପ୍ରେମ କରି ନାହିଁ ? ତୋ ଭଳି ପ୍ରେମିକା ହୃଦୟର ସୂକ୍ଷ୍ମ ଓ ଦରଦଭରା ଅନୁଭୂତି ବୁଝିବାପାଇଁ ମୁଁ ଅକ୍ଷମ ନୁହେଁ । ତୁ ଥରେ ବିଶ୍ୱାସ କରି ତୋ ମନକଥା ମତେ କହି ଦେଖ ତ ! କେବଳ ଯେ ମୁଁ ତୋ ମନକଥା ସମ୍ବେଦନଶୀଳ ହୋଇ ବୁଝିବି ତା ନୁହେଁ—ଦରକାର ପଡ଼ିଲେ ତୋ’ ପାଇଁ ମୋର ସବୁକିଛି ସୁଖ ସ୍ୱାଚ୍ଛନ୍ଦ୍ୟକୁ ବଳି ଦେଇ ତୋରି ସାହାଯ୍ୟପାଇଁ ଆଗେଇ ଆସିବି । ତୋର ମନକଥା ଥରେ କହି ଦେଖ ତ... ।

ଭାବାବେଶରେ ବିହ୍ୱଳିତା ହୋଇ ଶୁଭ୍ରାର ଆଖିରେ ଲୁହ ଜକେଇ ଆସିଲା । ମେନକା ପାଖରେ ବସିପଡ଼ି ତା’ ସୁନ୍ଦର ହାତ ଦୁଇଟିକୁ ନିଜ ହାତରେ ନେଇ ସେ ଅନାଇ ରହିଲା ମେନକାର ଶୁଖିଲା ମୁହଁକୁ । ମେନକାର ଆଖିରେ ସେ ଦେଖିପାରିଲା ସଂକୋଚ ଓ ଦ୍ୱିଧାର ସନ୍ତକ ।

ମେନକା ତା’ହେଲେ ତାକୁ ଅବିଶ୍ୱାସ କରୁଛି । ଶୁଭ୍ରା ସମସ୍ତଙ୍କ ଆଗରେ ତେବେ କଣ ଗୋଟିଏ ହୃଦୟହୀନା ଫମ୍ପା ମଣିଷ ? ବାହାରେ ଏମିତି ସବୁ କଥାକୁ ହସରେ ଉଡ଼ାଇ ଦିଏ... । ସୁଖ, ଦୁଃଖରେ ଭାଙ୍ଗି ନପଡ଼ି ନିର୍ଭୀକଭାବେ ତାର ସମ୍ମୁଖୀନ ହେବାପାଇଁ ସମସ୍ତଙ୍କୁ ସେ ଉପଦେଶ ଦିଏ…….ତା’ ବୋଲି ତାର କଣ ହୃଦୟ ନାହିଁ ? ଦରଦ ଦେଇ ପରର ମନକଥା ଶୁଣିବାର ଯୋଗ୍ୟତା କଣ ତାର ନାହିଁ ?

ଶୁଭ୍ରା ଅତିମାତ୍ରାରେ ସେଣ୍ଟିମେଣ୍ଟାଲ ହୋଇ ପଡ଼ୁଥିଲା । ତାର ମନେହେଲା ସେ ଯେମିତି କାନ୍ଦିପକାଇବ । ସେ ନିଜର କୋହ ସମ୍ବରଣ କରିପାରିଲାନାହିଁ ।

ମେନକା ଶୁଭ୍ରାର ଏମିତି ହଠାତ୍‌ ପରିବର୍ତ୍ତନ ଦେଖି ଚମକିପଡ଼ିଲା । ତା’ କଥାରେ ଶୁଭ୍ରା ମନଦୁଃଖ କରିଛି । କରିବାର କଥା ।

ଶୁଭ୍ରା କଣ ନ କହିଛି ତା ଜୀବନର କଥା ମେନକା ଆଗରେ ? ତା ଜୀବନର କୌଣସି ଗୋପନୀୟ ଅଧ୍ୟାୟ ତା ଆଗରେ ନଖୋଲି ରଖିନାହିଁ । ହସି ହସି ନିର୍ବିକାର ଭାବେ ସବୁ ସେ କହିଛି । ଅତୀତର କଳଙ୍କିତ ଇତିହାସ ସେ ଦିନ ଦିନ ଧରି ଗପି ଚାଲିଛି । ବଖାଣି ବସିଛି ତାର ଅନ୍ତରର ଗ୍ଲାନି, ବେଦନା । କାହିଁ କେବେ ଥରୁଟିଏ ମଧ୍ୟ ସେ ମେନକାକୁ ସନ୍ଦେହ କରିନାହିଁ । ତାର ସେହି କଳଙ୍କିତ କାହାଣୀ ଶୁଣିବାପାଇଁ ମେନକା ହୃଦୟରେ ଦରଦ ଅଛି କି ନାହିଁ…….ତା ଭିତରେ ଆତ୍ମୀୟତା ଅଛି କି ନାହିଁ ସେ କଥା କେବେ ଦିନେହେଲେ ପଚାରିନାହିଁ । ତେବେ ଆଜି ମେନକା ତାକୁ ଅବିଶ୍ୱାସ କରୁଛି କାହିଁକି ?

 

ମେନକା ଟିକିଏ ଲଜ୍ଜିତା ହେଲା । ସେ ବୁଝିପାରିଥିଲା ନିଜର ଭୁଲ । ଆତ୍ମଗ୍ଳାନିରେ ସେ ଭାଙ୍ଗିପଡ଼ିଲା । ଶୁଭ୍ରା ଆଗରେ ସେ କିଛି ଲୁଚାଇବନାହିଁ । ତାର ଏକ ସଙ୍କଟମୟ ପରିସ୍ଥିତିରେ ହୁଏତ ଶୁଭ୍ରା ହିଁ ତାର ଏକମାତ୍ର ସହାୟ । ଶୁଭ୍ରାଠାରୁ ବହୁତ କଥା ଶିଖିବାର ଅଛି । ତାର ବିସ୍ତୃତ ଅନୁଭୂତି ଓ ଜୀବନ ପ୍ରତି ଏକ ଖେଳୁଆଡ଼ ଦୃଷ୍ଟିଭଙ୍ଗୀ ମେନକାକୁ ସବୁବେଳେ ବେଶ୍‌ ପ୍ରଭାବିତ କରିଥିଲା । ତା’ ଜୀବନର ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ଶୁଭ୍ରା ନିକଟରେ କୌଣସି କଥା ସେ ଗୋପନୀୟ ରଖିବନାହିଁ । ତା ନିକଟରେ ଖୋଲିଦେବ ନିଜର ହୃଦୟ ।

 

ମେନକା ଚାହିଁଲା ଶୁଭ୍ରାର ମୁହଁକୁ । ଖୁବ୍‌ ଭଲଭାବେ ଚାହିଁଲା ନିଜର ମ୍ଳାନ ପ୍ରତିଚ୍ଛବିକୁ ସେ ଉଜ୍ଜ୍ୱଳ ଆଖିର ଦର୍ପଣରେ । କ’ଣ ଥିଲା ସେ ଆଖିରେ କେଜାଣି, ମେନକା ଟାଣିହୋଇଗଲା ତାହାରି ପରିଧି ଭିତରକୁ । କେମିତି ଗୋଟିଏ ଘନିଷ୍ଠ ଆତ୍ମୀୟତାର ଉଷ୍ମତା ସ୍ପର୍ଶକଲା ତାର ହୃଦୟକୁ । ଶୁଭ୍ରାର ଆଖି ଶକ୍ତିଶାଳୀ ଆଖି । ଆଖିର ଆଲୋକ । ତାର ଆକର୍ଷଣ କମ୍‌ ନୁହଁ । ଭିତରକୁ ଟାଣିନେବାଭଳି ସେ ଗୋଟିଏ ପ୍ରବଳ ଆବର୍ତ୍ତ । ମେନକାର ମନେହେଲା ଶୁଭ୍ରା ହିଁ ତାର ମା........ତାର ଭଉଣୀ, ଆତ୍ମୀୟା, ସବୁ କିଛି । ଆଜିଯାଏଁ ଯେଉଁ ଗୋପନୀୟ ଅନୁଭୂତିର ଯନ୍ତ୍ରଣାର ଦହନ ତାକୁ ତିଳ ତିଳ ଧ୍ୱଂସ କରୁଛି, ସେଥିରୁ ସେ ରକ୍ଷା ପାଇପାରିବ ଏଇ ଗୋଟିଏ ଅବଲମ୍ବନକୁ ଆଶ୍ରା କଲେ । ସେ ମୁକ୍ତି ପାଇବ । ଶାନ୍ତି ପାଇବ ।

 

ମେନକା ଆଉ ସମ୍ଭାଳି ପାରିଲାନି ନିଜକୁ । ସେ କାନ୍ଦି ପକାଇଲା । ଦୁଃଖବେଳେ ଆତ୍ମୀୟ ଲୋକଟିଏ ଦେଖିଲେ ଯେମିତି ମଣିଷର ରୁଦ୍ଧ ଉଚ୍ଛ୍ୱାସ ହଠାତ୍‌ ବନ୍ଧ ଭାଙ୍ଗି ଉଚ୍ଛୁଳି ଉଠେ, ଠିକ୍‌ ସେମିତି ମେନକା ଭାଙ୍ଗି ପଡ଼ିଲା ।

 

ମେନକା କାନ୍ଦି କାନ୍ଦି ଲୋଟିପଡ଼ିଲା ଶୁଭ୍ରାର କୋଳରେ । ସେ ଲୁହ ଯେମିତି କୌଣସି ବାଧା ମାନିବାପାଇଁ ପ୍ରସ୍ତୁତ ନୁହେଁ । ସେ ଉଚ୍ଛ୍ୱାସ ସତେ ଯେମିତି ଯୁଗ ବଧିର ପ୍ରଳୟଙ୍କରୀ ବନ୍ୟା-। ତାର ପ୍ଲାବନରେ ସେ ସମସ୍ତଙ୍କୁ ପ୍ଲାବିତ କରିଦେବ । ସତେ ଅବା ମେନକା ଅପେକ୍ଷା କରିଥିଲା ଏମିତି ଗୋଟିଏ ମୁହୂର୍ତ୍ତ ପାଇଁ ।

 

ତାର କଥା କେଇପଦ ଯେ ଏମିତି ମେନକା ମନରେ ଏମିତି ପ୍ରତିକ୍ରିୟା ସୃଷ୍ଟି କରିବ, ସେ କଥା ଶୁଭ୍ରା ଆଦୌ କଳ୍ପନା କରିନଥିଲା । ତେଣୁ ଏପରି ଏକ ଅବସ୍ଥା ପାଇଁ ସେ ପ୍ରସ୍ତୁତ ନଥିଲା-। ହଠାତ୍‌ ତାର ଉଦାସ ଗାମ୍ଭୀର୍ଯ୍ୟ ଏବଂ ମୌନତ୍ୱ ଛାଡ଼ି ମେନକା ଯେତେବେଳେ ଶୋକ ଉଚ୍ଛ୍ୱାସରେ ଭାଙ୍ଗିପଡ଼ିଲା, ଶୁଭ୍ରା ନିଜର କର୍ତ୍ତବ୍ୟ ଠିକ୍‌ କରିପାରିଲା ନାହିଁ ।

 

—ତୋର ଏମିତି କାନ୍ଦିବାର କିଛି ନାହିଁ ମେନା ! ମୁଁ କେବଳ ଖିଆଲରେ ଏମିତି କହିଦେଲି । ତୋ ମନରେ ଏତେ ଦୁଃଖ ଦେବା ମୋର ଆଦୌ ଉଦ୍ଦେଶ୍ୟ ନୁହେଁ । ମୋର ବ୍ୟବହାର ପାଇଁ ମୁଁ ଦୁଃଖିତ ।

 

ମେନକା ନିଜ ପିଠି ଉପରେ ଶୁଭ୍ରାର ସ୍ନେହଭରା ହାତର ସ୍ପର୍ଶ ଅନୁଭବ କଲା । କି ଆଶ୍ୱସ୍ତି ! ଆତ୍ମୀୟତାର ଉଷ୍ମତା ।

 

ନିଜକୁ ଅଳ୍ପ ସମ୍ଭାଳିନେଇ ମେନକା କହିଲା-

 

ତୋର ବର୍ତ୍ତମାନର ଏଇ କଥା କେତେପଦ ପାଇଁ ଯେ ମୁଁ ଏମିତି ଭାଙ୍ଗିପଡ଼ୁଛି ତା’ ନୁହେଁ ।

 

ଆଉ ପିଲାଙ୍କ ଭଳି କାନ୍ଦି କିଛି ଲାଭ ନାହିଁ । ଯେଉଁ ସମସ୍ୟାର ସେ ସମ୍ମୁଖୀନ ତାର ଗୋଟିଏ ସମାଧାନ ଆବଶ୍ୟକ । ସେ ଏମିତି ଧୈର୍ଯ୍ୟ ହରାଇ ଭାଙ୍ଗିପଡ଼ିଲେ ତାହାର ସମାଧାନ କରିବ କିଏ ?

 

—ତତେ ପ୍ରଥମେ ଅବିଶ୍ୱାସ କରିଥିଲେ ସୁଦ୍ଧା ମୁଁ ଜାଣେ ଯେ ତୋ ବିନା ମୋର ଏ ଦାରୁଣ ସମସ୍ୟାର ସମାଧାନ ଆଉ କାହାଦ୍ୱାରା ସମ୍ଭବ ନୁହେଁ । ମୁଁ ଯେଉଁ ବିପଦରେ ପଡ଼ିଛି, ସେ ବିପଦରୁ ତୁ କେବଳ ମତେ ଉଦ୍ଧାର କରିପାରିବୁ ।

 

ମେନକା ଅନେକ ସମୟ ଯାଏଁ ନୀରବ ରହି ପୁଣି ଆରମ୍ଭ କଲା—କିନ୍ତୁ ମୋ ଜୀବନର ଯେଉଁ ଗୋପନୀୟ କରୁଣ ଘଟଣା ଆଜି ତୋରି ଆଗରେ ମୁଁ ପ୍ରକାଶ କରିବାପାଇଁ ଯାଉଛି, ହୁଏତ ତାହା ଶୁଣିବା ପରେ ତୁ ମତେ ଘୃଣା କରିପାରୁ—ଦୁନିଆ ମଧ୍ୟ ମତେ ଘୃଣାଚକ୍ଷୁରେ ଦେଖିପାରେ । ମୋର ବିଶ୍ୱାସ ଜଣେ ଅସହାୟ ନାରୀର ହୃଦୟକୁ ଠିକ୍‌ ବୁଝିପାରିଲେ ତୁ କେବେହେଲେ ମତେ ଘୃଣା କରିପାରିବୁ ନାହିଁ । ଗୋଟିଏ ପ୍ରତିଶ୍ରୁତି ମୁଁ ତୋଠାରୁ ଚାହେଁ ଶୁଭ୍ରା ! ତା’ପରେ ମୁଁ ମୋର ଅନ୍ତରର କଥା……..ମୋ ପ୍ରାଣର ବେଦନା ତୋରି ଆଗରେ ପ୍ରକାଶ କରିଦେବି । ସେଥିରେ ମତେ ନିଶ୍ଚୟ ସାନ୍ତ୍ୱନା ମିଳିବ । ମୋର ହୃଦୟ ଟିକିଏ ହାଲୁକା ଅନୁଭବ କରିବ । ମୋର ଅନୁଭୂତିର ଅସହନୀୟ ଓଜନର ଯନ୍ତ୍ରଣାକୁ ଏକା ଏକା ବହନ କରିବା ମୋ ପକ୍ଷରେ ଆଉ ସମ୍ଭବ ନୁହେଁ । ମୁଁ ଏମିତି ଆଉ ତିଳ ତିଳ ଦଗ୍‌ଧ ହୋଇପାରିବି ନାହିଁ । ତୁ ନୀରବ ରହିଲୁ ଯେ ଶୁଭ୍ରା ! କହ ତୁ ପ୍ରତିଶ୍ରୁତି ଦେବୁ !

 

—ତୁ କଣ ଚାହୁଁ ମେନକା ?

 

—ମୁଁ ଆଜି ଯାହା ତୋ ନିକଟରେ ପ୍ରକାଶ କରିବି, ଦରକାର ପଡ଼ିଲେ ତୁ ତୋର ଏଇ ସାନ ଭଉଣୀଟି ପାଇଁ ନିଜକୁ ବଳି ଦେଇ ସୁଦ୍ଧା ତାକୁ ଗୋପନୀୟ ରଖିବୁ; ଏହାର ବ୍ୟତିକ୍ରମ ଘଟିଲେ ମୋର ଏ ପୃଥିବୀରେ ବଞ୍ଚିରହିବା ସମ୍ଭବ ହେବନାହିଁ ।

 

—ତୋର ଯାହା ବକ୍ତବ୍ୟ ତୁ ନିର୍ଭୀକ ଭାବେ ଓ ନିଃସଙ୍କୋଚରେ କହିପାରୁ । ତୋର ମାନ ସମ୍ମାନକୁ ମୋର ପ୍ରାଣରୁ ବଳି ଅଧିକ ସମ୍ମାନ ଦେବି । ସେ ସମ୍ବାଦ ସେମିତି ଗୋପନୀୟ ଭାବେ ମୋ ଦେହ ସହିତ ଏ ପୃଥିବୀରୁ ବିଦାୟ ନେବ ପଛେ ତୋ ଇଚ୍ଛା ବିରୁଦ୍ଧରେ କାହା ପାଖରେ ପ୍ରକାଶିତ ହେବନାହିଁ । ଲଜ୍ଜା, ସଙ୍କୋଚ ନ କରି ତୋର ଯାହା କହିବା କଥା କହ ।

 

ଶୁଭ୍ରାର କଥାରେ ନିଜକୁ ପ୍ରକାଶ କରିବାପାଇଁ ମେନକା ଯଥେଷ୍ଟ ସାହସ ପାଇଲା । ସତରେ ଏଇ ଶୁଭ୍ରା କଣ ବା ତାର ? କିନ୍ତୁ କେଜାଣି କାହିଁକି ଆଜି ତା ପାଖରେ ନିଜ ଜୀବନର ସମସ୍ତ ଗୋପନୀୟ କଥା—ତାର ଦୁଃଖ ଓ ଦୁର୍ଦ୍ଦଶାର କାହାଣୀ ସବୁ ପ୍ରକାଶ କରିନେବା ପାଇଁ ସେ ବ୍ୟାକୁଳ ହେଉଛି ।

 

କରୁଣ କଣ୍ଠରେ ଘୋଷଣା କଲା ମେନକା—ମୁଁ ମା’ ହେବାକୁ ଯାଉଛି ଶୁଭ୍ରା ! ହଁ…...ମୁଁ ହେବି ଜନନୀ ସେଇ ହତଭାଗା ଶିଶୁର—ଯିଏ ତା ବାପର ନାଁ ପ୍ରକାଶ କରିବା ପାଇଁ କୁଣ୍ଠାବୋଧ କରିବ । ବାପର ସ୍ନେହ, ମମତାର ସ୍ୱାଦ ଯେ ତା ଜୀବନରେ କେବେ ଆସ୍ୱାଦନ କରିପାରିବ ନାହିଁ । ସମାଜରେ ମଣିଷଟିଏ ପରି ବଞ୍ଚିବାର ସ୍ୱାଧୀନତା ଯେ ପାଇବ ନାହିଁ ସେପରି ଶିଶୁର ମୁଁ ହେବି ମା’-। ତୁ ବିଶ୍ୱାସ କର ଶୁଭ୍ରା, ମୁଁ.......

 

ଆଉ କିଛି କହିପାରିଲାନି ମେନକା । ଆଉ ଅଧିକ ସେ କହିବ ବା କଣ ? ଆଉ ବାକ୍ୟ ସ୍ଫୁରିଲା ନାହିଁ । ଖାଲି ଆଖିରୁ ଝରିପଡ଼ିଲା ଧାର ଧାର ଲୁହ ।

 

—ତୁ ଏସବୁ କଣ କହୁଛୁ ମେନା ?

 

—ବିଶ୍ୱାସ କରିପାରୁନୁ ଶୁଭ୍ରା ! ଯେ କେହି ଶୁଣିଲେ ମଧ୍ୟ ଏ କଥାକୁ ବିଶ୍ୱାସ କରିପାରିବେନାହିଁ ।

 

କଥାଟାକୁ ଆଉ ବେଶି ବଢ଼ାଇବା ପାଇଁ ଚାହିଁଲାନାହିଁ ଶୁଭ୍ରା । ବର୍ତ୍ତମାନ ମେନକାର ଦରକାର ସାନ୍ତ୍ୱନା, ସମାଧାନ । ପ୍ରଶ୍ନ ନୁହେଁ ।

 

—ତେବେ ଏଥିରେ ଏତେ ଭାଙ୍ଗିପଡ଼ିବାର କଣ ଅଛି ମେନା ! ବିଜନ ବାବୁଙ୍କୁ ତୁ ଏକଥା କହିଛୁ ? ଦୁଇ ଜଣ ଠିକ୍‌ କରି ବର୍ତ୍ତମାନ ବିବାହର ଦିନ ଠିକ୍‌ କର । ଏଥିରେ ଏତେ ବିବ୍ରତ ହେବାର କଣ ଅଛି ଯେ ତୁ ବିଜନବାବୁଙ୍କୁ ଏଠାକୁ ଡକାଇ ଆଣ ।

 

—ସେ ଏଠାରେ ଅଛନ୍ତି ।

 

ତେବେ ଅସୁବିଧା ଆଉ କଣ ? ଶୁଭ୍ରା ସ୍ୱାଭାବିକ ବ୍ୟଗ୍ରତାର ସହ ପ୍ରଶ୍ନକଲା ।

 

—ବିଜନ ବାବୁଙ୍କର ଚାକିରି ଚାଲିଯାଇଛି । ସେ ଟୁର୍‌ରେ ନଯାଇ ମିଛ ଟୁର ଡାୟରି ଦେଇଛନ୍ତି । ଗସ୍ତଖର୍ଚ୍ଚ ନେଇଛନ୍ତି । ସବୁ ସମୟ କେବଳ ଏଠାରେ କଟାଇଛନ୍ତି । ଏକଥା ତାଙ୍କ ଉପରିସ୍ଥ ହାକିମ ତାଙ୍କ ବିରୁଦ୍ଧରେ ମୁଖ୍ୟ ଅଫିସକୁ ଜଣାଇବା ପରେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି ।

 

ମେନକା ଯେମିତି ଆଉକିଛି କହିପାରୁନଥିଲା । ତାର କଣ୍ଠ ବାଷ୍ପରୁଦ୍ଧ ହୋଇ ଉଠୁଥିଲା-। ଶୁଭ୍ରା କହିଲା-ସେଥିରେ କଣ ଅଛି ? ବିଜନବାବୁଙ୍କର ଚାକିରି ଚାଲିଗଲେ ସେ ଯେ ବାହା ହୋଇପାରିବେ ନାହିଁ ଏମିତି ତ କିଛି ନାହିଁ । ତୋର ଯାହା ଦରକାର ମୁଁ ସବୁ ବନ୍ଦୋବସ୍ତ କରିଦେବି-। ତୁ ତାଙ୍କୁ ସବୁ କଥା ସଫା ସଫା ଶୁଣାଇଦେ ।

 

—ମୁଁ ତାଙ୍କୁ ସବୁକିଛି କହି ସାରିଛି । ସେ ବର୍ତ୍ତମାନ ବାହାହେବାପାଇଁ ପ୍ରସ୍ତୁତ ନୁହନ୍ତି ।

 

—‘‘ତାଙ୍କୁ ନିଶ୍ଚୟ ରାଜି ହେବାକୁ ପଡ଼ିବ । ଜଣେ ନିରୀହା ଅବଳାର ଜୀବନ ସଙ୍ଗେ ଲୁଚକାଳି ଖେଳି ତାର ସବୁକିଛି ଲୁଣ୍ଠନ କରି ସହଜରେ ଖସିଯିବାପାଇଁ ସେ ଯଦି ଭାବୁଥାନ୍ତି, ତାହାହେଲେ ସେ ମସ୍ତବଡ଼ ଭୁଲ୍‌ କରୁଛନ୍ତି । ତାଙ୍କୁ ସେମିତି ଛାଡ଼ିଦିଆଯିବନାହିଁ ।’’ ଶୁଭ୍ରାର କଣ୍ଠସ୍ୱର କେମିତି ଟିକିଏ କର୍କଶ ଶୁଣାଯାଉଥିଲା । ସେ ନିଜେ ମଧ୍ୟ ନିଜର ସ୍ୱରକୁ ବିଶ୍ୱାସ କରିପାରୁନଥିଲା ।

 

—ମୁଁ କିଛି ଠିକ୍‌ କରିପାରୁନି । ଏସବୁ ଭାଗ୍ୟର ଉପହାସ । କିଏ ଜାଣିଥିଲା ହଠାତ୍‌ ଏମିତି ତାଙ୍କର ଚାକିରି ଚାଲିଯିବ ? ସେ ଆଶ୍ରୟହୀନ ହୋଇପଡ଼ିବେ…...ହତୋତ୍ସାହ ହୋଇ ଭାଙ୍ଗିପଡ଼ିବେ ! ସେ କହୁଛନ୍ତି କୌଣସି ଚାକିରି ବନ୍ଦୋବସ୍ତ ହେଲେ ଯାଇ ସେ ବାହା ହେବେ; କିନ୍ତୁ ସେତେବେଳକୁ ମୋ ଅବସ୍ଥା କ’ଣ ହେବ ? ମୁଁ ଏକୂଳ-ସେକୁଳ କେଉଁ କୁଳର ହେବିନାହିଁ….. ।

 

—ମୋ କଥା ମାନିବୁ ମେନା ! ପୁରୁଷକୁ ଆଦୌ ବିଶ୍ୱାସ ନାହିଁ । ଥରେ ହାତମୁଠାରୁ ଖସିଗଲେ ତାକୁ ଧରିବା ମୋଟେ ସହଜ ନୁହେଁ । ତୋର ବର୍ତ୍ତମାନର ଏ ଅବସ୍ଥା ପାଇଁ ବିଜନବାବୁ ସମ୍ପୂର୍ଣ୍ଣ ରୂପେ ଦାୟୀ । ତେଣୁ ଏହାର କିଛି ଗୋଟାଏ ସମାଧାନ କରି ନ ଦେଇ ସେ ଏମିତି ଚାଲିଯାଇ ପାରିବେନାହିଁ । ଏ କଥା ରୋକ୍‌ଠୋକ୍‌ କହିବାପାଇଁ ତୁ ଯଦି ଅସମର୍ଥ, ତେବେ ମୁଁ ତାଙ୍କୁ ଏକଥା ପଚାରିବି । ଗୋଟିଏ ନାରୀର ପ୍ରେମ...ତାର ଭଲପାଇବା ଏକ ଶସ୍ତା ଖେଳ ନୁହେଁ । ନିଜର ବାସନା ଚରିତାର୍ଥ କରିବାପାଇଁ ଏମିତି ଖେଳ ଖେଳି ତୋର ଜୀବନକୁ ନିଃସହାୟ କରି ଚାଲିଯିବାର ଅଧିକାର ତାଙ୍କର ନାହିଁ ।

 

ଶୁଭ୍ରା ଟିକିଏ ଭାବବିହ୍ୱଳ ହୋଇ ପଡ଼ିଥିଲା । ତାର ଆଖି ଆଗରେ ନାଚି ଯାଉଥିଲା ଅନେକ ସ୍ମୃତି ବିଜଡ଼ିତ ମୁହୂର୍ତ୍ତ । ସେ ଅଙ୍ଗେ ନିଭେଇଛି ସମାଜରେ ଧର୍ମଧ୍ୱଜା ଉଡ଼ାଉଥିବା ଭଦ୍ରତାର ମୁଖାପିନ୍ଧା ସଇତାନମାନଙ୍କୁ । ସେମାନଙ୍କର ଶିକାରୀ ବାଘ ଶିକାର ଲାଳସାକୁ । ସେ ଚିହ୍ନିଛି ଓ ଚିହ୍ନିବାକୁ ଶିକ୍ଷାପାଇଛି ଏଇ ଲମ୍ଫଟୀ ଜୁଆଖୋର୍‌ ସମାଜଟାକୁ । ତେଣୁ ମେନକାପରି ସେ କେବେହେଲେ ସ୍ୱପ୍ନବିଭୋର ହୋଇନାହିଁ ବା ସ୍ୱପ୍ନଭଙ୍ଗ ପରେ ହତୋତ୍ସାହ ହୋଇ ଆତ୍ମହତ୍ୟା କଥା ଚିନ୍ତା କରିନାହିଁ । ଯୁବତୀ ଝିଅଟିଏ ଦେଖିଲେ କ୍ଷୁଧାର୍ତ୍ତ ଗଧିଆପରି ବ୍ୟବହାର କରୁଥିବା ବହୁପଦସ୍ଥ ଓ ତଥାକଥିତ ସଭ୍ୟ ସାମାଜିକ ପୁରୁଷଗୁଡ଼ାକୁ ସେ ଭଲଭାବେ ଜାଣେ ।

 

ଅନେକ ସମୟର ନୀରବତା ପରେ ଶୁଭ୍ରାର ସଂକ୍ଷିପ୍ତ ପ୍ରଶ୍ନ—ବିଜନବାବୁ ଆଜି ତୋ ସହିତ ଦେଖା କରିବେ ?

 

—ହଁ, ସେ ଏଠାକୁ ଆସିବାପାଇଁ ଜବାବ ଦେଇଛନ୍ତି ।

 

—ତାଙ୍କୁ କ’ଣ କହିବାପାଇଁ ତୁ ଠିକ୍‌ କରିଛୁ ?

 

ଏ ପ୍ରଶ୍ନର ଉତ୍ତର ମେନକା ଦେଇପାରିଲାନାହିଁ । ଏଭଳି ପ୍ରଶ୍ନ ପାଇଁ ସେ ଆଗରୁ ପ୍ରସ୍ତୁତ ନଥିଲା । ସତରେ ସେ କ’ଣ କହିବ ବିଜନକୁ…... ।

 

—ମୁଁ ମୋର ସମସ୍ତ ଚିନ୍ତାଶକ୍ତି ହରାଇ ବସିଛି ଶୁଭ୍ରା ! ମୁଁ ଆଉ ଯଦି ବେଶି ଭାବେ, ତାହାହେଲେ ପାଗଳିନୀ ହୋଇଯିବି । ଗତ ତିନିମାସ ଧରି ମୁଁ ଯାହା ସବୁ ଭାବୁଛି…….ମୋର ମାନସିକ ସ୍ତରରେ ଚିନ୍ତାର ଯେଉଁ ଘୂର୍ଣ୍ଣିବାତ୍ୟା ପ୍ରତି ମୁହୂର୍ତ୍ତରେ ପ୍ରବାହିତ ହେଉଛି, ସେ କଥା ଶୁଣିଲେ ଯେ କେହି କହିବ ମୁଁ ପ୍ରକୃତିସ୍ଥ ନୁହେଁ । ମୋର ମାନସିକ ଭାରସାମ୍ୟ ମୁଁ ହରାଇ ବସିଛି ।

 

—ସବୁ କଥା ମୁଁ ବୁଝିପାରୁଛି; କିନ୍ତୁ ଏଭଳି ପରିସ୍ଥିତିରେ ତୁ ଆତ୍ମବିଶ୍ୱାସ ହରାଇବସିଲେ ଚଳିବନାହିଁ । ଯୋଜନାବଦ୍ଧ ଭାବେ ସବୁ କାମ କରିବାପାଇଁ ହେବ ।

 

—ବିଜନବାବୁ ହିଁ ମୋର ଏକମାତ୍ର ସାହା ଭରସା । ସେ କେବଳ ମୋର ସମସ୍ୟାର ସମାଧାନ କରିବେ ଏଇ ବିଶ୍ୱାସ ନେଇ ଜୀବନ ଧରି ରହିଥିଲି । କାହା ଆଗରେ କିଛି କହିନାହିଁ । କେଉଁ ମୁହଁରେ ବା ଏକଥା କହିଥାନ୍ତି ! କିନ୍ତୁ ବିଜନ ମଧ୍ୟ ପ୍ରଥମେ ମୋର କଥାରେ ବିଶ୍ୱାସ କଲେନାହିଁ । କେତେ ଆଶା ଓ ବିଶ୍ୱାସ ନେଇ କିଭଳି ମୁଁ ମୋର ଅନ୍ତରର ବେଦନା ତାଙ୍କ ଆଗରେ ପ୍ରକାଶ କରିଥିଲି । ଭାବିଥିଲି ଆମର ପବିତ୍ର ପ୍ରେମର ସନ୍ତକ ସ୍ୱରୂପ ଯେଉଁ ସନ୍ତାନକୁ ମୁଁ ମୋର ଗର୍ଭରେ ଧାରଣ କରିଛି, ସେକଥା ଶୁଣିବା ମାତ୍ରେ ମତେ ଆନନ୍ଦରେ ସେ କୋଳକୁ ଟାଣିନେବେ । ଖୁସିରେ ସେ ଆତ୍ମବିଭୋର ହୋଇ ଉଠିବେ । ମତେ ଆଲିଙ୍ଗନ କରି ମୋର ସର୍ବାଙ୍ଗ ଚୁମ୍ବନରେ ଭରିଦେବେ ।

 

ମେନକାର ଏଭଳି ଭାବବିହ୍ୱଳ କଥା ଶୁଣି ଶୁଭ୍ରାର ହୃଦୟ ଆର୍ଦ୍ର ହୋଇଉଠିଲା । ସେ କିଛି କହିବା ପୂର୍ବରୁ ମେନକା ପୁଣି ଆରମ୍ଭକଲା ତାର ଦୁଃଖର କାହାଣୀ ।

 

—କିନ୍ତୁ ଏ କଣ ! ମୋ ମୁହଁରୁ ଏକଥା ଶୁଣିବାମାତ୍ରେ ସେ ଦୁଃଖ ଓ ଯନ୍ତ୍ରଣାରେ ଭାଙ୍ଗି ପଡ଼ିଲେ; କହିଲେ ତୁମେ ଏ କଣ କହୁଛ ମେନକା ! ଏ କଥା ଯଦି ବାସ୍ତବରେ ସତ୍ୟ ହୋଇଥାଏ, ତେବେ ଆମେ ସମାଜରେ ମୁହଁ ଦେଖାଇ ପାରିବାନାହିଁ । ନା...ନା ତୁମେ କୁହ ଯେ ଏ ସବୁ ମିଛ...ତୁମେ ମୋ ସାଙ୍ଗରେ ଥଟ୍ଟା ଖେଳୁଛ...

 

—ମୁଁ ଆଉ କଣ କହିଥାନ୍ତି ଶୁଭ୍ରା ! ମୋ ଛାତି ଭିତରଟା କରତି ହୋଇଗଲା । ଗୋଟିଏ ପାପ ଚିନ୍ତା ଚାଉଁ କିନା ଛୁଇଁ ଦେଇଗଲା ମୋର ମନ ଭିତରଟାକୁ । ମତେ ଆଉ ସେ ସନ୍ଦେହ କରୁନାହାନ୍ତି ତ ! ମତେ ତିଳ ତିଳ କରି ଯେ ଦାରୁଣ ବନ୍ଧନରେ ନିଷ୍ପେଷିତ କରି ପେଡ଼ା ଆଖୁ ଖଣ୍ଡେପରି ରସହୀନ, ଶ୍ରୀହୀନ କରିଦେଲେ—ତାଙ୍କର ଏଭଳି ସ୍ୱାର୍ଥପର ପ୍ରଶ୍ନର ମୁଁ ଆଉ କି ଉତ୍ତର ଦିଅନ୍ତି ! ମୁଁ ଭାବିଲି, ଏଭଳି ପରିସ୍ଥିତିରେ ମୋର ମୃତ୍ୟୁ ହିଁ ଶ୍ରେୟସ୍କର ପନ୍ଥା । ଏତେ ବଡ଼ ସୌଭାଗ୍ୟର ଅଧିକାରୀ ହେବାପାଇଁ ବିଜନ ଯୋଗ୍ୟ ପୁରୁଷ ନୁହନ୍ତି । ତାଙ୍କ ଭିତରର ଯେଉଁ ପୁରୁଷତ୍ୱ.......ଯେଉଁ ପ୍ରେମିକ ବ୍ୟକ୍ତିତ୍ୱକୁ ଦିନେ ମୁଁ ଭଲ ପାଇଥିଲି ତାହା ଯେମିତି ମରିଯାଇଛି । ଏ ବିଜନ ସେହି ବିଜନର ପ୍ରେତାତ୍ମା.......ତାର ଛାଇମାତ୍ର । ଏମିତି ଭୀରୁ…...କାପୁରୁଷବୋଲି ଜାଣିଥିଲେ ମୁଁ କେବେ ମୋର ପ୍ରେମ ତାଙ୍କର ପାଦତଳେ ସମର୍ପଣ କରିନଥାନ୍ତି । ତାଙ୍କ ପ୍ରତି ମୋର ମଧ୍ୟ ଆଉ ମମତା ନାହିଁ । ତୁ ବିଶ୍ୱାସ କର ଶୁଭ୍ରା ! କେବଳ ମୋ ଗର୍ଭର ଏଇ ସନ୍ତାନ ଯାହାକୁ ବର୍ତ୍ତମାନ ମୋ ଜୀବନଠାରୁ ମଧ୍ୟ ବେଶି ଭଲପାଇବାକୁ ମୁଁ ବାଧ୍ୟ ହୋଇଛି, ତା’ରି ପାଇଁ ମୋର ବଞ୍ଚିବାର ଆଗ୍ରହ…....ସମାଜ ପ୍ରତି ବନ୍ଧନ ଓ ମମତା । ନଚେତ୍‌ କେଉଁ ଦିନରୁ ମୋର ଜୀବନର ପରିସମାପ୍ତି ହୋଇସାରନ୍ତାଣି ।

 

ଆବେଗର ଉଚ୍ଛ୍ୱାସରେ ବିଚଳିତା ମେନକା ଆଖିରୁ ଧାର ଧାର ଲୁହ ଗଡ଼ିବାରେ ଲାଗିଲା । ସେ ବହୁତ କିଛି କହିବାପାଇଁ ଚାହୁଁଥିଲା; କିନ୍ତୁ କିଛି କହିପାରିଲା ନାହିଁ ।

 

ସହଜରେ ତାର ସ୍ୱାସ୍ଥ୍ୟ ସେତେ ଭଲ ନୁହେଁ । ସରୁ ପତଳୀ ଝିଅଟାଏ । ଏଇ କେତେ ଦିନ ଭିତରେ ତାର ରୂପ କଣ ଯେ ହୋଇଥିଲା ତାହା ସହଜରେ ବର୍ଣ୍ଣନା କରି ହେବନାହିଁ । ମଣିଷର ମନ ହିଁ ତାର ଶରୀରର ସୌନ୍ଦର୍ଯ୍ୟକୁ ପ୍ରଭାବିତ କରେ । ମନରେ ଶାନ୍ତି ଓ ଆନନ୍ଦ ନଥିଲେ ତାହା ମୁହଁରେ ଛାପ ପକାଇଦିଏ । ଶରୀରର ରୂପ କାନ୍ତି ସବୁ ମଉଳି ଯାଏ । କୋରଡ଼ ଭିତରେ ପଶିଯାଇଥିବା ଦୁଇ ଆଖି ଗାଲର ଦୁଇପଟେ ଉଠି ଆସିଥିବା ହନୁ ହାଡ଼, ଅସଂଯତ କେଶରାଶି ଦେଖିଲେ ମେନକାକୁ ଚିହ୍ନି ହେଉନଥିଲା । ବେଶ, ପୋଷାକ ପ୍ରତି ମଧ୍ୟ ତାର ଆଉ ନଜର ନଥିଲା । ସେ ଯେ ଗୁରୁତର ମାନସିକ ଅଶାନ୍ତି ଭୋଗକରୁଛି ଯେ କେହି ପ୍ରଥମ ଦେଖାରେ ମଧ୍ୟ ଏକଥା ସ୍ପଷ୍ଟ ବୁଝିପାରିବ ।

 

—ମୋର ଗୋଟିଏ କଥା ମାନିବୁ ? ଶୁଭ୍ରାର ଦୃଢ଼ ପ୍ରଶ୍ନ ।

 

—କଣ ? ଏତକ କହିବାପାଇଁ ଯେମିତି ମେନକାକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ୁଥିଲା ।

 

—ବିଜନ ସହିତ ମୋର ବିଶେଷ ପରିଚୟ ନାହିଁ; କିନ୍ତୁ ପୁରୁଷ ସ୍ୱଭାବଠାରୁ ତାଙ୍କ ସ୍ୱଭାବ ତ ଭିନ୍ନ ନୁହେଁ ! ମୋର ଦୃଢ଼ ଧାରଣା ଏ ପରିସ୍ଥିତିରେ ତତେ ଠକି ଚାଲିଯିବା ମତଲବରେ ସେ ଅଛନ୍ତି ।

 

ମେନକାର କରୁଣ ମୁହଁକୁ ଥରେ ଚାହିଁଲା ଶୁଭ୍ରା । ଆଉ କିଛି କହିବାପାଇଁ ତାର ଇଚ୍ଛା ହେଲାନାହିଁ । ମେନକାର ବିଶ୍ୱାସ ହିଁ ତାକୁ ଯେମିତି ସମାଜ ବିରୁଦ୍ଧରେ...ସ୍ୱାର୍ଥପରତା ବିରୁଦ୍ଧରେ ସଂଗ୍ରାମ କରି ବଞ୍ଚିବାପାଇଁ ପ୍ରେରଣା ଯୋଗାଇଛି । ସେଇତକ ବିଶ୍ୱାସ ସେ ହରାଇ ବସିଲେ ତା’ ପାଇଁ ବଞ୍ଚିରହିବା କଷ୍ଟକର ହୋଇଯିବ ।

 

X X X

 

ବିଜନ ପ୍ରତି କୌଣସି ସ୍ନେହ ମମତା ନଥିବା କଥା ସେ ଯେତେ ସହଜରେ କହିପାରୁଛି, ସେତେ ସହଜରେ ନିଜ ହୃଦୟକୁ ବୁଝାଇ ପାରିନାହିଁ । ଏହାହିଁ ବୋଧହୁଏ ପ୍ରେମ । ଅତୀତର ସେଇ ଭାବବିହ୍ୱଳ ମୁହୂର୍ତ୍ତଗୁଡ଼ିକୁ ଭୁଲିଯିବାପାଇଁ ସେ ଯେତେ ଚେଷ୍ଟା କରିଛି ତାହା ସେତେ ଛବିଳ, ଜୀବନ୍ତ ହୋଇ ଉଠିଛି ତାର ମାନସପଟରେ । ସମସ୍ତ ଅବିଶ୍ୱାସ ଓ ଘୃଣା ଭିତରେ କେମିତି ବିଶ୍ୱାସ ଓ ମମତା ଫେରିଆସିଛି ବିଜନ ପ୍ରତି, ତାର ପ୍ରେମ ପ୍ରତି ।

 

ସମୁଦ୍ରକୁ ଚାହିଁ ଅନେକ ସମୟ ଏମିତି ଅପେକ୍ଷା କରିଛି ମେନକା । ଢେଉଗୁଡ଼ିକ କେଉଁ ଦୂର ସମୁଦ୍ର ବକ୍ଷର ଉଚ୍ଛ୍ୱାସକୁ ବହନକରି ବେଳାଭୂମିର ନିଷ୍କରୁଣ ନିଷ୍ଠୁର ପାଦରେ ଅଜାଡ଼ି ଦେଉଛନ୍ତି । ଫେରି ଯାଉଛନ୍ତି କେବଳ ପୁଣିଥରେ ଆହୁରି ସକରୁଣ ଭାବେ ନିଜର ବେଦନାକୁ ନିବେଦନ କରିବାପାଇଁ...ହୃଦୟକୁ ଅଜାଡ଼ି ଦେବାପାଇଁ । ବାରମ୍ବାର ସେମାନଙ୍କୁ ନିଷ୍ଠୁରଭାବେ ପଦାଘାତ କରୁଥିବା ବେଳାଭୂମି ଉପରେ ସେମାନଙ୍କର ପ୍ରଭାବ କେତେ ତାହା କିଏ କଳନା କରିବ-?

 

ବିଜନ ଶପଥ କରି କହିଥିଲା ସେ ନିଶ୍ଚୟ ଆସିବ । ସେ ଫେରିଆସିବ ତା ପ୍ରାଣର ମେନକା ପାଖକୁ ସମାଧାନର ସୂତ୍ର ନେଇ । ମେନକା ମଧ୍ୟ ତାର ସେଇ କଥାକୁ ବିଶ୍ୱାସ କରିଥିଲା-। ବିଜନ ତାକୁ ପ୍ରତାରିତ କରିପାରିବ ନାହିଁ । ସେ ଯେତେ ଯାହାହେଉ ପଛେ ସେ ପ୍ରତାରକ ନୁହେଁ...ସେ ଶଠତା ଆଚରଣ କରିପାରିବ ନାହିଁ ।

 

ସନ୍ଧ୍ୟାର ନାଲି ସୂର୍ଯ୍ୟ କୁନି କୁନି ଢେଉମାନଙ୍କ ସହିତ ଅବିର ଖେଳିବା ପରେ ଲୁଚିଗଲା ଦିଗ୍‌ବଳୟ ସେପାରେ । ପାଣିଚିଆ ଅନ୍ଧାର କ୍ରମେ ବହଳହେବାକୁ ଲାଗିଲା । ସମୁଦ୍ରବେଳା ମଧ୍ୟ ଧୀରେ ଧୀରେ ନୀରବତା ଭିତରେ ସମାଧିଗ୍ରସ୍ତ ହେବାକୁ ଲାଗିଲା । ଗୋଟିଏ ଗୋଟିଏ ଧଳା ରଙ୍ଗର ପକ୍ଷୀ ମାଛପାଇଁ ସମୁଦ୍ରର ଅଳ୍ପ ଉଚ୍ଚରେ ଘୂରିବୁଲୁଥିଲେ । ସେମାନଙ୍କର ଶୁଭ୍ରତା ମଧ୍ୟ ଧୀରେ ଧୀରେ ଅନ୍ଧାର ଭିତରେ ହଜି ଯାଉଥିଲା । ଅନତିଦୂରରେ ରାଜରାସ୍ତାର ରୋଷଣୀ । ସମୁଦ୍ର ପାଣିରେ କେମିତି ଚହଲି ଯାଉଥିଲା ପ୍ରେତର ଉଡ଼ନ୍ତା ଛାଇ ପରି ।

 

ସମୁଦ୍ରକୂଳିଆ ପବନର ବେଗ ମଧ୍ୟ ବଢ଼ିଯାଇଥିଲା । ନିଜ ହୃଦୟ ଭିତରେ ବହୁସମୟ ଧରି ପ୍ରଜ୍ୱଳିତ ରଖିଥିବା ଆଶାର ଆଲୋକବର୍ତ୍ତିକାଟିକୁ ଆଉ ସେ ସମ୍ଭାଳିପାରୁନଥିଲା ।

 

ବିଜନ ଆଉ ଆସିବନାହିଁ….. । ସେ ପ୍ରତାରକ । ସେ ତାକୁ ଠକିଛି…….ପ୍ରତାରିତ କରିଛି-

 

ମେନକା ନିଜର କର୍ତ୍ତବ୍ୟ ଠିକ୍‌ କରି ପାରୁନଥିଲା । ଏତେ ବଡ଼ ପୃଥିବୀ ଭିତରେ ସେ ଯେମିତି ଏକା…....ନିହାତି ଏକା । ତାର ସାହା ଭରସା କେହି ନାହିଁ । ସମସ୍ତେ ତାର ଶତ୍ରୁ…....ତାକୁ ଶୋଷଣ କରିବାପାଇଁ, ଧର୍ଷଣ କରିବାପାଇଁ ସମସ୍ତଙ୍କର ଚାଲିଛି ନିରବଚ୍ଛିନ୍ନ ଚକ୍ରାନ୍ତ । ଏ ଉତ୍‌ପୀଡ଼ନରୁ ଏବଂ ଗଣଧର୍ଷଣରୁ ରକ୍ଷାପାଇବାକୁ ହେଲେ ତାର ଏକମାତ୍ର ଆଶ୍ରୟ ଏଇ ସମୁଦ୍ର…....ତାରି ଗର୍ଭରେ ସେ ପାଇବ ଚିରନ୍ତନ ଶାନ୍ତି......ବିଶ୍ରାମ…...ମୋକ୍ଷ । ସେଠି ସମାଜର ଶୋଷଣ ନାହିଁ.......ପ୍ରତାରଣା ନାହିଁ…....ଅପବାଦର ଭୟ ନାହିଁ । ସେହି ଘନ ଅନ୍ଧାର ଭିତରେ ଉଦବେଳିତ ସମୁଦ୍ର ଆଡ଼କୁ ସେ ଧାଇଁଥିଲା ।

 

ମେନକାର ହୋସ୍‌ ଫେରିବାବେଳକୁ ସେ ଶୁଭ୍ରାର କୋଳରେ ନିଜକୁ ଆବିଷ୍କାର କଲା । କ୍ଷୀଣ କଣ୍ଠରେ ସେ ପଚାରିଲା-

 

—ମୁଁ କେଉଁଠି ?

 

—ତୁ ବର୍ତ୍ତମାନ ଯେଉଁଠି ସେଠାରେ ତୋର କିଛି ଭୟ କରିବାର ନାହିଁ ।

 

ହଠାତ୍‌ ସଚେତନ ହୋଇଗଲା ମେନକା । ସବୁକଥା ନାଚିଗଲା ତା’ ଆଖି ଆଗରେ । ତା’ ଜୀବନକୁ ସେ ସମୁଦ୍ରଗର୍ଭରେ ବିସର୍ଜନ କରିଥିଲା । ଏ ପୃଥିବୀ, ମଣିଷ ଜାତି ଆଉ ସମାଜ ପ୍ରତି ସେ ଯେତେବେଳେ ସମସ୍ତ ବିଶ୍ୱାସ ଓ ମମତା ହରାଇ ବସିଥିଲା, ସେତେବେଳେ ସମୁଦ୍ରଗର୍ଭ ହିଁ ଥିଲା ତା ପାଇଁ ଏକମାତ୍ର ଆଶ୍ରୟସ୍ଥଳୀ ।

 

—ତୁ ମତେ କାହିଁକି ବଞ୍ଚେଇଲୁ ? ମୁଁ ମରିବାକୁ ଚାହେଁ...ମୁଁ ମରିବାକୁ ଚାହେଁ । ମୋ ପାଇଁ ଜୀବନ ଅନ୍ଧକାରମୟ..ଅର୍ଥହୀନ । ଏଭଳି ପ୍ରତାରଣା ଓ ଯନ୍ତ୍ରଣା ସହି ବଞ୍ଚିବା ଅପେକ୍ଷା ସମୁଦ୍ରର ଶାନ୍ତି-ଶୀତଳ ବକ୍ଷରେ ଆଶ୍ରୟ ନେଇ ସବୁକିଛି ଭୁଲିଯିବା ଶ୍ରେୟସ୍କର ।

 

—ମୁଁ ଜାଣିଥିଲି, ତୁ ଏମିତି କିଛି କରିବସିବୁ । ମୁଁ ଜାଣିଥିଲି, ବିଜନ ଆଉ ଆସିବ ନାହିଁ-। ବିଜନ ଯେ ତୋତେ ଠକି ଚାଲିଯିବାକୁ ଚାହେଁ, ଏକଥା ମୁଁ ଆଗରୁ ଜାଣିଥିଲି । ତାର ଜଣେ ଆତ୍ମୀୟ ପାଖକୁ ଲେଖିଥିବା ଚିଠିରେ ସେସବୁ କଥା ସ୍ପଷ୍ଟ କରିଦେଇଛି । ସେ ଚାକିରିରୁ ତଡ଼ା ଖାଇବା ମଧ୍ୟ ଏକ ଅଭିନୟ । ତାହା ସେ ନିଜେ ବନ୍ଦୋବସ୍ତ କରିଛି; କାରଣ ସେପରି ନ ହୋଇଥିଲେ ତୋ ଠାରୁ ଦୂରେଇ ଯିବାପାଇଁ ସୁନ୍ଦର ବାହାନାଟିଏ ସେ କେଉଁଠୁ ପାଇଥାନ୍ତା !

 

ଶୁଭ୍ରା ପୁଣି ଆରମ୍ଭକଲା—ଏଇ ପ୍ରତାରଣା ଓ ଶଠତା ବିରୁଦ୍ଧରେ ତତେ ସଂଗ୍ରାମ କରିବାକୁ ହେବ । ଆତ୍ମହତ୍ୟା ଆତ୍ମ ପ୍ରବଞ୍ଚନା ମାତ୍ର । ତାହା ସମସ୍ୟାର ସମାଧାନ ନୁହେଁ । ତାହା ମଧ୍ୟ ଏକରକମ ଭୀରୁତା ଓ କାପୁରୁଷତା । ତୁ କାପୁରୁଷତାକୁ ଘୃଣା କରୁନା ?

 

ଭିଜା ଦେହ ଓ ଭିଜା ମନ ନେଇ କେମିତି ମୋହଗ୍ରସ୍ତ ଭାବେ ମେନକା ଶୁଣୁଥିଲା ଶୁଭ୍ରାର କଥା ।

 

ଯେଉଁ ଶିଶୁଟି ଭବିଷ୍ୟତର ଆଲୋକ ଅପେକ୍ଷାରେ ରହିଛି, ତାକୁ ଆଲୋକକୁ ଆଣିବାପାଇଁ ତୋର ବଞ୍ଚିରହିବା ପ୍ରଥମ କର୍ତ୍ତବ୍ୟ । ତାକୁ ସମାଜରେ ପ୍ରତିଷ୍ଠିତ କରିବାପାଇଁ ତୋର ଦରକାର ଆତ୍ମବିଶ୍ୱାସ ଓ ଦୃଢ଼ତା । ପ୍ରେମ ପାପ ନୁହେଁ । ଗଙ୍ଗାର ପବିତ୍ର ଜଳ ବିଷବୃକ୍ଷକୁ ମଧ୍ୟ ପ୍ରକ୍ଷାଳିତ କରିଥାଏ । ସେଥିରେ ଗଙ୍ଗା ଅପବିତ୍ର ହୁଏନାହିଁ । ବିଜନପରି କା’ପୁରୁଷକୁ ପ୍ରେମକରିଥିବା ଯୋଗୁଁ ତୋର ପ୍ରେମ ଅପବିତ୍ର ହେବ କାହିଁକି ? ତାହା ଗଙ୍ଗାପରି ପବିତ୍ର । ତତେ ବଞ୍ଚିବାକୁ ହେବ ତୋର ଗର୍ଭର ସେହି ପବିତ୍ର ସନ୍ତାନ ପାଇଁ । ତାରି ଭିତରେ ତୁ ପାଇବୁ ତୋର ମାତୃତ୍ୱର ଓ ଜୀବନର ସମସ୍ତ ସାର୍ଥକତା ।

 

ମେନକା ସତେ ଯେମିତି ଅଥଳ ଅକୂଳ ସମୁଦ୍ର ଭିତରେ କୂଳଟିଏ ଖୋଜି ପାଇଛି । ଆଶାର କ୍ଷୀଣ ଆଲୋକ ରେଖାଟିଏ ତାର ମନର ଅନ୍ଧକାର ଭିତରେ ଝଲସି ଉଠିଲା । ସେ ଶୁଭ୍ରାକୁ କୁଣ୍ଢାଇ ପକାଇ କାନ୍ଦିବାକୁ ଲାଗିଲା । ସତେ ଯେମିତି ଅବରୁଦ୍ଧ ଦୁଃଖ ଓ ଉଚ୍ଛ୍ୱାସର କୋଠରିର ଦ୍ୱାର ଖୋଲିଗଲା । ଶୁଭ୍ରାର କଥା ଓ ସହାନୁଭୂତି ନିଜର ସମସ୍ୟାକୁ ଏକ ନୂତନ ଦୃଷ୍ଟିକୋଣରୁ ଦେଖିବାପାଇଁ ତାକୁ ପ୍ରେରଣା ଯୋଗାଇଲା ।

 

ଶୁଭ୍ରା ମଧ୍ୟ ନାରୀ ହୃଦୟର ସମସ୍ତ ସ୍ନେହ ମମତା ଦେଇ ମେନକାକୁ ଟାଣିନେଲା ଛାତି ଉପରକୁ । ତା’ ଆଖିରେ ଲୁହର ଢେଉ । ମେନକାକୁ ସେ ଟାଣିଆଣିଛି ନିଶ୍ଚିତ ମୃତ୍ୟୁ ମୁହଁରୁ । ତାର ସ୍ନେହ ମମତାଭରା କଥା ମେନକାର ଆତ୍ମବିଶ୍ୱାସ ଫେରାଇଆଣିଛି । ପଥହରା ପଥିକକୁ ଠିକ୍‌ ପଥରେ ଚାଲିବାପାଇଁ ନିର୍ଦ୍ଦେଶ ଦେଇଛି । ମେନକା ଜୀବନର ଘନତମିଶ୍ରାକୁ ଦୂରକରିବା ପାଇଁ ସେ ହୋଇଛି ଆଲୋକର ଉତ୍ସ ।

 

ଖୋଲା ଝରକା ଦେଇ ଶୁଭ୍ରା ଚାହିଁଲା ସମୁଦ୍ରକୁ । ସମୁଦ୍ରରେ ଏକ ଅପୂର୍ବ ଉଦବେଳନ । ଧୀରେ ଧୀରେ ଶାନ୍ତ ହୋଇସାରି ପୁଣି ଯେମିତି ସେ ଗର୍ଜନ କରୁଛି । କୂଳକୁ ଆଲିଙ୍ଗନ କରିବା ପାଇଁ ହାତ ପ୍ରସାରି ଧାଇଁ ଆସୁଛି । ପୁଣି ଫେରିଯାଉଛି ନିରାଶ ଭାବରେ । ଏ ବୈରାଗ୍ୟ ଅପ୍ରାପ୍ତିର ନା ପ୍ରାପ୍ତି ପରବର୍ତ୍ତୀ ସମୟର...ଚରମ ପରିତୃପ୍ତିର !

 

ଆକାଶରେ ବଗଧାଡ଼ିଏ, ଉଡ଼ିଯାଉଛନ୍ତି ହାତ ଧରାଧରି ହୋଇ ନୃତ୍ୟଛନ୍ଦରେ । କିଏ ଜାଣେ ଏମିତି ସେମାନେ ଆଉ କେତେବାଟ ଉଡ଼ିଯିବେ ! କିନ୍ତୁ କାହିଁ ସେମାନେ ପଛକୁ ତ ଫେରି ଚାହୁଁନାହାନ୍ତି ! ଅନିର୍ଦ୍ଦିଷ୍ଟ ସମୟ ଓ ଅପହଞ୍ଚ ଦୂରତ୍ୱ କଥା ଭାବି ହତାଶରେ ଲକ୍ଷ୍ୟହରା ହେଉନାହାନ୍ତି !!

Image

 

ଆହତ ବିଶ୍ୱାସ

ଏକ

 

ପୁଣି ଥରେ ସେ ଆଖି ଖୋଲିଲା । ଆଖି ପତା ଉପରେ ସତେ ଅବା କେତେ ମହଣ ଓଜନର ପଥର ଦୁଇଟା କିଏ ଲଦିଦେଇଛି । ଆଖି ପତା ଦୁଇଟାକୁ ଟେକି ରଖିବା ପାଇଁ ତାକୁ ଅନେକ ପରିଶ୍ରମ କରିବାକୁ ପଡ଼ୁଥିଲା । ଅବଶଦେହରେ ଆଉ ଶକ୍ତି ନଥିଲା । ଆସନ୍ତୁ ସେଇମାନେ—ସେଇ ଅସୁରମାନେ । ତାକୁ ନେବେ ଯଦି ନେଇଯାଆନ୍ତୁ । ଜୀଅନ୍ତା ଖାଇଯାଆନ୍ତୁ ତାର ସେ ଦେହଟାକୁ—ସେ ଅଥର୍ବ ଦେହଟାକୁ—ଦୀର୍ଘ ବାଇଶଟି ବର୍ଷ ସାଇତା ତାର ସେ ଦେହ ! କାଇଁ ଦିନୁଟିଏ ସେ କେବେ ତାର ଦେହପାଇଁ ଭାବିନି । ସୁନ୍ଦର କି ଅସୁନ୍ଦର, ଗୋରା କି ସାବନା ସେ କଥା କେବେ ସେ ଏମିତି ଏତେ ନିବୁଜ ଭାବେ ଚିନ୍ତା କରିନାହିଁ । ବାସ୍ତବିକ ନିଜ ବିଷୟ—ନିଜ ଜୀବନର ଭବିଷ୍ୟତ ବିଷୟ ଏତେ ଟିକିଏ ସୁଦ୍ଧା ସେ ଭାବିନି । ମେଞ୍ଚାଏ କାଦୁଅ ଭଳି ଯିଏ ଯେମିତି ଦଳାଦଳି କରି ତାକୁ ଯୋଉ ରୂପ ଦେଇଦେଲା ସେ ବିନା ବାଧାରେ ଆଦରି ନେଇଛି, ସବୁ ଜିନିଷକୁ ସହଜ ଭାବେ ଗ୍ରହଣ କରିବା ହେଉଛି ଉତ୍ତମ ପ୍ରକୃତିର ଲକ୍ଷଣ । ଏଇ ଶିକ୍ଷା ତାକୁ ଦିଆଯାଇଥିଲା ପିଲାଟି ଦିନରୁ । ଆପତ୍ତି, ଅଭିଯୋଗ ଏସବୁ ଖରାପ । ସତୀ, ସାଧ୍ୱୀ ଝିଅଟିଏ ବିଷ ଦେଲେ ମଧ୍ୟ ମୁଣ୍ଡ ପୋତି ପିଇଦେବା ଉଚିତ । ସବୁ ସେ ଗ୍ରହଣକରିଯିବ ଚୁପ୍‌ ଚାପ୍‌ । ଘରେ, ଚାହାଳିରେ, ସାଇପଡ଼ିଶା, ବନ୍ଧୁ ବାନ୍ଧବ ସବୁଠି କେବଳ ଏଇ ଗୋଟିଏ ଉପଦେଶ ସେ ଶୁଣିଥିଲା । ସମାଜର ପ୍ରଚଳିତ ପ୍ରଥାର ଲୁହା ଶିକୁଳିରେ ନିଜକୁ ବାନ୍ଧିଦେଲେ ହିଁ ସବୁ ପାପ ସବୁ ଦୁଃଖରୁ ମୁକ୍ତି ମିଳିବ । ନଇଲେ ରୌରବ ନର୍କ । ତୁ ଚରିତ୍ର ଭ୍ରଷ୍ଟା । ତୋର ସମାଜରେ ସ୍ଥାନ ନାହିଁ । ପାପରୁ ତୋର ମୁକ୍ତି ନାହିଁ । ବାପା-ମା, ବନ୍ଧୁ-ବାନ୍ଧବ, ସାଇ-ପଡ଼ିଶା କିଏ ତୋର ମୁହଁ ଚାହିଁବେ ନାଇଁ—ସାହା ଭରସା ହେବେନାହିଁ । ତା’ପରେ ତୋର ମୁକ୍ତି ପାଇଁ କେବଳ ଏକମାତ୍ର ବାଟ-ମରଣ ।

 

ତାର ଏକମାତ୍ର ଅବଲମ୍ବନ—ମୃତ୍ୟୁ !

 

ଉଭୟ ପାଖେ ହଳଦି ବର୍ଣ୍ଣର ସୋରିଷକ୍ଷେତ୍ରର ଗାଲିଚାଭିତରେ ଗାଢ଼ କଳା ଏମ୍ବ୍ରଡ଼ୟରୀ ଗାରଟିଏ ଭଳି ଲମ୍ବିଯାଇଥିବା ସେ ଜାତୀୟ ରାଜପଥର କୌଣସି ଗୋଟିଏ ଜାଗାରେ ଅର୍ଦ୍ଧଚେତନ ଅବସ୍ଥାରେ ଆରତୀ ମୃତ୍ୟୁକୁ ସ୍ୱାଗତ କରୁଥିଲା । ମରିଗଲେ ତ ତରିଯାଆନ୍ତା ସବୁ ଦୁଃଖ ଜଞ୍ଜାଳରୁ । ଆଗରେ ଅନ୍ଧକାର ଭବିଷ୍ୟତ, ଯାହା ବିଷୟରେ କିଛି ଭାବିବାର ଶକ୍ତି ବର୍ତ୍ତମାନ ତାର ନାହିଁ । ପଛରେ ପଡ଼ିରହିଛି ସେହି ସବୁ ଛିଣ୍ଡା ରଶି; ଯାହା ମାଟିର ଏ ପୃଥିବୀ ସାଙ୍ଗେ ଅତି ନିବିଡ଼ ଭାବେ ତାକୁ ବାନ୍ଧି ଧରିଥିଲା । ଅନେକ ଅକୁହା ବେଦନାକୁ ଗ୍ରାସ କରି ଗୋଟାଏ ଚଣ୍ଡୀମୂର୍ତ୍ତି ପରି ଜିଭ ଲମ୍ବାଇ ସେ ଯେମିତି ବର୍ତ୍ତମାନ ସୁଦ୍ଧା ତା’ପଛରେ ଗୋଡ଼ାଇଛି ଖାଇଯିବା ପାଇଁ—ଗୋଟାପଣେ ଗିଳିଯିବା ପାଇଁ । ଯେଉଁ ସବୁ ରଶିକୁ ସେ କାଟିଦେଇ, ଫୋପାଡ଼ି ଦେଇ ଆସିଛି । ସେ ସବୁ ଯେମିତି ପୁଣି ଯୋଡ଼ି ହୋଇ ଧାଇଁଛନ୍ତି ତା’ପଛରେ । ସେ ରଶିଗୁଡ଼ାକ ସତେ ଯେମିତି ଗାରୁଡ଼ି ଜାଣିଥିବା କେଳାର ସାପ । କୁହୁକ ବଳରେ ଖଣ୍ଡ ଖଣ୍ଡ ହୋଇ ପୁଣି ଯୋଡ଼ି ହୋଇ ଯାଉଛନ୍ତି ।

 

କେଜାଣି ସେତେବେଳକୁ କେତେ ସମୟ ହେବ ! ଭୋକ ଶୋଷରେ ପାଟି ତାର ଅଠା ଅଠା ହୋଇ ଯାଉଥାଏ । ବହଳ ଅନ୍ଧାର ଭିତରେ ଧୀରେ ଧୀରେ ଯେମିତି ସବୁଜିନିଷର ସତ୍ତା ହଜିଯାଉଛି । ଆକାଶରେ ମିଟିମିଟି କରୁଥିବା ତାରାମାନଙ୍କୁ ଛାଡ଼ିଦେଲେ ଆଉ ଆଲୋକ ମଧ୍ୟ ନାହିଁ । ମଝିରେ ମଝିରେ ଟ୍ରକ୍‌ଟାଏ ବା କାର୍‌ଟାଏ ବିଜୁଳି ବେଗରେ ଛୁଟିଯାଉଛି । କିଛି ସମୟପାଇଁ ରୋଷଣି ଜାଳିଦେଇ ଆଗ ଅପେକ୍ଷା ଅଧିକ ଅନ୍ଧକାର ଭିତରେ ସତେ ଯେମିତି ସେ କୁଆଡ଼େ ମିଳେଇ ଯାଉଛି ।

 

ବହୁତ ସମୟ ପରେ ଥଣ୍ଡା ପବନର ହାବୁକା ଖାଇ ଆରତୀ ଦେହରେ କିଛି ଶକ୍ତି ସଂଗ୍ରହ କଲା । ସେତେବେଳକୁ ଅନେକ ରାତି । ସେ ବୁଝିପାରିଲା ଆଉ ସାହସ ହରାଇଲେ ଚଳିବ ନାହିଁ । ତା’ ଆଖି ଆଗରେ ନିଜର ଅତୀତ ଭାସିଗଲା । ଅନ୍ଧାର ରାତିରେ ଏକାଟିଆ ମଶାଣି ବାଟରେ ଗଲାବେଳେ କଳା ଅବାଗିଆ ଚେହେରାଟିଏ ଦେଖିଦେଲେ ଦେହ ଯେମିତି ଥରି ଉଠେ, ସେମିତି ସେ ଥରିଉଠି ପୁଣି ସାହସ ସଞ୍ଚୟ କଲା ।

 

ସେଇମାନଙ୍କ କଥା ତେବେ ସେ ଏତେ କାହିଁକି ଭାବୁଛି ? କିଏ ସେମାନେ ? ଅବା କିଏ ସେଇ ଲୋକଟା ? ସେମାନଙ୍କୁ ଆଉ ନିଜର ବୋଲି ଡାକିବାର ଆଉ କୌଣସି ଯୁକ୍ତି ସେ ଖୋଜି ପାଉନଥିଲା । ବାପ, ମା’ ଛେଉଣ୍ଡ ନିରୀହା ବାଳିକାଟିକୁ ତେବେ ସେମାନେ ପଇସା ଲୋଭରେ ବିକିଦେଲେ ଶେଷରେ ! ବିକିଦେଲେ କୁଷ୍ଠରୋଗରେ ସଢ଼ୁଥିବା ଲୋକଟିଏ ପାଖରେ । ବାପା ତାର ଯେଉଁଦିନ ହଠାତ୍‌ ବେମାର ପଡ଼ି କକେଇଙ୍କୁ ଖବର ପଠାଇଲେ, ସେଦିନ ସେ ପାଖରେ ବସିଥିଲା ।

 

ଆଖି ଛଳଛଳେଇ ଥରିଲା ଗଳାରେ ସେ କହିଗଲେ, ‘‘ଆଉ ନାହିଁରେ ଭାଇ ଆଉ ନାହିଁ…...ମୁଁ ଗଲି । ହେଇ ଡାକରା ଆସିଲାଣି । ଯେବେହେଲେ ଦିନେ ଯିବା କଥା ତ, ଆଗୁଁ ପଳାଇଲେ କାମ ସଇଲା । ଆରତୀକୁ ଛାଡ଼ିଯାଉଛି । ତା’ କଥା…….’’ ମୁଣ୍ଡ ନୁଆଁଇ କାନ୍ଦି କାନ୍ଦି କକେଇ ଜବାବ ଦେଇଥିଲେ ଝିଅରୁ ଅଧିକ କରି ପାଳିବେ ।

 

ଏଇୟା ତାଙ୍କ ମନରେ ଥିଲା ।

 

ବର୍ଷ ବର୍ଷ ଧରି ସେ ଯେଉଁ ଦିନଟିର ସ୍ୱପ୍ନ ଦେଖିଥିଲା—ଯାହାର କଳ୍ପନାରେ ସେ ରୋମାଞ୍ଚିତ ହୋଇ ଉଠିଥିଲା ସେଦିନ ଶେଷରେ ଆସିଲା ଗୋଟିଏ ଭୟଙ୍କର ମହାମାରୀର ରୂପ ନେଇ । ସବୁ ଆଶା, ଭରସା—ସବୁ ସ୍ୱପ୍ନ ଆଉ କଳ୍ପନାକୁ ଧୂଳିରେ ମିଶାଇ ଦେଲା ସେଇ ଗୋଟିଏ ଦିନ ।

 

ଆରତୀର ମନ ଯେପରି ବିଦ୍ରୋହ କରି ଉଠୁଥିଲା ସେହିସବୁ ଧପ୍‌ପାବାଜ, ପାଷାଣ୍ଡମାନଙ୍କ ବିରୁଦ୍ଧରେ । ସେଇମାନେ ହିଁ ତାର ସର୍ବନାଶର ମୂଳରେ ସେ ସେମାନଙ୍କୁ କ୍ଷମା ଦେଇ ପାରୁନଥିଲା । ପଇସା ଲୋଭରେ ସେଇ କକେଇ ଓ ଖୁଡ଼ୀ ତା’ର ଚିତାର ନିଆଁ ଜାଳିଦେଲେ-। ଶବ ପରି ତା’ର ଦେହଟାକୁ ଥୋଇଦେଇ ଆସିଲେ ଚିତା ଉପରେ । ନରକର ବାଟରେ ସେମାନେ ଛାଡ଼ିଦେଇ ଆସିଲେ ତାକୁ ।

 

ସବୁ ତ ଖାଇଲେ ସେମାନେ । ଦେବତା ପରି ବଡ଼ ଭାଇର ଧନ, ସମ୍ପତ୍ତି ଖାଇଲେ । ଜୀବନସାରା ଖଟେଇ ଖଟେଇ ମାଇଲେ ଗଧ ଖଟଣି ଖଟୁଥିବା ସେଇ ଲୋକଟାକୁ । କାହିଁ ଦିନେ ହେଲେ ତ ସିଏ ଏମାନଙ୍କୁ କାମରେ ଲଗାଇନାହିଁ । ପଦୁଟିଏ ଟାଣ କରି କଥା କହିନାହିଁ । ନିଜର ଛୋଟଭାଇକୁ ପୁଅଠାରୁ ଯେ ବଳକା କରି ପାଳିଆସିଥିଲା, ତାର ଝିଅକୁ ଏମାନେ ସବୁ ନରକରେ ବସାଇ ଦେଇଆସିଲେ ।

 

ଦୀର୍ଘ ଦୁଇ ବର୍ଷ ତଳେ ସେଇ ତାର ସର୍ବନାଶର ଦିନଟା ପୁଣି କେମିତି ଦାନ୍ତ ଦେଖେଇ ଖତେଇହେଲାପରି ଦିଶିଗଲା ଆରତୀ ଆଖିରେ, କେତେ ଜାକଜମକ, ମଉଜ ମଜଲିସ୍‌ର ଦିନ ସେଇଟା ! କିନ୍ତୁ ବାହାରେ ଏମିତି ହସ ଖୁସିର ମୁଖା ପିନ୍ଧି, ସୁନାର ମୃଗଟିଏ ସାଜି, ସେଇ ମାରୀଚ ତାର ଜୀବନର ସବୁ କାମନା ସବୁ ସ୍ୱପ୍ନ ମାଟିରେ ମିଶାଇଦେଲା ।

 

କେତେ ଅବା ସମୟ ଲାଗିଲା ତାର ସେ ସ୍ୱପ୍ନ ଭାଙ୍ଗିଯିବା ପାଇଁ ?

 

ସେଇ ସୁକୁମାରୀ ଅବୋଧ କନ୍ୟା ଯିଏ ସଂସାରକୁ କମଳା ବା ଆତଟିଏ ପରି ସହଜ ବିଶ୍ୱାସରେ ଗ୍ରହଣ କରିଥିଲା, ତା’ର ସେ ବିଶ୍ୱାସ କାହିଁ ?

 

ସବୁ ପୋଛିପାଛି ଖାଇଦେଲା ସେ ସବାଖାଈ ଆଣ୍ଠୁକୁଡ଼ୀ ଖୁଡ଼ୀଟା । ପୁଅ କି ଝିଅ ତ ତା’ର କେହି ନାହିଁ । ଥିଲେ ଅବା ଜାଣିଥାନ୍ତା ସ୍ନେହମମତା କଥା । ଘର, ସଂସାର କରି ଷାଠିଏ ବରଷ କଟାଇ ଦେଲାଣି, ହେଲେ ପରଘର ଭାଙ୍ଗିବା ବୁଦ୍ଧି କଣ କେବେ ଗଲା ? ଏତିକି ଟିକିଏ କାହାର ସୁଖକୁ କଣ ସିଏ ସହିପାରିବ ? କେମିତି ହସିକରି ସେ ପାଣିରେ ସର ପକାଏ ? କଳି କଜିଆରେ କିଏ ବା ତା ସାଙ୍ଗରେ ଯୋଗ ଦେବ । ତା’ ମନରେ ଏତେ କଥା ସେ ରଖିଥିଲା ? ଏଡ଼େ କାଇଦାରେ ସେ ନିଜ ମୁହଁରେ ମୁଖାଟାଏ ଲଗାଇ ରହିଥିଲା ! ଦିନୁଟିଏ ହେଲେ ସିଏ ତାକୁ ସନ୍ଦେହ କରିପାରିନାହିଁ ।

 

ସବୁ ଖାଲି ତାର ବାପର ସମ୍ପତ୍ତି ଖାଇଯିବାପାଇଁ ସେମାନେ ଏତେ ବଡ଼ ଫନ୍ଦି, ଫିକରରେ ଲାଗିଥିଲେ ! ସିଏ ଅବା କଣ ସେମାନଙ୍କର ଦୋଷ, ଅପରାଧ କରିଥିଲା ! ଲୋଭରେ ଏତେ ପାଗଳ ହୋଇଥିଲେ କକେଇ ଆଉ ଖୁଡ଼ୀ । ଦିଅଁ ଖାଇ ଶେଷରେ ଖଟୁଳି ଖାଇବାପାଇଁ ମଧ୍ୟ ସେମାନେ ଅଣ୍ଟାଭିଡ଼ି ବହାରିପଡ଼ିଲେ । ଲୋଭୀ ଲୋକର ଲୋଭର ସୀମା କେବେ ନଥାଏ । ଏମାନଙ୍କର ମଧ୍ୟ ନଥିଲା । ଟଙ୍କା ପାଞ୍ଚ ହଜାର ପାଇଁ କୃଷ୍ଠରୋଗୀ ହାତରେ କନ୍ୟାକୁ ଟେକିଦେଲେ-। ବାସ୍‌, ମୁଣ୍ଡରୁ ଅଳିଆ ଗଲା । କି ଖୁସିରେ ସେଦିନ ଖୁଡ଼ୀର ମନ କୁରୁଳି ଉଠିଥିବ !

 

କଂସେଇକୁ ଛେଳିଟିଏ ବିକି ଦେଲା ପରି ସେମାନେ ଦୟା-ମାୟାହୀନଭାବେ ତାକୁ ବିକିଦେଲେ ଗୋଟାଏ କୁଷ୍ଠରୋଗୀକୁ ! ସେ କଥା ମନେ ପଡ଼ି ଆରତୀ ପୁଣି ଥରେ ଥରିବାକୁ ଲାଗିଲା । ପୁଣି ସେ ନିଜ ଭିତରେ ନିଜକୁ ଖୋଜିବାକୁ ଚେଷ୍ଟାକଲା । ସେ ଜାଣିପାରିଲା ତାର ନାରୀ ହୃଦୟର ଦୁର୍ବଳତାର ଏ ମଧ୍ୟ ଗୋଟାଏ ଲକ୍ଷଣ । ତା ଭିତରେ ହଠାତ୍‌ ଆତ୍ମବଳର ସଞ୍ଚାର ହେଲା । ତାର ଦେହ ଆଉ ଥରିଲାନାହିଁ । କେମିତି ଏକ କିମ୍ଭୂତ ପ୍ରକାର ଭୟରେ ସେ ଆଉ ବିବ୍ରତ ହେଲାନାହିଁ । ଯେଉଁ ବିଦ୍ରୋହ ସେ ଆରମ୍ଭକରିଛି ସେ ବିଦ୍ରୋହର ରାସ୍ତାରେ ତାକୁ ଆଗେଇ ଯିବାକୁ ପଡ଼ିବ । ପୁଣି ଥରେ ସେ ନିଜକୁ ସମ୍ଭାଳିନେଲା ।

 

X X X

 

ମନେ ମନେ ସେ ନିଷ୍ପତ୍ତି ନେଇସାରିଥିଲା ।

 

ପଛକୁ ଫେରି ଚାହିଁବା ପାଇଁ ଆଉ ବେଳ ନଥିଲା । କାଳେ ସେମାନେ ସବୁ ତା’ ପଛରେ ଧାଇଁଥିବେ । ପୁଣି ଥରେ ତାକୁ ବାନ୍ଧିନେବାପାଇଁ ସେମାନେ ପ୍ରାଣମୂର୍ଚ୍ଛା ଚେଷ୍ଟା କରୁଥିବେ-। ନାଁ, ଆଉ ହେବ ନାହିଁ । ସେ ପୁଣି ଥରେ ଧାଇଁବାକୁ ଆରମ୍ଭକଲା । କିଏ ଯେମିତି ତା ନିଜ ଭିତରୁ, ହୁକୁମ୍‌ ଦେଉଛି— ‘‘ଧାଁ...ଧାଁ...ଧାଇଁ ଆ । ଧରା ପଡ଼ିଗଲେ ସରିଲା । ଆଉ ତୋର ମୁକ୍ତି ନାହିଁ । ରକ୍ଷା ନାହିଁ । ଚିନ୍ତାର ବେଳ ନାହିଁ । ନରକର ବାଟରୁ ତୁ ଫେରି ଆସିଛୁ । ଯା ଭଲଦଶା ଥିଲେ ପଳେଇ ଯା ।’’

 

ସତକୁ ସତ ସେଇ ନିଝୁମ୍‌ ରାତିରେ ସେ ଧାଇଁ ଧାଇଁ କେଜାଣି କେତେ ବାଟ ଆସିସାରିଥିଲା । କେତେବେଳୁ ଯେ ଧାଇଁଲାଣି ତାର ନିଜର ମଧ୍ୟ ସେ ବିଷୟରେ କିଛି ଖିଆଲ ନାହିଁ । ଧାଇଁ ଧାଇଁ ଶେଷରେ ଯେତେବେଳେ ସେ ଅଣନିଃଶ୍ୱାସୀ ହୋଇଗଲା ଏବଂ ତା’ର ଗୋଡ଼ ଦୁଇଟା ଛନ୍ଦିହୋଇ ତାକୁ ଲୁଥ୍‌ କରି ଗଡ଼ାଇଦେଲେ, ସେତେବେଳେ ସେ ଅନୁଭବ କଲା ଯେ ସେ ବୋଧହୁଏ ବେଶିଗୁଡ଼ାଏ ବାଟ ଧାଇଁ ଧାଇଁ ଆସିବାରୁ ତାର ଏ ଦଶା ଘଟିଛି ।

 

ପାଟିର ଦୁଇକଡ଼େ ଫେଣ ଜମି ଶୁଖିଯାଇଥିଲା । ଦେହ ତା’ର ମରିଆସିଲା ପରି ସେ ଅନୁଭବ କରୁଥିଲା । ଗୋଡ଼, ହାତ ଆଉ ତାର ବୋଲ ମାନୁନଥିଲେ । ତାର ଯେମିତି ସବୁ କ’ଣ ହୋଇଯାଇଛି । ପଡ଼ିଲା ଜାଗାରୁ ସେ ଆଉ ଉଠି ପାରୁନଥିଲା । ନିଜର ସମସ୍ତ ଶକ୍ତି ଖଟେଇ ନିଜକୁ ଉଠାଇବାପାଇଁ ଚେଷ୍ଟାକରି ବେହୋସ ହୋଇଗଲା ।

 

ତାର ମନର ଅନ୍ଧକାର ଭିତରେ ରୂପାୟିତ ହେଲା ଗୋଟିଏ ଭୟଙ୍କର ଦୃଶ୍ୟ ।

 

ହଠାତ୍‌ ସେଇ ଶୂନ୍‌ ଶାନ୍ ଅନ୍ଧାର ଭିତରେ ଧୀରେ ଧୀରେ ଆସୁଥିବା ପବନର ହାବୁକାମାନଙ୍କରେ ସେ ଶୁଣିବାକୁ ପାଇଲା କେତେକ ଅସ୍ପଷ୍ଟ ହୁଙ୍କାର । ସେମାନେ କିଏ ସବୁ ଯେମିତି ଯୁଦ୍ଧରେ ଜିଣିସାରି ଦିଗ୍‍ବିଦିଗ ବାହାପଟ ଆଉ ହୁଙ୍କାରରେ କମ୍ପାଇ ଗଳଗାଜି ଆସୁଥିଲେ-। ହାତରେ ଗୋଟାଏ ଗୋଟାଏ ଜଳନ୍ତା ମଶାଲ ଧରି ସେମାନେ ସବୁ ଆଗ୍ନେୟ ଅସ୍ତ୍ରପରି ଆଗକୁ ଆଗକୁ ମାଡ଼ି ଆସୁଥିଲେ । ସେମାନେ ତାହାହେଲେ ତାର ସନ୍ଧାନ ପାଇ ସାରିଛନ୍ତି । ଆଉ ସେ ଖସି ପଳାଇ ପାରିବନାହିଁ । ସେଇ ଶିକାରୀମାନେ ନିଶ୍ଚୟ ତା’ ଦେହରେ ବର୍ଚ୍ଛା ଭୂଷିଦେବେ-। ସେମାନେ ଫାଶ ପକାଇ ତାକୁ ଧରିନେବେ । ପୁଣି ତାକୁ ଟାଣିନେବେ, ଚୁଟି ଧରି ଘୋଷାରି ନେବେ । ଯେଉଁସବୁ ବନ୍ଧନର ଦାସତ୍ୱ-ଶୃଙ୍ଖଳକୁ ଛିଣ୍ଡାଇ ଦେଇ ଆସିଥିଲା ପୁଣି ଜୋର୍‌ କରି ତା’ ହାତରେ ସେମାନେ ତାକୁ ବାନ୍ଧିଦେବେ ।

 

ସେମାନେ ଗଛପତ୍ରର ଅନ୍ଧାରକୁ ଚିରି କିଳିକିଳା ଶବ୍ଦ କରି ଆଗକୁ ଆସୁଥିଲେ । ଯଜ୍ଞ ଅଶ୍ୱକୁ ଘେରି ଚାଲିଥିବା ଦୁର୍ମଦ ଯୋଦ୍ଧାମାନଙ୍କର ଋଣହୁଙ୍କାର ବହୁଦୂରରୁ ଭୟ ଜାତ କରାଇଲା ପରି, ଅନ୍ଧାରକୁ ବହୁ ଦୂରରୁ ପରିଚୟ କରାଇ ଦେଉଥିବା ସେଇ ଛୋଟ ଛୋଟ ଆଲୋକମାନେ ଆରତୀର ସମଗ୍ର ଦେହକୁ କମ୍ପାଇ ଦେଉଥିଲେ । ଆଉ ରକ୍ଷାନାହିଁ । ରକ୍ଷାନାହିଁ ସେ ନାରକୀୟ ଜୀବନର ନାଗଫାଶ ବନ୍ଧନରୁ । ସେ କଣ କରିବ ? ହୁଏତ ଠିଆହୋଇ ସେ ଦିଗନ୍ତ ବିସ୍ତାରୀ ଅନ୍ଧାର ଭିତରେ ପୁଣି ଆଖିବୁଜା ଦଉଡ଼ି ପଳାଇବାକୁ ଭାବୁଥିଲା । ନା, ସେ ଆଉ ଧାଇଁପାରିବ ନାହିଁ-। ତା’ ଦେହରେ ଆଉ ଠିଆହେବାପାଇଁ ମଧ୍ୟ ବଳ ନାହିଁ । ସେ ହୁଏତ ବର୍ତ୍ତମାନ ଆଉ ଜୀବନରେ ନଥାନ୍ତା ! ଖାଲି କଣ ଗୋଟାଏ ଶକ୍ତି ତା’ ଭିତରେ ଜୀବନ ନାଟିକାକୁ ଚଳାଉଛି ।

 

କ୍ଷଣକ ଭିତରେ ତା’ ଆଖି ଆଗରେ ସବୁ ପୁଣି ନାଚିଗଲା । ସେଇ ଘର ଯାହା ପ୍ରତି ତାର ଏତେ ଟିକିଏ ମୋହ ନାହିଁ—ସେଇ ସ୍ୱାମୀ ଯିଏ କୃଷ୍ଠରୋଗରେ ଆକ୍ରାନ୍ତ—ସେଇ ଘୃଣ୍ୟ ନାରକୀୟ ଜୀବନ ସ୍ୱାଦହୀନ ଦାସତ୍ୱ । ପୁଣି ସେଠାକୁ ସେମାନେ ତାକୁ ଘୋଷାରି ନେବେ ! ସେ ଆଉ ଭାବି ପାରିଲାନାହିଁ, କଣ ସେ କରିବ ? କଣ ସବୁ ଏଇ ଅଳ୍ପ ସମୟ ମଧ୍ୟରେ ଘଟିବାକୁ ଯାଉଛି ? ସେ ଯେମିତି ଠିଆ ହୋଇଥାଏ; କିନ୍ତ ତା’ର ହୋସ ଉଡ଼ିଯାଇଥାଏ । ଦେହରେ ଲୁଗା ନାହିଁ । ପ୍ରାୟ ଉଲଗ୍ନ ଅବସ୍ଥାରେ ସଂଜ୍ଞାହୀନ ହୋଇ ସେମିତି ଗୋଟାଏ ଗଛକୁ ଆଉଜି ଠିଆହୋଇଥାଏ ।

 

ଶିକାରୀ ଦଳଟି ଭିତରୁ କିଏ ଜଣେ କୁହାଟ ମାରି ଅନ୍ଧାରକୁ କମ୍ପାଇ ଦେଲା । ‘‘ଆରେ ହେ, ରଇଯାଆରେ, ସାକ୍ଷାତ୍‌ ଦେବୀ ଉଭା ହୋଇଛନ୍ତି । ରଇଯା, ଆରେ ହେ ରଇଯା ।’’ ମଶାଲ ଆଲୁଅରେ ଗଛତଳେ ଦେବୀଙ୍କ ମୂର୍ତ୍ତି ଦେଖି ଶିକାରୀମାନେ—‘ଜେ ମା ଦୁର୍ଗେ’ ଶବ୍ଦରେ ଗଗନ ପବନ କମ୍ପାଇ ନାଚିବାରେ ଲାଗିଲେ । ଦେଖୁ ଦେଖୁ ସଂକୀର୍ତ୍ତନ ଆରମ୍ଭ ହୋଇଗଲା । ସ୍ୱୟଂ ସାକ୍ଷାତ୍‌ ଦୁର୍ଗା ମାତାରୂପରେ ଉଭା ହୋଇଛନ୍ତି । ଯାହାର ଯାହା ମନୋବାଞ୍ଛା ଆଜି ପୂରଣ କରିଦେବେ । ସଂକୀର୍ତ୍ତନ ଆରମ୍ଭ ହୋଇଗଲା । ସମସ୍ତେ ହାତଯୋଡ଼ି ନାଚିବାରେ ଲାଗିଗଲେ । ‘ଜୟ ମା ଦୁର୍ଗା’ ‘ଜୟ ମା ଭୈରବୀ’ ‘ଜୟ ମା କରାଳୀ’ ଶବ୍ଦରେ ଖଣ୍ଡ ମଣ୍ଡଳ କମ୍ପିଗଲା । କେହି କେହି ହାତଯୋଡ଼ି ସାଷ୍ଟାଙ୍ଗ ହୋଇ ଭୂଇଁରେ ଲମ୍ବ ଲମ୍ବ ଗଡ଼ିପଡ଼ିଲେ । ବୁଢ଼ା, ବୁଢ଼ୀ ଯୋଉମାନେ ଥିଲେ, ସେମାନେ ଚଣ୍ଡୀପାଠ ଆରମ୍ଭ କରିଦେଲେ । କେତେଜଣଙ୍କ ପାଟିରୁ ଭୁସ୍‌ ଭୁସ୍‌ ହୋଇ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ସୁଅ ଛୁଟିଲା ।

 

ଏଥି ଭିତରେ କିଏ ଗୋଟାଏ ପାଟି କରିଦେଲା—ଆବେ ଶଳେ, ଏଟା ଦେବୀ ନୁହେଁ ବେ, ପେତିନୀଟାଏ କି ଡାହାଣୀଟାଏ । ଦେବୀ ହୋଇଥିଲେ ଆମ ଡାକ ଏତେବେଳଯାଏ ନ ଶୁଣି ରହନ୍ତା ନାହିଁ । ଏ ପେତିନୀ ଆମ ସଙ୍ଗେ ଖେଳ ଖେଳୁଛି ।

 

କଥାଟା ଚଟ୍‌କିନା ସମସ୍ତଙ୍କ ମନକୁ ପାଇଗଲା । ସଂକୀର୍ତ୍ତନ, ଚଣ୍ଡୀପାଠ ସବୁ ହଠାତ୍‌ ବନ୍ଦ ହୋଇଗଲା । ବର୍ତ୍ତମାନ ସମସ୍ତଙ୍କ ଭିତରେ ଡର ପଶିଗଲା । ଦେବୀ ହେଇଥିଲେ ସିନା ସବୁ ମଙ୍ଗଳ, ସବୁ ଶୁଭ । ମନକାମନା ପୂର୍ଣ୍ଣକରି ଯାହା ମାଗିଲେ ତାହା ଦେଇଦିଅନ୍ତା । ପେତିନୀ ହୋଇଥିଲେ ବଡ଼ ବିପଦ ! ଗୋଟା ଗୋଟା କରି ସମସ୍ତଙ୍କୁ ମୋଡ଼ି ପକାଇବ । ଛେପ ଟିକିଏ ପକାଇଦେଲେ ଦେହରେ ବିଷ ଘା’ ଫୁଟି ସମସ୍ତେ କଲବଲ ହୋଇ ମରିବେ । ବଡ଼ ଭାଳେଣି ପଡ଼ିଲା । ବୁଢ଼ା କେତୁଟା ପହିଲୁ ପହିଲୁ ବିଶ୍ୱାସ କରୁନଥିଲେ । ପରେ ଭେଣ୍ଡାମାନେ ଅଡ଼ି ବସିବାରୁ ସେମାନେ ମଧ୍ୟ ବିଷମ ଚିନ୍ତାରେ ପଡ଼ିଲେ । ତଳେ ସାଷ୍ଟାଙ୍ଗ ହୋଇ ଅଧିଆ ପଡ଼ିଥିବା ଲୋକମାନେ ପ୍ରାଣ ବିକଳରେ ଉଠି ଠିଆହେଲେ ।

 

ପବନରେ ଥର ଥର ମହଳନୀ ଆଲୁଅରେ ଗଛକୁ ଭରାଦେଇ ଠିଆ ହୋଇଥିବା ଆରତୀର ସଂଜ୍ଞାହୀନ ନଗ୍ନ ଦେହଟା ଏକ ବିକଟାଳ ରୂପ ନେଇଗଲା । ଗଛଦେହରେ ଟଙ୍ଗାଯାଇଥିବା ଚିତ୍ରଟିଏ ବା କୋଣାର୍କର ନାରୀ ମୂର୍ତ୍ତିଟିଏ ଭଳି ସେ ଗଛଦେହରେ ଜଡ଼ିଯାଇଥିଲା ।

 

ଶିକାରୀ ଦଳ ଭିତରେ ଗଭୀର ଭୟ, ସନ୍ଦେହ ଓ ଉତ୍କଣ୍ଠା ଖେଳିଗଲା । ପ୍ରସ୍ତାବ ହେଲା, ପାଖକୁ ଯାଇ ଦେଖାଯାଉ ଜିନିଷଟା କଣ ? କିନ୍ତୁ ଯିବ କିଏ ? କେହି ପ୍ରଥମେ ଗଛପାଖକୁ ଯିବାପାଇଁ ରାଜି ହେଲେନାହିଁ । ଠିକ୍‌ ହେଲା ଯେ ସମସ୍ତେ ଏକା ସଙ୍ଗରେ ଯିବେ ଦେଖିବା ପାଇଁ । ବୁଢ଼ା ବୁଢ଼ୀମାନେ ଭୂତ, ପ୍ରେତ ଘଉଡ଼ିବା ମନ୍ତ୍ର ଗାଇ ଗାଇ ଆଗରେ ଗଲେ । ତାଙ୍କ ପାଖରେ ଭେଣ୍ଡାମାନେ ବର୍ଚ୍ଛାଧରି ଜଗି ରହିଲେ । ଆରମ୍ଭ ହୋଇଗଲା ଗୋଟାଏ ରୀତିମତ ଶିକାର ଅଭିଯାନ-। ସମସ୍ତେ ମଝିରେ ମଝିରେ ଜଣେ ଅନ୍ୟ ଜଣକୁ କଣେଇ ଚାହିଁଦେଇ ପଦେ ଆଗକୁ ଯାଉଥାନ୍ତି-। ସମସ୍ତେ ଏମିତି ଯାଉ ଯାଉ ପଛରୁ କାଳେ କିଏ ଖସି ପଳାଇବ ସେଥିପ୍ରତି ବେଶି ହୋସିୟାର ଥିଲେ । ଛକାଛକି ହୋଇ ଏମିତି ସେମାନେ ଆଗକୁ ଆଗକୁ ଗଲେ । ନାରୀମୂର୍ତ୍ତିଟାର ପାଖକୁ କ୍ରମେ ସେମାନେ ଆସିଗଲେ ।

 

ସତେ ଯେମିତି ବହୁ ଶତାବ୍ଦୀ ଧରି ଶୋଇରହିବା ପରେ ହଠାତ୍‌ କୌଣସି ଯାଦୁକରର କୁହୁକ ସ୍ପର୍ଶରେ ଆରତୀର ନିଦ୍ରାଭଙ୍ଗ ହୋଇଛି ।

 

ନିଜର ଚାରିପଟେ ଘନ ଅନ୍ଧକାର ମଧ୍ୟରେ ଅନେକ ଅସ୍ପଷ୍ଟ ବିକୃତ ଓ ଗଳିତମୁଖ । ଗୋଟିଏ କୃଷ୍ଠରୋଗୀ ଦଳ ନିରୀହ ହରିଣୀଟିଏ ଶିକାର କରିବାପାଇଁ ଛୁଟିଛନ୍ତି ସେ ଘନ ରାତ୍ରିର ଅନ୍ଧକାର ଭିତରେ । ଆରତୀର ମନ ସତେ ଯେମିତି ଗୋଟାଏ ଶିଶ୍‌ମହଲରେ ପରିଣତ ହୋଇଛି । ତାର ପ୍ରତ୍ୟାଖ୍ୟାତ କୃଷ୍ଠରୋଗୀ ସ୍ୱାମୀର ଲକ୍ଷ ଲକ୍ଷ ପ୍ରତିବିମ୍ବ ସେ ମନର ଦର୍ପଣମାନଙ୍କରେ ।

 

ସେ ପୁଣି କମ୍ପି ଉଠିଲା ।

 

ତାକୁ ଯୁଦ୍ଧ କରିବାକୁ ପଡ଼ିବ ଜୀବନସାରା—ସମାଜ ବିରୁଦ୍ଧରେ । ସମାଜର କୁ-ସଂସ୍କାର ବିରୁଦ୍ଧରେ । ହୁଏତ ଏ ସବୁଠାରୁ ବେଶି ତାକୁ ସଂଗ୍ରାମ କରିବାକୁ ପଡ଼ିବ ତା ମନର କୁ-ସଂସ୍କାର ବିରୁଦ୍ଧରେ । ମନର ଶିଶ୍‌ମହଲକୁ ଭାଙ୍ଗିବାକୁ ହେବ, ତା କୃଷ୍ଠରୋଗଗ୍ରସ୍ତ ସ୍ୱାମୀର ପ୍ରତିବିମ୍ବମାନଙ୍କୁ ହତ୍ୟା କରିବାପାଇଁ ।

 

କିଏ ତୁମେ—କିଏରେ ଯମଦୂତମାନେ ଧାଇଁ ଆସିଛ ମତେ ଫେରେଇ ନେବାପାଇଁ ସେ ନର୍କପୁରକୁ । ସେ ଚିତ୍କାର କରି ପୁଣି ଧାଇଁଲା ଏକ ନିଶ୍ଚିତ ଅନ୍ଧକାରର ମୋହଗ୍ରସ୍ତ ଆଶ୍ରୟ ଭିତରକୁ ।

Image

 

ଦୁଇ

 

ଗୋଛାଏ ନାଲି ଫୁଲ ପରି ସନ୍ଧ୍ୟାର ସୂର୍ଯ୍ୟ । ଚାରିଆଡ଼େ ଖାଲି ଫୁଲ ଓ ସନ୍ଧ୍ୟା । ଉପହାର ବୁକୁରେ ଅନେକ ଫୁଲର ମଉଛବ । ଆରତୀ ଦର୍ପଣରେ ନିଜକୁ ଦେଖୁଥିଲା । ସେ ନିଜକୁ ଦେଖୁଥିଲା କିମ୍ବା ନିଜର ସେଇ ତିକ୍ତ ଅତୀତର ଅନୁଭୂତିଗୁଡ଼ିକୁ ରୋମନ୍ଥନ କରୁଥିଲା କହିବା ସହଜ ନୁହେଁ । ତା ମୁହଁର ବିଷର୍ଣ୍ଣତା ତଥାପି ଦୂର ହୋଇନାହିଁ । ଦୁର୍ଘଟଣା ଘଟିବା ଦିନଠାରୁ…... । ଦୁର୍ଘଟଣା ! ବାସ୍ତବିକ୍‌ କଣ ତାକୁ ଦୁର୍ଘଟଣା କୁହାଯିବା ଉଚିତ ! ଯାହା ଆକସ୍ମିକ ଭାବେ ମଣିଷକୁ କବଳିତ କରି ବିପର୍ଯ୍ୟୟ ସୃଷ୍ଟି କରେ, ତାହା ଦୁର୍ଘଟଣା; କିନ୍ତୁ ଯଦି ଜଣେ ଜାଣି ଜାଣି ସେଭଳି ବିପର୍ଯ୍ୟୟକୁ ଡାକିଆଣେ ?

 

ଆରତୀ ଆଉ ଚିନ୍ତା କରିପାରିଲା ନାହିଁ । ତା’ ଆଖି ଆଗରେ ନାଚିଗଲା ସେଇ ଦିନର ଘଟଣା । ଜୀବନକୁ ଶେଷ କରିଦେବା ପାଇଁ ସେ ନେଇଥିଲା ଗୋଟିଏ ସାଂଘାତିକ ନିଷ୍ପତ୍ତି । ଆତ୍ମହତ୍ୟା ! ନୀତିଶାସ୍ତ୍ର, ପୁରାଣ ଯାହାକୁ ବାରଣ କରେ, କହେ ଅନୈତିକ, ପାପ ! ସେତେବେଳେ ସେ ପାପ, ପୁଣ୍ୟର ବିଚାରକରିବା ଅବସ୍ଥାରେ ନଥିଲା । ପୃଥିବୀ ତା’ ପାଇଁ ଥିଲା ଏକ ଜଡ଼-ପିଣ୍ଡ ପ୍ରାଣଶୂନ୍ୟ । ଚତୁର୍ଦ୍ଦିଗରେ ଏକ ପ୍ରଜ୍ଜ୍ୱଳିତ ବହ୍ନିମାନ ପୃଥିବୀ ଯେମିତି ତାକୁ ଗ୍ରାସ କରିବାପାଇଁ ପ୍ରବଳ ବେଗରେ ଧାଇଁ ଆସୁଥିଲା । ହୁଏତ ସେ ଚାହୁଁଥିଲା ସେଭଳି ଅଗ୍ନିର ଆଲିଙ୍ଗନ; ଯାହା କ୍ଷଣକ ମଧ୍ୟରେ ତାକୁ ଜାଳିପୋଡ଼ି ଧ୍ୱଂସ କରିଦେବ—ପାଉଁଶରେ ପରିଣତ କରିଦେବ । ସେଇ ଧ୍ୱଂସ ହିଁ ତାର କାମ୍ୟ । ସେଇ ଧ୍ୱଂସ ମଧ୍ୟରୁ ହୁଏତ ସେ ନୂତନ ଜୀବନର ସନ୍ଧାନ ପାଇପାରେ । ଯାହା ଏ ଜୀବନରେ ଅସମ୍ଭବ, ତା’ର ସେଇ ବାସନା ହୁଏତ ପରଜନ୍ମରେ ସମ୍ଭବ ହୋଇପାରେ ।

 

ମଣିଷକୁ ସେ ଏଡ଼େ ନିବିଡ଼ ଭାବରେ ଭଲ ପାଇଥିଲା ଯେ ପରମୁହୂର୍ତ୍ତରେ ତାର ସ୍ୱପ୍ନ ଭଙ୍ଗ ହେବାବେଳକୁ ସେ ନିଜେ ନିଃଶେଷିତ ହୋଇସାରିଥିଲା । ତା’ ପରଠାରୁ ସେ ଘୃଣା କରିବାକୁ ଆରମ୍ଭ କରିଥିଲା ମଣିଷର ବର୍ବରତା, ଶଠତା ଓ କପଟତାକୁ । ପୃଥିବୀ ଓ ସମାଜ ତା’ ପାଇଁ ଅସହ୍ୟ ବୋଧ ହୋଇଥିଲା । ସେମାନଙ୍କୁ ଛାଡ଼ି ସେ ଧାଇଁ ପଳାଇବାପାଇଁ ବ୍ୟଗ୍ର ହୋଇ ଉଠିଥିଲା-

 

ଗୁଡ଼ାଏ ପରିଚିତ ଓ ଅପରିଚିତ ମୁହଁର ପ୍ରତିବିମ୍ବ । ଜଣା ଅଜଣା, ଚିହ୍ନା ଅଚିହ୍ନା, ମୁହଁମାନଙ୍କ ଭିତରୁ ସେଇ ବ୍ୟକ୍ତିଟିକୁ ସେ ଖୋଜି ବାହାର କରିବାପାଇଁ ଚେଷ୍ଟା କରୁଥିଲା ଯେ ତାକୁ ସର୍ବସ୍ୱାନ୍ତ କରିଛି । ସେଇ ଝାପ୍‌ସା ମୁହଁମାନଙ୍କର ବିକୃତ ହସ ପୁଣି ତାକୁ ବିବ୍ରତ କରୁଥିଲା ।

 

ତା’ ଆଖିରେ ଲୁହର ବନ୍ୟା ।

 

ସେଇ ବିକୃତ ମୁହଁମାନଙ୍କୁ ଭୁଲିବାକୁ ଚେଷ୍ଟାକରିବା ଏକ ବିଫଳ ପ୍ରୟାସ । ସେ ଯେତେ ଚେଷ୍ଟାକରୁଛି ସେମାନଙ୍କୁ ଭୁଲିଯିବା ପାଇଁ, ସେମାନେ ସେତେ ପ୍ରତିଶୋଧ ନେଉଛନ୍ତି ତା’ ଉପରେ-। ଦର୍ପଣରେ ସେମାନଙ୍କ ପ୍ରତିବିମ୍ବକୁ ପୋଛି ଲିଭାଇବା ପାଇଁ ଚେଷ୍ଟା କରିବା ଏକ ମସ୍ତ ବୋକାମି ଛଡ଼ା ଆଉ କ’ଣ ? ଲୁହ ପୋଛିଲା ଆରତୀ ।

 

ସୁରପ୍ରସାଦ ଅନେକବେଳୁ ତା’ର ଅଜାଣତରେ ପହଞ୍ଚିଯାଇଥିଲେ । କେମିତି ଟିକିଏ ମୋଟାଳିଆ ତଳକୁ ଝୁଲିପଡ଼ିଲା ପରି ଓଠ । ତାଙ୍କୁ ପ୍ରଥମେ ଦେଖିଲେ ଘରୁ ଫ୍ରେମ୍‌ଦିଆ ଚଷମା ଓ ସବୁବେଳେ ଓଠରେ ଝୁଲିଥିବା ପାଇପ୍‌ ଆଖିରେ ପଡ଼େ ।

 

ସେ ସବୁବେଳେ ଅଳ୍ପ କଥା କହନ୍ତି । ବାହାରୁ ବଡ଼ ଗମ୍ଭୀର କିନ୍ତୁ ଉଦାର ।

 

ସୁରପ୍ରସାଦ ଚେଷ୍ଟାକରି ହସୁନଥିଲେ ନିଶ୍ଚୟ । ହସଟା ଯେମିତି ସବୁବେଳେ ତାଙ୍କ ଓଠରେ ଲାଗିରହିଥାଏ । ସେ କେବେ ବୋଧହୁଏ ଜୋରରେ ହସନ୍ତି ନାହିଁ । ଏମିତି ଖାଲି ଓଠ ଦୁଇଟା ଟିକିଏ ବିସ୍ଫାରିତ ହୋଇ ସାଧନାର କେଇଟା ଦାନ୍ତ ଅଳ୍ପ ଦିଶିଯାଏ; କିନ୍ତୁ ବେଶ୍‌ ଚମତ୍କାର–ବେଶ୍‌‌ ପ୍ରଭାବଶାଳୀ ସେଇ ହସ ।

 

ନମସ୍କାର କରି ଠିଆହେଲା ଆରତୀ !

 

ଫୁଲ ତୋଡ଼ାଟିଏ ତା’ ହାତକୁ ବଢ଼ାଇ ଦେଉ ଦେଉ ସୁରପ୍ରସାଦ କହିଲେ—ଆଜି କେମିତି ଅଛ ?

 

ସୁରପ୍ରସାଦ ନିଶ୍ଚୟ ତା ଆଖିର ଲୁହକୁ ଦେଖିପାରିଛନ୍ତି । ସେ କେମିତି ଟିକିଏ ଅପ୍ରତିଭ ହୋଇପଡ଼ିଲା । ସେ ଜାଣେ, ସୁରବାବୁ ଏହି ଲୁହକୁ ଭଲ ପାଆନ୍ତିନାହିଁ । ସେ ବହୁତ ଥର ତାଙ୍କ ଆଖି ଆଗରୁ ନିଜ ଲୁହକୁ, ନିଜର ବେଦନାକୁ ଲୁଚାଇବାକୁ ଚେଷ୍ଟାକରି ବିଫଳ ହୋଇଛି ।

 

—ଆଜି ପ୍ରଥମ ଥର କେମିତି ଗୋଟାଏ ଉଦାସ ଉଦାସ ଲାଗୁଛି । ଏଇ କେତେଦିନ ହେବ ମୁଁ ସବୁକିଛି ଭୁଲିଯିବା ପାଇଁ ଚେଷ୍ଟାକରିଛି; କିନ୍ତୁ ପାରିନି । ମୋର ନିଜ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବାପାଇଁ ମଧ୍ୟ ମୁଁ ସମର୍ଥ ହୋଇପାରିନାହିଁ । ଭାବୁଛି ଆଉ ବେଶିଦିନ ଏଠାରେ ରହି ଆପଣଙ୍କୁ ହଇରାଣ କରିବା ମୋର ଉଚିତ ନୁହେଁ । ମୁଁ ଜାଣେ, ମୋ ପାଇଁ ବୃଥାରେ ଆପଣ ବହୁତ କଷ୍ଟ ଭୋଗିଲେଣି ।

 

—ତୁମର ଏସବୁ ଧାରଣା ନିରର୍ଥକ ।

 

—ମୁଁ କ’ଣ ଏଡ଼େ ନିର୍ବୋଧ !

 

—ମୁଁ ଯାହା କରୁଛି, ତାହା ମାର ନୈତିକ କର୍ତ୍ତବ୍ୟ । ମୋ ଜାଗରେ ଯେକେହି ଥିଲେ ମଧ୍ୟ ସେ କାର୍ଯ୍ୟ କରିଥାନ୍ତେ ବୋଲି ମୋର ବିଶ୍ୱାସ । ତୁମର ଦୁର୍ଘଟଣା ପାଇଁ ମୁଁ ଦାୟୀ । ଖବରକାଗଜରେ ତୁମର ଦୁର୍ଘଟଣା କଥା ପ୍ରକାଶକରିବା ପରେ ସୁଦ୍ଧା ଯେତେବେଳେ ତୁମର କେହି ଆତ୍ମୀୟସ୍ୱଜନ ଆସିଲେ ନାହିଁ, ସେତେବେଳେ... ! ଆଉ ତା’ ଛଡ଼ା ତୁମେ ମଧ୍ୟ ମୋ ନିକଟରେ ସ୍ୱୀକାର କରିଛ ଯେ ତୁମେ ସବୁକିଛି ଛାଡ଼ି ଆସିଥିଲ । ସେଭଳି ଏକ ମମତାହୀନ ଜୀବନର ବିଭୀଷିକା ତୁମକୁ ଆଣି ଛାଡ଼ିଥିଲା ଆତ୍ମହତ୍ୟାର ରାସ୍ତାରେ । ତୁମେ କଣ ପୁଣିଥରେ ସେଇ ବିଭୀଷିକାମୟ ଜୀବନ ଭିତରକୁ ଫେରିଯାଇ ଆଉଥରେ ରାସ୍ତା ଓ ପଥିକ ଉଭୟଙ୍କୁ ଶେଷ କରିଦେବାର ଅଭିପ୍ରାୟରେ ଅଛ !

 

—ମତେ ଆଉ ବେଶି ଅପମାନ ଦିଅନ୍ତୁ ନାହିଁ । ନିଜର ଭୁଲପାଇଁ ମୁଁ ବହୁତ ଅନୁତାପ କରିସାରିଛି । ଜୀବନରେ ଆଉ ସେମିତି ଭୁଲ ହେବନାହିଁ; କିନ୍ତୁ ମୋ ପାଇଁ ଆପଣ ନିଜକୁ କାହିଁକି ଦାୟୀ ମନେ କରୁଛନ୍ତି ? ଆପଣଙ୍କର କୌଣସି ଭୁଲ୍‌ ନାହିଁ । ମୁଁ ଜାଣିଶୁଣି ନିଜେ ଆପଣଙ୍କ ଗାଡ଼ି ଆଗକୁ ଚାଲିଆସିଥିଲି । ମୁଁ ମରିବାପାଇଁ ଚାହିଁଥିଲି । ମୋ ଜୀବନକୁ ଶେଷ କରିଦେବା ବ୍ୟତୀତ ମୋ ପାଖରେ ଅନ୍ୟ ପନ୍ଥା ନଥିଲା ।

 

ସୁରପ୍ରସାଦ ଯେମିତି ଏସବୁ ଶୁଣିବାପାଇଁ ପ୍ରସ୍ତୁତ ନଥିଲେ । ନିଜର ଚଷମାଟିକୁ ହାତରେ ଅବଲୀଳାକ୍ରମେ ଘୂରାଉ ଘୂରାଉ ସେ ଦୂରକୁ ଚାହିଁଥିଲେ ।

 

ଅନେକ ସମୟରେ ଅସହିଷ୍ଣୂ ନୀରବତା ତାଙ୍କୁ ହୁଏତ ବାଧ୍ୟକଲା କିଛି କହିବାପାଇଁ ।

 

—ତୁମେ ଜାଣ ଆରତୀ, ମୁଁ କ’ଣ ଭାବେ ? ଏସବୁ ନିହାତି ଆକସ୍ମିକ । ଜୀବନ ଓ ମୃତ୍ୟୁ ଏପରିକି ପ୍ରତ୍ୟେକ ଛୋଟ, ବଡ଼ ଘଟଣା ସବୁ ଆକସ୍ମିକ—ନିହାତି ଆକସ୍ମିକ । ସବୁଜ ଘାସର ଗାଲିଚା । ମଖମଲି ଫୁଲର ଶେଯ, ଗାଡ଼ି, ମଟର, ବିରାଟ କୋଠା, କଳ କାରଖାନା, ବିଳାସବ୍ୟସନ ସବୁ ଆକସ୍ମିକ । ହୁଏତ ଆଜି ଯାହା ଅଛି, ଅତି ଆକସ୍ମିକ ଭାବେ ଦିନେ ଏସବୁ କିଛି ନରହି ପାରେ । ବଡ଼ ବଡ଼ ଡାକ୍ତର ଓ ଦାମୀ ଔଷଧର ବ୍ୟବସ୍ଥା ଥାଇ ମଧ୍ୟ ରୋଗୀ ମରେ । ମରିବା ପାଇଁ ଚେଷ୍ଟା କରି, କାର୍‌ ଆଗରେ ଡେଇଁପଡ଼ି ମଧ୍ୟ ସେ ମରେନାହିଁ । ତୁମେ ହିଁ ତାର ଜ୍ୱଳନ୍ତ ଦୃଷ୍ଟାନ୍ତ । ଏହା ସବୁ ଆକସ୍ମିକ ନୁହେଁ ତ ଆଉ କଣ ?

 

ସୁରପ୍ରସାଦ ହସିବା ଅବସ୍ଥାରେ କେଜାଣି କାହିଁକି ଟିକିଏ ଗମ୍ଭୀର ହୋଇଗଲେ ।

 

ଆଉକିଛି ଯୁକ୍ତିକରିବା ପାଇଁ ସାହସ କଲାନାହିଁ ଆରତୀ ।

 

ମହାନଗରୀର ଅବହେଳିତ ସକାଳ ! ଅସଂଖ୍ୟ କୋଠାବାଡ଼ି ଆକାଶ ଛୁଇଁଛି । ତଥାପି କାହା ସହିତ କାହାର ସାମଞ୍ଜସ୍ୟ ନାହିଁ । ପ୍ରତ୍ୟେକଟା ଯେମିତି ଗୋଟିଏ ନୂଆ ପରିକଳ୍ପନାକୁ ନେଇ ଗଢ଼ିଉଠିଛି । ଆକାଶକୁ ଛୁଇଁବା ପାଇଁ ସେମାନେ ଯେମିତି ପରସ୍ପର ସହିତ ପ୍ରତିଯୋଗିତା କରୁଛନ୍ତି-

 

ସହରରେ ଏମିତି ସକାଳ ଆସେ । ସମସ୍ତଙ୍କୁ କର୍ମମୁଖର କରେ; କିନ୍ତୁ ଏହି ମହାନଗରୀରେ ଦିନ ଓ ରାତି ମଧ୍ୟରେ ବେଶି କିଛି ପାର୍ଥକ୍ୟ ନ ଥାଏ । ଏଠି କାମ ଦିନରେ ହୁଏ, ରାତିରେ ବି ହୁଏ । ବୋଧହୁଏ ଦିନ ଅପେକ୍ଷା ରାତିରେ ବେଶି କାରବାର ହୁଏ । ବିଭିନ୍ନ ପ୍ରକାର କାରବାର ପାଇଁ ଅନ୍ଧାର ବେଶ୍‌ ଉପଯୋଗୀ ।

 

ମହାନଗରୀର ପ୍ରଖ୍ୟାତ ଜନବହୁଳ ଅଞ୍ଚଳର ଏକ ବିଶିଷ୍ଟ ପ୍ରାସାଦ ।

 

ଝରକା ଗ୍ରୀଲ୍‌ରେ ଦେହ ନେସି ଜଡ଼ିଯାଇଥିବା ଗୋଟିଏ ଲତାରେ ଅଜସ୍ର ଛୋଟ ଛୋଟ ନାଲି ଫୁଲ । ମଖମଲି ସବୁଜ ଗାଲିଚା ପରି ଘାସର କଅଁଳ ଲନ୍‌ । ପରିବେଶ ଏକ ରୁଚିପୂର୍ଣ୍ଣ ଆଭିଜାତ୍ୟର ସୂଚନା ଦେଉଥିଲା ।

 

ଦୁଇଦିନ ସଂଜ୍ଞାହୀନ ଅବସ୍ଥାରେ ରହିବା ପରେ ପୃଥିବୀକୁ ଯେମିତି ଏକ ନୂତନ ଦୃଷ୍ଟିରେ ଦେଖୁଥିଲା ଆରତୀ ।

 

ତା’ ଜୀବନର ସମସ୍ତ ସ୍ୱପ୍ନ ଓ କଳ୍ପନାକୁ ଯେତେବେଳେ ସମସ୍ତେ ମିଳିମିଶି ସମାଧି ଦେବାପାଇଁ ଠିକ୍‌ କଲେ, ସେ ଆଉ ସହିପାରିଲା ନାହିଁ । ହିନ୍ଦୁ ପରମ୍ପରା ଓ ଧର୍ମର ଦ୍ୱାହି ଦେଇ ପରିବାରର ସମସ୍ତେ ବହୁତ ବୁଝାଇଥିଲେ । କନ୍ୟାର ବିବାହ ତା ନିଜର ଦାୟିତ୍ୱ ନୁହେଁ । ତାହା ପରିବାରର କର୍ତ୍ତବ୍ୟ । ସେ ପରିବାର ଓ ଗୁରୁଜନମାନଙ୍କ ଉପରେ ବିଶ୍ୱାସ କରି ଭାଗ୍ୟକୁ ଆଦରିନେବା ଉଚିତ ।

 

ଏପରି ଗୋଟାଏ ଦର୍ଶନରେ ବିଶ୍ୱାସ କରିପାରିନଥିଲା ଆରତୀ । ତାହା ହିଁ ଥିଲା ତାର ପରମ ଅପରାଧ । ତା’ ବିରୁଦ୍ଧରେ ଗଢ଼ି ଉଠୁଥିବା ଘୃଣାର ବାତାବରଣ ଭିତରେ ରହିବା ତା’ ପକ୍ଷରେ ସମ୍ଭବ ନଥିଲା । ସେ ପ୍ରତିବାଦ ମଧ୍ୟ କରିପାରିବ ନାହିଁ ।

 

ଘରଛାଡ଼ିବା ସମୟରେ ତା ଆଗରେ ଥିଲା ଦୁଇଟା ସମାଧାନ । ହୁଏତ ସେ ଏକ ନୂତନ ଓ ସ୍ୱାଧୀନ ଜୀବନ ପାଇଁ ଚେଷ୍ଟା କରିବ ବା ତାର ଦୁଃଖମୟ ଜୀବନକୁ ଶେଷ କରିଦେଇ ସମସ୍ୟା ଓ ସମାଧାନ ଉଭୟର ଚିନ୍ତାରୁ ଚିରଦିନ ପାଇଁ ମୁକ୍ତିଲାଭ କରିବ ।

 

ମହାନଗରୀର କରାଳ ବିଭୀଷିକା ଅତି କମ୍‌ ସମୟ ମଧ୍ୟରେ ତାର ନୂତନ ଜୀବନର ସନ୍ଧାନ ପଥରେ ଅଜସ୍ର ପ୍ରତିବନ୍ଧକ ଆଣିଦେଲା । ସେ ଶ୍ୱାସରୁଦ୍ଧ ମନେକଲା । ପରିବାର ଓ ବନ୍ଧୁମାନଙ୍କର ଯେଉଁ ଉଭୟଙ୍କର ରୂପ ସେ ଦେଖୁଥିଲା ତାହାଠାରୁ ବହୁଗୁଣରେ କଦର୍ଯ୍ୟ ଓ ଜଘନ୍ୟ କ୍ଷୁଧା ଓ ପ୍ରଲୋଭନ ନେଇ ତାହା ସହରର ପ୍ରତ୍ୟେକ ବ୍ୟକ୍ତିଠାରେ ଦେଖିବାକୁ ପାଇଲା । ଇନ୍ଦ୍ରଜିତର ଆସୁରିକ ମାୟା ଓ କପଟରେ ପରିପୂର୍ଣ୍ଣ ଛଳନାମୟ ସହରରେ ଏକ ନାରୀପକ୍ଷେ ଏକାକିନୀ ସ୍ୱାଧୀନ ଜୀବନଯାପନ କରିବା ଯେ କେତେ କଷ୍ଟସାଧ୍ୟ ତାହା ସେ ମର୍ମେ ମର୍ମେ ଅନୁଭବ କରିବାକୁ ଲାଗିଲା ।

 

ସମାଧାନର ସମସ୍ତ ରାସ୍ତା ବନ୍ଦ ହୋଇଯିବା ପରେ ରାସ୍ତା ଓ ପଥିକ ଉଭୟଙ୍କୁ ଶେଷ କରିଦେବା ଉଦ୍ଦେଶ୍ୟରେ ସେ ଡେଇଁପଡ଼ିଥିଲା ଗୋଟାଏ ବେଗଗାମୀ କାର୍‌ ଆଗକୁ; କିନ୍ତୁ ନିଜ ଇଚ୍ଛାରେ ସେ ମୃତ୍ୟୁ ମଧ୍ୟ ବରଣ କରିପାରିଲାନାହିଁ । କେଡ଼େ ନିଃସହାୟ ଏ ମଣିଷ ! ସମସ୍ତ ଯନ୍ତ୍ରଣାକୁ ଶେଷ କରିଦେବାର ଏକମାତ୍ର ଉପାୟ ମୃତ୍ୟୁ ମଧ୍ୟ ତାକୁ ପ୍ରତ୍ୟାଖ୍ୟାନ କଲା । ଡାକିଲେ ସେ ଆସେନାହିଁ । ସମସ୍ତ ଇଚ୍ଛା ବିରୁଦ୍ଧରେ କେତେବେଳେ ବା ଅଚାନକ କବଳିତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ନିହାତି ଅଲୋଡ଼ାବେଳେ କାନ୍ଧରେ ବାଡ଼ି ପକାଇ ନିଶକୁ ସାଉଁଳେଇଦେଇ ଦୁଆରେ ଆସି ହଲପ୍‌ କରେ । ସେତେବେଳେ ମଣିଷର ଜୁ ନାହିଁ ଯେ ତାକୁ ଠକିଦେବ । ଜନ୍ମ ଓ ମୃତ୍ୟୁ ଭିତରର ଏହି ବ୍ୟବଧାନ ହିଁ ତ ଜୀବନ ।

 

ବଗିଚାର ଫୁଲଗୁଡ଼ିକୁ କେମିତି ଗୋଟାଏ ଆବେଗ ନେଇ ସେ ଚାହିଁଲା । ସତେ ଅବା ସେ ପ୍ରଥମଥର ପାଇଁ ଏ ଫୁଲଗୁଡ଼ିକୁ ଦେଖୁଛି !

 

ବଗିଚାରେ ସକାଳୁ ସଞ୍ଜଯାଏଁ ଖଟୁଥିବା ସେ ଦରବୟସିଆ ଲୋକଟା ତାରି କାମ ଆହୁରି ଆରମ୍ଭ କରିନାହିଁ । ଝଙ୍କାଳିଆ ଆମ୍ବଗଛଟା ତଳେ ନିଜର ଆଣ୍ଠୁ ଉପରେ ଦୂରରୁ ଚିଲଟାଏ ପରି ଦିଶୁଥିବା ବୋଝେ ଅସନା ବାଳର ମୁଣ୍ଡଟାକୁ ଲଦି ଦେଇ ସେ ବସିଛି । ଆଉ ସେଇ ସ୍ତ୍ରୀ ଲୋକଟା ତା’ର କ’ଣ ହେବ କେଜାଣି...ସେମିତି ଏକଧ୍ୟାନରେ ବସି ତା’ ଅସନା ବାଳରୁ ନିଖ, ଉକୁଣି ସବୁ ଝୁଣି ପକାଉଛି । ପାଇଟିଆଳ ମଜୁରିଆଟି ଆରାମରେ ସେମିତି ମୁଣ୍ଡପାତି ବସିରହିଛି ଖରାରେ ପିଠିକୁ ସେକିହୋଇ ।

 

ଆରତୀର ମନ ଭିତରଟା କେମିତି ଟିକିଏ ସିକ୍ତ ହୋଇଗଲା । ସୁଖ ତେବେ କଣ ? ଭଲ ଖାଇବା, ଭଲ ପିନ୍ଧିବା, କୋଠାବାଡ଼ି କରି ଗାଡ଼ିମଟର ଚଢ଼ିବା ! ଏମାନଙ୍କର ଏସବୁ ଗୋଟିଏ ମଧ୍ୟ ନାହିଁ । ଭଲକରି ମୁଠାଏ ଖାଇବାକୁ ମଧ୍ୟ ଏମାନେ ପାଆନ୍ତିନାହିଁ । ଯାହା ମିଳିଲା ଖାଇ, ଅଧନଙ୍ଗଳା ରହି ମଧ୍ୟ ହାଡ଼ଭଙ୍ଗା ପରିଶ୍ରମ ପରେ ଏମାନେ ଏତେ ସୁଖୀ !

 

ସେ ସତେ ଯେମିତି ନିଜ ଭିତରକୁ ଚାହୁଁଥିଲା ଅନ୍ତର୍ମୁଖୀ ହୋଇ । ଦୁଃସ୍ୱପ୍ନ ପରି ଅତୀତର ସମସ୍ତ ଘଟଣା ଆଖି ଆଗରେ ନାଚିଯାଉଥିଲା । ସେ ଅନୁଭବ କଲା ଯେମିତି ସେ ସୁଅର ଭଉଁରି ଭିତରେ ପଡ଼ିଯାଇଛି । ଚାରିଆଡ଼େ ଅଥଳ ସମୁଦ୍ର—ଯୁଆଡ଼େ ଆଖି ଯାଉଛି ଖାଲି ସମୁଦ୍ର ଆଉ ସମୁଦ୍ର । କୂଳକିନାରା ନାହିଁ ।

 

ଆରତୀ ଆହୁରି ମଧ୍ୟ ସମ୍ପୂର୍ଣ୍ଣ ଭାବେ ତା’ର ଅତୀତର ତିକ୍ତ ଅନୁଭୂତି ପ୍ରଭାବରୁ ମୁକ୍ତ ହୋଇପାରିନାହିଁ । ଅନେକ ରାତିରେ ସେ ଶୋଇପାରେ ନାହିଁ । ବହୁ ଚେଷ୍ଟା କରି ମଧ୍ୟ ଯେତେବେଳେ ତା ଆଖିରେ ନିଜ ସ୍ପର୍ଶ ସେ ପାଏନା, ସେତେବେଳେ ସେ ବିକଳ ହୋଇ ଉଠେ କେମିତି ଗୋଟିଏ ବିଭୀଷିକା ଧୀରେ ଧୀରେ ତାର ଚତୁର୍ଦ୍ଦିଗରେ ସୃଷ୍ଟି ହୁଏ ।

 

ସେଇ ବିକଳାଙ୍ଗ ଲୋକଟା । ସେ କ’ଣ ତାର ସ୍ୱାମୀ ! ନା…...ନା, ସେ କଦାପି ତାର ସ୍ୱାମୀ ହୋଇପାରେନା । ଗତ ରାତିର ସ୍ୱପ୍ନ...ନା, ସ୍ୱପ୍ନ ନୁହେଁ ଦୁଃସ୍ୱପ୍ନ ! ସେ ଆଉ ଯେମିତି ଚିନ୍ତା କରିପାରୁନଥିଲା । ତା’ ଦେହରୁ ମାଂସଗୁଡ଼ା ଖସିଯାଉଥିଲା ଗୋଟିଏ ସିଝା ଭାକୁଡ଼ ଦେହରୁ ଝଡ଼ିଲାପରି । ତାର ଆଙ୍ଗୁଠି ବୋଲି କିଛି ନଥିଲା । କେବଳ ଗୋଟିଏ ଥୁଣ୍ଟା ବିକୃତ ପାପୁଲି । କାନ ଦୁଇଟା ବୋଧହୁଏ କେବଠୁ ଝଡ଼ିଗଲାଣି ଦୁଇଟା ଶୁଖିଲା ପତ୍ରପରି । ସେ ଲୋକଟା ସମ୍ପର୍କରେ ଆଉ ବେଶି ସେ ଭାବି ପାରୁନଥିଲା । ତାକୁ ଯେମିତି ବାନ୍ତି ମାଡ଼ିଆସିଲା । ତା’ର ବିକୃତ ମୋଟା ନାକଟା ଅସମ୍ଭବ ଭାବେ ଫୁଲି ଉଠିଥିଲା । ସମସ୍ତ କାରଣ ସତ୍ତ୍ୱେ ସେ ମାଡ଼ି ଆସୁଥିଲା ଆଗକୁ ଆଗକୁ । ସେ ବୋଧହୁଏ ହସୁଥିଲା । ତାର ସେ ଫଟା ଫଟା ଓଠରେ କି ବିକୃତ ଓ କଦର୍ଯ୍ୟ ହସ । ସେ କ’ଣ କେବେ ପ୍ରେମର ଉଚ୍ଛ୍ୱାସ ସୃଷ୍ଟି କରିପାରେ ! କଙ୍କାଳ ପରି ତାର ସରୁ ହାତ ଦୁଇଟି ଲମ୍ବାଇ ସେ ଆସୁଥିଲା ତାକୁ ଆଲିଙ୍ଗନ କରିବାକୁ । ସେଇଭଳି ଗୋଟିଏ କଦାକାର କୃଷ୍ଠରୋଗୀର ଆଲିଙ୍ଗନରେ ସେ ଆବଦ୍ଧ ହେବା ପୂର୍ବରୁ ମୃତ୍ୟୁ ସହସ୍ରଗୁଣରେ ଶ୍ରେୟସ୍କର । କାରଣ ତା’ ପରେ ସେ ଇଚ୍ଛାକଲେ ସୁଦ୍ଧା ବଞ୍ଚିପାରିବ ନାହିଁ । ସେ ଯେଉଁ ଜୀବନ ତାହା ଜୀବନ ନୁହେଁ, ତାହା ମୃତ୍ୟୁଠାରୁ ମଧ୍ୟ ସହସ୍ର ଗୁଣରେ ଭୟଙ୍କର । ଯେଉଁ ମୃତ୍ୟୁ ଗୋଟିଏ ନିମିଷକରେ ସହସ୍ର ଅନୁଭୂତି ଓ ସମ୍ଭାବନାକୁ ଶେଷ କରିଦିଏ, ତାହା ବରଂ ଗ୍ରହଣୀୟ । ସେଥିରେ ପ୍ରାପ୍ତିର ଆଶା ନଥିଲେ ସୁଦ୍ଧା ଅପ୍ରାପ୍ତିର ହତାଶାରୁ ମୁକ୍ତି ମିଳେ; କିନ୍ତୁ ପ୍ରତି ମୁହୂର୍ତ୍ତରେ ଜୀବନର ମୃତ୍ୟୁଯନ୍ତ୍ରଣା ଅତିଶୟ ହୃଦୟ ବିଦାରକ ।

 

ମୃତ୍ୟୁକୁ ଆଲିଙ୍ଗନ କରିବାପାଇଁ ସେ ଛାତ ଉପରୁ ତଳକୁ ଡେଇଁପଡ଼ିଥିଲା । ଓଃ, କି ପରମ ଆନନ୍ଦ ! ମୃତ୍ୟୁର କରାଳ ଆଲିଙ୍ଗନ ସେ ବିକୃତ କୃଷ୍ଠରୋଗୀର ଆଲିଙ୍ଗନଠାରୁ ନିଶ୍ଚୟ ଅଧିକ ଆରାମପ୍ରଦ—ଅଭିନନ୍ଦନୀୟ ! ତା’ର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ସେ ଆଲିଙ୍ଗନ ଖିନ୍‌ଭିନ୍‌ କରିଦେଇଥିଲା । ତାର ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ପୁଣି ଏକାଠି କରି ସେ ସତେ ଯେମିତି ନିଜ ଅନୁଭୂତିରେ ଜୀବନ ସଞ୍ଚାର କରୁଥିଲା ।

 

ଦୁଃସ୍ୱପ୍ନର କୁହୁଡ଼ି ଭେଦକରି ସେ ଚାହିଁଥିଲା ବାସ୍ତବ ପୃଥିବୀକୁ । ପ୍ରଥମେ ସେ ବୁଝିପାରି ନଥିଲା ବାସ୍ତବରେ ସେ ବଞ୍ଚିଛି ନା ମରିଛି । ତାର ଏ ଅନୁଭୂତି…...ମାନସିକ ଚିନ୍ତନ, ଭୌତିକ ନା ଆଧିଭୌତିକ । ସେ ନିଶ୍ଚୟ ପୃଥିବୀଇତର ଯେକୌଣସି ସ୍ତରରୁ ନିଜର ଅନୁଭୂତି ଗ୍ରହଣ କରୁନଥିଲା । ସେ ନିଜକୁ ତନ୍ନ ତନ୍ନ କରି ପରୀକ୍ଷା କଲା । କେମିତି ଗୋଟାଏ ଚିତ୍କାର କରି ସେ ନିଜ ବିଛଣାରୁ ଉଠିପଡ଼ିଲା । ଝରକା ଦେଇ ସେ ରାଜରାସ୍ତାଆଡ଼କୁ ଚାହିଁଲା । ତା’ର ମୃତଦେହର ବିଚ୍ଛିନ୍ନ ଅଙ୍ଗପ୍ରତ୍ୟଙ୍ଗ ତଥାପି ମଧ୍ୟ ସେଠାରେ ପଡ଼ିଛି କି ନାହିଁ ଅବଧାରଣା କରିବାପାଇଁ । ଅଳ୍ପସମୟ ତଳର ତା’ର ଅନୁଭୂତି ଯେ ଦୁଃସ୍ୱପ୍ନଜନିତ ତାହା ବିଶ୍ୱାସ କରିବାପାଇଁ ତା ନିଜ ଭିତରଟାକୁ ସେ ପ୍ରସ୍ତୁତ କରୁଥିଲା । ସାଦା କାଗଜ ଖଣ୍ଡିଏ ଭଳି ତା’ର ଶେତା ମୁହଁରେ ତଥାପି ଭରିରହିଥିଲା ଆତ୍ମପ୍ରତ୍ୟୟହୀନ ଅବିଶ୍ୱାସ ।

 

ସେଇ ଅନ୍ଧକାର ରାତିରେ ପୁଣିଥରେ ସେ ଫେରିଚାଲିଲା ତା’ର ଅତୀତକୁ ।

 

ବର୍ଷ ବର୍ଷ ଧରି ସେ ଯେଉଁ ଦିନଟିର ସ୍ୱପ୍ନ ଦେଖିଥିଲା—ଯାହାର କଳ୍ପନାରେ ସେ ରୋମାଞ୍ଚିତ ହୋଇ ଉଠୁଥିଲା, ସେଦିନ ଶେଷରେ ଆସିଲା ଗୋଟିଏ ଭୟଙ୍କର ମହାମାରୀର ରୂପ ନେଇ । ସବୁ ଆଶା, ଭରସା—ସବୁ ସ୍ୱପ୍ନ ଆଉ କଳ୍ପନାକୁ ଧୂଳିରେ ମିଶାଇଦେଲା ।

 

କିଏ ସେଇ ଲୋକଟା, ଯାହାର ବିକଳାଙ୍ଗ ବାହୁର ମୃତ୍ୟୁ-ଶୀତଳ ଆଲିଙ୍ଗନ ଭିତରକୁ ତାକୁ ଠେଲି ଦିଆଗଲା । ଆଉ କିଏ ସେମାନେ, ଯେଉଁମାନେ ଜୋର୍‌ କରି ତାର ଶୁଭାକାଙ୍‌କ୍ଷୀ ସାଜି ତାକୁ ସର୍ବଗ୍ରାସୀ ନିଆଁର କୁଣ୍ଡଳି ଭିତରେ ଛାଡ଼ିଦେଲେ । ପଛକୁ ଥରୁଟିଏ ସୁଦ୍ଧା ଫେରି ଚାହିଁଲେନାହିଁ । ବାପ-ମା’ ଛେଉଣ୍ଡ ନିରୀହା ବାଳିକାଟିକୁ ସେମାନେ ପଇସା ଲୋଭରେ ଶେଷରେ ବିକ୍ରି କରିଦେଲେ ! ମଣିଷ କ’ଣ କେବେ ଏଡ଼େ ନୃଶଂସ ହୋଇପାରେ । ନିଜର ଲୋକମାନେ ହିଁ ତାକୁ ବିକ୍ରି କରିଦେଲେ ଗୋଟିଏ କୃଷ୍ଠରୋଗୀ ପାଖରେ ।

 

ବାପା ତାର ଯେଉଁଦିନ ହଠାତ୍‌ ବେମାର ହୋଇ କକେଇଙ୍କୁ ଖବର ପଠାଇଲେ, ସେଦିନ ସେ ତାଙ୍କ ପାଖରେ ବସିଥିଲା । ସେ କିଛି ବୁଝିପାରୁ ନଥାଏ । ମୁହଁରେ ତା’ର କଥା ଫିଟୁନଥାଏ । ଖାଲି ଆଖିରୁ ଗଡ଼ିପଡ଼ୁଥିଲା ଧାର ଧାର ଲୁହ । ଥରିଲା ଗଳାରେ ସେ ଶୁଣିପାରିଥିଲା ବାପାଙ୍କର କେତେକ ଶବ୍ଦ । ବୋଧହୁଏ ତାହାହିଁ ଥିଲା ତାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ—‘‘ଆଉ ନାହିଁରେ ଭାଇ, ଆଉ ନାହିଁ…...ମୁଁ ଗଲି । ହେଇ ମୋର ଡାକରା ଆସିଗଲା । ଯେବେହେଲେ ଦିନେ ଯିବା କଥା ତ ! କିନ୍ତୁ ଗୋଟିଏ ଦୁଃଖ ! ଏଇ ରତୀ କଥା ଭାବି ଭାବି ମୋର ପ୍ରାଣ ଛାଡ଼ୁନାହିଁ-। ତୁ ମତେ କଥା ଦେ, ତୁ…...’’ କିଛି ସମୟ ପାଇଁ ସେ ଆଉ କିଛି କହିପାରିଲେ ନାହିଁ । ଗୁଡ଼ାଏ କଫ ଯେମିତି ତାଙ୍କ ଗଳାରେ ଜମାଟ ବାନ୍ଧିଗଲା । କ’ଣ କହିବେ ତାଙ୍କ ମୁହଁକୁ ଭାଷା ପଇଟୁ ନଥିଲା । ଶେଷରେ ସେ କକେଇଙ୍କ ହାତଟାକୁ ଧରି ପିଲାଙ୍କ ଭଳି ଭୋ ଭୋ କାନ୍ଦିପକାଇଲେ । ତା’ପରେ ହଠାତ୍‌ ତାଙ୍କ କାନ୍ଦ ବନ୍ଦ ହୋଇଗଲା । ଖଟରେ ଶୁଆଇ ଦେଇ କକେଇ ତାଙ୍କ ମୁହଁ ଉପରକୁ ଚାଦର ଟାଣିଦେଲେ । ସବୁ ସରିଗଲା ।

 

ଆରତୀ ମନ ଯେପରି ବିଦ୍ରୋହ କରିଉଠୁଥିଲା । ସେଇସବୁ ଧପ୍‌ପାବାଜ, ପାଷଣ୍ଡମାନଙ୍କ ବିରୁଦ୍ଧରେ—ସେଇ ତା’ର ଆପଣାର ଲୋକମାନେ ହିଁ ତା’ର ସର୍ବନାଶର ମୂଳରେ-। ସେ ସେମାନଙ୍କୁ କ୍ଷମା ଦେଇପାରୁନଥିଲା ।

 

ତାର ସର୍ବନାଶର ଦିନଟା କେମିତି ବିକୃତ ଦାନ୍ତ ଦେଖାଇ ତାକୁ ଖତେଇ ହେଲା । କେତେ ଆନନ୍ଦ ଓ ମଉଜ ମଜଲିସ୍‌ର ଦିନ ସେଇଟା ! କିନ୍ତୁ ବାହାରେ ଏମିତି ହସଖୁସିର ମୁଖା ପିନ୍ଧି, ସୁନାର ମୃଗଟିଏ ସାଜି ସେଇ ମାରୀଚ ତା’ର ଜୀବନର ସବୁ କାମନା ସବୁ ସ୍ୱପ୍ନକୁ ମାଟିରେ ମିଶାଇଦେଲା ।

 

ଖୁଡ଼ୀ ସେଦିନ ହସରେ ଫାଟିପଡ଼ୁଥିଲା । ସେ ଯେମିତି ତା’ର ଦଦରା ବୟସ ଓ କାଳି କୋଚଟ ରୂପନେଇ ଖାଲି ଆକାଶରେ ଉଡ଼ିଯିବାକୁ ପର ସଜାଡ଼ୁଥିଲା । ଘରୁ ବିଦାକି ନେବାବେଳେ ଖୁଡ଼ୀକୁ ଜାବୁଡ଼ି ଧରି କେତେ ସେ ନ କାନ୍ଦିଛି ! ଖୁଡ଼ୀ ମଧ୍ୟ କମ୍‌ ଲୁହ ଗଡ଼େଇ ନଥିଲା ସେଦିନ । ତା ଛାତିରେ ମଧ୍ୟ ମା’ ଭଳି ଉଷୁମ । ଟିକିଏ ବି କମ୍‌ତି ନଥିଲା । ସେ କେମିତି ଜାଣିଥାନ୍ତା ସେ ବିବାହ ଗୋଟେ ଫନ୍ଦି । ଫାଶ ଦଉଡ଼ି ଆଉ ଅଠାକାଠି ବିଛେଇ ଦେଇ ଚଢ଼େଇକୁ ଯେମିତି ଶିକାରୀ ଜଗିବସେ, ସେମିତି ସେମାନେ ଜଗି ବସିଥିଲେ ତାକୁ ଧରିବା ପାଇଁ ।

 

ଏତେ ସୁନ୍ଦରଭାବେ ସେମାନେ ସବୁ ନିଜ ନିଜର ପାର୍ଟ ଅଭିନୟ କରିପାରିଲେ ! ହାଣ ମୁହଁକୁ ନେଉଥିବା ଘାତକ କଣ ଏମିତି କୋମଳ ହସ ହସିପାରେ ? ଶଙ୍ଖ, ହୁଳହୁଳି ପଟୁଆର ଆଡ଼ମ୍ବର ଭିତରେ ଗୋଟିଏ ସମ୍ମୋହିତା ସୁକୁମାରୀ କନ୍ୟାକୁ ସେମାନେ ବେଦି ଉପରକୁ ଉଠାଇଦେଲେ । ପୁରୋହିତଙ୍କ ମନ୍ତ୍ରପାଠ, ହୋମ ଭିତରେ ଗୋଟିଏ ଅପରିଚିତ ବ୍ୟକ୍ତି ସାଙ୍ଗରେ ତାର ଭାଗ୍ୟଡ଼ୋରି ଛନ୍ଦି ହୋଇଗଲା । ସେ ବନ୍ଧନରୁ ମୁକ୍ତି ନାହିଁ । ମୃତ୍ୟୁ ପରେ ମଧ୍ୟ ନୁହେଁ । ପରଜନ୍ମରେ ପୁଣି ଏକତ୍ରିତ ହେବାର ସମ୍ଭାବନା ମନ୍ତ୍ରସିଦ୍ଧ ।

 

କେତେ ଉପଦେଶ କେତେ ନିର୍ଦ୍ଦେଶକୁ ମାନି ଗୋଟାଏ ନୂଆ ଜୀବନର ରାଜପଥରେ ସେ ପାଦ ଥୋଇଥିଲା । ସେ ଭାବିଥିଲା, ତା ପଛରେ ରହିଛି ଗୋଟାଏ କନ୍ୟାବତ୍ସଳ ହୃଦୟର ସ୍ନେହ, ମମତା । ଗୋଟିଏ ବିଧୁର ପ୍ରାଣର ପୂଜା ନୈବେଦ୍ୟ......ଆଶିଷ ଓ ଆରାଧନା । ତାର ନୂତନ ଜୀବନକୁ ମଙ୍ଗଳମୟ କରିବାପାଇଁ ସେଇତକ ସମ୍ବଳ ଯଥେଷ୍ଟ-ତାହାହିଁ ତାର ଏକମାତ୍ର ପାଥେୟ । ଜୀବନରେ ଆଉ ଦୁଃଖ ପଶ୍ଚାତ୍ତାପର କାରଣ ନାହିଁ । ଗୋଟିଏ ନୂତନ ଗୃହରେ ପୁଣି ସେ ଫେରିପାଇବ ପିତା, ମାତାର ସ୍ନେହ…...ସ୍ୱାମୀର ସୋହାଗ । ସେ ଯେଉଁ ନୂତନ ଲୋକଟିକୁ ପାଇବ, ତାର ସ୍ୱାମୀ ରୂପରେ ସେ ହେବ ତାର ଇହକାଳ ପରକାଳର ଦେବତା ।

 

କିନ୍ତୁ ତାର ସ୍ୱପ୍ନ ଭଙ୍ଗ ହେବାପାଇଁ ବେଶି ସମୟ ଲାଗିନଥିଲା ।

 

ଏ ଭିତରେ ପ୍ରାୟ ଦୁଇ ମାସ ଅତିବାହିତ ହୋଇଯାଇଛି । ସମୟ ଜୀବନର କ୍ଷତିଗୁଡ଼ିକ ଉପଶମ କରିବାର ମହୌଷଧି । ଅବଶ୍ୟ ଆରତୀ ତାର ଅତୀତକୁ ସଂପୂର୍ଣ୍ଣ ରୂପେ ଭୁଲିପାରି ନାହିଁ; କିନ୍ତୁ ଜୀବନର ତିକ୍ତତା ତାର ବହୁ ପରିମାଣରେ କମିଯାଇଛି । ସେ ପୂର୍ବପରି ଦୁଃସ୍ୱପ୍ନରେ ନିଦରୁ ହଠାତ୍‌ ଉଠିପଡ଼ି ଚିତ୍କାର କରୁନାହିଁ । ପ୍ରତି ମୁହୂର୍ତ୍ତରେ ଏକ ବିକଳାଙ୍ଗ ପ୍ରେତ ଛାଇ ତାକୁ ଅନୁସରଣ କରିବାର ଭ୍ରାନ୍ତି ଧୀରେ ଧୀରେ ଦୂରେଇ ଯାଇଛି । ବର୍ତ୍ତମାନ ସେ ଆଗଠାରୁ ଅନେକ ସୁସ୍ଥ ଅନୁଭବ କରିପାରୁଛି । ସୁରପ୍ରସାଦଙ୍କ ସହିତ ତାର ସଂପର୍କ ମଧ୍ୟ କ୍ରମଶଃ ସ୍ୱାଭାବିକ ହୋଇ ଆସୁଥିଲା । ଆଜିକାଲି ସେହି ଘରଟିକୁ ଯେମିତି ସୁରପ୍ରସାଦ ଅତି ନିଜର କରିନେଇଥିଲେ । ବହୁ ସମୟରେ କୌଣସି ନା କୌଣସି ବାହାନାରେ ସେ ଆସି ପହଞ୍ଚିଯାଉଥିଲେ ତା’ ପାଖରେ ।

 

ପ୍ରଥମେ ପ୍ରଥମେ ସେ ଘୃଣା କରୁଥିଲା ପ୍ରତ୍ୟେକ ପୁରୁଷକୁ...ମଣିଷ ଜାତିକୁ । ସୁରପ୍ରସାଦ ମଧ୍ୟ ସେଥିରୁ ବାଦ୍‌ ପଡ଼ିନଥିଲେ । ତାର ଧାରଣା ହୋଇଥିଲା ଯେ ପରର ଦୁର୍ବଳତାରୁ ଲାଭ ଉଠାଇବା ପ୍ରତ୍ୟେକ ମନୁଷ୍ୟର ଉଦ୍ଦେଶ୍ୟ । ସୁରପ୍ରସାଦ ନିଶ୍ଚୟ ତାର ଦୁର୍ବଳତାରୁ ଯଥାସମ୍ଭବ ଲାଭ ଉଠାଇବା ଚେଷ୍ଟାରେ ଥିଲେ ।

 

କିନ୍ତୁ ତାର ଏ ବିଦ୍ୱେଶଭାବ ଦୂରହେବା ପାଇଁ ବେଶି ସମୟ ଲାଗିନଥିଲା ।

 

—‘ମୋର କିଛି କହିବାର ଅଛି ।’ ସେ କ’ଣ କହିବା ଆଗରୁ ଠିକ୍‌ କରିସାରିଥିଲା । ସେ ନିଜର ସମସ୍ତ ଜିନିଷପତ୍ର ସଜାଡ଼ି ସାରିଥିଲା ଚାଲିଯିବା ପାଇଁ । ଆଉ ମୁହୂର୍ତ୍ତେ ମଧ୍ୟ ସେ ତାଙ୍କର ଦୟାରେ ରହିବାପାଇଁ ଚାହେଁନା ।

 

—କ’ଣ କହିବାର ଅଛି ? ତୁମ କହିବା ପାଇଁ ମୁଁ ବହୁବାର ବାରଣ କରିଛି । ମୋର ଜାଣିବାର ଆବଶ୍ୟକତା ନାହିଁ । ମୋ ପାଖରେ ମଣିଷର ପରିଚୟ ନିଜେ ସେଇ ମଣିଷ । ତାର ଅତୀତ କିମ୍ବା ଭବିଷ୍ୟତ ନୁହେଁ…..ତା’ର ପରିବାର କିମ୍ବା ବନ୍ଧୁ ସମ୍ପର୍କ କେହି ନୁହେଁ ।

ମୁଁ କାହାର ଦୟା ଉପରେ ବଞ୍ଚିବାକୁ ଘୃଣାକରେ ।

—ତୁମେ ମୋ ଫାର୍ମରେ ନିଯୁକ୍ତି ପାଇସାରି କାଲି ଅଫିସରୁ ତୁମର ନିଯୁକ୍ତିପତ୍ର ନେଇଯାଇ ପାର ।

—ସାର୍‌, କହିଲିପରା ମୋ ସମ୍ପର୍କରେ ଆପଣ କିଛି ଜାଣନ୍ତି ନାହିଁ । ଆପଣ ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେଥିପାଇଁ ଯଦି ଆପଣଙ୍କୁ ପଶ୍ଚାତ୍ତାପ କରିବାକୁ ପଡ଼େ ।

—ମୋର କୌଣସି କାର୍ଯ୍ୟପାଇଁ ମୁଁ କେବେ ପଶ୍ଚାତ୍ତାପ କରେନାହିଁ । ବରଂ ତୁମ ପାଖରେ ମୋର ଗୋଟିଏ ପ୍ରସ୍ତାବ ଅଛି । ତୁମେ କାଳେ ମତେ ଭୁଲ୍‌ ବୁଝିବ ସେଇ ଆଶଙ୍କାରେ ମୁଁ ପ୍ରସ୍ତାବଟି ତୁମ ଆଗରେ ପ୍ରକାଶ କରିନାହିଁ । ମୁଁ ଜାଣେ, ତୁମେ ମଣିଷକୁ ଅବିଶ୍ୱାସ ଓ ଘୃଣାକରିବା ପାଇଁ ଯଥେଷ୍ଟ ତିକ୍ତ ଅନୁଭୂତି ଲାଭକରିଛ । ମଣିଷକୁ ବିଶ୍ୱାସ କରିବାପାଇଁ ତୁମର ପ୍ରସ୍ତୁତିର ବେଳ ଆସିଛି ବୋଲି ମୋର ମନେହୁଏ । ତେବେ…...

ସୁରପ୍ରାସାଦ ଆଉ କିଛି ପ୍ରକାଶ କଲେନାହିଁ । ଆରତୀକୁ ସେ ଏଇ କେତେଦିନ ଧରି ଅତି ନିକଟରୁ ଦେଖିବାର ସୁଯୋଗ ପାଇଛନ୍ତି । ଥରେ ସେ ଗୋଟିଏ ନିଷ୍ପତ୍ତି ନେଲେ ତାକୁ ବଦଳାଇବା ଅସମ୍ଭବ । ତେଣୁ ସେ ବହୁଦିନ ଧରି ନୀରବ ରହିଛନ୍ତି; କିନ୍ତୁ ଆଉ ନୀରବ ରହିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ଆରତୀପକ୍ଷେ ମଧ୍ୟ ତାହା ମଙ୍ଗଳକର ହେବନାହିଁ ।

 

ଆରତୀ ମୂର୍ଚ୍ଛିତା ହେବା ପରେ ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ସେ ଅନ୍ତଃସତ୍ତ୍ୱା-। ସବୁ ଦୁଃସପ୍ନ ତା’ର ସେଇ ଅବସ୍ଥାର ହିଁ ପ୍ରତିକ୍ରିୟା । ଅବସ୍ଥାର ଚାପରେ ସେ ହୁଏତ ପୁଣିଥରେ କିଛି ଗୋଟାଏ ସାଂଘାତିକ କାଣ୍ଡ କରିପାରେ; କିନ୍ତୁ ଆରତୀର ଏ ଅବସ୍ଥା ସମ୍ପର୍କରେ ଯେ ସେ ଅବିହିତ, ତାହା ତା’ଠାରୁ ଗୁପ୍ତ ରଖିବାପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

 

ବହୁସମୟ ଚିନ୍ତା କରିବା ପରେ ସୁରପ୍ରସାଦ ଆରମ୍ଭକଲେ,—‘‘ତୁମକୁ ବାହାହେବା ପାଇଁ ମୁଁ ଯଦି ପ୍ରସ୍ତାବ ଦିଏ…... ।’’ ସେ ଆରତୀର ପ୍ରତିକ୍ରିୟା ଲକ୍ଷ୍ୟ କରୁଥିଲେ । କିଛି ସମୟ ନୀରବ ରହିବା ପରେ କହିଲେ—ଅବଶ୍ୟ ତୁମ ତରଫରୁ ତୁମେ ସମ୍ପୂର୍ଣ୍ଣ ସ୍ୱାଧୀନ । ମୋ ପ୍ରସ୍ତାବ ତୁମେ ଗ୍ରହଣନକଲେ ମୋ ମନରେ କୌଣସି ଗ୍ଲାନି ଦେଖାଦେବନାହିଁ ।

 

ଆରତୀ ବୋଧହୁଏ କୌଣସି ଭାଷା ପାଉନଥିଲା ତାର ମନର କଥା…...ତା ପ୍ରାଣର ବେଦନା ପ୍ରକାଶ କରିବାପାଇଁ । ତା ଆଖିରେ ଲୁହର ପ୍ଳାବନ । ସେ ବୋଧହୁଏ ଯାହା କହିବାକୁ ଚାହୁଁଥିଲା ଆଉ ବେଶି ସମୟ ବନ୍ଦ କରିପାରିଲା ନାହିଁ ।

 

ମୁଁ ଅନ୍ତଃସତ୍ତ୍ୱା । ମୋ ଗର୍ଭରେ ସେଇ କୃଷ୍ଠରୋଗୀର ସନ୍ତାନ । ମୁଁ ସବୁଦିନ ପାଇଁ ନାରୀର ସୌଭାଗ୍ୟରୁ ବଞ୍ଚିତା । ଆପଣଙ୍କୁ ପ୍ରବଞ୍ଚିତ କରିବା ମୋର ଘୋର ଅପରାଧ । ଏ ଭଳି ଏକ ଅବାଞ୍ଛିତ ଶିଶୁକୁ ଗର୍ଭରେ ନେଇ ମୁଁ ବଞ୍ଚିବାକୁ ଚାହେଁନା । ମତେ କ୍ଷମାକରନ୍ତୁ ସାର୍‌ ! ଏ ବନ୍ଧନରୁ ମତେ ମୁକ୍ତି ଦିଅନ୍ତୁ । ସଂସାରର ମାୟା ମମତାଠାରୁ ମୁଁ ବହୁଦୂରକୁ ଚାଳିଯିବାକୁ ଚାହେଁ । ଗୋଟିଏ ଅବୈଧ ସନ୍ତାନର ଜନନୀ ଭାବେ ବଞ୍ଚିବା ଅପେକ୍ଷା ମରିଯିବା ବହୁଗୁଣରେ ଭଲ ।

 

—ତୁମେ ଯେ ଅନ୍ତଃସତ୍ତ୍ୱା ତା’ ମୁଁ ଜାଣେ । ତୁମକୁ ଏକଥା ନ ଜଣାଇବା ପାଇଁ ମୁଁ ଡାକ୍ତରଙ୍କୁ ଅନୁରୋଧ କରିଥିଲି; କିନ୍ତୁ କିଏ କହେ ତୁମ ଗର୍ଭସ୍ଥ ସନ୍ତାନ ଅବୈଧ ! ତୁମର ବିବାହ ଧର୍ମ ଓ ଶାସ୍ତ୍ର ସମର୍ଥିତ ।

 

—ସେଇ ବିବାହ ବର୍ତ୍ତମାନ ସମ୍ପୂର୍ଣ୍ଣ ନିରର୍ଥକ । ମୁଁ ଯାହାକୁ ଧ୍ୱଂସ କରିଦେଇ ଜଳାଞ୍ଜଳି ଦେଇଆସିଛି, ସେଇକଥା ଚିନ୍ତାକରିବା ମଧ୍ୟ ମୋ ପକ୍ଷେ ଗର୍ହିତ କଥା ।

 

ଆରତୀ ଯେମିତି ଚାହୁଁଥିଲା ବହିଯିବା ପାଇଁ ଗୋଟିଏ ପ୍ରଗଳ୍‌ଭା ନଦୀ ଭଳି । ତାର ହୃଦୟକୁ ଖୋଲି ସେ ସବୁକିଛି କହିଦେବା ପାଇଁ ଚାହୁଁ ଥିଲା । ଆଜିଯାଏଁ ସୁରପ୍ରସାଦ ତାକୁ ବାରଣ କରିଥିଲେ ତାର ଅତୀତ ଜୀବନ ସମ୍ପର୍କରେ କିଛି ପ୍ରକାଶ କରିବାପାଇଁ; କିନ୍ତୁ ଆଜି ସେ କାହାର ବାରଣ ଶୁଣିବାନାହିଁ । ସୁରପ୍ରସାଦ ମଧ୍ୟ ତାକୁ ମନାକରି ପାରିଲେନାହିଁ । ହୁଏତ ସବୁ କଥା ପ୍ରକାଶ କରିଦେବା ପରେ ସେ ତାର ବିପର୍ଯ୍ୟସ୍ତ ଭାରସାମ୍ୟ ଫେରି ପାଇପାରେ ।

 

ଅନେକ ସମୟରେ ନୀରବତା ପରେ ସେ ଆରମ୍ଭ କଲେ—ମୋର ବିଶ୍ୱାସ ତୁମ ଗର୍ଭସ୍ଥ ସନ୍ତାନକୁ ପିତୃତ୍ୱ ଦେବାର ସୌଭାଗ୍ୟରୁ ତୁମେ ମତେ ବଞ୍ଚିତ କରିବ ନାହିଁ ।

 

ପୁଣି ଥରେ ମଣିଷ ପ୍ରତି ତାର ହଜି ଯାଇଥିବା ବିଶ୍ୱାସର ପୁଞ୍ଜିକୁ ସାଉଁଟି ଏକାଠି କରିବାପାଇଁ ଚେଷ୍ଟାକରୁଥିଲା ଆରତୀ ।

Image